ମକର ସଂକ୍ରାନ୍ତିରେ ବେଢା ପରିକ୍ରମା

କଟକ, (ଆଇଏନ୍ଏସ୍): ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ସର୍ବଧର୍ମ ସମନ୍ୱୟ ପୀଠ ପ୍ରାଚୀ ଗୁରୁଧର୍ମ କ୍ଷେତ୍ରରେ ଏକ ନିଆରା ପରମ୍ପରାରେ ମକର ଉତ୍ସବ ପାଳିତ ହୋଇଯାଇଛି । ବର୍ଷକରେ ଏହି ଦିନ ଶ୍ରୀ ଶ୍ରୀ ଗୁରୁଦେବ ବିଭିନ୍ନ ଅଂଚଳର ଭକ୍ତମାନଙ୍କୁ ବିଭିନ୍ନ ମନ୍ଦିରରେ ପରିକ୍ରମା କରି ଦର୍ଶନ ଦେଇଥାନ୍ତି । ଏହି ଉପଲକ୍ଷେ ମହା ଆନନ୍ଦ ଉଲ୍ଲାସରେ ବିଭିନ୍ନ ଗ୍ରାମମାନଙ୍କରେ ଭକ୍ତ ଶ୍ରଦ୍ଧାଳୁ ନିଜ ନିଜ ଦାଣ୍ଡରେ କଳସ ସ୍ଥାପନ ଓ ଦୀପ ଜଳାଇ ଅପେକ୍ଷା କରିଥାନ୍ତି । ପରମ୍ପରା ଅନୁଯାୟୀ ଶତାଧିକ ଭକ୍ତ ଶ୍ରଦ୍ଧାଳୁ ଆଶ୍ରମରେ ଏକତ୍ରିତ ହେବା ପରେ ଆଶ୍ରମର ମୁଖ୍ୟ ବାବାଜୀ ଦାମୋଦର ଦାସଙ୍କ ତତ୍ୱାବଧାନରେ ଆରମ୍ଭ ହୋଇଥିଲା ମକର ଉତ୍ସବ ପରିକ୍ରମା । ହରିବୋଲ, ହୁଳହୁଳି, ଶଙ୍ଖନାଦ ମହାମନ୍ତ୍ରୀ ‘ଓଁ କୃଷ୍ଣ ମଧୁସୂଦନ ବାସୁଦେବ ଜନାର୍ଦ୍ଦନ’ ନାମ କୀର୍ତନରେ ସମାଧି ମନ୍ଦିରରୁ ଶ୍ରୀ ଶ୍ରୀ ଗୁରୁଦେବଙ୍କ ବିଗ୍ରହ ଓ ପାଦୁକା ସୁସଜ୍ଜିତ ପୁଷ୍ପଯାନରେ ସ୍ଥାପନ କରାଯାଇ ଅଂଚଳ ପରିକ୍ରମା ଆରମ୍ଭ ହୋଇଥିଲା । ବାଟରେ ଗୋପୀଦାସ ମଠ, ବାଟ ମଙ୍ଗଳା, ବୀରସିଂହ ଗାଦି, ମାଧବାନନ୍ଦ, ମା’ଚର୍ଚ୍ଚିକା, ଆଖଣ୍ଡଳମଣି, ବାସୁଦେବ, ବଟଗୋସାଇଁ, ମଠସାହି ଇତ୍ୟାଦି ପରିକ୍ରମା ହୋଇଥିଲା । ମକରରେ ଶ୍ରୀ ଗୁରୁଦେବଙ୍କ ଦର୍ଶନ ଲାଗି ବିଭିନ୍ନ ସ୍ଥାନରେ ଭିଡ ଲାଗିଥିଲା । ଘରେ ଘରେ ମକର ଭୋଗ ଲାଗି ହୋଇଥିଲା । ପରିକ୍ରମା ଦଳକୁ ବିଭିନ୍ନ ସ୍ଥାନରେ ପାଛୋଟି ନିଆଯାଇଥିଲା । ଏହା ଦୀର୍ଘ ୮ ଘଣ୍ଟା ଧରି ଚାଲୁ ରହିଥିଲା ।

Leave a Reply

Your email address will not be published.