ମିଥିଳା ଶକ୍ତିପୀଠ

ଶରତ କୁମାର ରାଉତ
ହିନ୍ଦୁ ମାନଙ୍କର ଧାର୍ମିକ ସ୍ଥାନ ଗୁଡ଼ିକ ମଧ୍ୟରେ ମିଥିଳା ଶକ୍ତିପୀଠ ଅନ୍ୟତମ । ମିଥିଳା ଶକ୍ତିପୀଠରେ ମାତା ସତୀଙ୍କ ବାମ କାନ୍ଧର ଅଂଶ (ଖଣ୍ଡ) ପଡ଼ିଥିଲା । ପୌରାଣିକ କଥା ତଥା ହିନ୍ଦୁ ପୁରାଣ ଶାସ୍ତ୍ର ଅନୁଯାୟୀ ଶକ୍ତିପୀଠ ଗୁଡ଼ିକର ସୃଷ୍ଟି ସଂପର୍କରେ ଏକ ଚମକପ୍ରଦ କାହାଣୀ ରହିଛି । ଭଗବାନ ବ୍ରହ୍ମାଙ୍କ ପୁତ୍ର ଦକ୍ଷରାଜ ଯଜ୍ଞ କଲାବେଳେ ନିଜ ଝିଅ ବା ଭଗବାନ ଶିବଙ୍କ ପତ୍ନୀ ଦେବୀ ସତୀ ଓ ଭଗବାନ ଶିବଙ୍କୁ ଯଜ୍ଞରେ ଉପସ୍ଥିତ ହେବାକୁ ନିମନ୍ତ୍ରଣ କଲେ ନାହିଁ । ଫଳରେ ଦେବୀ ସତୀ ନିଜେ ବାପାଙ୍କ ଯଜ୍ଞ ସ୍ଥଳରେ ପହଂଚିଲେ ଓ ବାପାଙ୍କୁ କିଛି କହିବା ପୂର୍ବରୁ ସ୍ୱଂୟ ଦକ୍ଷରାଜ ଝିଅ ସତୀ ଓ ଭଗବାନ ଶିବଙ୍କୁ ଅପମାନ ସୂଚକ କଥା ଶୁଣାଇଲେ । ସେଠାରେ ସମସ୍ତ ଦେବୀ ଦେବତା ଉପସ୍ଥିତ ଥିବାରୁ ମା’ସତୀଙ୍କୁ ଖୁବ୍ ବାଧିଲା । ଅତି ଦୁଃଖରେ ମ୍ରିୟମାଣ ହୋଇ ମାତା ସତୀ ସେହି ଯଜ୍ଞକୁଣ୍ଣରେ ଆତ୍ମଦାହ କରିଦେଲେ । ତି୍ରକାଳଦର୍ଶୀ ଶିବ ଏ ଖବର ଜାଣି ସତୀଙ୍କ ମର ଶରୀର ପାଖରେ ପହଂଚିଲେ ଓ ରାଗରେ ଜର୍ଜ୍ଜରିତ ହୋଇ ନିଜ ହାତରେ ସତୀଙ୍କ ମୃତ ଶରୀର ଧରି ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ । ସବୁଆଡ଼େ ଚାଲିଲା ଧ୍ୱଂସଲୀଳା । ମଣିଷ, ପଶୁ ଓ ଦେବୀ ଦେବତା ସମସ୍ତେ ଭୟରେ ଥରି ଉଠିଲେ । ଏହାର ସମାଧାନ ପାଇଁ ଦେବୀ ଦେବତା ମାନେ ଭଗବାନ ବ୍ରହ୍ମା ଓ ଭଗବାନ ବିଷ୍ଣୁଙ୍କୁ ଅନୁରୋଧ କଲେ । ଭଗବାନ ଶିବ ଧରିଥିବା ସତୀଙ୍କ ମର ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଆତ୍ମା ରହିତ କରିବାକୁ ବିଷ୍ଣୁ ନିଜର ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ । କିଛି କ୍ଷଣ ମଧ୍ୟରେ ମା’ସତୀଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଗଲା ଓ ମା’ଙ୍କ ଶରୀରର ବିଭିନ୍ନ ଅଂଶ ଭାରତୀୟ ଉପମହାଦେଶର ବିଭିନ୍ନ ସ୍ଥାନରେ ବିଂଚି ହୋଇ ପଡ଼ିଲା । ସର୍ବ ଶେଷରେ ସତୀଙ୍କ ଅଙ୍ଗର ମୁଖ୍ୟାଂଶ ସହ ସମସ୍ତ ଅଂଶ ବା ଖଣ୍ଡକୁ ଖୋଜି ପୂଜାର୍ଚ୍ଚନା ତଥା ଖଣ୍ଡ ଗୁଡ଼ିକର ସୁରକ୍ଷା ପାଇଁ ଭଗବାନ ଭୈରବଙ୍କୁ ନିଦେ୍ର୍ଦଶ ଦେଲେ ଭଗବାନ ବ୍ରହ୍ମା । ସେହି ଦୁର୍ଲଭ ସ୍ଥାନ ଗୁଡ଼ିକୁ ଭଗବାନ ବ୍ରହ୍ମା, ଭଗବାନ ବିଷ୍ଣୁ ଓ ଭଗବାନ ଶିବ ମିଶି ଶକ୍ତି ପୀଠର ମାନ୍ୟତା ଦେଲେ ।
ତେବେ ଭାରତୀୟ ଉପମହାଦେଶର ବିଭିନ୍ନ ସ୍ଥାନରେ ପଡ଼ିଥିବା ମାତା ସତୀଙ୍କର ସେହି ଖଣ୍ଡ ବା ଅଂଶ ମାନଙ୍କ ମଧ୍ୟରୁ ମିଥିଳା ଶକ୍ତିପୀଠରେ ମା’ସତୀଙ୍କର ବାମ କାନ୍ଧର ଅଂଶ ପଡ଼ିଥିଲା । ମାତ୍ର ମିଥିଳା ଶକ୍ତିପୀଠର ସଠିକ୍ ସ୍ଥାନକୁ ନେଇ ଏବେ ମଧ୍ୟ ମତଭେଦ ରହିଛି, ଅର୍ଥାତ୍ ସଠିକ୍ ସ୍ଥାନକୁ ନେଇ ଅନେକ ମତ-ମତାନ୍ତର ଚାଲୁ ରହିଛି । ମିଥିଳା ଶକ୍ତିପୀଠ ନାମରେ ତିନି ମୁଖ୍ୟ ସ୍ଥାନର ମନ୍ଦିର ଗୁଡ଼ିକୁ ଶକ୍ତିପୀଠ ଭାବେ ଗ୍ରହଣ କରାଯାଇଛି ।
ପ୍ରଥମ ସ୍ଥାନ ନେପାଳରେ ବୋଲି କୁହା ଯାଉଛି, ଯାହା ଜନକପୁର ଠାରୁ ପନ୍ଦର କିଲୋମିଟର ପୂର୍ବ ଦିଗକୁ ମଧୁବନୀର ଉଚ୍ଚତମ ସ୍ଥାନ ଉପରେ “ବନଦୁର୍ଗା”ମନ୍ଦିର ଅବସ୍ଥିତ ।
ଦ୍ୱିତୀୟ ସ୍ଥାନକୁ ଭାରତର ବିହାର ରାଜ୍ୟ ଅନ୍ତର୍ଗତ ସମସ୍ତିପୁର ଠାରୁ ୬୧ କିଲୋମିଟର ଦୂର ଓ ସଲୌନା ରେଳ ଷ୍ଟେସନରୁ ୯ କିଲୋମିଟର ଦୂର “ଜୟମଙ୍ଗଳା ଦେବୀ ମନ୍ଦିର” ଅବସ୍ଥିତ ।
ତୃତୀୟ ସ୍ଥାନକୁ ଭାରତର ବିହାର ରାଜ୍ୟ ଅନ୍ତର୍ଗତ ସହରସା ଷ୍ଟେସନ ପାଖରେ ଅବସ୍ଥିତ “ଉଗ୍ରତାରା ମନ୍ଦିର” ବୋଲି କୁହାଯାଏ ।
ମିଥିଳା ଶକ୍ତିପୀଠ ଭାରତ ଓ ନେପାଳ ସୀମାର ଦରଭଙ୍ଗା ଠାରେ ଅବସ୍ଥିତ ଥିବା କୁହାଯାଏ ।
ଏହି ସ୍ଥାନ ଅନ୍ୟ ସ୍ଥାନ ଅପେକ୍ଷା ଅଧିକ ଲୋକପି୍ରୟ ଭାବରେ ଧରାଯାଏ । ଏହି ମନ୍ଦିରରେ ଦେବୀ ଉମା ଓ ଭଗବାନ ମହୋଦରଙ୍କ ମୂର୍ତ୍ତୀ ପ୍ରତିଷ୍ଠିତ ହୋଇଛି ।
ଏହି ମନ୍ଦିର ମାତା ସତୀଙ୍କ ଶକ୍ତିପୀଠ ମାନଙ୍କ ମଧ୍ୟରେ ଗୋଟିଏ । ଏହି ମନ୍ଦିରରେ ଶକ୍ତିଙ୍କୁ “ଉମା” ବା “ମହାଦେବୀ” ରୂପରେ ପୂଜା କରାଯାଏ ଏବଂ ଭୈରବଙ୍କୁ “ମହୋଦର” ଭାବରେ ପୂଜା କରାଯାଇ ଥାଏ ।
ଏହି ଶକ୍ତିପୀଠରେ ବିଭିନ୍ନ ପର୍ବ ପର୍ବାଣୀ ଧୂମଧାମ୍ରେ ପାଳିତ ହୋଇଥାଏ । ବିଶେଷତଃ ଦୁର୍ଗା ପୂଜା ଓ ପବିତ୍ର ନବରାତ୍ର ଉତ୍ସବ ଧୂମଧାମରେ ପାଳନ କରାଯାଏ । ଏହି ପର୍ବ ମାତାଙ୍କର ସବୁଠୁ ବଡ଼ ପର୍ବ ଭାବରେ ପାଳନ କରାଯାଏ । ମନ୍ଦିରର ଆଧ୍ୟାତ୍ମିକ ପରିବେଶ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ମନ, ପ୍ରାଣ ଓ ହୃଦୟ କୁ ଶାନ୍ତି ପ୍ରଦାନ କରିଥାଏ ।
ବର୍ଷର ସବୁ ସମୟରେ ମାତାଙ୍କର ଏହି ଶକ୍ତିପୀଠରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଥାଏ । ଦେବୀଙ୍କର ମନ୍ଦିରର ଅପରୂପ ଶୋଭା ଦେଖିବା ଭଳି ହୋଇଥାଏ । ଏଥିପାଇଁ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ମୁଖ୍ୟତଃ ମାତାଙ୍କୁ ପୂଜା କରିବାକୁ ଏଠାକୁ ଆସିଥାନ୍ତି । ଏଠାକାର ପୂଜାବିଧିର ପ୍ରତ୍ୟେକ କାର୍ଯ୍ୟକ୍ରମ ଖୁବ୍ ଆନନ୍ଦ ଦାୟକ ଓ ମନୋରମ ।
ଯେଉଁ ଭକ୍ତ ମାତାଙ୍କୁ ଦର୍ଶନ ପାଇଁ ଏଠାକୁ ଆସନ୍ତି, ସେମାନଙ୍କର ସବୁ ପ୍ରାର୍ଥନା ଓ ମନସ୍କାମନା ପୂରଣ ହୋଇଥାଏ ବୋଲି କୁହାଯାଏ । ଏଥିଯୋଗୁ ମାତା ପ୍ରତ୍ୟକ୍ଷ ଦେବୀ ବୋଲି ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କର ବିଶ୍ୱାସ ରହିଛି ।

ମୋ: ୯୪୩୭୪୪୧୦୭୨/୯୩୩୭୩୬୯୪୪୮

 

Leave a Reply

Your email address will not be published.