ମା’ ସୁନନ୍ଦା ଶକ୍ତିପୀଠ, ବାଂଲାଦେଶ

ମା’ ସୁନନ୍ଦା ଶକ୍ତିପୀଠ, ବାଂଲାଦେଶ

ଶରତ କୁମାର ରାଉତ
ବାଂଲାଦେଶର ଶିକାରପୁରର ବରୀସଲ ବା ବରୀସାଲ୍ ରୁ ଉତ୍ତରରେ ୨୧ କିଲୋମିଟର ଦୂର ଶିକାରପୁର ନାମକ ଏକ ଗାଁରେ ସୁନନ୍ଦା ନଦୀ କୂଳରେ ମା’ ସୁନନ୍ଦା ସୁଗନ୍ଧା ଶକ୍ତିପୀଠ ଅବସ୍ଥିତ । ଏଠାରେ ମାତା ସୁନନ୍ଦାଙ୍କୁ ‘ଶକ୍ତି’ ଓ ଭଗବାନ ଭୈରବଙ୍କୁ ‘ଶିବ’ ରୂପରେ ପୂଜା କରାଯାଏ । ଏଠାକାର ମନ୍ଦିର ‘ଉଗ୍ରତାରା’ ନାମରେ ଜଣାଶୁଣା । ଏହି ମନ୍ଦିର ପଥରରେ ନିର୍ମିତ । ମନ୍ଦିରର ପଥର ଦ୍ୱାର ରେ ମଧ୍ୟ ଦେବୀ ଦେବତା ମାନଙ୍କର ଅତି ସୁନ୍ଦର ସୁନ୍ଦର ଚିତ୍ର ରହିଛି । ମନ୍ଦିରର ପରିସରରୁ ଜଣାଯାଏ ଯେ ମନ୍ଦିର ବହୁ ପ୍ରାଚୀନ ।
ଏହି ମନ୍ଦିରର ନାମ ଭରତଚନ୍ଦ୍ରଙ୍କ ବଙ୍ଗଳା କବିତା ‘ଅନ୍ନାଦାମଙ୍ଗଳ’ ରେ ମିଳିଥାଏ । ଏଠାରେ ସ୍ଥାପିତ ପ୍ରାଚୀନ ମୂର୍ତ୍ତି ଚୋରି ହୋଇ ଯାଇଛି ଓ ଏହା ସ୍ଥାନରେ ନୂଆ ମୂର୍ତ୍ତି ସ୍ଥାପିତ ହୋଇଛି । ଏହି ମୂର୍ତ୍ତି ବୌଦ୍ଧ ତନ୍ତ୍ର ସହିତ ସଂପୃକ୍ତ ବୋଲି କୁହାଯାଏ । ଉଗ୍ରତାରା ସୁଗନ୍ଧା ଦେବୀଙ୍କ ପାଖରେ ଖଣ୍ଡା, କଙ୍କଡ଼ା, ନୀଳପାଦ ଓ ନରମୁଣ୍ଡର ମାଳା ରହିଛି । ଭଗବାନ କାର୍ତ୍ତିକ, ଭଗବାନ ବ୍ରହ୍ମା, ଭଗବାନ ବିଷ୍ଣୁ, ଭଗବାନ ଶିବ ଓ ଭଗବାନ ଗଣେଷ ତାଙ୍କ ଉପରି ଭାଗରେ ସ୍ଥାପିତ ହୋଇଛନ୍ତି ।
ଏହି ମନ୍ଦିର ମାତା ସତୀଙ୍କ ଶକ୍ତିପୀଠ ମାନଙ୍କ ମଧ୍ୟରେ ଅନ୍ୟତମ । ହିନ୍ଦୁ ଶାସ୍ତ୍ର ଅନୁଯାୟୀ ବ୍ରହ୍ମାଣ୍ଡ ସରଂଚନା ପାଇଁ ଭଗବାନ ବ୍ରହ୍ମା, ଭଗବାନ ମହାଦେବ ଓ ଭଗବାନ ବିଷ୍ଣୁ ତାଙ୍କର ତଥାକଥିତ ମାତା ଆଦିଶକ୍ତିଙ୍କୁ ସନ୍ତୁଷ୍ଟି ପାଇଁ ଏକ ଯଜ୍ଞର ଆୟୋଜନ କଲେ । ମା’ଶକ୍ତି ମଧ୍ୟ ଏଥିରେ ବ୍ରହ୍ମାଙ୍କୁ ସହଯୋଗ ଦେଲେ । ତେବେ ବ୍ରହ୍ମାଙ୍କ ପୁତ୍ର ଦକ୍ଷରାଜ ପିତାଙ୍କ ନିଦେ୍ର୍ଦଶରେ ମା’ ଶକ୍ତିଙ୍କୁ ନିଜର ଝିଅ ରୂପରେ ପାଇବାକୁ ବିଭିନ୍ନ ଯଜ୍ଞ ଆଦି ଉପାସନା କଲେ । ଶେଷରେ ମା’ଶକ୍ତି ମାନବ ରୂପରେ ଜନ୍ମ ନେଲେ । ଏହା ପଛରେ ବ୍ରହ୍ମାଙ୍କର ଉଦେ୍ଦଶ୍ୟ ଥିଲା ଯେ, ଭଗବାନ ଶିବଙ୍କ ସହ ଶକ୍ତିଙ୍କର ମିଶ୍ରଣ କରାଇ ସୃଷ୍ଟି ସଂରଚନା କରିବା ପାଇଁ । ସେଥିପାଇଁ ସେ ତାଙ୍କର ନାମକରଣ କରିଥିଲେ ସତୀ । ମାତ୍ର କୌଣସି ପ୍ରକାର ମାତା ସତୀଙ୍କୁ ଶିବ ବିବାହ କରି କୈଳାଶ ପର୍ବତ ନେଇଗଲେ । ଏହା ଜାଣିପାରି ଦକ୍ଷଙ୍କ ରାଗ ଚରମ ସୀମାରେ ପହଂଚିଗଲା । ଶିବଙ୍କୁ ସବୁ ଦେବୀ ଦେବତାଙ୍କ ସାମ୍ନାରେ ଅପମାନିତ କରିବା ପାଇଁ ଦକ୍ଷ ମୁନିମଣ୍ଡଳ ଠାରେ ଏକ ଯଜ୍ଞର ଆୟୋଜନ କଲେ । ଝିଅ ସତୀ ଓ ଜ୍ୱାଇଁ ଶିବଙ୍କୁ ନିମନ୍ତ୍ରଣ କଲେ ନାହିଁ । ଏଥିରେ ନିଜକୁ ଅପମାନିତ ବୋଧ କରି ସତୀ ସ୍ୱଂୟ ବାପାଙ୍କ ଯଜ୍ଞ ସ୍ଥଳରେ ପହଂଚି ଯାହା ଦେଖିଲେ ଆଖିକୁ ବିଶ୍ୱାସ କଲେ ନାହିଁ । ବାପା ଦକ୍ଷ କିଛି ଆଦର ଗଉର ନକରି ଝିଅ ଜ୍ୱାଇଁଙ୍କୁ ଅପମାନ ସୂଚକ ଶବ୍ଦ ସବୁ ଶୁଣାଇଲେ । ସେହିକ୍ଷଣି ବାପାଙ୍କ ଅପମାନକୁ ସହ୍ୟ କରି ନପାରି ମାତା ସତୀ ଅଗ୍ନି କୁଣ୍ଡରେ ଆତ୍ମଦାହ କଲେ । ତି୍ରକାଳଦର୍ଶୀ ଶିବ ଏ ଖବର ଜାଣି ସେଠାରେ ପହଞ୍ଚିଲେ ଓ ଗଭୀର ଦୁଃଖରେ ସତୀଙ୍କ ମର ଶରୀର ଧରି ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ । ଏହାଦ୍ୱାରା ସାରା ବ୍ରହ୍ମାଣ୍ଡ ପ୍ରକମ୍ପିତ ହୋଇ ଉଠିଲା । ସବୁଆଡ଼େ ଚାଲିଲା ଧ୍ୱଂସଲୀଳା । ଦେବ ଦେବୀ ମାନେ ଏହାର ସମାଧାନ ବା ଭଗବାନ ଶିବଙ୍କ କ୍ରୋଧକୁ ଶାନ୍ତ କରିବା ପାଇଁ କିଛି ଉପାୟ ବାହାର କରିବାକୁ ଭଗବାନ ବ୍ରହ୍ମା ଓ ଭଗବାନ ବିଷ୍ଣୁଙ୍କୁ ଅନୁରୋଧ କଲେ । ଧ୍ୱଂସଲୀଳା ବନ୍ଦ କରି ବ୍ରହ୍ମାଣ୍ଡରେ ଶାନ୍ତି ସ୍ଥାପନ ପାଇଁ ଭଗବାନ ବ୍ରହ୍ମା ଭଗବାନ ବିଷ୍ଣୁଙ୍କୁ ଅନୁରୋଧ କଲେ । ଭଗବାନ ବିଷ୍ଣୁ ଅନୁଭବ କଲେ ଯେ, ଯେପର୍ଯ୍ୟନ୍ତ ଭଗବାନ ଶିବଙ୍କ ହସ୍ତରୁ ମାତା ସତୀଙ୍କ ମର ଶରୀର ଅଲଗା ହୋଇନାହିଁ, ସେପର୍ଯ୍ୟନ୍ତ ଭଗବାନ ଶିବ ଶାନ୍ତ ହେବେ ନାହିଁ କି ବ୍ରହ୍ମାଣ୍ଡ ଧ୍ୱଂସାଭିମୁଖିରୁ ବର୍ତ୍ତିବ ନାହିଁ । ଏଣୁ ବ୍ରହ୍ମାଣ୍ଡ ରକ୍ଷା ପାଇଁ ସଙ୍ଗେସଙ୍ଗେ ଭଗବାନ ଶିବ ଧରିଥିବା ମାତା ସତୀଙ୍କ ମର ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଆତ୍ମା ରହିତ କରିବାକୁ ଭଗବାନ ବିଷ୍ଣୁ ନିଜର ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ ।
କିଛିକ୍ଷଣ ମଧ୍ୟରେ ସୁଦର୍ଶନ ଚକ୍ର ମା’ସତୀଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରିଦେଲା ଓ ମା’ଙ୍କ ଶରୀରର ବିଭିନ୍ନ ଅଂଶ ଭାରତୀୟ ଉପମହାଦେଶର ଅନେକ ସ୍ଥାନରେ ବିଞ୍ଚିହୋଇ ପଡ଼ିଲା । ଦୁଃଖରେ ମି୍ରୟମାଣ ଭଗବାନ ଶିବ ସତୀଙ୍କ ବିଖଣ୍ଡିତ ଅଙ୍ଗ ଖୋଜିବା ଆରମ୍ଭ କଲେ । ଏଥିରେ ସହାୟତା କଲେ ଭଗବାନ ଭୈରବ । ସର୍ବ ଶେଷରେ ମାତା ସତୀଙ୍କ ଅଙ୍ଗର ମୁଖ୍ୟାଂଶ ସମେତ ସମସ୍ତ ଖଣ୍ଡକୁ ଖୋଜି ପୂଜାର୍ଚ୍ଚନା ତଥା ଖଣ୍ଡ ଗୁଡ଼ିକୁ ସୁରକ୍ଷା ଦେବାକୁ ଭଗବାନ ଭୈରବଙ୍କୁ ନିଦେ୍ର୍ଦଶ ଦେଲେ ଭଗବାନ ବ୍ରହ୍ମା । ସେହି ଦୁର୍ଲଭ ସ୍ଥାନ ଗୁଡ଼ିକୁ ଭଗବାନ ବ୍ରହ୍ମା, ଭଗବାନ ବିଷ୍ଣୁ ଓ ଭଗବାନ ଶିବ ମିଶି ଶକ୍ତି ପୀଠର ମାନ୍ୟତା ଦେଲେ ।
ତେବେ ଭାରତୀୟ ଉପମହାଦେଶରେ ଥିବା ଶକ୍ତିପୀଠ ମାନଙ୍କ ମଧ୍ୟରେ ବାଂଲାଦେଶର ଶିକାରପୁରର ମାତା ସୁନନ୍ଦା ସୁଗନ୍ଧା ଶକ୍ତିପୀଠ ଅନ୍ୟତମ । ଧାର୍ମିକ ଗ୍ରନ୍ଥ ଅନୁସାରେ ଏଠାକାର ଯେଉଁ ସ୍ଥାନରେ ମାତା ସତୀଙ୍କର ‘ସୁନନ୍ଦା ସୁଗନ୍ଧା’ ଶକ୍ତିପୀଠ ରହିଛି, ସେଠାରେ ମାତା ସତୀଙ୍କର ‘ନାକ ଖଣ୍ଡ’ ପଡ଼ିଥିଲା ।
ବର୍ଷର ସବୁ ସମୟରେ ମାତା ସୁନନ୍ଦା ସୁଗନ୍ଧା ଦେବୀଙ୍କ ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଥାଏ । ମାତା ସୁନନ୍ଦା ସୁଗନ୍ଧା ଦେବୀଙ୍କରଙ୍କ ମନ୍ଦିରର ଅପରୂପ ଶୋଭା ଦେଖିବା ଭଳି ହୋଇଥାଏ । ଏଥିପାଇଁ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ମୁଖ୍ୟତଃ ମାତା ସୁନନ୍ଦା ସୁଗନ୍ଧା ଦେବୀଙ୍କୁ ପୂଜା କରିବାକୁ ଆସିଥାନ୍ତି । ଏଠାକାର ପୂଜାବିଧିର ପ୍ରତ୍ୟେକ କାର୍ଯ୍ୟକ୍ରମ ଖୁବ୍ ଆନନ୍ଦ ଦାୟକ ଓ ମନୋରମ ।
ମାତା ସୁନନ୍ଦା ସୁଗନ୍ଧା ଦେବୀଙ୍କ ଦର୍ଶନ କରିବା ପାଇଁ ଖୁଲନାରୁ ଷ୍ଟିମର ଯୋଗେ ବୀରସାଲ୍ରେ ପହଞ୍ଚି, ସେଠାରୁ ସଡ଼କ ପଥରେ ଶୀକାରପୁର ଗ୍ରାମରେ ପହଞ୍ଚି ପାରିବେ । ଏଠାକାର ନିକଟତମ ରେଳ ଷ୍ଟେଷନର ନାମ ‘ଝଲକଟୀ’ । ଏଠାରୁ ମାତା ସୁନନ୍ଦା ସୁଗନ୍ଧା ଦେବୀଙ୍କ ମନ୍ଦିର ମାତ୍ର ୮ କିଲୋମିଟର ଦୂର ଓ ନିକଟତମ ବିମାନବନ୍ଦର ବାରୀସାଲ ।
ଭୁବନେଶ୍ୱର, ମୋ: ୯୩୩୭୩୬୯୪୪୮

 

Leave a Reply

Your email address will not be published.