ନିଜ ମାଟିରେ ନିଜେ ଶରଣାର୍ଥୀ

ନିଜ ମାଟିରେ ନିଜେ ଶରଣାର୍ଥୀ

ନିଜ ଭିଟାମାଟି ଛାଡ଼ି ଅନ୍ୟ ପଡ଼ୋଶୀ ଦେଶରେ ଆଶ୍ରୟ ନେଇଥିବା ଲୋକମାନେ ହିଁ ଶରଣାର୍ଥୀ । ନିଜର ଧର୍ମ, ଜାତି ଓ ଜାତୀୟତା ପ୍ରତି ଦେଖାଦେଇଥିବା ଆସନ୍ନ ବିପଦକୁ ମୁକାବିଲା କରିନପାରି ସେମାନେ ଦେଶ ଛାଡ଼ିଥାନ୍ତି । ସେମାନେ କେବେ ମଧ୍ୟ ପୂନର୍ବାର ନିଜ ମାଟିକୁ ଫେରିଯିବା ପାଇଁ ମନ ବଳାନ୍ତି ନାହିଁ । ନିଜ ଦେଶ, ଜାତି ଓ ସଂପ୍ରଦାୟରୁ ବିଚ୍ଛିନ୍ନ ହୋଇ ସେମାନେ ଏକ ଭିନ୍ନ ଜୀବନ ବଂଚନ୍ତି, ଏକ ଅଜଣା-ଅଚିହ୍ନା ଇଲାକାରେ । ବିପଦ ଓ ଆସନ୍ନ ମୃତ୍ୟୁର ବଳୟ ଭିତରୁ ଖସି ଆସିଥିବା ଲୋକଟି ହିଁ ଶରଣାର୍ଥୀ । ଶରଣାର୍ଥୀର ଅନ୍ୟକୌଣସି ପରିଚୟ ହିଁ ନାହିଁ । ସେ ବାସ କରୁଥିବା ସ୍ଥାନରେ କିଛି ବି ନିଜର ବୋଲି ଦାବି କରି ପାରେ ନାହିଁ । ମାତ୍ର କେତକ ସ୍ଥାନରେ ଏହାର ବ୍ୟତିକ୍ରମ ଦେଖାଯାଇଥାଏ । ଶରଣାର୍ଥୀମାନେ ଭାରତ ସରକାରଙ୍କ ଦ୍ୱାରା ପାଉଥିବା ସୁବିଧାସୁଯୋଗ ଭିତରେ ସୀମିତ ନ ରହି ସ୍ଥାୟୀ ବାସିନ୍ଦାମାନଙ୍କୁ ଶୋଷଣ କରିଥାନ୍ତି ଓ ହଇରାଣ କରିଥାନ୍ତି । ତେବେ ଆମ ଦେଶରେ ଶରଣାର୍ଥୀମାନେ ସ୍ଥାୟୀ ନାଗରିକ ଭାବେ ରହିବାର ଏହି ୪୫/୫୦ ବର୍ଷ ମଧ୍ୟରେ ଲକ୍ଷଲକ୍ଷ ବଂଗୀୟ ଅନୁପ୍ରବେଶକାରୀ ଏଠାକୁ ଆସିଛନ୍ତି ଓ ଆସିବାରେ ଲାଗିଛନ୍ତି । ଏହାର କେତେକ ନିର୍ଦ୍ଧିଷ୍ଟ କାରଣ ରହିଛି । ପ୍ରଥମତଃ ହିନ୍ଦୁ ବଙ୍ଗାଳୀଙ୍କ ଉପରେ ମୁସଲିମ୍ କଟ୍‌ଟର ପନ୍ଥୀ ଗୋଷ୍ଠୀମାନଙ୍କର ଅକଥନୀୟ ଅତ୍ୟାଚାର, ଆକ୍ରମଣ ଓ ବଙ୍ଗଳାଦେଶ ସରକାରଙ୍କ ନିରବତା ଯୋଗୁଁ ସେମାନେ ଭାରତ ଭିତରକୁ ପଶି ଆସୁଛନ୍ତି । ଦ୍ୱିତୀୟତଃ, କେତେକ ବଂଗୀୟ ମୁସଲମାନ ଆମ ଦେଶରେ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି ପାଇଁ ଏଠାରୁ ଗୁପ୍ତ ତଥ୍ୟ ପାକ୍ ଆଇ.ଏସ୍‌.ଆଇ. କୁ ଦେବା ପାଇଁ ଭାରତକୁ ଆସୁଥିବା କୁହାଯାଉଛି । ତୃତୀୟତଃ, ଶରଣାର୍ଥୀ ଓ ଅନୁପ୍ରବେଶକାରୀ ମାନଙ୍କୁ ଭାରତରେ ବହୁ ଅଧିକ ସରକାରୀ ସୁବିଧା ପ୍ରଦାନ କରାଯାଉଥିବାରୁ ଏଥିପ୍ରତି ଆକର୍ଷିତ ହୋଇ ସେମାନଙ୍କର ବନ୍ଧୁ ଓ ସଂପର୍କୀୟ ମାନେ ଭାରତରେ ଅନୁପ୍ରବେଶ କରୁଛନ୍ତି ।
ଭାରତ ଓ ବଙ୍ଗଳାଦେଶ ମଧ୍ୟରେ ୪୦୫୩ କି.ମି. ଲମ୍ବ ସୀମାରେଖା ରହିଥିବାବେଳେ ସୀମାରେ ବିଭାଜନ ରେଖା ଭାବେ ଛୋଟଛୋଟ ନଦୀ ଓ ନାଳ ରହିଛି । ଏଠାରେ କଟ୍‌ଟର ପନ୍ଥୀ ସଂଗଠନର ଲୋକେ ରହିଛନ୍ତି । ସେମାନେ ହିଁ ବଂଗୀୟ ମାନଙ୍କୁ ବିଭିନ୍ନ ମନ୍ଦ ଉଦ୍ଦେଶ୍ୟରେ ଭାରତୀୟ ସୀମା ଭିତରକୁ ପଠାଉଛନ୍ତି । ଏଭଳି ଅନୁପ୍ରବେଶ ପଶ୍ଚିମବଙ୍ଗ, ଆସାମ, ତ୍ରିପୁରା ଓ ବଙ୍ଗୋପସାଗର ସୀମାରେ ହେଉଛି । ଏହି ଘଟଣା ହିଁ ପୂର୍ବାଞ୍ଚଳ ରାଜ୍ୟ ମାନଙ୍କରେ ଅଶାନ୍ତିର ପ୍ରମୁଖ କାରଣ ହୋଇଛି । ସଂପ୍ରତି ଜୋରଦାର ଅନୁପ୍ରବେଶ ଓ ଅନୁପ୍ରବେଶକାରୀ ମାନଙ୍କ ପ୍ରଭାବ ବିସ୍ତାରକୁ ଦେଖି ମୁଖ୍ୟତଃ ତ୍ରିପୁରା, ମେଘାଳୟ ଓ ଓଡ଼ିଶାର ମୂଳ ବାସିନ୍ଦାମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଏଠାରେ ଆମ ଓଡ଼ିଶାର ଅବସ୍ଥା ସଂପର୍କରେ ଆଲୋଚନା କରାଯାଇପାରେ । ଉପରୋକ୍ତ ୨ଟି କାରଣ ପାଇଁ ଭାରତ ସରକାରଙ୍କ କୋହଳନୀତି ଦାୟୀବୋଲି କୁହାଯାଇପାରେ । ଏଇ ସମସ୍ୟାର ସମାଧାନ ପାଇଁ ରାଜନୀତିକ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି । ଆମ ରାଜ୍ୟର ବିଭିନ୍ନ ସ୍ଥାନରେ ଲକ୍ଷଲକ୍ଷ ବଂଗୀୟ ଶରଣାର୍ଥୀ ଓ ଅନୁପ୍ରବେଶକାରୀ ସ୍ଥାୟୀ ଭାବେ ଅବସ୍ଥାନ କରୁଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ଶରଣାର୍ଥୀ ଓ ଅନୁପ୍ରବେଶକାରୀ ମାନଙ୍କୁ ପର୍ଯ୍ୟାପ୍ତ ସାହାଯ୍ୟ ଓ ସୁଯୋଗ ପ୍ରଦାନ ହିଁ ଏହାର ମୁଖ୍ୟ କାରଣ । ପ୍ରଥମତଃ ଅବିଭକ୍ତ କଟକ, ପୁରୀ ଓ ବାଲେଶ୍ୱର ଜିଲ୍ଲାର ସମୁଦ୍ର କୂଳବର୍ତ୍ତୀ ଜମି ଅବାଧରେ ଜବରଦଖଲ, ଚାଷ ଓ ମାଛ ଧରିବାର ଅପୂର୍ବ ସୁଯୋଗ ତଥା ଏଥିପାଇଁ ପ୍ରଚ୍ଛନ୍ନ ରାଜନୀତିକ ଓ ପ୍ରଶାସନିକ ପ୍ରୋତ୍ସାହନ ହିଁ ବଂଗୀୟ ଅନୁପ୍ରବେଶକାରୀ ମାନଙ୍କୁ ଏଠାକୁ ଆକର୍ଷିତ କରୁଛି । ସେହିପରି ଅବିଭକ୍ତ କୋରାପୁଟ ଜିଲ୍ଲାରେ ବଂଗୀୟ ଶରଣାର୍ଥୀମାନଙ୍କୁ ଥଇଥାନ କରାଯିବାବେଳେ ପର୍ଯ୍ୟାପ୍ତ ଜଙ୍ଗଲ ଧ୍ୱଂସ କରାଯାଇ ଜମିପ୍ରଦାନ, ସମ୍ବିଧାନ ନିର୍ଦ୍ଧାରିତ ହରିଜନ ଜାତି ସୁବିଧା-ସୁଯୋଗ ପ୍ରଦାନ ହିଁ ଅନୁପ୍ରବେଶକାରୀଙ୍କୁ ଆକର୍ଷିତ କରୁଛି । ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଏଠାରେ ୯୮ ଶତକଡ଼ା ବଙ୍ଗାଳୀ ଲୋକେ ସ୍ୱୟଂ ସଂପୁର୍ଣ୍ଣ ହୋଇ ଗଲେଣି । ନବରଙ୍ଗପୁର ଓ ମାଲକାନାଗିରି ଜିଲ୍ଲାର ସ୍ୱାସ୍ଥ୍ୟ ଓ ଶିକ୍ଷା ବିଭାଗରେ ପ୍ରାୟ ୫୦ ଭାଗ କର୍ମଚାରୀ ବଂଗୀୟ ହୋଇଥିବା ବେଳେ ପ୍ରାୟ ୨୦ ଭାଗ ଲୋକପ୍ରତିନିଧି ଅଛନ୍ତି । ତେବେ ଏମାନଙ୍କ ମଧ୍ୟରେ ପ୍ରାୟ ୩୦ ଭାଗ ଅନୁପ୍ରବେଶକାରୀ ହୋଇଥିବା କୁହାଯାଉଛି । ବଙ୍ଗୀୟମାନଙ୍କ ଆତଙ୍କରାଜରେ ଆଦିବାସୀ ବାସିନ୍ଦାମାନେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି । ନିରୀହ ଆଦିବାସୀ ମାନଙ୍କ ଉପରେ ଅତ୍ୟାଚାର, ଶୋଷଣ ଓ ସ୍ୱାର୍ଥ ଲୁଟରେ ଏମାନେ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି । ଏଥିଯୋଗୁଁ ରାଇଘର ଓ ଉମରକୋଟ ଅଞ୍ଚଳରେ ପ୍ରାୟତଃ ବଙ୍ଗାଳୀ-ଆଦିବାସୀ ଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥାଏ । ଓଡ଼ିଶାରେ ଆଞ୍ଚଳିକ ଭାବ ସୃଷ୍ଟିପାଇଁ ବଙ୍ଗାଳୀମାନେ ନିରନ୍ତର ଚେଷ୍ଟା କରୁଥିବା ଅଭିଯୋଗ ହୋଇଥାଏ । ସ୍ଥାନୀୟ ଓଡ଼ିଆ ବାସୀନ୍ଦା (ଆଦିବାସୀ) ଓ ଅନ୍ୟ ଓଡ଼ିଆଙ୍କ ଭିତରେ ବିବାଦ ସୃଷ୍ଟି କରାଇବାକୁ ଏମାନେ ହୀନ ଷଡ଼ଯନ୍ତ୍ର କରୁଥିବା କୁହାଯାଉଛି । ଏହି ଅଞ୍ଚଳ ସମେତ ଉପକୂଳବର୍ତ୍ତୀ ଅଞ୍ଚଳରେ ବଙ୍ଗୀୟମାନଙ୍କ ଗୁଣ୍ଡାରାଜ ଓ ଆତଙ୍କରେ ଭୟଭୀତ ହୋଇ କେତେକ ମୂଳବାସୀନ୍ଦା ନିଜ ଭିଟାମାଟି ଛାଡ଼ି ନିଜ ଦେଶରେ ଶରଣାର୍ଥୀ ପାଲଟୁଛନ୍ତି । ତେବେ ବଙ୍ଗୀୟମାନଙ୍କ ଦ୍ୱାରା ଆମ ଦେଶ ଓ ଆମ ରାଜ୍ୟର ବହୁ ଗୁପ୍ତ ତଥ୍ୟ ବାହାରକୁ ପଠାଯାଉଥିବା ଅସମ୍ଭବ ନୁହେଁ । ବିଶେଷତଃ ଅନୁପ୍ରବେଶକାରୀ ବଙ୍ଗାଳୀମାନେ ସରକାରୀ ଚାକିରି, ଭୂମିହୀନ ପଟ୍ଟା, ଇନ୍ଦିରା ଆବାସ, ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା, ବିପିଏଲ ସୁବିଧା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଅନେକ ସୁବିଧା କିପରି ହାସଲ କରିବାକୁ ସକ୍ଷମ ହେଉଛନ୍ତି, ତାହା ବୁଦ୍ଧିଜୀବୀ ମାନଙ୍କୁ ବିସ୍ମିତ କରୁଛି । ତେବେ ଅନୁପ୍ରବେଶକାରୀ ବଙ୍ଗୀୟମାନଙ୍କୁ ରାଜନୈତିକ ଓ ପ୍ରଶାସନିକ ସହଯୋଗ ଦିଆଯିବାର ରହସ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏକଥା ସ୍ପଷ୍ଟ ଯେ, ଅନୁପ୍ରବେଶକାରୀ ପ୍ରସଙ୍ଗରେ ବିଭିନ୍ନ ସମୟରେ ଆମ ରାଜ୍ୟ ରାଜନୀତି ବିଭିନ୍ନ ରଙ୍ଗରେ ରଙ୍ଗାୟୀତ ହୋଇଛି । ଅଧିକାଂଶ ରାଜନୈତିକ ଦଳ ଅନୁପ୍ରବେଶକାରୀ ମାନଙ୍କୁ ନିଜ ଭୋଟ ବ୍ୟାଙ୍କର ଏକ ବୃହତ୍ ଅଂଶବୋଲି ଭାବି ବିଭିନ୍ନ ସମୟରେ ଏମାନଙ୍କୁ ସହଯୋଗ ଦେଇ ଆସିଛନ୍ତି । କଂଗ୍ରେସ ସରକାର ଅମଳରେ ଓଡ଼ିଶା ବାସୀଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ଦିଆନଯାଇ ଶରଣାର୍ଥୀମାନଙ୍କୁ କୋରାପୁଟ୍ ଅଞ୍ଚଳରେ ଥଇଥାନ କରି ବହୁ ଅଧିକ ସୁବିଧା ଯୋଗାଇ ଦେଇଥିଲା ଓ ଏହି ବଙ୍ଗାଳୀମାନେ ନିଜର ସ୍ଥାୟୀ ଭୋଟବ୍ୟାଙ୍କ ବୋଲି ଭାବି ନେଇଥିଲା । ଆଉ ଏହି ଶରଣାର୍ଥୀ ମାନଙ୍କ ସ୍ୱୟଂ ସମ୍ପୂର୍ଣ୍ଣତା ଦେଖି ଏମାନଙ୍କ ସଂପର୍କୀୟ ମାନେ ଓଡ଼ିଶା ମାଟିକୁ ଅନୁପ୍ରବେଶ କରିବା ଆରମ୍ଭ କରିଥିଲେ । ମାତ୍ର କ୍ରମେ ସମୟ ଓ ଅବସ୍ଥାର ପରିବର୍ତ୍ତନ ଭଳି ବଙ୍ଗାଳୀମାନଙ୍କୁ ବିଭିନ୍ନ ରାଜନୈତିକ ଦଳ ନିଜ ଭୋଟବ୍ୟାଙ୍କ ଭାବେ ଧରି ନେଇଛନ୍ତି । ସବୁଠୁ ମଜାର କଥାହେଲା, କେନ୍ଦ୍ର ସରକାର ଓ ରାଜ୍ୟର ବିଜେଡ଼ି ସରକାରଙ୍କ ପକ୍ଷରୁ ଅନୁପ୍ରବେଶକାରୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବା ପରେ କ୍ରମେ ବଙ୍ଗାଳୀ ମାନଙ୍କର ରାଜନୈତିକ ମତ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ରାଜ୍ୟରେ ବିଜେଡ଼ି ସରକାର ଅନୁପ୍ରବେଶକାରୀ ବଙ୍ଗାଳୀମାନଙ୍କୁ ପ୍ରଚ୍ଛନ୍ନ ପ୍ରୋତ୍ସାହିତ କରୁଥିବା ସାଧାରଣରେ ଅଭିଯୋଗ ହେଉଛି । ବିଶେଷତଃ ମାଲକାନାଗିରି, ରାଇଘର, ଉମରକୋଟ, ରାଜନଗର ଓ ମହାକାଳପଡ଼ା ଅଞ୍ଚଳରେ ପ୍ରାୟ ୩୦ ହଜାର ଅନୁପ୍ରବେଶକାରୀ ବଙ୍ଗାଳୀ ଗତ ୫ ବର୍ଷ ମଧ୍ୟରେ ସ୍ଥାୟୀ ବାସିନ୍ଦା ପାଲଟି ଯାଇଥିବା କୁହାଯାଉଛି ।
ତେବେ ଅନୁପ୍ରବେଶକାରୀ ମାନଙ୍କୁ ସ୍ଥାୟୀ ନାଗରିକ ଭାବେ ମାନ୍ୟତା ଦେବାକୁ ଉଦ୍ୟମ ତଥା ଶରଣାର୍ଥୀ ମାନଙ୍କୁ ଆବଶ୍ୟକତା ଠାରୁ ଅଧିକ ସହଯୋଗ ପ୍ରଦାନ ଭଳି ଅହେତୁକ ଅନୁକମ୍ପା ଅନୁସନ୍ଧାନ ସାପେକ୍ଷ । ଅବଶ୍ୟ ମାନବିକତା ଦୃଷ୍ଟିରୁ ଭାରତ ମାଟିକୁ ନିଜ ମାତୃଭୂମି ମାନୁଥିବା ବଙ୍ଗାଳୀ ମାନଙ୍କୁ ନାଗରିକତା ପ୍ରଦାନ କରାଯିବା ଉଚିତ । ହେଲେ ବହୁ ବଙ୍ଗାଳୀ ଅଛନ୍ତି ଯେଉଁମାନେ ବଙ୍ଗଳାଦେଶ ଓ ଭାରତ ଉଭୟ ଦେଶର ନାଗରିକ ତାଲିକାରେ ଅନ୍ତର୍ଭୁକ୍ତ ଥିବା କୁହାଯାଉଛି । ସେହିମାନେ ହିଁ ଆମ ରାଜ୍ୟରେ ଆତଙ୍କବାଦ କାର୍ଯ୍ୟ କରୁଛନ୍ତି । ହୁଏତ ସେମାନେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ପାକିସ୍ଥାନ ଓ ବଙ୍ଗଳାଦେଶକୁ ପଠାଉଛନ୍ତି । ଆମ ରାଜ୍ୟର ନିରୀହ ଝିଅମାନଙ୍କୁ ପ୍ରଲୋଭିତ କରି ବାହାରକୁ ଚାଲାଣ କରୁଥିବା କୁହାଯାଉଛି । ସେମାନେ ଆମ ରାଜ୍ୟରେ ଉତ୍କଟ ନିଶାଦ୍ରବ୍ୟର କାରବାର କରୁଥିବାବେଳେ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ଏହା ଏବେ ଓଡ଼ିଶା ସରକାରଙ୍କ ପାଇଁ ଏକ ପ୍ରମୁଖ ସମସ୍ୟା ହୋଇଥିବାରୁ ଏଥିପ୍ରତି ଦୃଷ୍ଟି ଦିଆଯିବା ଉଚିତ । ତେବେ ଏ ସମ୍ପର୍କରେ ସରକାରୀ ସ୍ତରରେ ବ୍ୟାପକ ସମୀକ୍ଷା ହେବା ଉଚିତ । ବଙ୍ଗାଳୀମାନଙ୍କ କାର୍ଯ୍ୟକୁ ନିୟନ୍ତ୍ରଣ କରାଯିବା ସହ ଆବଶ୍ୟକତା ଠାରୁ ବେଶି ସୁବିଧା ଓ ଅଧିକାର ସେମାନଙ୍କୁ ଦିଆଯିବା ଉଚିତ ନୁହେଁ । ବିଶେଷତଃ ହରିଜନ ଜାତି ସୁବିଧା ସେମାନଙ୍କ ଠାରୁ ପ୍ରତ୍ୟାହର ହେବା ଉଚିତ । ଅନ୍ୟଥା ନିକଟ ଭବିଷ୍ୟତରେ ଓଡ଼ିଶା ଅନୁପ୍ରବେଶକାରୀ ବଙ୍ଗୀୟ ମାନଙ୍କ ନିୟନ୍ତ୍ରଣକୁ ଚାଲିଯିବା ଅସମ୍ଭବ ନୁହେଁ । ଶରତ କୁମାର ରାଉତ

Leave a Reply

Your email address will not be published. Required fields are marked *