ପ୍ରତ୍ୟକ୍ଷ ଅର୍ଥ ହସ୍ତାନ୍ତର ବ୍ୟବସ୍ଥାରେ ଅନିୟମିତତା ଅଭିଯୋଗ

ପ୍ରତ୍ୟକ୍ଷ ଅର୍ଥ ହସ୍ତାନ୍ତର ବ୍ୟବସ୍ଥାରେ ଅନିୟମିତତା ଅଭିଯୋଗ

ଅବହେଳା କରୁଥିବା ଅଧିକାରୀ ଦଣ୍ଡିତ ହେବେ: କୃଷିମନ୍ତ୍ରୀ
ଭୁବନେଶ୍ୱର,୧୭ା୧୨-ସ୍ୱଚ୍ଛତାକୁ ବିଭାଗୀୟ କାର୍ଯ୍ୟକ୍ରମରେ ପ୍ରତିଫଳିତ କରିବା ନିମନ୍ତେ ସମସ୍ତ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟରେ ଆବଶ୍ୟକ କୃଷି ସହାୟତା ଯୋଗାଇବା ପଦ୍ଧତିକୁ ପ୍ରତ୍ୟକ୍ଷ ଅର୍ଥ ହସ୍ତାନ୍ତର ଅନ୍ତର୍ଭୁକ୍ତ କରାଯାଇଛି । ଏହି ବ୍ୟବସ୍ଥାରେ ସରକାରୀ ପ୍ରୋତ୍ସାହନ ତଥା ସହାୟତା ପ୍ରଦାନରେ ସ୍ୱଚ୍ଛତା ଆଣିବା ପାଇଁ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ରିଆତି ଅର୍ଥ ଦିଆଯାଉଛି । କୃଷି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନାରେ ପ୍ରତ୍ୟକ୍ଷ ଅର୍ଥ ହସ୍ତାନ୍ତର ପଦ୍ଧତି କାର୍ଯ୍ୟକାରୀ କରିବାକୁ କୃଷିମନ୍ତ୍ରୀ ଅରୁଣ କୁମାର ସାହୁ ନିର୍ଦେଶ ଦେଇଛନ୍ତି ।
ଏ ସମ୍ପର୍କରେ ବିଭାଗୀୟ ନିର୍ଦେଶକମାନେ ସାପ୍ତାହିକ ସମୀକ୍ଷା କରିବା ପାଇଁ କହିବା ସହ ସେ ନିଜେ ପ୍ରତିମାସରେ ସମୀକ୍ଷା କରିବେ ବୋଲି କହିଛନ୍ତି । ମାସିକ ସମୀକ୍ଷାରେ ବିଭାଗ ଅନ୍ତର୍ଗତ ତିନିଟି ଯାକ ନିର୍ଦେଶାଳୟର ଖର୍ଚ୍ଚ ହୋଇଥିବା ଅର୍ଥ ସହ ଚଳିତ ଆର୍ôଥକବର୍ଷରେ ହେବାକୁ ଥିବା ଖର୍ଚ୍ଚ ସମ୍ପର୍କରେ ଆଲୋଚନା କରାଯିବ । ପ୍ରତ୍ୟକ୍ଷ ଅର୍ଥ ହସ୍ତାନ୍ତର କ୍ଷେତ୍ରରେ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ । ଏଥିରେ ଅବହେଳା ପ୍ରଦର୍ଶନ କରୁଥିବା ଅଧିକାରୀମାନେ ଦଣ୍ଡିତ ହେବେ ବୋଲି ସେ ବିଭାଗୀୟ ଅଧିକାରୀମାନଙ୍କୁ ତାଗିଦ କରିଛନ୍ତି । ଆସନ୍ତା ଜାନୁଆରୀ ୩୧ରେ ପରବର୍ତ୍ତୀ ସମୀକ୍ଷା ବୈଠକ ଆୟୋଜନ ନିମନ୍ତେ ସେ ନିର୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଅର୍ଥ ହସ୍ତାନ୍ତର ବ୍ୟବସ୍ଥାରେ ବ୍ୟାପକ ଅନିୟମିତା ହେଉଥିବା ନଜରକୁ ଆସିବା ପରେ ମନ୍ତ୍ରୀ ଘନଘନ ସମୀକ୍ଷା ସହ ଏଭଳି ତାଗିଦ କରିଛନ୍ତି । ଯୋଜନାରେ ଉଲ୍ଲେଖ ଥିବା କୃଷି କାର୍ଯ୍ୟରେ ବ୍ୟବହୃତ ଉପାଦାନର କ୍ରୟ ପ୍ରଣାଳୀ ସତ୍ୟାସତ୍ୟ ଯାଞ୍ଚ ହେଉନଥିବା ବେଳେ କେବଳ ଚାଷୀଙ୍କ ଘୋଷଣାନାମା ସଂଗ୍ରହ କରାଯାଇ ପ୍ରତ୍ୟକ୍ଷ ଅର୍ଥ ହସ୍ତାନ୍ତର କରାଯାଉଛି । ଏଥିରେ ଦଲାଲ ଓ ଅନେକ କ୍ଷେତ୍ର କର୍ମଚାରୀଙ୍କ ଠାରୁ ଅଧିକାରୀଙ୍କ ପର୍ଯ୍ୟନ୍ତ ସଂପୃକ୍ତି ପଦାକୁ ଆସିବା ଯୋଗୁଁ ଏଥିରେ ଅଙ୍କୁଶ ଲଗାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଚାଷୀ ବ୍ୟବହାର କରିଥିବା ସମଗ୍ରୀର ଘୋଷଣାନାମ ନିଆଯାଉଛି ଅଥଚ ସେ କେଉଁ ସ୍ଥାନରୁ କେତେ ସାମଗ୍ରୀ ଆଣିଛନ୍ତି ତାର ସଠିକ ତଥ୍ୟ ରହୁନି । ଏସବୁର ସତ୍ୟାସତ୍ୟ ପରୀକ୍ଷା ପାଇଁ ସମୀକ୍ଷା ବୈଠକରେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯିବ । ଏ ନେଇ ପଦକ୍ଷେପ ନିଆଯାଉଥିବା ସୂଚନା ମିଳିଛି ।
ବୈଠକରେ ଫାର୍ମ ପଣ୍ଡ କାର୍ଯ୍ୟକ୍ରମରେ ଅଧିକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ମିଶନ ଶକ୍ତି ବିଭାଗକୁ ସାମିଲ କରିବାକୁ ମନ୍ତ୍ରୀ ଶ୍ରୀ ସାହୁ ନିର୍ଦେଶ ଦେଇଛନ୍ତି । ସମସ୍ତ କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ପାଇଁ ବିଭାଗର ପ୍ରତ୍ୟେକ ଦପ୍ତରରେ ‘ମୋ ସରକାର’ ଡେସ୍କ ପ୍ରତିଷ୍ଠା ଉପରେ କୃଷି ସଚିବ ଗୁରୁତ୍ୱ ଦେଇଛନ୍ତି । ଆଭାସି ବ୍ୟବସ୍ଥାରେ ଅନୁଷ୍ଠିତ ବୈଠକରେ ସମସ୍ତ ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ ଠାରୁ ସହକାରୀ କୃଷି ଅଧିକାରୀ ତଥା ନିର୍ଦେଶକମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *