ଛ’ମାଣ ଆଠଗୁଣ୍ଠ ଉପନ୍ୟାସର ଜନ୍ମ କାହାଣୀ

ଛ’ମାଣ ଆଠଗୁଣ୍ଠ ଉପନ୍ୟାସର ଜନ୍ମ କାହାଣୀ

୧୮୯୭ ମସିହା “ଉକ୍ରଳ ସାହିତ୍ୟ”ର ୧୩୦୫ ତମ ପ୍ରକାଶନରେ ଛ’ମାଣ ଆଠଗୁଣ୍ଠ ଉପନ୍ୟାସର ଧାରାବାହିକ ପ୍ରଥମ ଥର ପାଇଁ ପ୍ରକାଶିତ ହୋଇଥିଲା । ଓଡ଼ିଶାର କଥା ସମ୍ରାଟ ଫକିର ମୋହନ ସେନାପତି ତାଙ୍କ ଉପନ୍ୟାସର ଲୋକପି୍ରୟତା ପ୍ରତି ସନ୍ଦିହାନ ହୋଇ ଲେଖକ ସ୍ଥାନରେ ଧୃଜଟି ନାମରେ ଛଦ୍ମ ନାମରେ ଏହା ପ୍ରକାଶ କରାଇଥିଲେ । ମାତ୍ର ପରବର୍ତୀ କାଳରେ ଏହାର ଲୋକପି୍ରୟତା ଶୀର୍ଷ ସୀମାରେ ପହଂଚିବା ସଙ୍ଗେସଙ୍ଗେ କଥା ସମ୍ରାଟ ଫକିର ମୋହନଙ୍କ ଯଶକୁ ବ୍ୟାପ୍ତ କଲା । ଯଦି କଥା ସମ୍ରାଟ ନିଜ ଜୀବନ କାଳରେ ଅନ୍ୟାନ୍ୟ ଉପନ୍ୟାସ ଓ କବିତା ଲେଖିନଥାନ୍ତେ, ଏବେ ମଧ୍ୟ ତାଙ୍କ ଯଶ ରାଶିରୁ କଣିଚାଏ ଊଣା ହୋଇନଥାନ୍ତା । ଏହି ଉପନ୍ୟାସର ଶତାଧିକ ବର୍ଷ ବିତିଗଲାଣି । ସାହିତ୍ୟର ଯୁଗ ପରେ ଯୁଗ ଗଡ଼ି ଗଲାଣି । ତଥାପି ଆଉ କୌଣସି ଉପନ୍ୟାସ ଛ’ମାଣ ଆଠଗୁଣ୍ଠକୁ ଟପି ପାରି ନାହାନ୍ତି ।୧୮୯୪ ବେଳକୁ ଫକିର ମୋହନ ତାଙ୍କର ଶେଷ ଚାକିରି ଡ଼ମପଡ଼ାର ଦେୱାନୀ ପଦରୁ ଇସ୍ତଫା ଦେଇ କଟକ ଚାଲିଆସିଲେ । କଟକର ଧୂଅାଁ ନଳିଆ ଗଳିରେ ବାସ କରିବାକୁ ଲାଗିଲେ ଓ ସାହିତ୍ୟର ଦୁଇ ମହାରଥୀ ମଧୁସୂଦନ ରାଓ ଏବଂ କବିବର ରାଧାନାଥ ରାୟଙ୍କ ସହିତ ସାହିତ୍ୟ ଆଲୋଚନା କରି ଶାନ୍ତି ଓ ତୃପ୍ତିରେ ଜୀବନ କଟାଇଲେ । ଏହି ସମୟରେ ବାଗ୍ନୀ ବିଶ୍ୱନାଥ କର ଓଡ଼ିଆ ସାହିତ୍ୟ ପତି୍ରକା ନାମକ ଏକ ପତି୍ରକା ପ୍ରକାଶ କରି ସେଥିରେ ଲେଖା ଦେବାକୁ ଫକିର ମୋହନଙ୍କୁ ଅନୁରୋଧ କଲେ । ଫକିର ମୋହନ କବିତା ଦେବାକୁ ଇଚ୍ଛା ପ୍ରକାଶ କରିବାରୁ କର ମହାଶୟ ନିଜର ସୁଦୀର୍ଘ କଲମରେ ଜୀବନର ଅଭିଜ୍ଞତାକୁ ଭିତି କରି କିଛି ଲେଖିବାକୁ ତାଙ୍କୁ ଅନୁରୋଧ କଲେ । କିଛିଦିନ ଆଗରୁ ଫକିର ମୋହନ ତାଙ୍କର ଜ୍ୱାଇଁ ତଥା ଡ଼େପୁଟୀ ଗଗନ ଚୌଧୁରୀଙ୍କ କେନ୍ଦ୍ରାପଡ଼ା ବାସଭବନରେ କିଛିଦିନ କଟାଇଥିଲେ । ସେହି ସହରର ଜମିଦାର ଥିଲେ ରାଧାଶ୍ୟାମ ନରେନ୍ଦ୍ରଙ୍କ ବଂଶଧରମାନେ । ସେମାନେ ଚଞ୍ଚକତା ପୂର୍ବକ ଏକ ଗରିବ ପରିବାରର ଜମି ଆତ୍ମସାତ୍ କରିଥିଲେ । ସେତେବେଳେ ଓଡ଼ିଶାର ଜମିଦାର ଓ ମହୀମାନେ ବିଭିନ୍ନ ଉପାୟରେ ଗରିବ ମାନଙ୍କୁ ଶୋଷଣ କରୁଥିଲେ । ଅନେକ ଗଡ଼ଜାତରେ ଦେୱାନ୍ ଭାବେ ଚାକିରି କରି ଫକିର ମୋହନଙ୍କର ଏସବୁ ଅଙ୍ଗେନିଭା ଘଟଣା ଥିଲା । ଏହି ପଟ୍ଟଭୂମିରେ ଆରମ୍ଭ ହେଲା ଛ’ମାଣ ଆଠଗୁଣ୍ଠ ଉପନ୍ୟାସର ଜନ୍ମ କାହାଣୀ । ନିଜର ନିପୁଣ କଲମ ମୁନରେ ସରଳ ଭାଷା ଦେଇ ବିଭିନ୍ନ ଚରିତ୍ରର ରୂପରେଖ ଭାସି ଉଠିଲା । ତାଙ୍କ କଲମ ମୁନରେ ଅତ୍ୟାଚାରୀ ଜମିଦାର ରାମଚନ୍ଦ୍ର ମଙ୍ଗରାଜ, ସତୀସ୍ୱାଧୀ ସାଆନ୍ତାଣୀ, ଦୃଷ୍ଟା ଓ କଳୁଘୁଡ଼ି ଚମ୍ପା ପୋଇଲି, ବିଶ୍ୱାସଘାତକ ଗୋବିନ୍ଦା ଭଣ୍ଡାରୀ, ଗାଁ ଚୌକିଦାର ହଗୁରା ଜେନା, ବାଘ ସିଂହ ଜମିଦାର ବଂଶ, ପୋଲିସ୍ ଦାରୋଗା, ଓକିଲ, କୋର୍ଟ ପେସ୍କାର, ଲଳିତା ଦାସ ବାବାଜୀ ଓ ଶେଷରେ ଗ୍ରାମ୍ୟ ସରଳ ଜୀବନର ଦୁଇଟି ମୂର୍ତିମନ୍ତ ପ୍ରତୀକ ଶାରିଆ ଓ ଭଗିଆ ତନ୍ତୀ ଦମ୍ପତି ଓ ସେମାନଙ୍କ ଦୁଧିଆଳି ଗାଈ ନେତ । ସବୁ ଚରିତ୍ର ଯେପରି ତାଙ୍କ କଲମରେ ଜୀବନ୍ତ ହୋଇ ଉଠିଛନ୍ତି । ନିଜର ନିପୁଣ କଳ୍ପନା ବଳରେ ଗାଁ ପୋଖରୀ, ଗାଁ ଗୋହିରୀ, ସାଆନ୍ତଙ୍କ ଅନ୍ଦର ମହଲ, ବୁଢୀ ଠାକୁରାଣୀ ମନ୍ଦିର, ଅସୁର ଦିଘି, ବିରୂପା ନଈର ଉଛୁଳା ସୂଅ, ଗୋପୀ ସାହୁର ତେଲଲୁଣ ଦୋକାନ, ଘୋର ଅନ୍ଧକାରରେ ବରଗଛ ତଳର ଭୟାବହ ଅନୁଭୂତି ଆଦି ଅତି ନିଖୁଣ ଭାବରେ ଫୁଟି ଉଠିଛନ୍ତି । ଏଭଳି କଳ୍ପନା କେବେ ଆଗରୁ ଫୁଟି ଉଠିନଥିଲା ଓ ପରେ ମଧ୍ୟ ସମ୍ଭବ ହେବ ନାହିଁ । ଅଧ୍ୟାୟ ପରେ ଅଧ୍ୟାୟ ପ୍ରକାଶ ପାଇଲା ଓଡ଼ିଶା ସାହିତ୍ୟ ପତି୍ରକାରେ । ଓଡ଼ିଶାର ପୁରପଲ୍ଲୀରେ ଅଧା ପଢୁଆ ଲୋକମାନେ ଖୁବ୍ ଆଗ୍ରହରେ ପଢୁଥାନ୍ତି । ଶେଷରେ ଉପନ୍ୟାସର ଜମିଦାର ରାମଚନ୍ଦ୍ର ମଙ୍ଗରାଜଙ୍କ ହତ୍ୟା ଅଭିଯୋଗରେ ଅଭିଯୁକ୍ତର ବିଚାର ଲେଖନୀ ମୁନରେ ଆରମ୍ଭ ହେଲା ।……..
କଟକ କଚେରୀ ଆଗରେ କେତେକ ମଫସଲିଆ ଲୋକେ ଏକଡ଼ ସେକଡ଼ ହେଉଥାନ୍ତି । କଚେରୀ ଖୋଲିନଥାଏ । ସେହି ଲୋକମାନେ କଳା କୋଟ୍ ପିନ୍ଧା ଜଣେ ଓକିଲଙ୍କୁ ପଚାରିଲେ, “ଆଜ୍ଞା, ଜମିଦାର ମଙ୍ଗରାଜ ବାବୁଙ୍କର ବିଚାର କେଉଁଠି ହେଉଛି?” ଓକିଲ ବାବୁ କହିଲେ, “କାହିଁ ଏଭଳି କେଶ୍ ତ ଏଠି ଚାଲିନାହିଁ!” ଡ଼ରିଡ଼ରି ସେହି ଲୋକମାନେ ନିଜ ପକେଟ୍ ରୁ ଗୋଟିଏ ଲୋଚାକୋଚା କାଗଜ ବାହାର କଲେ । ତାହା ଥିଲା ଓଡ଼ିଆ ସାହିତ୍ୟ ପତି୍ରକାର ସଦ୍ୟତମ ପ୍ରକାଶନ । ସେହି ଧାରାବାହିକ ପ୍ରକାଶନରେ ଲେଖା ଥିଲା, ବର୍ତମାନ କଟକ କୋର୍ଟରେ ରାମଚନ୍ଦ୍ର ମଙ୍ଗରାଜଙ୍କ ମାମଲା ଚାଲୁଅଛି । ଏହା ପଢି ଓକିଲ ବାବୁ ଢୋ ଢୋ ହସିଲେ । କହିଲେ, “ଏହା ଏକ କାହାଣୀ! ଧୃଜଟି ନାଁରେ ଜଣେ କେହି ବଦମାସ୍ ଲେଖକ ଏଭଳି ଗପ ଲେଖୁଛି!” ଲୋକମାନେ ଡ଼ରିଡ଼ରି ପଚାରିଲେ, “ଛାପା କାଗଜରେ ଯାହାସବୁ ବାହାରେ, ତାହା କ’ଣ ମିଛ?”…..
ସେଦିନ ଯେଉଁ କାଳ୍ପନିକ କାହାଣୀର ବିଷୟ ସତ୍ୟର ପ୍ରତୀୟମାନ କରାଇ ସରଳ ଲୋକମାନଙ୍କୁ ସହରକୁ ଟାଣି ଆଣିଥିଲା, ଆଜି ମଧ୍ୟ ତାହାର ଆକର୍ଷଣ କମିନାହିଁ । ସମୟ ବଦଳୁଛି । ଆଜି ଜମିଦାର ନାହାନ୍ତି କି ରୟତ । ଚୌକିଦାର ନାହିଁ କି ବଫାଦାର । ଗାଁର ଅସୁରଦିଘି ପୋତି ହୋଇଗଲାଣି । ଗୋପୀ ସାହୁର ଦୋକାନ ଉଜୁଡ଼ିଗଲାଣି । ସାଆନ୍ତ ସାଆନ୍ତାଣି ମାନେ ଆଉ ସବାରୀ କି ତାମଜାନ୍ରେ ଆତଯାତ ହେଉନାହାନ୍ତି । ସେ ସମୟର କାହାଣୀ ଆଉ ନାହିଁ । କିଛିଦିନ ପରେ ଏହି ଉପନ୍ୟାସ ହୋଇଯିବ ହରପ୍ପା ଯୁଗର ଐତିହାସିକ ବୃତାନ୍ତ ଭଳି ପୁରୁଣା କଥା । ତଥାପି ଏହା ଓଡ଼ିଆ ସାହିତ୍ୟରେ ଏକ ଦିଗ ବାରେଣୀ ଖୁଂଟି ଭଳି କାଳକାଳକୁ ଅକ୍ଷୟ ହୋଇ ରହିବ । ଫକିରମୋହନ ତାଙ୍କର ଏହି ସୃଷ୍ଟିର ଚିର ଶାଶ୍ୱତ ଆଲୋକରେ ଉଦ୍ଭାଶିତ ହୋଇ ଜନମାନସରେ ଚିରଦିନ ପାଇଁ ଅମର ହୋଇ ରହିଯିବେ । ଡ଼ାକ୍ତର ସୁରେନ୍ଦ୍ର ନାଥ ଦାଶ

2 thoughts on “ଛ’ମାଣ ଆଠଗୁଣ୍ଠ ଉପନ୍ୟାସର ଜନ୍ମ କାହାଣୀ

  1. However, some trials reported that the gynecologic and vasomotor symptoms were greatest during active treatment and did not increase post treatment priligy at walgreens Used needles, syringes, swabs and empty ampoules should be placed in a contaminated sharps container and returned to an agency operating a syringe exchange scheme for safe disposal

Leave a Reply

Your email address will not be published.