ମାନ୍ଦା ଅବସ୍ଥା ଏବେ ସୁଧୁରିବ କି?

ସୁବାସ ଷଡଙ୍ଗୀ
ପାର୍ବଣର ସମୟ ଆରମ୍ଭ ହୋଇଯାଇଛି । ଦଶହରା ଠାରୁ ଦୀପାବଳୀ ପର୍ଯ୍ୟନ୍ତ ଚାଲେ ପାର୍ବଣ ସମୟ । ଏହା ହେଉଛି ଉପଭୋଗର ପାର୍ବଣ । ଏଣୁ ଏହାକୁ ଭରପୁର ବେପାର ସମୟ ବୋଲି ମନେ କରନ୍ତି ବିଭିନ୍ନ ସାମଗ୍ରୀ ନିର୍ମାତାମାନେ । କିନ୍ତୁ ବଜାର ମାନ୍ଦା । ଶିଳ୍ପ ମହଲ ଆଶ କରୁନାହାନ୍ତି ଯେ ଏବର୍ଷ ଭଲ ବେପାର ହେବ ବୋଲି । ବିଶେଷ କରି ଭୋଗପଣ୍ୟ ବେପାର କରୁଥିବା ସଂସ୍ଥାଗୁଡିକ । ଇଲେକଟ୍ରୋନିକ ଓ ଗାଡିମଟର କଂପାନୀମାନେ ଏଇ ଚାରିମାସରେ ସେମାନଙ୍କ ବାର୍ଷିକ ବିକ୍ରିର ଶତକଡା ୫୦ଭାଗ ବିକି୍ର କରିଥାନ୍ତି । ଦୁଇ ଚକିଆ ଓ ଚାରିଚକିଆ ଯାନ ଅନେକ ବିକି୍ର ହୋଇଥାଏ ।
ବ୍ୟବସାୟି ମାନଙ୍କର ଯୁକ୍ତି ଜିନିଷପତ୍ରର ଦାମ କିଛିଟା କମିଥିଲେ,ଚାହିଦା କିଛି ପରିମାଣରେ ବଢିଥାନ୍ତା । ମାତ୍ର ନିର୍ମାତାମାନଙ୍କର କର୍ପୋରେଟ ଟିକସ ପରିମାଣ ସରକାର କମାଇଥିଲେ ମଧ୍ୟ ଜିନିଷପତ୍ରର ଦରଦାମ ସେଭଳି କମିନାହିଁ ।
ସାଧାରଣଭାବେ ବେପାରୀମାନଙ୍କର ଯୁକ୍ତି ହେଉଛି,ଅକ୍ଟୋବରରୁ ଡିସେମ୍ବରମାସ ମଧ୍ୟରେ ଭୋଗପଣ୍ୟ ସାମଗ୍ରୀର ଅଧିକ ବିକି୍ରି ହୋଇଥାଏ । ଏଣୁ ଏଇ ତିନିମାସ ମଧ୍ୟରେ ବଜାରରେ ସାମଗ୍ରୀ ଅଧିକମାତ୍ରାରେ ବିକି୍ର ହୁଏ । ବିକ୍ରି ବଢେଇବାକୁ ନିର୍ମାତାମାନେ ମଧÿ୍ୟ ବେଶ କିଛି ପ୍ରଲୋଭନ ଦେଖାଇଥାନ୍ତି । ନୂଆ ଜିନିଷ ବଜାରକୁ ଏଇ ସମୟରେ ଆସିଥାଏ । କିନ୍ତୁ କିଛି ମାସ ଧରି ଜିନିଷପତ୍ରର ଚାହିଦା କମିବା ଫଳରେ ବଜାରକୁ ଅଧିକ ପରିମାଣରେ ଜିନିଷ ଆସୁନାହିଁ ।
ଅର୍ଥନୀତିକୁ ଚାଙ୍ଗା କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଭିନ୍ନ ପ୍ରକାରର ପଦକ୍ଷେପ ଘୋଷଣା କରିଛନ୍ତି । ନିକଟରେ କର୍ପୋରେଟ ଟିକସର ପରିମାଣ କମାଯାଇଛି । ତେବେ କର୍ପୋରେଟ ଟିକସ କମିଯିବା ପରେ ନିର୍ମାତାମାନେ ଜିନିଷପତ୍ରର ଦାମ ସେଇ ଅନୁପାତରେ କମାଉ ନାହାନ୍ତି । ଏ ନେଇ ଅର୍ଥମନ୍ତ୍ରୀଙ୍କୁ ପଚରାଯିବାରୁ ସେ କହିଛନ୍ତି, ‘ସରକାର ବେସରକାରୀ ସଂସ୍ଥାକୁ ଦର କମେଇ ଗ୍ରାହକମାନଙ୍କୁ ସୁବିଧା ଦେବାକୁ ବାଧ୍ୟ କରିପାରିବେ ନାହିଁ ।’
କୋଟକ ଇନିଷ୍ଟିଚ୍ୟସନାଲ ଇକ୍ୟୁଟିଜର ବିଶ୍ଲେଷକମାନେ କହନ୍ତି, ‘ବେସରକାରୀ ସଂସ୍ଥା କର୍ପୋରେଟ ଟିକସ ହ୍ରାସକୁ ଶହେଭାଗ ନିଜ ପାଖରେ ନ ରଖି ଗ୍ରାହକମାନଙ୍କ ପାଇଁ କିଛି ଛାଡିଲେ, ବଜାର ଉପରେ ଏହାର ପ୍ରଭାବ ପଡନ୍ତା । ଅବଶ୍ୟ ଏହା ଭିତରେ ମାରୁତି କଂପାନୀ ତାର କାର ଗୁଡିକର ଦାମ କିଛି ପରିମାଣରେ କମାଇବା କଥା ଘୋଷଣା କରିଛି ।
ଏବେ ଆସିବା ବଜାର ଚାଙ୍ଗା ହେବ କି ନାହିଁ, ସେଇ ପ୍ରସଙ୍ଗକୁ । କୁହାଯାଉଛି କର୍ପୋରେଟ ଟିକସ କମିଥିବାରୁ ଏହାର ପ୍ରଭାବ ବଜାର ଉପରେ ପଡିବ, ବିନିଯୋଗ ଅଧିକ ଆସିବ । ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାରେ ଶିଳ୍ପପତିମାନଙ୍କୁ ଭାରତରେ ଅଧିକ ବିନିଯୋଗ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।
କର୍ପୋରେଟ ଟିକସର ଅର୍ଥ ହେଉଛି ଲାଭ ଉପରେ ଟିକସ । ଏହାକୁ କିଛିଟା ଛାଡ କରିଦେଲେ ଯେ ବଜାର ଚାଙ୍ଗା ହୋଇଯିବ ଏପରି ଭାବିବା ଭୁଲ । ଏହାଦ୍ୱାରା କଣ ଜାତୀୟ ବଢିଯିବ? ଲାଭ ନଥିବାରୁ ବିନିଯୋଗ ନାହିଁ, ଏପରି ଭାବିବା ଭୁଲ । ବରଂ କୁହାଯାଇପାରେ ଚାହିଦା ନଥିବାରୁ ବିନିଯୋଗ ନାହିଁ । ଗୋଦାମରେ ଜିନିଷ ଭରି ରହିଛି । ଏଣୁ ନୂଆ ଜିନିଷଆସୁନାହିଁ । ଯାହାଫଳରେ କମ୍ପାନୀମାନେ ଆଉ ଅଧିକ ବିନିଯୋଗ କରିବାକୁ ଚାହୁଁ ନାହାନ୍ତି । ଏଣୁ ଲାଭ ଉପରେ କର ହା୍ରସ ନକରି ଯଦି ଜିଏସଟି କମ କରାଯାଇଥାନ୍ତା, ତେବେ ଜିନିଷପତ୍ରର ଦାମ କିଛିଟା କମିଥାନ୍ତା । ଲୋକେ ନୂଆ ସାମଗ୍ରୀ କିଣିବାକୁ ଆଗ୍ରହ ପ୍ରକାଶ କରିଥାନ୍ତେ । କର୍ପୋରେଟ ଟିକସ ନମାଇ ବରଂ ସେଇ ଅର୍ଥକୁ ବିଭିନ୍ନ ସାମାଜିକ କ୍ଷେତ୍ରରେ ଖର୍ଚ କରିଥିଲେ, ତାହା ରୋଜଗାର ବୃଦ୍ଧିରେ ସହାୟକ ହୋଇପାରିଥାନ୍ତା ।ଜାତୀୟ ଆୟ ବଢେଇବା ଯଦି ଏକମାତ୍ର ଉଦେ୍ଦଶ୍ୟ ହୁଏ, ତେବେ କର ଛାଡ କରିଦେବା ଅପେକ୍ଷା ଟଙ୍କା ଖର୍ଚ କରିବାର ପନ୍ଥା ଅଧବକ ଭଲ । କାରଣ ଏହା ଦ୍ୱାରା ଜାତୀୟ ଆୟର ହାର ବଢିବ ।
ଆର୍ଥିକ ମାନ୍ଦା ଅବସ୍ଥା ଦେଖାଦେବାର କାରଣ ହେଲା, ଲୋକଙ୍କ ପାଖେ ଅର୍ଥ ନାହିଁ । ତାହାର ପ୍ରମୁଖ କାରଣ ହେଲା ଅସଙ୍ଗଠିତ କ୍ଷେତ୍ରରେ ଯେଉଁ ଶ୍ରମିକମାନେ କାମ କରୁଛନ୍ତି, ସେମାନଙ୍କ ପାଖରେ ଏବେ କାମ ନାହିଁ । ଲୋକଙ୍କୁ ଯଦି ଠିକଭାବେ କାମ ଯୋଗାଇ ଦିଆ ଯାଇପାରନ୍ତା, ତେବେ ସେମାନଙ୍କ ପାଖକୁ ଟଙ୍କା ଆସଲେ, ସେମାନେ ଜିନିଷ କିଣନ୍ତେ । ସେମାନଙ୍କ ପାଖକୁ ଅର୍ଥ ଯିବା ଦରକାର ।
ଏମିତି ଦେଖିବାକୁ ଗଲେ, ସରକାର ଗରିବ ଲୋକଙ୍କ କଥା ଚିନ୍ତା କଲେ ପରୋକ୍ଷ କର ହ୍ରାସ କରିବା କଥା ଚିନ୍ତା କରନ୍ତି । ମାତ୍ର ଜିଏସଟି କମାଇବାକୁ ରାଜ୍ୟମାନେ ଆଗହ୍ର ପ୍ରକାଶ କରୁଡ଼ଥିବାରୁ ସମସ୍ୟା ଦେଖା ଦେଇଛି । କାରଣ ଏହା ଦ୍ୱାରା ରାଜ୍ୟମାନଙ୍କର ଆୟ ହା୍ରସ ପାଇବ । ସେମାନେ କ୍ଷତିରେ ପଡିବେ । କିନ୍ତୁ ସରକାର ସାମାଜିକ କ୍ଷେତ୍ରରେ ଖର୍ଚ ବଢାଇବାକୁ ଚାହୁଁ ନାହାନ୍ତି ।
ଭାରତରେ ଆର୍ଥିକ ବୈଷମ୍ୟ ସବୁଠାରୁ ଅଧିକ । ଯାହାର ପ୍ରଭାବ ବଜାର ଉପରେ ପଡୁଛି । ଧନୀ ଅଧିକ ରୋଜଗାର କରୁଥିଲା ବେଳେ ଗରିବ ଲୋକ ପାଖରେ ଖର୍ଚ କରିବାକୁ ଅର୍ଥ ନାହିଁ । ନିଜର ଭବିଷ୍ୟତ କଥା ଚିନ୍ତା କରିବାକୁ ପଡୁଛି । କର୍ପୋରେଟ ଟିକସର ପରିମାଣ କମାଇ ହୁଏତ ସରକାର କିଛି ପରିମାଣରେ ଶ୍ରମିକ ଛଟେଇକୁ ସାମୟିକ ଭାବରେ ବନ୍ଦ କରିଦେଇ ପାରନ୍ତି, କିନ୍ତୁ ଏହା ସମସ୍ୟା ନିରାକରଣର ପ୍ରକୃତ ପନ୍ଥା ନୁହେଁ । ଲୋକଙ୍କୁ କାମ ଦରକାର । କାରଣ ବଜାରରେ ଚାହିଦା ନ ରହିଲେ ଆଜି ନହେଲେ ବି କାଲି ଶ୍ରମିକ ଛଟେଇ ହେବ ।
ସରକାର ମଲମ ନ ଲଗାଇ କିପରି ଘା ଭଲ ହେବ ତାର ବ୍ୟବସ୍ଥା କରିବା ଦରକାର । ତେବେ ପାର୍ବଣ ସମୟରେ ସେପରି ବଡ ଧରଣର ବିକ୍ରିବଟା ହେବାର ସମ୍ଭାବନା ବେପାରୀମାନେ ଦେଖିପାରୁ ନାହାନ୍ତି ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ଭୁବନେଶ୍ୱର, ମୋ- ୯୪୩୯୬୫୨୩୨୨

Leave a Reply

Your email address will not be published. Required fields are marked *