ପ୍ରାଥମିକ ସ୍ୱାସ୍ଥ୍ୟସେବା ଓ ସେବାକାରୀ

ସୁବାସ ଷଡଙ୍ଗୀ

କରୋନା ସମୟରେ ଦୁଇଟି ସମ୍ବାଦ ଲୋକଙ୍କ ମନକୁ ବିଶେଷଭାବେ ଆନେ୍ଦାଳିତ କରିଥିଲା । ପ୍ରଥମଟି ହେଲା, କରୋନା ଜନିତ ଲକଡାଉନ, ସଟଡାଉନ ସମୟରେ ଲୋକମାନଙ୍କୁ ଦୁଆରମୁହଁରେ ସ୍ୱାସ୍ଥ୍ୟସେବା ଯୋଗାଉଥିଲେ ଏଏନଏମ ଏବଂ ପୁରୁଷ ସ୍ୱାସ୍ଥ୍ୟକର୍ମୀ । ସେମାନଙ୍କୁ ସହଯୋଗ କରୁଥିଲେ, ଆଶା ଓ ଅଙ୍ଗନବାଡିକର୍ମ୍ମୀ । ଯେତେବେଳେ କରୋନାର ପ୍ରାଦୁର୍ଭାବ ଯୋଗୁ ସବୁ ଡାକ୍ତରଖାନା, ନର୍ସିଙ୍ଗ ହୋମ ବନ୍ଦ ହୋଇଯାଇଥିଲା, ସେତେବେଳେ କିନ୍ତୁ ଏମାନେ ଥିଲେ ତତପର । ଭୁବନେଶ୍ୱର ଓ ଗଞାମ ରେ କରୋନା ମୁକାବିଲା ପାଇଁ ଏମାନଙ୍କ ମଧ୍ୟରୁ ଅନେକଙ୍କୁ ଆତ୍ମବଳୀ ଦେବାକୁ ହୋଇଛି । ସରକାର ନିଜେ ଏ କଥା ସ୍ୱୀକାର କରିଛନ୍ତି ଏବଂ ସେମାନଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି ।
ଦ୍ୱିତୀୟ କଥାଟି ହେଲା, କରୋନା ପରବର୍ତୀ ସମୟରେ ଏଇ ଏଏନଏମ ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀ ନିଜର ଏଲଏଚଭି/ ପୁରୁଷ ସୁପରଭାଇଜରମାନଙ୍କ ସହ ମିଶି ମିଳିତଭାବେ ଘୋଷଣା କଲେ ଯେ ସରକାର ସେମାନଙ୍କ ଦାବି ପୂରଣ ନକଲେ ସେମାନେ କରୋନା ଟୀକା ନେବେ ନାହିଁ । ପରେ ଅବଶ୍ୟ ସେମାନେ ଏଇ ଦାବିରୁ ଓହରି ଯାଇଥିଲେ ।
ସରକାରଙ୍କ ପ୍ରଶଂସା ସାଉଁଟିଥିବା ଏଇ ଆଗ ଧାଡିର ସ୍ୱାସ୍ଥ୍ୟ କର୍ମଚାରୀମାନେ କିଏ? ସେ ବିଷୟରେ ଜାଣିବାକୁ ହେଲେ ଆମକୁ ଅନେକ ପଛକୁ ଯିବାକୁ ହେବ ।
ମହାତ୍ମା ଗାନ୍ଧୀ କହିଥିଲେ, ଗାଁ ହେଉଛି
ଭାରତର ଆତ୍ମା । ୨୦୧୧ ଜନଗଣନା ଅନୁଯାୟୀ ଭାରତରେ ୮୩ କୋଟି ଲୋକ ଗାଁରେ ରହୁଛନ୍ତି । ଗାଁର ଲୋକମାନଙ୍କୁ ସୁସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ବିଭିନ୍ନ ସମୟରେ ଅନେକ ଯୋଜନା ହୋଇଛି । କମିଟି ମଧ୍ୟ ଗଠିତ ହୋଇଛି । ସେଥିମଧ୍ୟରୁ ୧୯୪୬ରେ ଭୋରେ କମିଟି,୧୯୬୨ ମସିହାରେ ମୁଦାଲିୟର କମିଟି, ୧୯୭୩ ମସିହାରେ କର୍ତାର ସିଂ କମିଟି ଏବଂ ୧୯୭୫ ମସିହାରେ ବାସ୍ତବ କମିଟି ଗଠିତ ହୋଇଥିଲା । ପରବର୍ତୀ ସମୟରେ ୧୯୮୩ରେ ଜାତୀୟ ସ୍ୱାସ୍ଥ୍ୟ ଯୋଜନା ଓ ୨୦୦୫ ମସିହରେ ଜାତୀୟ ଗା୍ରମୀଣ ସ୍ୱାସ୍ଥ୍ୟ ମିଶନ ଗଠିତ ହୋଇ ଗ୍ରାମାଂଚଳ ସ୍ୱାସ୍ଥ୍ୟସେବାକୁ କିପରି ଭାବେ ଅଧିକ ଉନ୍ନତ ଓ ଶକ୍ତିଶାଳୀ କରିହେବ ସେ ନେଇ ସୁପାରିଶ କାର୍ଯ୍ୟକାରି କରାଗଲା ।
କର୍ତାର ସିଂ କମିଟି ଓ ବାସ୍ତବ କମିଟିର ସୁପାରିଶ ଅନୁଯାୟି ଗାଁ ଗହଳରେ ବାସ କରୁଥିବା ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ି୩ିହଜାରରୁ ପାଂଚହଜାର ଲୋକସଂଖ୍ୟା ବିଶିଷ୍ଟ ଅଂଚଳରେ ଏକ ସ୍ୱାସ୍ଥ୍ୟ ଉପକେନ୍ଦ୍ର ପ୍ରତିଷ୍ଠା କରାଯିବାକୁ ସ୍ଥିର ହେଲା । କୋଡିଏ ହଜାରରୁ ତିରିଶ ହଜାର ଲୋକସଂଖ୍ୟରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରାଗଲା ।
ଏଇ ସୁପାରିଶ ଅନୁଯାୟି ଭାରତ ବର୍ଷରେ ୧,୪୧, ୧୨୪ଟି ସ୍ୱାସ୍ଥ୍ୟ ଉପକେନ୍ଦ୍ର ଏବଂ ୩୫୭୬୨ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ହେବା କଥା । ମାତ୍ର ତରିଶ ବର୍ଷ ଭିତରେ ଆମେ ଏଇ ଲକ୍ଷ୍ୟରେ ପହଂଚି ପାରିଲୁ ନାହିଁ । ଓଡିଶାରେ ଏବେ ୭୬୮୬ଟି ସ୍ୱାସ୍ଥ୍ୟ ଉପକେନ୍ଦ୍ର ରହିଛି । ଜନସଂଖ୍ୟା ଦୃଷ୍ଟିରୁ ବିଚାରକୁ ନେଲେ ଆମ ରାଜ୍ୟରେ ୧୨ ହଜାରରୁ ଅଧିକ ଉପକେନ୍ଦ୍ର ରହିବା କଥା ।
ଜନସ୍ୱାସ୍ଥ୍ୟର ମୂଳଭିତି ହେଲା ପ୍ରାଥମିକ ସ୍ୱାସ୍ଥ୍ର୍ୟ ସେବା । ଡାକ୍ତରଙ୍କ ଅଭାବ ସବୁବେଳେ ଲୋକଙ୍କୁ ହଇରାଣରେ ପକାଉଛି । ଭାରତରେ ସ୍ୱାସ୍ଥ୍ୟସେବା କଥା ଉଠିଲେ ଆମେ ହସପିଟାଲ ବା ମେଡିକାଲ କଲେଜକୁ ବୁଝୁ । ଜିଡିପି ସହିତ ଡାକ୍ତରଙ୍କ ସଂଖ୍ୟା ଅନୁପାତକୁ ନେଇ ଆଲୋଚନା କରୁ । ଶିଶୁମୃତ୍ୟୁହାର ବା ମାତୃମୃତ୍ୟୁହାର ନେଇ କେହି ଆଲୋଚନା କରନ୍ତି ନାହିଁ । ଟୀକାକରଣ କଥା କେହି ଆଲୋଚନା କରନ୍ତି ନାହିଁ । ମଣିଷର ହାରାହାରି ଆୟୁଷ ବୃଦ୍ଧିକୁ ନେଇ କେହି ଆଲୋଚନା କରନ୍ତି ନାହିଁ ।
ଓଡିଶାରେ ବୋଧହୁଏ ଭାରତରେ ସ୍ୱାସ୍ଥ୍ୟ କହିଲେ ମେଡିକାଲ ବା ହସପିଟାଲକୁ ବୁଝାଏ । ମାତ୍ର ଏହା ଠିକ ନୁହେଁ । ଜନସ୍ୱାସ୍ଥ୍ୟକୁ ଗୁରୁତ୍ୱ ନ ଦେଲେ କେବଳ ଡାକ୍ତର ବା ଡାକ୍ତରଖାନା ରହିଳେ ସ୍ୱାସ୍ଥ୍ୟସେବା ମିଳିବ ବା ଲୋକ ନୀରୋଗ ରହି ପାରିବେ ଏପରି ଭାବିବା ଠିକ ନୁହେଁ । କରୋନା ସମୟରେ କେବଳ ସରକାର ନୁହଁନ୍ତି, ଆମେ ସଭଏଁ ଅନୁଭବ କରିଛେ । ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକ ପୁରାପୁରି କାର୍ଯ୍ୟକ୍ଷମ ନହେବାରୁ ଆମକୁ କିପରି ହଇରାଣ ହେବାକୁ ପଡିଲା ।
ପାରା ମେଡିକାଲ ଷ୍ଟାଫ ଏଏନଏମ, ପୁରୁଷ ସ୍ୱାସ୍ଥ୍ୟ କର୍ମୀ, ଏଲଏଚଭି ଓ ପୁରୁଷ ସୁପରଭାଇଜର ଗ୍ରାମାଂଚଳ ସ୍ୱାସ୍ଥ୍ୟସେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛନ୍ତି । କିନ୍ତୁ ରାଜ୍ୟରେ ସେମାନଙ୍କୁ ଯଥୋଚିତ ଗୁରୁତ୍ୱ ମିଳୁନାହିଁ । ଯେତେବେଳେ ପଲିସି ତିଆରି କରାଯାଉଛି, ସେମାନଙ୍କ କଥାକୁ ବିଚାରକୁ ନିଆଯାଉ ନାହିଁ ।ସେମାନଙ୍କ ନିଷ୍ଠା ଓ କର୍ମଦକ୍ଷତାର ଦୁଇଟି ଉଦାହରଣ ଦେବି । ବସନ୍ତ ରୋଗର ନିରାକରଣ କେବଳ ଏଇମାନଙ୍କ କାର୍ଯ୍ୟଦକ୍ଷତା ଯୋଗୁ ସମ୍ଭବପର ହୋଇପାରିଛି । ସେମାନଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ପୋଲିଓ ରୋଗର ନିରାକରଣ ସମ୍ଭବ ହୋଇଛି । ମ୍ୟାଲେରିଆ ରୋଗ ବିଲୁପ୍ତି ପଥରେ ।
ପ୍ରାଥମିକ ସ୍ତରରେ ଏମାନଙ୍କ ସଫଳତା ସରକାରଙ୍କୁ ପ୍ରେରଣା ଦେଲା । ତେଣୁ ପ୍ରତି ଏକ ହଜାର ଲୋକସଂଖ୍ୟାରେ ଜଣେ ଲେଖାଏଁ ଆଶା କର୍ମୀ ନିଯୁକ୍ତି ଦେବାକୁ ସରକାର ସ୍ଥିର କଲେ । ଚୀନରେ ବେୟାରଫୁଟ ଡାକ୍ତର ଯୋଜନା ବେଶ ଫଳପ୍ରଦ ହୋଇଛି । ବିଶ୍ୱସ୍ୱାସ୍ଥ୍ର୍ୟ ସଂଗଠନ ସେଇ ଢାଂଚାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମୀ ରଖିବାକୁ କହିଥିଲା ।
ସେ ଦୃଷ୍ଟିରୁ ବିଚାର କରିବାକୁ ହେଲେ ଗୋଟିଏ ସ୍ୱାସ୍ଥ୍ୟ ଉପକେନ୍ଦ୍ର ହେଉଛି ଗ୍ରାମାଂଚଳ ସ୍ୱାସ୍ଥ୍ର୍ୟସେବାର ଆଉଟ ପୋଷ୍ଟ । ଗୋଷ୍ଠୀ ସ୍ୱାସ୍ଥ୍ୟସେବାର ତୃଣମୂଳ । ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଦୁଇ ଜଣ ଏଏନଏମ, ଜଣେ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଓ ସେଇ ଅଂଚଳର ଜନସଂଖ୍ୟା ଅନୁଯାୟି ଆଶା ରହିବେ । ଏମାନଙ୍କ ମୁଖ୍ୟକାମ ହେଲା, କ୍ୟୁରେଟିଭ, ପ୍ରିଭେଂଟିଭ ଏବଂ ପ୍ରମୋଟିଭ ।
କରୋନା ସମୟରେ ଏମାନଙ୍କ କାମ ସମସ୍ତେ ଦେଖିଛନ୍ତି । କରୋନା ଅଧିକ ନ ବ୍ୟାପିବାରେ ଡାକ୍ତରମାନଙ୍କ ସହଯୋଗ ଠାରୁ ଏମାନଙ୍କ ନିଷ୍ଠା ଅଧିକ ଥିଲା, ଏଇ ନିଷ୍ୁର ସତ୍ୟକୁ ଗ୍ରହଣ କରିବାକୁ ହେବ ।
ବିଶ୍ୱ ଟୀକାରଣ ଅଭିଯାନ ଆମ ରାଜ୍ୟରେ ସଫଳ ହେବା ପଛରେ ରହିଛି ଏମାନଙ୍କ ଦକ୍ଷତା । ମାତୃ ମୃତ୍ୟହାର ଓ ଶିଶୁ ମୃତ୍ୟହାର କମାଇବାରେ ମଧ୍ୟ ଏମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ହେଲେ ସେମାନଙ୍କ କ୍ୟାଡର ନେଇ କିଛିଟା ଦ୍ୱନ୍ଦ୍ୱ ରହିଛି । ଭାରତ ସରକାର ଉପଲବ୍ଧି କରିଛନ୍ତି ତୃଣମୂଳ ସ୍ତରର ସ୍ୱାସ୍ଥ୍ୟ ସେବାକୁ ଅଧିକ ଶକ୍ତିାାଳୀ କରିବାକୁ ହେବ । ସେଥିପାଇଁ ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ୱେଲନେସ କେନ୍ଦ୍ରରେ ପରିଣତ କରିବା ପାଇଁ ନିଷ୍ପତି ହୋଇଛି ।
ସେ ବିଷୟରେ ପରବର୍ତୀ ସମୟରେ ଆଲୋଚନା କରିବା ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ଭୁବନେଶ୍ୱର, ମୋ-୯୪୩୯୬୫୨୩୨୨

Leave a Reply

Your email address will not be published. Required fields are marked *