ଭାରତୀୟ ରାଜନୀତିକ ସଂସ୍କୃତି ହ୍ରାସ ପାଉଛି କି?

ଶରତ କୁମାର ରାଉତ
ଆମ ରାଜନୀତିକ ସଂସ୍କୃତିର ଗୁଣାତ୍ମକ ମୂଲ୍ୟ ହ୍ରାସ ପାଉଥିବା ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି । କିଛିବର୍ଷ ତଳୁ ସଂସଦ ଅଧିବେସନ ବେଳେ ସାଂସଦ ମାନଙ୍କର ହୋ-ହଲ୍ଲା-ପାଟିତୁଣ୍ଡ ଓ ଯଥେଷ୍ଟ କାରଣ ନଥାଇ କକ୍ଷତ୍ୟାଗ ଆଦି ଘଟଣା ଭାରତବାସୀଙ୍କୁ ଚକିତ କରୁଛି । ବେଳେ ବେଳେ ସଂସଦରେ ଦେଶର ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ହୋଇ ପାରୁନାହିଁ । ସାଂସଦ ମାନେ ସଂସଦ ଓ ଜନତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଉଚିତ । ନିୟମିତ ସଂସଦ ଅଧିବେସନରେ ବିଭିନ୍ନ ଆଲୋଚନାରେ ସକି୍ରୟ ଅଂଶ ଗ୍ରହଣ କରିବା ଆବଶ୍ୟକ । ଏହାଦ୍ୱାରା ସେମାନଙ୍କର ସଂସଦୀୟ ଦକ୍ଷତା ବଢିବା ସହ ଜନତାଙ୍କ ପ୍ରତି ଉତରଦାୟିତ୍ୱର ଭାବ ସୃଷ୍ଟି ହେବ । ଜବାହାରଲାଲ୍ ନେହରୁ ସଂସଦ ପ୍ରତି ଗଭୀର ସମ୍ମାନ ପ୍ରଦର୍ଶନ କରୁଥିଲେ ଓ ନିଜେ ଅଧିବେସନରେ ଉପସ୍ଥିତ ରହି ପ୍ରତ୍ୟେକ ଆଲୋଚନାରେ ସକି୍ରୟ ଅଂଶ ଗ୍ରହଣ କରୁଥିଲେ । ତାଙ୍କର ଉତରାଧିକାରୀ ଲାଲ ବାହାଦୂର ଶାସ୍ତ୍ରୀ ମଧ୍ୟ ତାଙ୍କର ଅନୁଗାମୀ ଥିଲେ ।
କିଛିବର୍ଷ ତଳୁ ଆମ ଦେଶରେ ରାଜନୀତିର ନୂଆରୂପ ଦେଖା ଦେଇଛି । ମୁଖ୍ୟତଃ ଧନୀ ଓ ଅପରାଧୀଙ୍କର ରାଜନୀତିକୁ ଅବାଧ ପ୍ରବେଶ ଆରମ୍ଭ ହୋଇଛି । ଏଭଳି ନେତାଙ୍କ ଦ୍ୱାରା ଅପରାଧ ଓ ଭ୍ରଷ୍ଟାଚାର ବହୁ ଅଧିକ ବଢିବାରେ ଲାଗିଛି । ବିଶ୍ୱର ବୃହତମ ଗଣତନ୍ତ୍ରର ମନ୍ଦିରରେ ପ୍ରବେଶ କରୁଥିବା ଅନେକ ସାଂସଦଙ୍କ ଅପରାଧିକ ଚିତ୍ର ଦେଶବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି ।
ଆମ ଦେଶର ରାଜ୍ୟସଭା ପାଇଁ ୨୪୫ ଟି ଆସନ ରହିଛି । ସେଥିମଧ୍ୟରୁ ବିଭିନ୍ନ କ୍ଷେତ୍ରରେ ଦେଶ ପାଇଁ ଗୌରବ ଆଣିଥିବା ୧୨ ଜଣ ମହାନ୍ ବ୍ୟକ୍ତିିଙ୍କୁ ରାଷ୍ଟ୍ରପତି ରାଜ୍ୟସଭା ସଦସ୍ୟ ଭାବରେ ସିଧା ମନୋନୀତ କରିଥାନ୍ତି । ସାହିତ୍ୟ, ବିଜ୍ଞାନ, କଳା ଓ ସମାଜସେବା ଆଦି କ୍ଷେତ୍ରରେ ଗୌରବ ଅର୍ଜ୍ଜନ କରିଥିବା ବ୍ୟକ୍ତିଙ୍କୁ ହିଁ ମନୋନୀତ କରାଯାଏ । ବାକୀ୨୩୩ ଆସନ ପାଇଁ ରାଜ୍ୟସଭା ନିୟମ ଅନୁଯାୟୀ ନିର୍ବାଚନ ହୁଏ । ବିଭିନ୍ନ ରାଜ୍ୟ ବିଧାନସଭା ଓ ୨ଟି କେନ୍ଦ୍ର ଶାସିତ ଅଂଚଳର ବିଧାୟକ ମାନେ ହିଁ ରାଜ୍ୟସଭା ପ୍ରାର୍ଥୀ ମାନଙ୍କୁ ନିର୍ବାଚିତ କରିଥାନ୍ତି । ରାଜ୍ୟସଭା ସଦସ୍ୟଙ୍କର କାର୍ଯ୍ୟକାଳ ୬ବର୍ଷ । ପ୍ରତି ଦୁଇ ବର୍ଷରେ ଏକ-ତୃତୀୟାଂଶ ସଦସ୍ୟ ଅବ୍ୟାହତି ନିଅନ୍ତି ଓ ଖାଲି ସ୍ଥାନ ପୂରଣ ପାଇଁ ନିର୍ବାଚନ ହୋଇଥାଏ । ଗତ ମାର୍ଚ୍ଚ ମାସରେ ୫୫ ଜଣ ସଦସ୍ୟ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ମାତ୍ର ସାରା ଦେଶରେ ଲକଡ଼ାଉନ ଅବସ୍ଥା ଥିବାରୁ ନିର୍ବାଚିତ ସଦସ୍ୟ ମାନେ ଶପଥ ନେଇ ପାରିନାହାନ୍ତି ।
“ଗଣତାନ୍ତ୍ରିକ ସଂସ୍କାର ସଂଗଠନ”(ଏଡ଼ିଆର୍) ଓ “ନ୍ୟାସନାଲ୍ ଇଲେକ୍ସନ୍ ୱାଚ୍”(ଏନ୍ଇଡ଼ବ୍ଲୁ୍ୟ)ର ରିପୋର୍ଟ ଅନୁଯାୟୀ ରାଜ୍ୟସଭାର ପ୍ରାୟ ୫୦ଜଣ ସାଂସଦଙ୍କ ବିରୁଦ୍ଧରେ ବିଭିନ୍ନ ଅପରାଧିକ ମାମଲା ରହିଛି । ସେମାନଙ୍କ ମଧ୍ୟରୁ ୨୦ ସାଂସଦଙ୍କ ବିରୁଦ୍ଧରେ ଅତି ସାଂଘାତିକ ମାମଲା ରହିଛି । ବିହାର (ବିଜେପି)ର ଗୋପାଳ ନାରାୟଣ ସିଂହଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ ଥିବାବେଳେ ମହାରାଷ୍ଟ୍ର(ବିଜେପି)ର ମୁରଲୀ ଧରନ୍ ଙ୍କ ବିରୁଦ୍ଧରେ ହତ୍ୟା ଉଦ୍ୟମ ଅଭିଯୋଗ ରହିଛି । ଦଳୀୟ ହିସାବରେ ବିଜେପିର ପ୍ରାୟ ୧୪ ସାଂସଦଙ୍କ ବିରୁଦ୍ଧରେ ଅପରାଧିକ ମାମଲା ଥିଲାବେଳେ କଂଗ୍ରେସ,ଏଆଇଡ଼ିଏମକେ, ସମାଜବାଦୀ ପାର୍ଟି ଓ ତୃଣମୂଳ କଂଗ୍ରେସର କେତେକ ସାଂସଦଙ୍କ ବିରୁଦ୍ଧରେ ବିଭିନ୍ନ ଅପରାଧିକ ମାମଲା ରହିଛି । ସେହିପରି କଂଗ୍ରେସ,ବିଜେପି, ଆରଜେଡ଼ି ଓ ଜଣେ ସମାଜବାଦୀ ପାର୍ଟିର ସାଂସଦଙ୍କ ବିରୁଦ୍ଧରେ ଅତି ସାଂଘାତିକ ମାମଲା ରହିଛି ।
“ଏଡ଼ିଆର୍ ଓ ଏନ୍ଇଡ଼ବ୍ଲୁ୍ୟ”ର ରିପୋର୍ଟ ଅନୁଯାୟୀ ପ୍ରାୟ ୯୦% ରାଜ୍ୟସଭା ସାଂସଦ କୋଟିପତି । ପାଖାପାଖି ୨୦୦ ସାଂସଦଙ୍କର ସଂପତିର ମୂଲ୍ୟ ୧କୋଟିରୁ ଅଧିକ । ସାଂସଦଙ୍କ ସଂପତିର ହାରାହାରୀ ମୂଲ୍ୟ ୫୫.୬୨ କୋଟି ଟଙ୍କା । ସେମାନଙ୍କ ମଧ୍ୟରେ ୮୪ ଜଣଙ୍କ ସଂପତିର ମୂଲ୍ୟ ୧୦ କୋଟିରୁ ଅଧିକ । ଜେଡ଼ିୟୁର ସାଂସଦ ମହେନ୍ଦ୍ର ପ୍ରସାଦ ରାଜ୍ୟ ସଭାରେ ସବୁଠୁ ଧନୀ ସାଂସଦ । ତାଙ୍କ ସଂପତିର ମୂଲ୍ୟ ୪୦୭୮ କୋଟି ଟଙ୍କା । ଏହାର ପଛକୁ ରହିଛନ୍ତି ସମାଜବାଦୀ ପାର୍ଟିର ସାଂସଦ ଜୟା ବଚ୍ଚନ । ତାଙ୍କ ସଂପତିର ମୂଲ୍ୟ ୧୦୦୧.୬୪ କୋଟି ଟଙ୍କା । ବିଜେପିର ୬୪ସାଂସଦଙ୍କର ହାରାହାରୀ ସଂପତିର ମୂଲ୍ୟ ୨୭.୮୦କୋଟି ଟଙ୍କା ହୋଇଥିବା ବେଳେ କଂଗ୍ରେସ ସାଂସଦଙ୍କର ହାରାହାରୀ ସଂପତିର ମୂଲ୍ୟ ୪୦.୯୮ କୋଟି ଟଙ୍କା ଏବଂ ୧୩ ଜଣ ତୃଣମୂଳ କଂଗ୍ରେସ ସାଂସଦଙ୍କ ସଂପତିର ମୂଲ୍ୟ ୧୨.୨୨ କୋଟି ଟଙ୍କା ।
ରାଜ୍ୟସଭାରେ ଓଡ଼ିଶା ପାଇଁ ୧୦ଟି ଆସନ ରହିଛି । ଏବେ ସର୍ବଶ୍ରୀ ପ୍ରଶାନ୍ତ ନନ୍ଦ(୪ ଏପି୍ରଲ ୨୦୧୮ ରୁ ୩ ଏପି୍ରଲ ୨୦୨୪ ପର୍ଯ୍ୟନ୍ତ), ପ୍ରସନ୍ନ ଆଚାର୍ଯ୍ୟ(୨୬ ଜୁଲାଇ ୨୦୧୬ ରୁ ୧ଜୁଲାଇ ୨୦୨୨ ପର୍ଯ୍ୟନ୍ତ), ଏନ୍ ଭାସ୍କର ରାଓ(୨ ଜୁଲାଇ ୨୦୧୬ ରୁ ୧ ଜୁଲାଇ ୨୦୨୨ ପର୍ଯ୍ୟନ୍ତ) , ଅମର ପଟ୍ଟନାୟକ(୮ ଜୁନ୍ ୨୦୧୯ ରୁ ୩ ଏପ୍ରିଲ୍ ୨୦୨୪ ପର୍ଯ୍ୟନ୍ତ), ସସ୍ମିତ ପାତ୍ର(୨୮ ଜୁନ୍ ୨୦୧୯ ରୁ ୧ଜୁଳାଇ ୨୦୨୨ ପର୍ଯ୍ୟନ୍ତ), ଅଶ୍ୱିନି ବୈଷ୍ଣବ(୨୮ ଜୁନ୍ ୨୦୧୯ ରୁ ୩,ଏପ୍ରିଲ୍ ୨୦୨୪ ପର୍ଯ୍ୟନ୍ତ), ସୁବାଶ ସିଂହ(୩ ଏପ୍ରିଲ୍ ୨୦୨୦ ୨ ଏପ୍ରିଲ୍ ୨୦୨୬ ପର୍ଯ୍ୟନ୍ତ), ସୁଜିତ କୁମାର(୩ ଏପ୍ରିଲ୍ ୨୦୨୦ରୁ ୨ ଏପ୍ରିଲ୍ ୨୦୨୬ ପର୍ଯ୍ୟନ୍ତ), ମୁଜିବୁଲ୍ଲା(ମୂନ୍ନା)ଖାଁ(୩ ଏପ୍ରିଲ୍ ୨୦୨୦ରୁ ୨ ଏପ୍ରିଲ୍ ୨୦୨୬ ପର୍ଯ୍ୟନ୍ତ) ଓ ମମତା ମହନ୍ତ(୩ ଏପ୍ରିଲ୍ ୨୦୨୦ରୁ ୨ ଏପ୍ରିଲ୍ ୨୦୨୬ ପର୍ଯ୍ୟନ୍ତ) ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଛନ୍ତି ।
ସୁବାଶ ସିଂହ ଜଣେ ଲୋକପି୍ରୟ ଟ୍ରେଡ଼୍ ୟୁନିୟନ ଲିଡ଼ର ଭାବେ ଜଣାଶୁଣା ।୨୦୧୪ ନିର୍ବାଚନ ପୂର୍ବରୁ ସେ ବିଜେଡ଼ିରେ ଯୋଗ ଦେଇଥିଲେ । ସେ ଓଡ଼ିଶା ରାଜ୍ୟ କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ କର୍ମଚାରୀ କÿଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ଥିଲେ । ଦେଶର ଶ୍ରମିକ ଓ ଦିନ ମଜୁରିଆ ମାନଙ୍କ ବିକାଶ ପାଇଁ ସେ କାର୍ଯ୍ୟ କରି ଆସୁଛନ୍ତି । ତାଙ୍କ ସଂପତିର ମୂଲ୍ୟ ପ୍ରାୟ ୨୩.୩୭ ଲକ୍ଷ ଟଙ୍କା । ଗ୍ରାମାଂଚଳ ମହିଳା ମାନଙ୍କର ଉନ୍ନତି ପାଇଁ କାର୍ଯ୍ୟ କରି ଆସୁଥିବା ମମତା ମହନ୍ତଙ୍କ ସଂପତିର ମୂଲ୍ୟ ୨୫.୦୭ ଲକ୍ଷ ଟଙ୍କା । ମୂନ୍ନା ଖାଁ ଓଡ଼ିଆ ସିନେ ଜଗତର ଜଣେ ଜଣାଶୁଣା ନାମ । ସେ ଅନେକ ଓଡ଼ିଆ ସିନେମାରେ ବିଭିନ୍ନ ଚରିତ୍ରରେ ନିଜର କଳା ଦକ୍ଷତା ପ୍ରତିପାଦିତ କରିଛନ୍ତି । ବିଜେଡ଼ି ନେତା ଭାବେ ଜଣାଶୁଣା ମୁନ୍ନା ଓଡ଼ିଆ ସିନେମା ଉନ୍ନୟନ ଏବଂ ଓଡ଼ିଶା କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି । ତାଙ୍କ ସଂପତିର ମୂଲ୍ୟ ୩୨.୯୫ ଲକ୍ଷ ଟଙ୍କା । ବହୁ ପ୍ରତିଭାର ଅଧିକାରୀ ସୁଜିତ କୁମାର ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି । ସେ ଅକ୍ସଫୋର୍ଡ଼ ଓ ହାଭାର୍ଡ଼ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଲାଭ କରିଛନ୍ତି । ତାଙ୍କ ସଂପତିର ମୂଲ୍ୟ ୧.୧୦ କୋଟି ଟଙ୍କା । ଜଣେ ପ୍ରମୁଖ ରାଜନୀତିଜ୍ଞ ତଥା ବିଜେଡ଼ିର ମୁଖପାତ୍ର ଭାବେ ଡ଼ଃ ସସ୍ମିତ ପାତ୍ର ରାଜ୍ୟରେ ପରିଚିତ । ଏନ୍ ଭାସ୍କର ରାଓ ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ଼ର ଉପାଧ୍ୟକ୍ଷ ଭାବେ ସଫଳତାର ସହ କାର୍ଯ୍ୟ କରିଛନ୍ତି । ଡ଼ଃ ଅମର ପଟ୍ଟନାୟକ ଭାରତୀୟ ଅଡ଼ିଟ୍ ଓ ଆକାଉଂଟ ସେବା ଅଧିକାରୀ ଭାବେ ଦେଶରେ ଜଣାଶୁଣା । ସେ ପଶ୍ଚିମବଙ୍ଗ ଓ କେରଳରେ ପ୍ରଧାନ ଏଜି ଭାବରେ କାର୍ଯ୍ୟ କରିଛନ୍ତି । ଅଶ୍ୱୀନି ବୈଷ୍ଣବ ଜଣେ ପୂର୍ବତନ ଆଇଏଏସ୍ ଅଧିକାରୀ । ପ୍ରସନ୍ନ ଆଚାର୍ଯ୍ୟ ଓଡ଼ିଶାର ଜଣେ ଲୋକପି୍ରୟ ତଥା ବିଚକ୍ଷଣ ରାଜନୀତିଜ୍ଞ । ସେ ୩ ଥର ଲୋକସଭାକୁ ନିର୍ବାଚିତ ହୋଇଥିବାବେଳେ ୩ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସେ ରାଜ୍ୟର ଅର୍ଥ, ସ୍ୱାସ୍ଥ୍ୟ, ଅବକାରୀ, ଖାଦ୍ୟ ଯୋଗାଣ ଆଦି ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରି ବେଶ ସଫଳାତା ପାଇଛନ୍ତି । ପ୍ରଶାନ୍ତ ନନ୍ଦ ଓଡ଼ିଶାର ଜଣେ ବିଶିଷ୍ଟ ସିନେ କଳାକାର, ସିନେ ନିଦେ୍ର୍ଦଶକ, ଲେଖକ, ମୁ୍ୟଜିକ ନିଦେ୍ର୍ଦଶକ, ସଂସ୍କୃତିପ୍ରେମୀ ଓ ଓଡ଼ିଆ ସିନେମା ଶିଳ୍ପର ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ପରିଚିତ । ସେ ମଧ୍ୟ ଓଡ଼ିଶା ବିଧାନସଭାକୁ ୨ ଥର ନିର୍ବାଚିତ ହୋଇ ଉଚ୍ଚଶିକ୍ଷା ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଭାବେ ସଫଳତାର ସହ କାର୍ଯ୍ୟ କରିଛନ୍ତି । ଓଡ଼ିଶାର ଏହି ୧୦ ଜଣ ସାଂସଦ କେବଳ ସଫଳ ରାଜନୀତିଜ୍ଞ ନୁହନ୍ତି, ବରଂ ଲୋକପି୍ରୟ ଓ ସମସ୍ତେ ପ୍ରଚଣ୍ଡ ଜ୍ଞାନର ଅଧିକାରୀ । ପ୍ରଶାସନିକ ଜ୍ଞାନରେ ମଧ୍ୟ ନିପୁଣ ।
ଦେଖା ଯାଉଛି, ଅଧିକାଂଶ ସଦସ୍ୟ ଅର୍ଥବଳ ଓ ବାହୁବଳ ଦ୍ୱାରା ସଂସଦ ଓ ବିଧାନସଭା ମାନଂକରେ ପ୍ରବେଶ କରୁଛନ୍ତି । ବେଳେବେଳେ ଲୋକସଭା, ରାଜ୍ୟସଭା ଓ ବିଧାନସଭା ମାନଙ୍କରୁ କେତେକ ସଦସ୍ୟଙ୍କ ନିଲମ୍ବନ ଆମ ସଂସଦୀୟ ପରମ୍ପରା ପ୍ରତି ଏକ ଶକ୍ତ ଧକ୍କା ହୋଇଥିଲେ ହେଁ ଏଥିପ୍ରତି କେହି ସଚେତନ ହେଉ ନାହାଁନ୍ତି । ଅତୀତରେ ନେତାମାନେ ନିର୍ମଳ ଓ ନିଷ୍ଠାପର ବ୍ୟକ୍ତିତ୍ୱ ଥିଲେ । ବିଭିନ୍ନ ଦଳର ନେତା ଓ କର୍ମୀ ଏକତା ରଜ୍ଜୁରେ ବାନ୍ଧି ହୋଇ ଦେଶର ଉନ୍ନତି ପାଇଁ କାର୍ଯ୍ୟ କରୁଥିଲେ । କିନ୍ତୁ ଆଜି ଅଧିକାଂଶ ନେତାଙ୍କ ଠାରେ ସେଭଳି ନୀତି, ଆଦର୍ଶ ନାହିଁ । ଦଳୀୟ ଶୃଙ୍ଖଳା ଖଣ୍ଡଖଣ୍ଡ ହୋଇ ଯାଉଛି । ଦେଶ ନେତା ଶୂନ୍ୟ ହୋଇଯିବା ଭଳି ଲାଗୁଛି । ଗଣତନ୍ତ୍ର ମୂଳତଃ ଏକ ନୈତିକ ବ୍ୟବସ୍ଥା, ନୈତିକ ମାପଦଣ୍ଡ ଓ ମର୍ଯ୍ୟାଦା ସଂପନ୍ନ ହେବା ଉଚିତ । ଏଣୁ ଆମ ରାଜ୍ୟର ସଚେତନଶୀଳ ସାଂସଦ ମାନେ ଓଡ଼ିଶାର ବିକାଶ ପାଇଁ ସଂସଦରେ ସ୍ୱର ଉଠାନ୍ତୁ । ସଂସଦରେ ଓଡ଼ିଶାର ମାନ ରଖନ୍ତୁ । ରାଜ୍ୟ ଓ ଦେଶରେ ସୁସ୍ଥ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଉଦ୍ୟମ କରନ୍ତୁ, ଯଦ୍ୱାରା ଆମ ରାଜ୍ୟ ତଥା ରାଷ୍ଟ୍ର ଶକ୍ତିଶାଳୀ ହୋଇପାରିବ ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ଭୁବନେଶ୍ୱର,ମୋ:୯୩୩୭୩୬୯୪୪୮

Leave a Reply

Your email address will not be published.