ରାଜନୀତିରେ କେତେ ସଫଳ ପ୍ରଣବ ପ୍ରକାଶ ଦାସ

ରାଜନୀତିରେ କେତେ ସଫଳ ପ୍ରଣବ ପ୍ରକାଶ ଦାସ

ଶରତ କୁମାର ରାଉତ
ସଂପ୍ରତି ଭାରତୀୟ ରାଜନୀତିରେ ଅପରାଧ ଓ ଭ୍ରଷ୍ଟାଚାର ଏତେ ଅଧିକ ବଢିଯାଇଛି ଯେ, ଦେଶ ପାଇଁ ଯେଉଁ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡିକର ବିକାଶ ଆଶା କରାଯାଉଥିଲା, ତାହା ଏବେ ସ୍ୱପ୍ନ ହୋଇଯାଇଛି । ସ୍ୱାଧୀନତାକୁ ନେଇ ବିକାଶର ଉଚ୍ଚପାହାଚ ପର୍ଯ୍ୟନ୍ତ ଗତିକରି ଆସିଥିବା ଭାରତୀୟ ଗଣତନ୍ତ୍ର କେତେକ ତଥାକଥିତ ରାଜନୀତିଜ୍ଞଙ୍କର ଅକ୍ତିଆରରେ ରହିଥିବାରୁ ଭାରତୀୟମାନେ ମଧ୍ୟ ଅନ୍ଧ ଭଳି ସେମାନଙ୍କୁ ସମର୍ଥନ କରିଆସୁଛନ୍ତି । ଗଣତନ୍ତ୍ରର ଏହି ମନ୍ଦିର ଗୁଡ଼ିକୁ ଆମେ ଯେଉଁ ବ୍ୟକ୍ତିମାନଙ୍କୁ ନିର୍ବାଚିତ କରି ପଠାଉଛୁ, ସେମାନେ ଆମର ପ୍ରତିନିଧି ଓ ପ୍ରବକ୍ତା ମଧ୍ୟ । ଯଦିଓ ଆମ ପ୍ରତିନିଧିଙ୍କ ଭିତରେ ଗଣତାନ୍ତ୍ରିକ ସଂସ୍କାର ଥିବ, ତେବେ ସଂସଦ ବା ବିଧାନସଭାରେ ଲୋକଙ୍କ ଆଶା-ଆକାଂକ୍ଷା, ସୁଖ-ଦୁଃଖ ଏବଂ ଦୃଷ୍ଟିକୋଣ ଗଣତାନ୍ତ୍ରିକ ଢ଼ଙ୍ଗରେ ଉପସ୍ଥାପିତ ହୋଇପାରିବ । ମାତ୍ର ବାହୁବଳ, ଅର୍ଥବଳ, ମାଫିଆବଳ ଓ କେତେକ କ୍ଷେତ୍ରରେ ମିଡ଼ିଆ ବଳର ବ୍ୟବହାର କରି କେହି ଜଣେ ଅତି ସହଜରେ ପ୍ରତିନିଧିତ୍ୱ ହାସଲ କରି ପାରୁଛନ୍ତି । ସେହି ପ୍ରତିନିଧିଙ୍କ ଠାରୁ ଗଣତାନ୍ତ୍ରିକ ସଂସ୍କାରବାଦୀ କାର୍ଯ୍ୟ ପ୍ରଣାଳୀର ଆଶା କରାଯିବା ସ୍ୱପ୍ନ ସହ ସମାନ । ଏଥିରେ ମତଦାତା ମାନଙ୍କର ମଧ୍ୟ କିଛି ଭୁଲ୍ ରହୁଛି । ସେମାନେ ନିର୍ବାଚନ ସମୟରେ ସହଜରେ ପ୍ରଭାବିତ ହୋଇ ଯାଆନ୍ତି । ଯଦ୍ୱାରା ଅଯୋଗ୍ୟ, ଅପରାଧୀ, ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ପ୍ରତିନିଧିଭାବେ ନିର୍ବାଚିତ ହୋଇ ଯାଉଛନ୍ତି । ଅଧିକାଂଶ ଦେଶରେ ଲୋକପ୍ରତିନିଧି ମାନଙ୍କ କାର୍ଯ୍ୟକଳାପ ସଂପର୍କରେ ସେଠାକାର ମିଡ଼ିଆ ନିୟମିତ ଲୋକମାନଙ୍କୁ ସୂଚନା ଦେଇଥାନ୍ତି । ଯଦ୍ୱାରା ଲୋକେ ନିଜର ପ୍ରତିନିଧିଙ୍କ ସଂପର୍କରେ ଜାଣନ୍ତି ଓ ସଚେତନ ହୁଅନ୍ତି । ହେଲେ ଆମ ଦେଶର ମିଡ଼ିଆ ଏଥିପ୍ରତି ବିଶେଷ ଗୁରୁତ୍ୱ ଦିଏ ନାହିଁ ।
ତେବେ ଓଡ଼ିଶାର ବିଧାୟକ ଓ ସାଂସଦ ମାନେ ସାଧାରଣ ଲୋକଙ୍କ ସୁଖ-ଦୁଃଖ ସହିତ କେତେ ଜଡ଼ିତ ଅଛନ୍ତି ବା ତାଙ୍କର କାର୍ଯ୍ୟକଳାପ ସଂପର୍କରେ ଆଲୋଚନା ହେବାର ଆବଶ୍ୟକତା ରହିଛି । ଯାଜପୁର ଜିଲ୍ଲାର ଯାଜପୁର ବିଧାନସଭା କ୍ଷେତ୍ରର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସଂପର୍କରେ ଏଥରର ଅଲୋଚନା । ପ୍ରଣବ ବାବୁ ହେଉଛନ୍ତି ବହୁପ୍ରତିଭାର ଅଧିକାରୀ । ଜଣେ ପ୍ରଗତିଶୀଳ ମଣିଷ ଭାବେ ବିଭିନ୍ନ ସାମାଜିକ ଓ ଗଣ ଆନ୍ଦୋଳନ ସହିତ ନିଜକୁ ସାମିଲ କରିବା ସହିତ ଓଡ଼ିଶା ରାଜନୀତି କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ମୁଖ୍ୟତଃ ବିଜୁ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ପିତା ଅଶୋକ ଦାସଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ ସକ୍ରିୟ ରାଜନୀତିରେ ପାଦ ଦେଇଥିଲେ ଓ ପ୍ରଥମ କରି ୨୦୦୯ ମସିହା ନିର୍ବାଚନରେ ଯାଜପୁର ବିଧାନସଭା ଆସନରେ ବିଜୁ ଜନତା ଦଳ ଟିକଟରେ ବିଧାନସଭାରେ ପ୍ରବେଶ କରିଥିଲେ । ଏହି ନିର୍ବାଚନରେ ପ୍ରଣବ ବାବୁ ୬୧,୭୧୨ ଭୋଟ(୫୦.୦୫%) ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଦେବବ୍ରତ କାନ୍ଥା ୩୧,୪୬୭(୨୫.୫୨%) ଓ ଭାଜପା ପ୍ରାର୍ଥୀ ଗୌତମ ରାୟ ୨୭, ୭୮୫(୨୨.୫୩%) ଭୋଟ ପାଇଥିଲେ । ଏହି ନିର୍ବାଚନରେ ମୋଟ ୫ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ ।
୨୦୧୪ ବିଧାନସଭା ନିର୍ବାଚନରେ ଦ୍ୱିତୀୟ ଥର ପାଇଁ ବିଜେଡ଼ି ଟିକଟରେ ପ୍ରଣବ ବାବୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ କୁମାର ନନ୍ଦଙ୍କୁ ୯୪,୬୧୩ ଭୋଟ୍ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଥିଲେ । ଏହି ନିର୍ବାଚନ ରଣାଙ୍ଗନରେ ମୋଟ ୮ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିଲେ । ଏଥିରେ ପ୍ରଣବ ବାବୁ ୧,୦୪,୪୫୮ଭୋଟ (୬୯.୧୭%)ଭୋଟ ହାସଲ କରିଥିଲା ବେଳେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ କୁମାର ନନ୍ଦ ୧୯,୮୪୫(୧୩.୧୪%) ଓ ଭାଜପା ପ୍ରାର୍ଥୀ ଜଗନ୍ନାଥ ପ୍ରସାଦ ସାମଲ ୧୭,୧୮୦ (୧୧.୩୮%) ଭୋଟ ପାଇଥିଲେ ।
ସେହିପରି ୨୦୧୯ ନିର୍ବାଚନରେ ବିଜେଡ଼ି ଟିକଟରେ ପ୍ରଣବ ବାବୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାଜପା ପ୍ରାର୍ଥୀ ଗୌତମ ରାୟଙ୍କୁ ୪୦,୬୫୬ ଭୋଟ୍ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଥିଲେ । ଏହି ନିର୍ବାଚନ ରଣାଙ୍ଗନରେ ମୋଟ ୬ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିଲେ । ଏଥିରେ ପ୍ରଣବ ବାବୁ ୯୯,୭୩୮ ଭୋଟ (୬୦.୨୪%) ହାସଲ କରିଥିଲା ବେଳେ ଭାଜପା ପ୍ରାର୍ଥୀ ଗୌତମ ରାୟ ୫୯,୦୮୨(୩୫.୬୮%) ଓ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ କୁମାର ନନ୍ଦ ୪,୭୪୫(୨.୮୬%) ଭୋଟ ପାଇଥିଲେ ।
୨୦୧୪ ମଇ ମାସ ୫ ତାରିଖରୁ ସେ ପ୍ରଥମ ଥର ପାଇଁ ମହିଳା ଓ ଶିଶୁ ବିକାଶ ତଥା ଭିନ୍ନକ୍ଷମ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ସହ ଶକ୍ତିରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ) ଦାୟିତ୍ୱ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ) ଭାବରେ ନିଜର ଦାୟିତ୍ୱ ସଫଳତାର ସହ ନିର୍ବାହ କରିଥିଲେ । ସେହିପରି ପ୍ରଣବ ବାବୁ ୨୦୧୨-୨୦୧୩ ରେ ବିଧାନସଭା ଲାଇବ୍ରେରୀ କମିଟିର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ ।
୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡ଼ିକୁ ବହୁ ଆସନରେ ବିଜୟୀ କରିବା ପାଇଁ ପ୍ରଣବ ବାବୁ କଠିନ ପରିଶ୍ରମ କରିଥିବା ଦେଖା ଯାଇଥିଲା । ତେବେ ୨୦୧୪ରେ ବିଜେଡ଼ି ୧୧୨ଟି ଆସନ ଅକ୍ତିଆର କରିଥିବା ବେଳେ ୨୦୧୯ ନିର୍ବାଚନରେ ୧୧୭ଟି ଆସନ ଅକ୍ତିଆର କରିଥିଲା । ସେହିପରି ବିଜେପୁର ଉପନିର୍ବାଚନ ଓ ପାଟକୁରା ବିଧାନସଭା ନିର୍ବାଚନ ବେଳେ ପ୍ରଣବ ପ୍ରକାଶ ଦାସଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଏକପ୍ରକାର ପ୍ରଣ ବ ବାବୁଙ୍କର କଠିନ ତଥା ନିଷ୍ଠାପର କାର୍ଯ୍ୟ ପାଇଁ ବିଜେପୁର ଓ ପାଟକୁରା ଆସନ ଅତି ସହଜରେ ବିଜେଡ଼ି ହାତକୁ ଆସି ପାରିଥିଲା ।
୨୦୨୦ ମାର୍ଚ୍ଚ ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୁଏତ ପ୍ରଣବ ପ୍ରକାଶ ଦାସଙ୍କର ରାଜନୀତିକ ଦକ୍ଷତା ଅନୁଭବ କରି ତାଙ୍କୁ ବିଜେଡ଼ିର ସାଙ୍ଗଠନିକ ସଂପାଦକ ପଦରେ ନିଯୁକ୍ତି ଦେଇଥିଲେ । ଆଉ ସେଦିନ ଠାରୁ ପ୍ରଣବ ବାବୁ ମୁଖ୍ୟମନ୍ତ୍ରୀଙ୍କ ପରେ ଦଳର ଦ୍ୱିତୀୟ କ୍ଷମତା କେନ୍ଦ୍ର ବୋଲି ରାଜନୀତିକ ସମୀକ୍ଷକ ମାନେ ଚର୍ଚ୍ଚା କରି ଆସୁଛନ୍ତି ।
ବିଧାନସଭା ଅଧିବେଶନରେ ପ୍ରଣବ ବାବୁଙ୍କର କାର୍ଯ୍ୟଶୈଳୀ, ପ୍ରଭାବୀ ବକ୍ତୃତା, ରାଜ୍ୟ ସ୍ତରୀୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଅଂଶଗ୍ରହଣ, ପ୍ରଶ୍ନ-ଉତ୍ତର, ବଜେଟ୍‌, ବିଧେୟକ, ଚର୍ଚ୍ଚା ଭଳି ମହତ୍ତ୍ୱପୂର୍ଣ୍ଣ ଆଲୋଚନାରେ ଉପସ୍ଥିତ ରହି ସବୁଥିରେ ସକ୍ରିୟ ଅଂଶ ଗ୍ରହଣ କରି ଆସୁଛନ୍ତି । ରାଜ୍ୟରେ ଦାରିଦ୍ର‌୍ୟ, ଅନାହାର, ପୃଷ୍ଟିହୀନତା, ମାତୃ ଓ ଶିଶୁମୃତ୍ୟୁ, ପ୍ରାକୃତିକ ବିପର୍ଯ୍ୟୟ, ଦାଦନ ଭଳି ବିଭିନ୍ନ ସାମାଜିକ ଓ ପ୍ରଶାସନିକ ସମସ୍ୟା ସମାଧାନ ପାଇଁ ସେ ନିୟମିତ କାର୍ଯ୍ୟ କରି ଆସୁଛନ୍ତି । ଏପରିକି ବିଧାନସଭା ଭିତରେ ଓ ବାହାରେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେଇ ସେ ଓଡ଼ିଶାର ମୌଳିକ ସମସ୍ୟା ସଂପର୍କରେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ଏଥିପାଇଁ ଓଡ଼ିଶାରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଥିବା ବେଳେ ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକଙ୍କ ସହିତ ତାଙ୍କର ଘନିଷ୍ଟ ସଂପର୍କ ରହିଛି ।
ରାଜନୀତି, ସାହିତ୍ୟ, ସଂସ୍କୃତି, ସମାଜସେବା, ଆଧ୍ୟାତ୍ମିକ ପତ୍ରପତ୍ରିକା ପାଇଁ ଲେଖିବାର ମୂର୍ତ୍ତିମନ୍ତ ପ୍ରତୀକ ପ୍ରଣବ ବାବୁ ଙ୍କର ବହୁମୁଖୀ ଜନସ୍ୱାର୍ଥ ମୂଳକ କାର୍ଯ୍ୟ ଓ ଆତ୍ମୀୟତା ଉଲ୍ଲେଖନୀୟ । ତାଙ୍କ ରାଜନୀତିକ ଜୀବନ ଭିତରେ ତାଙ୍କର ପ୍ରତି ପଦକ୍ଷେପ ଓ ରାଜନୀତିକ ଆଲୋଚନା ରାଜନୀତିଜ୍ଞ ମାନଙ୍କ ପାଇଁ ଆଦର୍ଶ ହୋଇଥିବା ବେଳେ ସାଧାରଣ ମଣିଷ ମାନଙ୍କ ପାଇଁ ଆଶୀର୍ବାଦ ହୋଇଛି । ରାଜନୀତିରେ ତାଙ୍କର ସ୍ପଷ୍ଟବାଦିତା ବାସ୍ତବରେ ତାଙ୍କୁ ଓଡ଼ିଶା ରାଜନୀତିକ ମଞ୍ଚର ଶୀର୍ଷରେ ପହଞ୍ଚାଇ ଦେଇଛି । ରାଜନୀତିକ ଜ୍ଞାନର ପ୍ରଚଣ୍ଡ ଅଧିକାରୀ ପ୍ରଣବ ବାବୁ ନିଜ ରାଜନୀତିକ ଜୀବନର ପ୍ରତି ମୁହୂର୍ତ୍ତକୁ ଓ ପ୍ରତି ଦାୟିତ୍ୱକୁ ଜନସେବାରେ ଓ ନିଷ୍ଠାର ସହ କିଛି ନୂଆ କରି ଦେଖାଇବାରେ ବିତାଉଛନ୍ତି । ବିଭିନ୍ନ ବିଭାଗର ମନ୍ତ୍ରୀ ଥିବାବେଳେ ବିଭାଗୀୟ ଅନେକ ସମସ୍ୟା ସମାଧାନ କରିଥିବା ବେଳେ ନୂଆ ନୂଆ ନୂଆ ସଂସ୍କାର ଆଣିବାରେ ସେ ରେକର୍ଡ଼ ସୃଷ୍ଟି କରିଛନ୍ତି । ମହିଳା, ଶିଶୁ କଲ୍ୟାଣ, ଭିନ୍ନକ୍ଷମ, ଶକ୍ତି ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଭାବରେ ବିଭିନ୍ନ ପଦକ୍ଷେପ ତାଙ୍କ ମନ୍ତ୍ରୀତ୍ୱ ସମୟର ପରାକାଷ୍ଠା ।
ଜଣେ ଅଭିଜ୍ଞ ବିଧାୟକ ଭାବେ ଓଡ଼ିଶାର ସାମଗ୍ରୀକ ବିକାଶ ଓ ବିଭିନ୍ନ ସମସ୍ୟା ସମାଧାନ କରି ଅବହେଳିତ ଓଡ଼ିଆ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବାର ଲକ୍ଷ୍ୟ ରଖିଛନ୍ତି ପ୍ରଣବ ବାବୁ । ରାଜ୍ୟର ସ୍ୱାସ୍ଥ୍ୟ, ଶିକ୍ଷା, ପୃଷ୍ଟିହୀନତା ନିୟନ୍ତ୍ରଣ, ମାତୃ-ଶିଶୁ ମୃତ୍ୟୁହାର ହ୍ରାସ, ପାନୀୟ ଜଳ, ପରିବେଶ, ସାକ୍ଷରତା, ଉଚ୍ଚଶିକ୍ଷାର ପ୍ରସାର, ଜଙ୍ଗଲ ଜମିର ସୁରକ୍ଷା, ଗ୍ରାମ୍ୟ ଉନ୍ନତି, ଦାରିଦ୍ର‌୍ୟ ଦୂରୀକରଣ, କ୍ରୀଡ଼ାର ଉନ୍ନତି ଆଦି ତାଙ୍କ ସାମାଜିକ କାର୍ଯ୍ୟର ମୂଳ ଲକ୍ଷ୍ୟ । ସବୁଠୁ ବଡ଼ କଥା ହେଲା, ନିୟମିତ ସେ ଓଡ଼ିଆ ଲୋକ ମାନଙ୍କ ସୁଖ-ଦୁଃଖରେ ଭାଗୀ ହେଉଛନ୍ତି । କାହାର କିଛି ସମସ୍ୟା ଶୁଣି ସେ ତତ୍‌କ୍ଷଣାତ୍ ପହଞ୍ଚି ଯାଆନ୍ତି ଘଟଣା ସ୍ଥଳରେ ଓ ନିଜକୁ ଏକାକାର କରି ଦିଅନ୍ତି ଲୋକ ମାନଙ୍କ ସୁଖ-ଦୁଃଖ ସହିତ । ସମସ୍ତଙ୍କୁ ସେ ସହଯୋଗର ହାତ ବଢାନ୍ତି । ବାସ୍ତବରେ ତାଙ୍କର ଅମାୟିକ ବ୍ୟବହାର, ସରଳତା, ନିଷ୍ଠାପରତା, ଅମାୟିକ ରାଜନୀତି,ସମର୍ପିତ ରାଜନେତା, ଆକର୍ଷଣୀୟ ଲୋକପ୍ରିୟତା, ଉତ୍ସର୍ଗୀକୃତ ଜନସେବା ଓ ପରୋପକାରୀ ମନୋଭାବ ଆଦି ମାନବୀୟ ଗୁଣ ପାଇଁ ସେ ସମସ୍ତଙ୍କର ପ୍ରିୟପାତ୍ର ।
ଓଡ଼ିଶା ନ୍ୟୁଜ୍ ସର୍ଭିସ୍‌,
ଭୁବନେଶ୍ୱର, ମୋ-୯୩୩୭୩୬୯୪୪୮

Leave a Reply

Your email address will not be published.