ଜନତାଙ୍କ କେତେ ନିକଟତର ଚିକିଟି ରାଣୀ!

ଜନତାଙ୍କ କେତେ ନିକଟତର ଚିକିଟି ରାଣୀ!

ଶରତ କୁମାର ରାଉତ
ରାଜନୀତି କ୍ଷେତ୍ରରେ ରାଜନେତାଙ୍କ ମିଥ୍ୟା ପ୍ରଲୋଭନ, ପ୍ରତିଶ୍ରୂତି ବା କପୋଳକଳ୍ପିତ କଥାରେ ସାଧାରଣ ଲୋକଙ୍କ ସମର୍ଥନ ମିଳେନାହିଁ । ବରଂ ଲୋକେ ରାଜନେତାଙ୍କ କାମରେ ବିଶ୍ୱାସ କରନ୍ତି । କେହି ସାମ୍ନାରେ ସିନା ପ୍ରତିବାଦ୍ କରନ୍ତିନି, ହେଲେ ଭିତରେ ଭିତରେ ପ୍ରତିଶ୍ରୂତି ପାଳନ କରିନଥିବା ନେତାଙ୍କୁ ଅବିଶ୍ୱାସ ଓ ଘୃଣା ଦୃଷ୍ଟିରେ ଦେଖନ୍ତି । ସାଧାରଣ ଲୋକଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ନିଷ୍ଠାପର ଭାବେ କାର୍ଯ୍ୟ କରି ଚାଲିଲେ, ଯିଏ କେହି ଲୋକଙ୍କ ବିଶ୍ୱାସଭାଜନ ହୋଇଥାଏ । ସାଧାରଣତଃ କୁହାଯାଇଥାଏ, ଭାରତୀୟ ଗଣତନ୍ତ୍ରର ମନ୍ଦିର ଗୁଡ଼ିକୁ ଆମେ ଗଣତାନ୍ତ୍ରିକ ସଂସ୍କାର ଥିବା ଓ ସଂସଦ ବା ବିଧାନସଭାରେ ଲୋକଙ୍କ ଆଶା-ଆକାଂକ୍ଷା, ସୁଖ-ଦୁଃଖ ଏବଂ ଦୃଷ୍ଟିକୋଣକୁ ଗଣତାନ୍ତ୍ରିକ ଢ଼ଙ୍ଗରେ ଉପସ୍ଥାପିତ କରି ପାରୁଥିବା ବ୍ୟକ୍ତିମାନଙ୍କୁ ନିର୍ବାଚିତ କରି ପଠାଇବା ଉଚିତ । କାରଣ ସେମାନେ ଆମର ପ୍ରତିନିଧି, ପ୍ରବକ୍ତା ଓ ସୁଖ-ଦୁଃଖର ସାଥୀ ମଧ୍ୟ । ଯେତେବେଳେ ସୁଯୋଗ୍ୟ ନେତା ମାନେ ସଂସଦ ବା ବିଧାନସଭାକୁ ନିର୍ବାଚିତ ହୁଅନ୍ତି, ସେତେବେଳେ ସଂପୃକ୍ତ ଅଂଚଳ ତଥା ସାଧାରଣ ଲୋକଙ୍କ ଉନ୍ନତି ହେବା ସହ ସେହି ନେତା ମାନେ ନିଜ ନିର୍ବାଚନ କ୍ଷେତ୍ରରେ ଅପରାଜେୟ ହୋଇ ଯାଆନ୍ତି । ସମସ୍ତ ରେକର୍ଡ଼ ଭାଙ୍ଗି ରାଜ୍ୟ ଓ ଦେଶରେ ଇତିହାସ ସୃଷ୍ଟି କରନ୍ତି! ଚିରଦିନ ପାଇଁ ଲୋକମାନଙ୍କ ମନରେ ସେମାନେ ସ୍ମରଣୀୟ ହେଇ ରହନ୍ତି । ସେହିଭଳି ଜଣେ ତୁଙ୍ଗ ନେତ୍ରୀ ହେଲେ ଗଞ୍ଜାମ ଜିଲ୍ଲାର ଚିକିଟି ବିଧାନସଭା କ୍ଷେତ୍ରର ବିଧାୟିକା ତଥା ରାଣୀ ଉଷାଦେବୀ । ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ ନବେ ଦଶକରେ ସକ୍ରିୟ ରାଜନୀତିରେ ପାଦ ଦେଇଥିଲେ ଓ ପ୍ରଥମ ଥର ପାଇଁ ୧୯୯୦ ବିଧାନସଭା ନିର୍ବାଚନରେ ଜନତାଦଳ ଟିକଟରେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ପୁଣି ବିଜେଡ଼ି ଟିକଟରେ ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହା ନିର୍ବାଚନରେ ସେ ଲଗାତାର ଚିକିଟି ବିଧାନସଭା ଆସନରୁ ନିର୍ବାଚିତ ହୋଇ ରେକର୍ଡ଼ ସୃଷ୍ଟି କରିଛନ୍ତି ।
ରାଣୀଙ୍କର ବ୍ୟାପକ ଲୋକସଂପର୍କ ଯୋଗୁ ସେ ସବୁ ନିର୍ବାଚନରେ ରେକର୍ଡ଼ ପରିମାଣ ଭୋଟ ବ୍ୟବଧାନରେ ନିଜ ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ପରାଜିତ କରିଛନ୍ତି । ୨୦୦୯ ବିଧାନସଭା ନିର୍ବାଚନ ରଣାଙ୍ଗନରେ ଚିକିଟି ଆସନରେ ୧୦ ଜଣ ପ୍ରାର୍ଥୀ ଥିଲେ । ରାଣୀ ମୋଟ ୫୫,୦୯୯ ଭୋଟ ପାଇଥିଲା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ମନୋରଂଜନ ଦ୍ୟାନ ସାମନ୍ତରାୟ ୪୦,୮୭୦ ଏବଂ ବିଜେପିର କାହ୍ନୁ ଚରଣ ପତି ମାତ୍ର ୩୫୮୦ ଭୋଟ ପାଇଥିଲେ । ଏହି ନିର୍ବାଚନରେ ରାଣୀ ୧୪,୨୨୯ ଖଣ୍ଡ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀଙ୍କୁ ପରାଜିତ କରିବାରେ ସକ୍ଷମ ହୋଇଥିଲେ । ୨୦୧୪ ନିର୍ବାଚନରେ ଚିକିଟି ଆସନରେ ୯ ଜଣ ପ୍ରାର୍ଥୀ ଥିଲେ । ରାଣୀ ମୋଟ ୭୪,୮୪୯ ଭୋଟ ପାଇଥିଲା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ମନୋରଂଜନ ଦ୍ୟାନ ସାମନ୍ତରାୟ ୪୨,୭୦୧ ଏବଂ ବିଜେପିର ଉଦୟନାଥ ପ୍ରଧାନ ମାତ୍ର ୪୫୯୦ଭୋଟ ପାଇଥିଲେ । ଏହି ନିର୍ବାଚନରେ ରାଣୀ ୩୨,୧୪୮ ଖଣ୍ଡ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀଙ୍କୁ ପରାଜିତ କରିଥିଲେ । ସେହିପରି ୨୦୧୯ ନିର୍ବାଚନରେ ଚିକିଟି ଆସନରେ ୭ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିଲେ । ରାଣୀ ମୋଟ ୭୩,୩୫୩ ଭୋଟ ପାଇଥିଲା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ମନୋରଂଜନ ଦ୍ୟାନ ସାମନ୍ତରାୟ ୫୨,୭୧୮ ଏବଂ କଂଗ୍ରେସର ସୁବାଶ ରାଉତ ମାତ୍ର ୩୭୪୭ ଭୋଟ ପାଇଥିଲେ । ଏହି ନିର୍ବାଚନରେ ରାଣୀ ୨୦,୬୩୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀଙ୍କୁ ପରାଜିତ କରିଥିଲେ । ସେହିପରି ରାଣୀ ପ୍ରଥମ ଥର ପାଇଁ ୨୦୧୧ରୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀପଦ ଗ୍ରହଣ କରି ଅତି ସଫଳତାର ସହ ନିଜର ଦାୟିତ୍ୱ ନିର୍ବାହ କରିଛନ୍ତି । ୧୦ ମଇ ୨୦୧୧ରୁ ୧୦ ଫେବୃୟାରୀ ୨୦୧୨ ପର୍ଯ୍ୟନ୍ତ ରାଣୀ ବିଜ୍ଞାନ ଓ କାରିଗରୀ, ବୟନ ଓ ହସ୍ତତନ୍ତ ବିଭାର ମନ୍ତ୍ରୀ ଭାବେ ନିଜର ଦାୟିତ୍ୱ ସଫଳତାର ସହ ନିର୍ବାହ କରିଥିଲାବେଳେ ୧୦ ଫେବୃୟାରୀ ୨୦୧୨ରୁ ୨ଅଗଷ୍ଟ ୨୦୧୨ ଯାଏ ପୂର୍ବ ଦାୟିତ୍ୱ ସହ ହ୍ୟାଣ୍ଡିକ୍ରାଫ୍ଟ, ଯୋଜନା ଓ ସମନ୍ୱୟ,୨ଅଗଷ୍ଟ ୨୦୧୨ରୁ ୨୧ ମଇ ୨୦୧୪ ପର୍ଯ୍ୟନ୍ତ ମହିଳା ଓ ଶିଶୁ ବିକାଶ, ୨୧ ମଇ ୨୦୧୪ ରୁ ୬ମଇ ୨୦୧୭ ପର୍ଯ୍ୟନ୍ତ ମହିଳା ଓ ଶିଶୁ ବିକାଶ ଏବଂ ଯୋଜନା ତଥା ସମନ୍ୱୟ, ୭ ମଇ ୨୦୧୭ରୁ ୨୯ ମଇ ୨୦୧୯ ଯାଏ ଯୋଜନା ଓ ସମନ୍ୱୟ, ଦକ୍ଷତା ବିକାଶ ଓ ଯାନ୍ତ୍ରିକ ଶିକ୍ଷା ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଭାବେ ସଫଳତାର ସହ ନିଜ ଦାୟିତ୍ୱ ନିର୍ବାହ କରିଥିଲେ । ଦୀର୍ଘ ୩୦ ବର୍ଷର ରାଜନୀତିକ ଜୀବନ ଭିତରେ ରାଣୀ ଉଷା ଦେବୀ ୬ ଥର ବିଧାୟିକା ଭାବେ ନିର୍ବାଚିତ ହୋଇ ବିଧାନସଭାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କମିଟିର ଜଣେ ପ୍ରମୁଖ ସଦସ୍ୟ ଭାବେ ନିଜର ଦାୟୀତ୍ୱ ତୁଲାଇଥିଲେ । ମୁଖ୍ୟତଃ ମହିଳା ଓ ଶିଶୁ ବିକାଶ, ପରିବେଶ, ରାଜସ୍ୱ, ଅବକାରୀ, ଶକ୍ତି, ଲାଇବ୍ରେରୀ, ସଂଖ୍ୟାଲଘୁ ଭାଷା ଆଦି କମିଟିର ସଦସ୍ୟ ଭାବେ ଦାୟିତ୍ୱ ତୁଲାଇ ଥିଲେ ।
ବହୁପ୍ରତିଭାର ଅଧିକାରୀଣୀ ରାଣୀ ଉଷା ଦେବୀ ଜଣେ ପ୍ରଗତିଶୀଳ ମଣିଷ ଭାବେ ବିଭିନ୍ନ ସାମାଜିକ ଓ ଗଣ ଆନ୍ଦୋଳନ ସହିତ ନିଜକୁ ସାମିଲ କରିଥିବା ବେଳେ ଓଡ଼ିଶା ରାଜନୀତିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ଏପରିକି ଜଣେ ଅଭିଜ୍ଞ ବିଧାୟିକା ଭାବେ ତାଙ୍କର ରାଜନୀତିକ ଓ ବିଧାନସଭା କାର୍ଯ୍ୟଦକ୍ଷତା ତାଙ୍କୁ ଆପେ ରାଜ୍ୟ ରାଜନୀତି ମଂଚରେ ଛିଡ଼ା କରି ଦେଇଛି । ବିଶେଷ କଥା ହେଲା, ଆଜି ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରୁ ମୋଟ ୮ଜଣ ମହିଳା ବିଧାୟିକା ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଉଷା ଦେବୀଙ୍କ ସମେତ ୬ଜଣ ରାଣୀ ଅଛନ୍ତି ।
ବିଧାନସଭା ଅଧିବେଶନରେ ରାଣୀ ଉଷା ଦେବୀଙ୍କ କାର୍ଯ୍ୟଶୈଳୀ, ପ୍ରଭାବୀ ବକ୍ତୃତା, ରାଜ୍ୟ ସ୍ତରୀୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଅଂଶଗ୍ରହଣ ଆଦି ତାଙ୍କର ଲୋକାଭିମୁଖୀ କାର୍ଯ୍ୟ ଉଲ୍ଲେଖନୀୟ । ବିଧାନସଭା ଅଧିବେସନରେ ପ୍ରଶ୍ନ-ଉତର, ବଜେଟ୍‌, ବିଧେୟକ, ଧ୍ୟାନାକର୍ଷଣ, ସ୍ଥଗନ, ଚର୍ଚ୍ଚା ଭଳି ମହତ୍ୱପୂର୍ଣ୍ଣ ଆଲୋଚନାରେ ସକ୍ରିୟ ଭାଗ ନେଇ ସେ ଓଡ଼ିଶାର ମୌଳିକ ସମସ୍ୟା ସଂପର୍କରେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ରାଜ୍ୟରେ ଦାରିଦ୍ର‌୍ୟ, ଅନାହାର, ପୃଷ୍ଟିହୀନତା, ମାତୃ ଓ ଶିଶୁମୃତ୍ୟୁ, ଦାଦନ ଭଳି ବିଭିନ୍ନ ସାମାଜିକ ଓ ପ୍ରଶାସନିକ ସମସ୍ୟା ସମାଧାନ ପାଇଁ ସେ ନିୟମିତ କାର୍ଯ୍ୟ କରି ଆସିଛନ୍ତି ।
ଜଣେ ଅଭିଜ୍ଞ ବିଧାୟିକା ଭାବେ ଚିକିଟି ବିଧାନସଭା କ୍ଷେତ୍ର ସମେତ ଗଞ୍ଜାମ ଜିଲ୍ଲା ତଥା ଓଡ଼ିଶାର ସାମଗ୍ରୀକ ବିକାଶ ଲକ୍ଷ୍ୟ ରଖିଛନ୍ତି ରାଣୀ ଉଷା ଦେବୀ । ଗଞ୍ଜାମ ଜିଲ୍ଲା ତଥା ରାଜ୍ୟର ସ୍ୱାସ୍ଥ୍ୟ, ଶିକ୍ଷା, ଅପପୃଷ୍ଟି ନିୟନ୍ତ୍ରଣ, ମାତୃ-ଶିଶୁ ମୃତ୍ୟୁହାର ହ୍ରାସ, ପାନୀୟ ଜଳ, ପରିବେଶ, ସାକ୍ଷରତା, ଜଙ୍ଗଲ ଜମିର ସୁରକ୍ଷା, ଦାରିଦ୍ର‌୍ୟ ଦୂରୀକରଣ, ବେକାରୀ, ଦାଦନ ସମସ୍ୟାର ସମାଧାନ ଆଦି ତାଙ୍କ ସାମାଜିକ କାର୍ଯ୍ୟର ମୂଳ ଲକ୍ଷ୍ୟ । ଚିକିଟି ବିଧାନସଭା ନିର୍ବାଚନମଣ୍ଡଳୀକୁ ଓଡ଼ିଶାରେ ସବୁଠୁ ସ୍ମାର୍ଟ ତଥା ପୂର୍ଣ୍ଣ ବିକଶିତ କରାଇବା ଲକ୍ଷ୍ୟରେ ସେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଜନସ୍ୱାସ୍ଥ୍ୟ, ବିଜୁଳି, ରାସ୍ତାଘାଟ ଓ ଗ୍ରାମାଂଚଳ ଉନ୍ନୟନକୁ ସେ ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି । ଗ୍ରାମାଂଚଳର ସର୍ବାଙ୍ଗୀନ ବିକାଶ ପାଇଁ ତାଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଚାଲୁ ରହିଛି ।
ରାଜନୀତି, ସଂସ୍କୃତି ଓ ସମାଜସେବାର ମୂର୍ତିମନ୍ତ ପ୍ରତୀକ ରାଣୀ ଉଷା ଦେବୀଙ୍କ ବହୁମୁଖୀ ଜନସ୍ୱାର୍ଥ ମୂଳକ କାର୍ଯ୍ୟ ଓ ଆତ୍ମୀୟତା ଉଲ୍ଲେଖନୀୟ । ୩ ଦଶନ୍ଧିର ରାଜନୀତିକ ଜୀବନ ଭିତରେ ତାଙ୍କର ପ୍ରତ୍ୟେକ କାର୍ଯ୍ୟ ସାଧାରଣ ମଣିଷ ମାନଙ୍କ ପାଇଁ ଆଶୀର୍ବାଦ ହୋଇଛି । ରାଜନୀତିରେ ତାଙ୍କର ସ୍ପଷ୍ଟବାଦିତା ବାସ୍ତବରେ ତାଙ୍କୁ ଓଡ଼ିଶା ରାଜନୀତିକ ମଂଚର ଶୀର୍ଷରେ ପହଂଚାଇ ଦେଇଛି । ସବୁଠୁ ବଡ଼ କଥା ହେଲା, ରାଣୀ ଅଧିକାଂଶ ସମୟ ସାଧାରଣ ଲୋକଙ୍କ ଗହଣରେ ବିତାଇ ସେମାନଙ୍କ ସୁଖ-ଦୁଃଖରେ ଭାଗୀ ହେଉଛନ୍ତି । କାହାର ଡ଼ାକରା ପାଇବା କ୍ଷଣି ସେ ତତ୍‌କ୍ଷଣାତ୍ ପହଂଚି ଯାଆନ୍ତି ତାଙ୍କ ପାଖରେ ଓ ନିଜକୁ ଏକାକାର କରି ଦିଅନ୍ତି ତାଙ୍କର ସୁଖ-ଦୁଃଖ ସହିତ । ପ୍ରତି ମଣିଷକୁ ଆପଣାର କରିବାର କଳାରେ ସେ ନିପୁଣ । ସମସ୍ତଙ୍କୁ ସେ ସହଯୋଗର ହାତ ବଢାନ୍ତି । ବାସ୍ତବରେ ଚିକିଟି ରାଣୀଙ୍କର ଅମାୟିକ ବ୍ୟବହାର, ବନ୍ଧୁବତ୍ସଳତା, ଲୋକପ୍ରିୟତା ଓ ପରୋପକାରୀ ମନୋଭାବ ଆଦି ମାନବୀୟ ଗୁଣ ପାଇଁ ସେ ସମସ୍ତଙ୍କର ପ୍ରିୟପାତ୍ର ।
ଓଡ଼ିଶା ନ୍ୟୁଜ୍ ସର୍ଭିସ୍‌,
ଭୁବନେଶ୍ୱର, ମୋ-୯୩୩୭୩୬୯୪୪୮

Leave a Reply

Your email address will not be published.