ଦୁର୍ନୀତିମୁକ୍ତ ଭାରତ କ’ଣ ସମ୍ଭବ ନୁହେଁ?ଭାରତୀୟ ରାଜନୀତିରେ ଅପରାଧ ଓ ଭ୍ରଷ୍ଟାଚାର ବହୁ ଅଧିକ ବଢି ଗଲାଣି । ଦେଶ ପାଇଁ ଯେଉଁ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡିକର ବିକାଶ ଆଶା କରାଯାଉଥିଲା, ତାହା ଏବେ ସ୍ୱପ୍ନ । ସ୍ୱାଧୀନତାକୁ ନେଇ ବିକାଶର ଉଚ୍ଚ ପାହାଚ ପର୍ଯ୍ୟନ୍ତ ଗତି କରି ଆସିଥିବା ଭାରତୀୟ ଗଣତନ୍ତ୍ର କେତେକ ତଥାକଥିତ ରାଜନୀତିଜ୍ଞଙ୍କର ଅକ୍ତିଆରରେ ରହିଥିବାରୁ ଭାରତୀୟମାନେ ମଧ୍ୟ ଅନ୍ଧ ଭଳି ସେମାନଙ୍କୁ ସମର୍ଥନ କରିଆସୁଛନ୍ତି । ଆଶ୍ଚର୍ଯ୍ୟର କଥା ଯେ, ଭାଷାବାଦ୍, ଆଂଚଳିକବାଦ୍, ଜାତିବାଦ୍, ଉଗ୍ରବାଦ୍, ଲିଙ୍ଗବାଦ୍, ନକ୍ସଲବାଦ୍, ଆଦି ‘ବାଦ୍’ରେ ବିଭକ୍ତ ହୋଇ ଚାଲିଥିବା ଭାରତୀୟ ଜନତା ଏଇ ତଥାକଥିତ ଦେଶ ଭକ୍ତ ଓ ସ୍ୱାର୍ଥପର ନେତା ମାନଙ୍କ ଇଚ୍ଛାକୁ ସଫଳ କରି ଚାଲିଛନ୍ତି । ଗଣତନ୍ତ୍ରର ଦ୍ୱାହି ଦେଉଥିବା ଏହି ରାଜନୀତିଜ୍ଞମାନେ କେବେ ମଧ୍ୟ ସତ୍ୟକୁ ସ୍ୱୀକାର କରିବାର ନୈତିକତା ଅନୁଭବ କରି ନାହାନ୍ତି । ସତ୍ୟ ଉପରେ ଅସତ୍ୟକୁ, ଜନମତ ଉପରେ ନିଜର ରାଜନୀତିକ ସ୍ୱାର୍ଥର ବିଷବୃକ୍ଷ ରୋପଣ ଏହି ନେତା ମାନଙ୍କର ପ୍ରମୁଖ କାର୍ଯ୍ୟ ହୋଇଛି । କେନ୍ଦ୍ର ବା ରାଜ୍ୟ ସରକାର, କେହି ଜନମତକୁ ସ୍ୱୀକାର କରୁନାହାନ୍ତି । ଗାଦିକୁ ଆସିବା ପରେ ସମସ୍ତେ ଜନମତକୁ ଭୁଲି ନିଜ ଇଚ୍ଛାରେ କାମ କରୁଛନ୍ତି ।
ରାଜନୀତିକ ଦଳ ମାନଙ୍କ ଅପରାଧ ଲିପ୍ତତା ଓ ଭ୍ରଷ୍ଟାଚାର ଦ୍ରୂତ ଗତିରେ ବଢି ଚାଲିଛି । ସୁଶାସନ ଓ ଲୋକଙ୍କ ସେବା ଛାଡ଼ି କୌଣସି ପ୍ରକାରେ ନିର୍ବାଚନରେ ଜିତିବା ଓ ସରକାର ଗଠନ କରିବା ସମସ୍ତଙ୍କର ମୁଖ୍ୟ ଲକ୍ଷ୍ୟ ହେଲାଣି । ଭୋଟ୍ ପାଇଁ ନୋଟ୍ ବାଂଟିବା ତ ଭିନ୍ନ କଥା, ମାତ୍ର ନିର୍ବାଚନରେ ଜିତିବାକୁ ହିଂସା ଓ ହତ୍ୟାକାଣ୍ଡ ଭଳି ଅମାନବୀୟ ପନ୍ଥାର ଆଶ୍ରୟ ନେବା ଆମ ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ । ସାଧାରଣ ନିର୍ବାଚନରେ ଭୋଟରଙ୍କ ଭୋଟ୍ କିଣାଯିବା ମାମୁଲି ଘଟଣା ହୋଇଥିଲା । ମାତ୍ର ଏବେ କେତେକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନରେ ଜନପ୍ରତିନିଧି ମାନଙ୍କ ଭୋଟ୍ କୁ ମଧ୍ୟ କିଣା ଗଲାଣି । ନିଜ ଦଳର ପ୍ରାର୍ଥୀ ଜିତୁ ବୋଲି ଚାହିଁବା ସ୍ୱାଭାବିକ, ହେଲେ ଅଗଣତାନ୍ତ୍ରିକ ଭାବେ କ୍ଷମତା ଦଖଲ କରିବାକୁ କେହି ପଛାଉ ନାହାନ୍ତି । ସ୍ୱତଃସ୍ପୂର୍ତ ଭାବେ ମତଦାତା ମାନେ ନିଜ ଭୋଟ୍ ଦେବାର ଆନନ୍ଦ ଉପଭୋଗ କରିବାକୁ ରାଜନୀତିକ ଦଳ ମାନେ ସୁଯୋଗ ଦେଉ ନାହାନ୍ତି । ସେମାନେ ମତଦାତା ମାନଙ୍କ ପାଖରେ ପହଂଚି ବିଭିନ୍ନ ଉପହାର ବା ପ୍ରଲୋଭନ ଦେଖାଉଛନ୍ତି । ଆଉ ଏହି କଳାରେ ନିପୁଣ ଦଳକୁ ହିଁ ସର୍ବାଧିକ ଭୋଟ୍ ମିଳୁଛି । ଯେଉଁଥିପାଇଁ ସାଧାରଣ ଜନତା ଓ ବୁଦ୍ଧିଜୀବୀ ମାନଙ୍କର ମତ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଅଦୃଶ୍ୟ ହୋଇ ଚାଲିଛି । ଅନୁଶାସନର ସମସ୍ତ ମାପଦଣ୍ଡ ରାଜନୈତିକ ଦଳ ତଥା ନେତା ମାନଙ୍କ ଦ୍ୱାରା ଭଙ୍ଗା ଯାଉଛି । ନିଜର ସ୍ୱାର୍ଥରକ୍ଷା ପାଇଁ ଜନମତକୁ ଦମନ ସ୍ୱରୂପ ନିୟମ କାନୁନ୍ ତିଆରି କରାଯାଉଛି । ଦେଶର କୋଣେ କୋଣେ ଚାଲିଥିବା ଦଙ୍ଗା-ସଂଘର୍ଷର ନିଆଁ ନେତା ମାନଙ୍କର ହିଁ ଦାନ । ପ୍ରଶାସନିକ ଅରାଜକତା ଆଜି ଚରମ ସୀମାରେ ପହଂଚିଛି । ପ୍ରଶାସନିକ ନିଷ୍ଠୁର କାର୍ଯ୍ୟ ପ୍ରଣାଳୀ ଭିତରେ ଜନତା ପେଷି ହୋଇ ଚାଲିଛି । ନେତା ଓ ପ୍ରଶାସନିକ ଅଧିକାରୀ ମାନେ ମିଳିମିଶି ସାଧାରଣ ପ୍ରଜାଙ୍କୁ ଶୋଷଣ କରି ଚାଲିଛନ୍ତି ଓ ନିଜର ଇଚ୍ଛାକୁ ଜବରଦସ୍ତି ସେମାନଙ୍କ ଉପରେ ଲଦୁଛନ୍ତି । ଏଭଳି ସମ୍ବେଦନଶୀଳ ଘଟଣା ମାନ ସୀମା ଲଂଘନ ହେବାରେ ଲାଗିଛି । ଭାରତୀୟ ଗଣତନ୍ତ୍ର ଯେପରି ଆହତ ହୋଇ ଚିକ୍ରାର କରୁଥିବା ଭଳି ମନେ ହେଉଛି । ସରଳ ଭାରତୀୟ ମାନଙ୍କର ଏକତାର ଭାବକୁ ଖିନ୍ଭିନ୍ କରି ବିଭିନ୍ନ ବର୍ଗରେ ବିଭକ୍ତ କରାଇ ପରସ୍ପର ଭିତରେ ଘୃଣା, ଦ୍ୱେଷ, ରକ୍ତପାତ, କଳହ ସୃଷ୍ଟି କରୁଥିବା ଏଇ ତଥାକଥିତ ନେତା ମାନଙ୍କୁ ସମୟ କ୍ଷମା ଦେବ କି ନାହିଁ, କେଜାଣି!
ଆଜି ଆମ ଦେଶର ନେତାମାନଙ୍କ ସଂକୀର୍ଣ୍ଣ ମାନସିକତାର ପରିଣତି ସ୍ୱରୂପ ଅନେକ ଅଂଚଳରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେଉଛି । ଭୋଟ୍ ବ୍ୟାଙ୍କ ସୃଷ୍ଟି ପାଇଁ ଜାତୀୟତାର ଭାବ ଭୁଲି ଚାଲିଥିବା ନେତା ମାନଙ୍କର ସ୍ୱାର୍ଥ ପରାୟଣତା ପ୍ରଜାଙ୍କୁ ପୁଣି ପରାଧୀନତା ଆଡ଼କୁ ଠେଲି ନେଉଛି । ସବୁଠୁ ଦୁର୍ଭାଗ୍ୟର କଥା, ବର୍ତର୍ମାନ ଦେଶରେ ବିଭିନ୍ନ “ବାଦ୍”ର ନିଅାଁ ଉଗ୍ରରୂପ ଧାରଣ କରିଛି । ସଂପୂର୍ଣ୍ଣ ଘଟଣାର ସୃଷ୍ଟିକର୍ତା ଏହି ତଥା କଥିତ ନେତା ମାନେ । ଓଡ଼ିଶା ରାଜନୀତି ଓ ପ୍ରଶାସନତନ୍ତ୍ରକୁ ସରଗରମ କରି ରଖିଥିବା ଚିଟ୍ଫଣ୍ଡ୍ ଠକେଇ, ଖଣି ଓ ପାଣି ଦୁର୍ନୀତି, ମନରେଗା ଦୁର୍ନୀତି, ଉନ୍ନୟନ କାର୍ଯ୍ୟରେ ଶିଥିଳତା ଓ ପିସି କାରବାର, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ମହିଳା ନିର୍ଯ୍ୟାତନା ଓ ନାବାଳିକା ଦୁଷ୍କର୍ମ ଭଳି ବିଭିନ୍ନ ପ୍ରସଙ୍ଗ ପାଇଁ ଦାୟୀ ବେକଳ ପ୍ରଶାସନତନ୍ତ୍ର ଓ ତଥାକଥିତ ଭ୍ରଷ୍ଟ ନେତା ମାନେ ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଓଡ଼ିଶାରେ ବିଭିନ୍ନ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ ହେଉଥିଲେ ହେଁ ସାଧାରଣ ମଣିଷର ଆର୍ଥିକ ଉନ୍ନତି ହୋଇ ପାରୁ ନାହିଁ । ଧନୀ ଆଉରି ଧୀନ ଓ ଗରିବ ଆଉରି ଗରିବ ହୋଇ ଚାଲିଛି । କେନ୍ଦ୍ର ଓ ରାଜ୍ୟର ଶାସକ ଦଳ ସରକାରୀ ଉନ୍ନୟନ ଯୋଜନା ଗୁଡ଼ିକର ଫାଇଦା ଅଗଣତାନ୍ତ୍ରିକ ଭାବେ ନିଜ ସମର୍ଥକ ବା ଦଳୀୟ କର୍ମୀମାନଙ୍କୁ ବାଂଟିବାରେ ବ୍ୟସ୍ତ ରହୁଥିବା ଅଭିଯୋଗ ହେଉଛି । କିଏ ଗରିବ ଓ କିଏ ଧନୀ, ଏଯାଏ ତାହାର ବାସ୍ତବ ମାପଦଣ୍ଡ ନିର୍ଦ୍ଧାରିତ ହୋଇ ପାରି ନାହିଁ କି ହେବାର ନାହିଁ । ହୁଏତ ଆମ ଦେଶରେ ଶାସନ କ୍ଷମତାରେ ରହିବାକୁୂ ହେଲେ ନୀତି ନୁହେଁ, ଅନୀତିକୁ ଆପଣେଇବାକୁ ହେବ । ସଚଳ ଗୋଷ୍ଠିକୁ ସବୁ ଯୋଜନାର ଲାଭ ଦେଇ ଗରିବ ପ୍ରଜାଙ୍କୁ କେବଳ ଭୋଟ୍ ବେଳେ ସାମାନ୍ୟ ଉପହାର ଦେବାକୁ ହେବ । ଏହି ନୀତି ସମସ୍ତେ ଠିକ୍ ଭାବେ କାର୍ଯ୍ୟକାରୀ କରୁଥିବା ଦେଖା ଯାଉଛି । ୨୦୧୯ ନିର୍ବାଚନରେ ଏହା ମଧ୍ୟ ପ୍ରମାଣିତ ହୋଇଛି । କତେକ ବିଧାୟକ ଏବଂ ସାଂସଦ ନିଜ ଅଂଚଳରେ ଚାଲିଥିବା ଯୋଜନା ଓ ନିଜ ଊନ୍ନୟନ ପାଣ୍ଠିର ଅପବ୍ୟବହାର କରୁଥିବା ଅଭିଯୋଗ ହେଉଛି । ଅନ୍ୟ ଜନପ୍ରତିନିଧି ମାନେ ନିଜ ଅଧୀନରେ କାର୍ଯ୍ୟକାରୀ ଯୋଜନା ବା ସରକାରୀ ସେବା ଯୋଗାଣ କାର୍ଯ୍ୟରୁ ନିଜ ନିଜର ଭାଗ ବା ପିସି ନେଉଥିବା ସାଧାରଣ ଘଟଣାରେ ପରିଣତ ହୋଇଛି । ଆଦିବାସୀ ଅଂଚଳରେ ଏହି ଅବସ୍ଥା ସାଂଘାତିକ । ସମସ୍ତେ ଆଦିବାସୀ ସ୍ୱାର୍ଥ ଲୁଟ୍ରେ ବ୍ୟସ୍ତ ।
ଭାରତ ସର୍ବଦା ବିଶ୍ୱ ପରିବାର ଓ ବିଶ୍ୱ ଶାନ୍ତିର ଆହ୍ୱାନ ଦେଇ ଆସୁଛି । ମାତ୍ର ଏହି ଲକ୍ଷ୍ୟ ପ୍ରାପ୍ତି ପାଇଁ ଯେଉଁ ଭୂମିକାର ଆବଶ୍ୟକତା ଥିଲା ଓ ଅଛି, ସେ ସବୁ କାଳର କରାଳ ଗର୍ଭରେ ଖିନଭିନ୍ ହୋଇ ଚାଲିଛି ଓ ଏଥିପାଇଁ ସେହି ନେତାମାନେ ହିଁ ଦାୟୀ । ସୌଭାଗ୍ୟବଶତଃ ଭାରତୀୟ ବୈଜ୍ଞାନିକମାନେ ନିଜର ପ୍ରତିଭା ବଳରେ ଭାରତକୁ ବିଶ୍ୱନାୟକର ଭୂମିକା ଦେବାକୁ ସଙ୍କେତ ଦେଉଛନ୍ତି । ଏପରିକି ଭାରତ ବିଶ୍ୱ ବିଜୟ ଅଭିଯାନର ସଂକଳ୍ପ ସଂପୂର୍ଣ୍ଣ କରିନେଇଛି । ଅବଶ୍ୟ ବିଶ୍ୱବାସୀଙ୍କ ଚିନ୍ତାଧାରା ଅନୁଯାୟୀ ପାକିସ୍ତାନ ଓ ଚୀନ୍ ସହ ଆମର ଉତେଜନା ମୂଳକ ସଂପର୍କ ଦୁର୍ଭାଗ୍ୟଜନକ । ଅର୍ଥାତ୍ ଆମେ ସମସ୍ତଙ୍କୁ ହରେଇ ନିଜ ଠାରୁ ହାରୁଛେ । ତଥାପି ସବୁକିଛି ହରେଇ ଭାରତ ଚୀନ୍ ଓ ପାକିସ୍ତାନ ପ୍ରତି ଯେଭଳି ଧୈର୍ଯ୍ୟପୂର୍ବକ ବ୍ୟବହାରର ପରିଚୟ ପ୍ରଦାନ କରି ଚାଲିଛି, ତାହା ହିଁ ଶାଶ୍ୱତ ମୂଲ୍ୟ, ଯାହାକୁ ଦିନେନା ଦିନେ ବିଶ୍ୱବାସୀ ନିଶ୍ଚୟ ଗୁରୁତ୍ୱ ଦେବେ । ଭାରତୀୟ ଗଣତନ୍ତ୍ରକୁ ଏବେ କଠୋର ସତ୍ୟର ସପକ୍ଷବାଦୀ ହେବାକୁ ପଡିବ । ନଚେତ୍ ଜନମତ ଓ ଜନସ୍ୱାର୍ଥ ସହ ଖେଳୁଥିବା ଭ୍ରଷ୍ଟ ରାଜନୀତିଜ୍ଞ ମାନଙ୍କୁୁ ବେଶି ସମୟ ପର୍ଯ୍ୟନ୍ତ କ୍ଷମା କରାଯାଇ ପାରିବ ନହିଁ । ଦେଶର ସୀମାନ୍ତ ଅଂଚଳରେ ଯେଭଳି ଅବସ୍ଥା ସୃଷ୍ଟି ହୋଇଛି ଓ ଦେଶ ଭିତରେ ନକ୍ସଲ୍ ଉତ୍ପାତ ଯେଭଳି ପ୍ରକାଣ୍ଡ କାୟା ବିସ୍ତାର କରି ଚାଲିଛି, ଗଣତନ୍ତ୍ରର ପୁନଃ ମୂଲ୍ୟାୟନର ଅନିବାର୍ଯ୍ୟ ଆବଶ୍ୟକତା ଅନୁଭୂତ ହେଉଛି । ଧୀରେ ଧୀରେ ଦେଶର ଭ୍ରଷ୍ଟନେତା ମାନେ ଲୋକଲୋଚନକୁ ଆସିବା ନିଶ୍ଚିତ ମନେ ହେଉଛି । ବାସ୍ତବତା ହେଲା, ଦେଶରେ ଯେପର୍ଯ୍ୟନ୍ତ ମାଓବାଦ୍ ନିୟନ୍ତ୍ରଣ, ପଡ଼ୋଶୀ ରାଷ୍ଟ୍ର ମାନଙ୍କ ସହ ସୁସଂପର୍କ ସ୍ଥାପନ, ଦୁର୍ନୀତି, ଭ୍ରଷ୍ଟାଚାର, ବେଆଇନ କାର୍ଯ୍ୟ, ଶୋଷଣ ଆଦି ନିୟନ୍ତ୍ରଣ ହୋଇନାହିଁ ଓ ପ୍ରତ୍ୟେକ ନାଗରିକ ଆର୍ଥିକ ସ୍ୱାବଲମ୍ବୀ ନହୋଇଛନ୍ତି, ସେପର୍ଯ୍ୟନ୍ତ କୌଣସି ଦଳର ସରକାର ବା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶାସନକୁ ଭଲ ବୋଲି କୁହାଯାଇ ପାରିବ ନାହିଁ । ତଥାପି ସରକାରଙ୍କୁ କୌଣସି ପ୍ରକାର ଦେଶର ପବିତ୍ର ସମ୍ବିଧାନ ଓ ଗଣତନ୍ତ୍ରର ଗୌରବ ଅକ୍ଷୂର୍ଣ୍ଣ ରଖିବାକୁ ହେବ । ଶରତ କୁମାର ରାଉତ

2 thoughts on “

Leave a Reply

Your email address will not be published.