ମା’ ଅମ୍ବାଜୀଙ୍କ ଶକ୍ତିପୀଠ, ଗୁଜରାଟ

ଶରତ କୁମାର ରାଉତ
ଗୁଜୁରାଟ ପ୍ରଦେଶର ମା’ ଅମ୍ବାଜୀ ମନ୍ଦିର ବହୁ ପୁରାତନ । ଭାରତୀୟ ଉପମହାଦେଶରେ ଥିବା ଶକ୍ତିପୀଠ ମାନଙ୍କ ମଧ୍ୟରେ ମାତା ଅମ୍ବାଜୀ ଶକ୍ତିପୀଠ ଅନ୍ୟତମ । ମାତା ଅମ୍ବାଜୀ ମନ୍ଦିର ପ୍ରତି ଭକ୍ତ ମାନଙ୍କର ଅପାର ଶ୍ରଦ୍ଧା ରହିଛି । ଏହି ମନ୍ଦିରର ଗର୍ଭଗୃହରେ ମାତାଙ୍କର କୌଣସି ପ୍ରତିମା ସ୍ଥାପିତ ହୋଇନାହିଁ । ଶକ୍ତି ଉପାସକ ମାନଙ୍କ ପାଇଁ ଏହି ମନ୍ଦିରର ବେଶ୍ ଗୁରୁତ୍ୱ ରହି ଆସିଛି ।
ଏଠାରେ ମାତାଙ୍କର ଏକ ଶ୍ରୀଯନ୍ତ୍ର ସ୍ଥାପିତ ହୋଇଛି । ଏହି ଶ୍ରୀଯନ୍ତ୍ରକୁ ଏପରି ଭାବରେ ସଜା ଯାଇଛି ଯେ, ଭକ୍ତ ମାନଙ୍କୁ ଲାଗେ ମା’ ଅମ୍ବା ଏଠାରେ ସାକ୍ଷାତ ଆବିର୍ଭାବ ହୋଇଛନ୍ତି । ମାତା ଅମ୍ବାଜୀ ମନ୍ଦିର ସଂପର୍କରେ କୁହାଯାଏ ଯେ ଏଠାରେ ଭଗବାନ ଶ୍ରୀକୃଷ୍ଣଙ୍କର ମୁଣ୍ଡନ ସଂସ୍କାର କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା । ସେହିଭଳି ଭଗବାନ ଶ୍ରୀରାମ ମଧ୍ୟ ଶକ୍ତିଙ୍କ ଉପାସନା ପାଇଁ ଏଠାକୁ ଆସିଥିଲେ ।
ମାତା ଅମ୍ବାଜୀ ମନ୍ଦିର ଗୁଜରାଟ-ରାଜସ୍ତାନ ସୀମାରେ ଅବସ୍ଥିତ । ଏହି ମନ୍ଦିର ପ୍ରାୟ ବାରଶହ ବର୍ଷର ପୁରୁଣା ବୋଲି କୁହା ଯାଉଛି । ଏହି ମନ୍ଦିରର ପୁନଃଉଦ୍ଧାର ପାଇଁ ୧୯୭୫ ମସିହାରେ କାମ ଆରମ୍ଭ ହୋଇଥିଲା ଓ ସେବେ ଠାରୁ ଏ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଧଳା ଶଙ୍ଖ ମଲ ମଲ ପଥରରେ ନିର୍ମିତ ଏହି ମନ୍ଦିର ଖୁବ୍ ଭବ୍ୟ ଓ ସୁନ୍ଦର । ମନ୍ଦିରର ଉଚ୍ଚତା ଏକଶହ ତିନି ଫୁଟ୍ । ମନ୍ଦିରର ଶିଖର ଉପରେ ୩୫୮ ଟି ସ୍ୱର୍ଣ୍ଣ କଳସ ସୁସଜ୍ଜିତ ରହିଛି ।
ମନ୍ଦିର ଠାରୁ ପ୍ରାୟ ତିନି କିଲୋମିଟର ଦୂର ଗବର ନାମକ ଏକ ପାହାଡ଼ ରହିଛି । ଏହି ପାହାଡ଼ ଉପରେ ମଧ୍ୟ ଦେବୀଙ୍କ ପ୍ରାଚୀନ ମନ୍ଦିର ରହିଛି । ଏଠାରେ ଗୋଟିଏ ପଥର ଉପରେ ମାତାଙ୍କ ପାଦଚିହ୍ନ ମଧ୍ୟ ରହିଛି । ପାଦଚିହ୍ନ ସହିତ ମାତାଙ୍କର ରଥଚିହ୍ନ ବି ରହିଛି । ମାତା ଅମ୍ବାଜୀଙ୍କ ଦର୍ଶନ ପରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଗବର ପାହାଡ଼କୁ ନିଶ୍ଚୟ ଯାଇଥାନ୍ତି । ପ୍ରତିବର୍ଷ ଭାଦ୍ର ପୂର୍ଣ୍ଣିମା ଅବସରରେ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଏଠାରେ ଭିଡ଼ ଜମାନ୍ତି । ସେମାନେ ମଧ୍ୟ ଗବର ଗଡ଼ ପାହାଡ଼ ଉପରକୁ ଯାଆନ୍ତି, ଯାହା ଏହି ମନ୍ଦିର ଠାରୁ ଦୁଇ କିଲୋମିଟର ପଶ୍ଚିମ ଦିଗରେ ଅବସ୍ଥିତ । ଏହା ବ୍ୟତୀତ ପ୍ରତ୍ୟେକ ମାସର ପୂର୍ଣ୍ଣିମା ଓ ଅଷ୍ଟମୀରେ ଏଠାରେ ମାତାଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ । ଏଠାରେ କିନ୍ତୁ ଫଟୋ ଉଠାଇବା ନିଷେଧ ରହିଛି ।
ଭାରତୀୟ ଉପମହାଦେଶରେ ରହିଥିବା ଶକ୍ତିପୀଠ ମାନଙ୍କ ମଧ୍ୟରେ ମା’ଅମ୍ବାଜୀଙ୍କ ମନ୍ଦିର ଅନ୍ୟତମ । ପୁରାଣ ଶାସ୍ତ୍ରରେ ବର୍ଣ୍ଣନା ଅନୁଯାୟୀ ଭରତୀୟ ଉପମହାଦେଶରେ ୪ଟି ଆଦି ଶକ୍ତିପୀଠ, ୧୮ଟି ମହା ଶକ୍ତିପୀଠ ଓ ୫୧ ଟି ଶକ୍ତିପୀଠ ରହିଛି । ତେବେ ଏହି ଶକ୍ତିପୀଠ ମାନଙ୍କ ମଧ୍ୟରେ“ମା’ ଅମ୍ବାଜୀ ମନ୍ଦିର” ବା ଶକ୍ତିପୀଠ ରହିଛି । ଶକ୍ତିପୀଠ ଗୁଡ଼ିକର ସୃଷ୍ଟି ସଂପର୍କରେ ପୁରାଣ ବର୍ଣ୍ଣିତ ଏକ ଚମକପ୍ରଦ କାହାଣୀ ରହିଛି । ହିନ୍ଦୁ ପୁରାଣ ଶାସ୍ତ୍ର ଅନୁଯାୟୀ ବ୍ରହ୍ମାଙ୍କ ପୁତ୍ର ଦକ୍ଷରାଜ ଯଜ୍ଞ କଲାବେଳେ ନିଜ ଝିଅ ବା ଭଗବାନ ଶିବଙ୍କ ପତ୍ନୀ ଦେବୀ ସତୀ ଓ ଭଗବାନ ଶିବଙ୍କୁ ଯଜ୍ଞରେ ଉପସ୍ଥିତ ହେବାକୁ ନିମନ୍ତ୍ରଣ କଲେ ନାହିଁ । ଫଳରେ ଦେବୀ ସତୀ ନିଜେ ବାପାଙ୍କ ଯଜ୍ଞ ସ୍ଥଳରେ ପହଞ୍ଚିଲେ ଓ ବାପାଙ୍କୁ କିଛି କହିବା ପୂର୍ବରୁ ସ୍ୱଂୟ ଦକ୍ଷରାଜ ଝିଅ ସତୀ ଓ ଭଗବାନ ଶିବଙ୍କୁ ଅପମାନ ସୂଚକ କଥା ଶୁଣାଇଲେ । ସେଠାରେ ସମସ୍ତ ଦେବୀ ଦେବତା ଉପସ୍ଥିତ ଥିବାରୁ ମା’ସତୀଙ୍କୁ ଖୁବ୍ ବାଧିଲା । ଅତି ଦୁଃଖରେ ମ୍ରିୟମାଣ ହୋଇ ମାତା ସତୀ ସେହି ଯଜ୍ଞକୁଣ୍ଣରେ ଆତ୍ମଦାହ କରିଦେଲେ । ତି୍ରକାଳଦର୍ଶୀ ଶିବ ଏ ଖବର ଜାଣି ସତୀଙ୍କ ମର ଶରୀର ହାତରେ ଧରି ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ । ସବୁଆଡ଼େ ଚାଲିଲା ଧ୍ୱଂସଲୀଳା । ଏହାର ସମାଧାନ ପାଇଁ ଦେବ ଦେବୀ ମାନେ ଭଗବାନ ବ୍ରହ୍ମା ଓ ଭଗବାନ ବିଷ୍ଣୁଙ୍କୁ ଅନୁରୋଧ କଲେ । ଭଗବାନ ଶିବ ଧରିଥିବା ସତୀଙ୍କ ମର ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଆତ୍ମା ରହିତ କରିବାକୁ ଭଗବାନ ବିଷ୍ଣୁ ନିଜର ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ । କିଛି କ୍ଷଣ ମଧ୍ୟରେ ମା’ସତୀଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଗଲା ଓ ମା’ଙ୍କ ଶରୀରର ବିଭିନ୍ନ ଅଂଶ ଭାରତୀୟ ଉପମହାଦେଶର ଅନେକ ସ୍ଥାନରେ ବିଞ୍ଚିହୋଇ ପଡ଼ିଲା ।
ସର୍ବ ଶେଷରେ ସତୀଙ୍କ ଅଙ୍ଗର ମୁଖ୍ୟାଂଶ ସହ ସମସ୍ତ ଅଂଶ ବା ଖଣ୍ଡକୁ ଖୋଜି ପୂଜାର୍ଚ୍ଚନା ତଥା ଖଣ୍ଡ ଗୁଡ଼ିକର ସୁରକ୍ଷା ପାଇଁ ଭଗବାନ ଭୈରବଙ୍କୁ ନିଦେ୍ର୍ଦଶ ଦେଲେ ଭଗବାନ ବ୍ରହ୍ମା । ସେହି ଦୁର୍ଲଭ ସ୍ଥାନ ଗୁଡ଼ିକୁ ଭଗବାନ ବ୍ରହ୍ମା, ଭଗବାନ ବିଷ୍ଣୁ ଓ ଭଗବାନ ଶିବ ମିଶି ଶକ୍ତି ପୀଠର ମାନ୍ୟତା ଦେଲେ । ତେବେ ଭାରତୀୟ ଉପମହାଦେଶରେ ଥିବା ଶକ୍ତିପୀଠ ମାନଙ୍କ ମଧ୍ୟରେ ଗୁଜରାଟର ମାତା ଅମ୍ବାଜୀ ଶକ୍ତି ପୀଠ ଅନ୍ୟତମ । ଧାର୍ମିକ ଗ୍ରନ୍ଥ ଅନୁସାରେ ଯେଉଁ ସ୍ଥାନରେ ମାତା ଅମ୍ବାଜୀଙ୍କ ଶକ୍ତିପୀଠ ରହିଛି, ସେଠାରେ ମାତା ସତୀଙ୍କର ହୃଦୟ ପଡ଼ିଥିଲା ।
ନବରାତ୍ର ସମୟରେ ଏଠାକାର ପରିବେଶ ଖୁବ୍ ଆକର୍ଷକ ଓ ଶକ୍ତିମୟ ହୋଇଯାଏ । ନଅ ଦିନ ଧରି ଚାଲୁଥିବା ନବରାତ୍ର ପର୍ବରେ ଶ୍ରଦ୍ଧାଳୁ ମାନେ ବହୁ ସଂଖ୍ୟାରେ ଏଠାକୁ ଆସି ମାତାଙ୍କ ଦର୍ଶନ କରିଥାନ୍ତି । ଏହି ସମୟରେ ମନ୍ଦିର ପ୍ରାଙ୍ଗଣରେ ଶକ୍ତିଙ୍କୁ ଆରାଧନା କରାଯାଏ । ଏହି ସମୟରେ ଗୁଜରାଟର କୃଷକ ମାନେ ନିଜ ପରିବାରର ସଦସ୍ୟ ମାନଙ୍କ ସହିତ ମାତାଙ୍କ ଦର୍ଶନ ପାଇଁ ଏକତି୍ରତ ହୁଅନ୍ତି । ଏହା ସହିତ ଏଠାରେ ‘ସପ୍ତଶତୀ’(ମାତାଙ୍କ ସାତଶହ ସ୍ମୃତି)ଙ୍କର ପାଠ ମଧ୍ୟ ଆୟୋଜିତ ହୋଇଥାଏ ।
କେମିତି ଯିବେ: ଆପଣ ଗୁଜରାଟ ବା ରାଜସ୍ତାନର ଯେଉଁ ରାସ୍ତାରେ ଯାଇ ମାତାଙ୍କ ଶକ୍ତିପୀଠରେ ପହଞ୍ଚି ପାରିବେ । ଏଠାରୁ ସବୁଠୁ ପାଖ ଷ୍ଟେଷନ ମାଉଣ୍ଟଆବୁ ରହିଛି । ସେହିପରି ଅହମଦାବାଦରୁ ଉଡ଼ାଜାହାଜରେ ମଧ୍ୟ ଯାଇ ପାରିବେ । ଅମ୍ବାଜୀ ମନ୍ଦିର ଅହମଦାବାଦରୁ ୧୮୦ କିଲୋମିଟର ଓ ମାଉଣ୍ଟଆବୁ ଠାରୁ ୪୫ କିଲୋମିଟର ଦୂରରେ ଅବସ୍ଥିତ ।
ଭୁବନେଶ୍ୱର, ମୋ: ୯୩୩୭୩୬୯୪୪୮/୯୪୩୭୪୪୧୦୭୨

Leave a Reply

Your email address will not be published.