ମହାମାୟା ଶକ୍ତିପୀଠ, ଅମରନାଥ

ଶରତ କୁମାର ରାଉତ
ପୂଣ୍ୟଭୂମି ଭାରତ ବର୍ଷରେ କୋଟି କୋଟି ଦେବୀ ଦେବତା, ଦେବ ପୀଠ ଓ ଶକ୍ତିପୀଠ ମାନ ରହିଛ । ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଭାରତୀୟ ଉପମହାଦେଶରେ ୪ଟି ଆଦିଶକ୍ତି ପୀଠ, ୧୮ଟି ମହାଶକ୍ତି ପୀଠ ଓ ୫୧ଟି ଶକ୍ତିପୀଠ ରହିଛି । ଆଦିଶକ୍ତି ପୀଠ ହେଲେ, (୧)ପୁରୀ ଶ୍ରୀମନ୍ଦିରରେ ପୂଜିତା ମା’ବିମଳା(ପାଦଖଣ୍ଡ), (୨) ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ନିକଟସ୍ଥ ଋଷିକୂଲ୍ୟା ନଦୀ ଉପକଣ୍ଠରେ କୁମାରୀ ପାହାଡ଼ ଉପରେ ବିରାଜିତ ମା’ତାରା ତାରିଣୀ(ସ୍ତନଖଣ୍ଡ), ୩) ଆସାମର ଗୌହାଟୀ ସ୍ଥିତ କାମାକ୍ଷା ଦେବୀ(ଜୋନିଖଣ୍ଡ) ଓ ୪) କୋଲକତାର ଦକ୍ଷିଣ କାଳୀ(ମୁଖଖଣ୍ଡ) । ତେବେ ୫୧ଟି ଶକ୍ତିପୀଠ ମଧ୍ୟରେ କାଶ୍ମୀରର ମହାମାୟା ଶକ୍ତିପୀଠ(ଅମରନାଥ) ଅନ୍ୟତମ । ଏହା ଅତ୍ୟନ୍ତ ପବିତ୍ର ତୀର୍ଥ ସ୍ଥାନ ଭାବରେ ପରିଚିତ । ଭାରତୀୟ ଉପ-ମହାଦେଶରେ ଏହି ପୀଠର ମହାନତା ରହିଛି । ହିନ୍ଦୁ ଧର୍ମର ପୁରାଣ ଅନୁଯାୟୀ ଯେଉଁ ସ୍ଥାନ ଗୁଡ଼ିକରେ ଦେବୀ ସତୀଙ୍କ ଅଙ୍ଗର ବିଭିନ୍ନ ଅଂଶ, ବସ୍ତ୍ର ଓ ଆଭୁଷଣ ମାନ ବିଂଚି ହୋଇ ପଡ଼ିଥିଲା, ସେଗୁଡ଼ିକ ଶକ୍ତିପୀଠ ଭାବରେ ପରିଚିତ ହେଲେ ।
କାଶ୍ମୀରରେ ଅମରନାଥଙ୍କ ପବିତ୍ର ଗୁମ୍ଫାରେ ଭଗବାନ ଶିବଙ୍କ ହିମ-ଜ୍ୟୋତିର୍ଲିଙ୍ଗ ସାରା ଭାରତରେ ପ୍ରସିଦ୍ଧ । ଏଠାରେ ହିମ-ଶକ୍ତିପୀଠ ମଧ୍ୟ ରହିଛି । ଆହୁରି ମଧ୍ୟ ଏଠାରେ ଏକ ଗଣେଷ ପୀଠ ଓ ଏକ ପାର୍ବତୀ ପୀଠ ବରଫ୍ ରେ ନିର୍ମିତ ହୋଇଛି । ଏଠାକାର ପାର୍ବତୀ ପୀଠ ହିଁ ଶକ୍ତିପୀଠ ସ୍ଥଳ । ଶ୍ରାବଣ ମାସ ଶୁକ୍ଳ ପୂର୍ଣ୍ଣିମାରେ ଅମରନାଥଙ୍କ ଦର୍ଶନ ସହିତ ପାର୍ବତୀ ଶକ୍ତିପୀଠ ମଧ୍ୟ ଭକ୍ତ ମାନଙ୍କ ଦ୍ୱାରା ଦର୍ଶନ କରାଯାଏ । ଏଠାରେ ମା’ସତୀଙ୍କ ଅଙ୍ଗ ଓ ଅଙ୍ଗ ଭୂଷଣର ପୂଜା କରାଯାଏ । କାରଣ ଏଠାରେ ମାତା ସତୀଙ୍କ ବେକ ଖଣ୍ଡ ପଡ଼ିଥିଲା । ଏଠାରେ ଶକ୍ତି ମହାମାୟା ତଥା ଭୈରବ ‘ତି୍ରସନେ୍ଧଶ୍ୱର’ ଅଟନ୍ତି ।
ଜାମ୍ମୁ କାଶ୍ମୀର ରାଜ୍ୟରେ ଅବସ୍ଥିତ ଅମରନାଥ ଖୁବ୍ ପବିତ୍ର ତୀର୍ଥସ୍ଥଳୀ । ଅମରନାଥ ଧାମ ବିଶ୍ୱ ପ୍ରସିଦ୍ଧ ବର୍ଫାନୀ ଶିବ ଲିଙ୍ଗ ସହିତ ମହାମାୟା ଶକ୍ତିପୀଠ ମଧ୍ୟ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନୀୟ । ଏହି ସ୍ଥାନରେ ଭଗବାନ ଶିବ ନିଜ ପତ୍ନୀ ପାର୍ବତୀଙ୍କୁ ଅମର ହେବାର ଜ୍ଞାନ ଦେଇଥିଲେ । ଏହି ମନ୍ଦିର ମଧ୍ୟ ଅମରନାଥଙ୍କ ପବିତ୍ର ଗୁମ୍ଫାରେ ଅବସ୍ଥିତ । ଏଠାରେ ଶିବ ଭୈରବଙ୍କୁ ‘ତି୍ରସନେ୍ଧଶ୍ୱର’ଙ୍କ ନାମରେ ପୂଜା କରାଯାଏ । ଅମରନାଥଙ୍କ ଏହି ପବିତ୍ର ଗୁମ୍ଫାରେ, ଯେଉଁଠି ଭଗବାନ ଶିବଙ୍କ ହିମ ଲିଙ୍ଗର ଦର୍ଶନ ହୋଇଥାଏ, ସେଠାରେ ହିଁ ହିମ ନିର୍ମିତ ପାର୍ବତୀ ପୀଠ ରହିଛି । ଏହି ପାର୍ବତୀ ପୀଠ ମହାମାୟା ଶକ୍ତିପୀଠ ଭାବେ ପରିଚିତ ।
ଅମରନାଥ ଶକ୍ତିପୀଠ କାଶ୍ମୀରର ଶ୍ରୀନଗର ଠାରୁ ୧୪୧ କି.ମି.ଦୂର ୧୨୭୦୦ ଫୁଟ୍ ଉଚ୍ଚରେ ଅବସ୍ଥିତ । ଅମରନାଥ ଯାତ୍ରା ଭାରି କଷ୍ଟଦାୟକ ଅମରନାଥ ଗୁମ୍ଫା ପର୍ଯ୍ୟନ୍ତ ଯିବା ପାଇଁ ୨ଟି ବାଟ ରହିଛି । ପ୍ରଥମ: ଶ୍ରୀନଗର ଠାରୁ ୭୦ କି.ମି. ଦୂର ବଲତଲ୍, ଯାହା ପାଦରେ ଚଲା ଯାଇପାରେ । କିନ୍ତୁ ଏହି ରାସ୍ତା ଭାରି ଭୟଙ୍କର । କାରଣ ବର୍ଷାର ବିପଦ ରହିଛି । ଦି୍ୱତୀୟ: ପହଲଗାମ୍ ରୁ ଯାତ୍ରା ଆରମ୍ଭ ହୁଏ । ଯାହା ଚନ୍ଦନବାଡ଼ି, ଶେଷନାଗ, ପଂଚତରଣୀ ହୋଇ ଯିବାକୁ ପଡ଼େ । ଏହା ବଲତଲ୍ ରାସ୍ତା ଠାରୁ ବହୁତ ଭଲ ଓ ଚନେ୍ଦବାଡ଼ି ଠାରୁ ୧୬ କି.ମି.ଦୂରରେ ପବିତ୍ର ଅମରନାଥ ଗୁମ୍ଫା ଆସିଥାଏ । ଅଧିକାଂଶ ଯାତ୍ରୀ ଏହି ରାସ୍ତାକୁ ପସନ୍ଦ କରନ୍ତି । ଜାମ୍ମୁ ଠାରୁ ପହଲଗାମ୍ ପର୍ଯ୍ୟନ୍ତ ୧୨ ଘଂଟାର ବସ୍ ଯାତ୍ରା ପରେ ପହଲଗାମ୍ରେ ରାତି୍ର ବିଶ୍ରାମ କରି ପୁଣି ଯାତ୍ରା ଆରମ୍ଭ ହୁଏ । ପ୍ରଥମ ବିଶ୍ରାମ ୧୪ କି.ମି. ଦୂର ଚନ୍ଦନବାଡ଼ୀରେ ହୋଇଥାଏ । ଏହି ବାଟକୁ ପାଦରେ କିମ୍ବା ମିନି ବସ୍ରେ ଅତିକ୍ରମ କରିବାକୁ ପଡ଼େ । ୯୫୦୦ ଫୁଟ୍ ଉଚ୍ଚତାରେ ଅବସ୍ଥିତ ଚନ୍ଦନବାଡ଼ୀରେ ଭାରି ଥଣ୍ଡା ଥଣ୍ଡା ପବନ ଦେହକୁ ଶୀତେଇ ଦିଏ । ଏଠାରେ ଯାତ୍ରା ପାଇଁ ଛଡ଼(ବାଡ଼ି) କିଣିବାକୁ ହୁଏ । କାରଣ ଏଠାରୁ ପଦଯାତ୍ରା ଆରମ୍ଭ ହୁଏ । ପ୍ରାୟ ୩୨ କି.ମି.ସିଧା ଉପରକୁ ଉଠାଣୀ ରାସ୍ତା ହୋଇଥିବାରୁ ବହୁ କଷ୍ଟ ଲାଗିଥାଏ । ପ୍ରତିବର୍ଷ ସ୍ଥାନୀୟ ସରକାର ଶିବ ଭକ୍ତ ମାନଙ୍କ ପାଇଁ ଅମରନାଥ ଯାତ୍ରାର ବ୍ୟବସ୍ଥା କରିଥାନ୍ତି । ଏଠାରେ ଅମରନାଥ ଯାତ୍ରା ମୁଖ୍ୟତଃ ପ୍ରତିବର୍ଷ ଜୁନ୍ ରୁ ଅଗଷ୍ଟ ପର୍ଯ୍ୟନ୍ତ ପାଳନ ହୋଇଥାଏ । ଏହି ଗୁମ୍ଫାରେ ଭକ୍ତମାନଙ୍କୁ ପ୍ରସାଦ ଆକାରରେ ବିଭୂତି ଦିଆଯାଏ । ଏହି ଗୁମ୍ଫା କେବଳ ଅଳ୍ପଦିନ ପାଇଁ ଆଷାଢ ମାସରୁ ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ହିଁ ଖୋଲା ରୁହେ ।
ପଥୁରିଆ ରାସ୍ତାରେ ପ୍ରାୟ ୩-୪ ଘଂଟାରେ ୩ କି.ମି.ଦୂର ଯାତ୍ରା କରି ୧୧୫୦୦ ଫୁଟ ଉଚ୍ଚତାରେ “ପିପ୍ସୁ ଟାପୁ”ରେ ପହଂଚି ଟିକେ ବିଶ୍ରାମ କରିବାକୁ ପଡ଼େ । ଏହାପରେ ‘ଶେଷନାଗ’ ଅର୍ଥାତ୍ ଦ୍ୱିତୀୟ ଆଶ୍ରୟସ୍ଥଳୀ ଆଡ଼େ ଯିବାକୁ ପଡ଼େ । ରାସ୍ତାରେ ଜୋଝିପାଲ୍ ଓ ନାଗାକୋଟୀରେ ଅଳ୍ପ ସମୟ ବିଶ୍ରାମ କରି ୧୨୫୦୦ ଫୁଟ୍ ଉଚ୍ଚତାରେ(ଚନ୍ଦନବାଡ଼ୀ)ରୁ ୧୪ କି.ମି. ଦୂର ଶେଷନାଗରେ ପହଂଚିବାକୁ ହୁଏ । ଚତୁର୍ଦ୍ଦିଗରେ ଉଚ୍ଚ ଉଚ୍ଚ ପାହାଡ଼ ଘେରା ଏକ ବିଶାଳ ହ୍ରଦ ରହିଛି, ଯାହାର ଗଭୀରତା ଅନୁମାନ କରିବା କଷ୍ଟକର । ଏହି ସ୍ଥାନକୁ ଶେଷନାଗଙ୍କ ବାସ ସ୍ଥାନ ବୋଲି କୁହାଯାଏ । ଶେଷନାଗ ବେଳେ ବେଳେ ଭକ୍ତ ମାନଙ୍କୁ ଦର୍ଶନ ଦେଉଥିବା କୁହାଯାଏ । ଏଠାରେ ଥିବା ଟେଂଟ ହାଉସରେ ବିଶ୍ରାମର ସୁବିଧା ସହିତ ଅହରହ ଅନ୍ନଛତ୍ରର ବ୍ୟବସ୍ଥା ରହିଛି । ସୀମା ସୁରକ୍ଷା ବାହିନୀର ଟେଂଟ ହାଉସ୍ରେ ଜରୁରୀ କାଳୀନ ଚିକିତ୍ସା ସୁବିଧା ମଧ୍ୟ ଉପଲବ୍ଧ ରହିଛି । ପର ଦିନ ୧୩ କି.ମି. ଦୂରର ପଂଚତରଣୀ (ତୃତୀୟ ବିଶ୍ରାମ ସ୍ଥଳୀ) ଦିଗକୁ ଯାତ୍ରା ଆରମ୍ଭ ହୋଇଥାଏ । ଏହା ଅତି କଠିନ ରାସ୍ତା । ଏବେ ୧୪୮୦୦ ଫୁଟ୍ ଉପରକୁ ଯାତ୍ରା । ଏଠାରେ ପ୍ରବଳ ଥଣ୍ଡା ହାୱା ବଢିଯାଏ । ଅଳ୍ପ ସମୟ ବିଶ୍ରାମ କରି ଏଠାରୁ ପଂଚତରଣ ପାଇଁ ତଳକୁ ଓହ୍ଲାଇବାକୁ ପଡ଼େ । ରାସ୍ତାରେ ରାବିବାଲ୍ ତଥା ପୋଶପୟରୀ ବାଟ ଦେଇ ତୃତୀୟ ଆଶ୍ରୟସ୍ଥଳ ପଂଚତରଣରେ ବିଶ୍ରାମ ଓ ଅଟକିବାକୁ ହୁଏ । ଏଠାରେ ମଧ୍ୟ ଚିକିତ୍ସା ସୁବିଧା,ବିଶ୍ରାମ ତଥା ଅନ୍ନଛତ୍ରର ସଂପୂର୍ଣ୍ଣ ବ୍ୟବସ୍ଥା ରହିଛି । ଏଠାରୁ ଅମରନାଥ ଗୁମ୍ଫାର ଦୂରତା ମାତ୍ର ୭କି.ମି. । ଏହି ଗୁମ୍ଫା ୧୩୬୦୦ ଫୁଟ୍ ଉଚ୍ଚରେ ଅବସ୍ଥିତ । ଏହି ଯାତ୍ରାରେ କିଛି ଲୋକେ ଘୋଡ଼ାରେ ମଧ୍ୟ ଯାଆନ୍ତି, ମାତ୍ର ଏହି ବ୍ୟବସ୍ଥା ପୂର୍ବରୁ କରିବାକୁ ପଡ଼େ । ଦର୍ଶନ ପୂର୍ବରୁ ଅମରାବତୀ ଝରଣାରେ ସ୍ନାନ କରିବାକୁ ପଡ଼େ । ଅମରନାଥ ଗୁମ୍ଫା ପ୍ରାୟ ୬୦ ଫୁଟ୍ ଲମ୍ବା ଓ ୨୬ ଫୁଟ୍ ଓସାର । ଏହାର ଉଚ୍ଚତା ୧୫ ଫୁଟ୍ ।
ଭୁବନେଶ୍ୱର, ମୋ: ୯୩୩୭୩୬୯୪୪୮

Leave a Reply

Your email address will not be published.