ସୁଚିନ୍ଦ୍ରମ ଶକ୍ତିପୀଠ, ତାମିଲନାଡ଼ୁ

ସୁଚିନ୍ଦ୍ରମ ଶକ୍ତିପୀଠ ହିନ୍ଦୁ ମାନଙ୍କ ପାଇଁ ପ୍ରମୁଖ ଧାର୍ମିକ ସ୍ଥଳ ମଧ୍ୟରେ ଗୋଟିଏ । ଏହି ମନ୍ଦିର ବା ଶକ୍ତିପୀଠ ଭାରତର ତାମିଲନାଡ଼ୁ ରାଜ୍ୟ ଅନ୍ତର୍ଗତ କନ୍ୟାକୁମାରୀରେ ଅବସ୍ଥିତ । ସୁଚିନ୍ଦ୍ରମରେ ‘ସୂଚି’ ଶବ୍ଦ ସଂସ୍କୃତରୁ ନିଆ ଯାଇଛି, ଯାହାର ଅର୍ଥ ‘ଶୁଦ୍ଧ’ ହେବା । ସୁଚିନ୍ଦ୍ରମ ଶକ୍ତିପୀଠକୁ ଠାଉଁ ମାଲୟନ ବା ସ୍ଥାନୁମାଲୟ ମନ୍ଦିର ମଧ୍ୟ କୁହାଯାଏ ।
ଏହି ମନ୍ଦିର ସାତ ମହଲା ବିଶିଷ୍ଟ, ଯାହାର ଧଳା ଫର ଫର ଗୋପୁରମ୍ ବହୁ ଦୂରରୁ ମଧ୍ୟ ଦେଖା ଯାଇଥାଏ । ଏହି ମନ୍ଦିରର ନିର୍ମାଣ ୧୭ ଶହ ଶତାବ୍ଦୀରେ କରା ଯାଇଥିଲା । ସୁଚିନ୍ଦ୍ରମ ଶକ୍ତିପୀଠ ଓ ମନ୍ଦିର ଭିତରେ ନିର୍ମିତ ହିନ୍ଦୁ ଦେବୀ ଦେବତାଙ୍କ ମୂର୍ତ୍ତି ପାଇଁ ବେଶ୍ ପ୍ରସିଦ୍ଧ । ମନ୍ଦିରର ପ୍ରବେଶ ଦ୍ୱାର ପ୍ରାୟ ୨୪ ଫୁଟ୍ ଉଚ୍ଚତା ବିଶିଷ୍ଟ, ଯାହାର କବାଟରେ ଅତି ସୁନ୍ଦର କାରୁକାର୍ଯ୍ୟ କରାଯାଇଛି । ଏହି ମନ୍ଦିର ବହୁ ସଂଖ୍ୟାରେ ବୈଷ୍ନବ ଓ ଶୈବ ଉଭୟଙ୍କୁ ଆକର୍ଷିତ କରିଥାଏ । ମନ୍ଦିର ପରିସରରେ ବିଭିନ୍ନ ଦେବୀ-ଦେବତା ମାନଙ୍କ ପାଇଁ ପ୍ରାୟ ୩୦ ଟି ମନ୍ଦିର ରହିଛି । ସେଗୁଡ଼ିକ ମଧ୍ୟରେ ପବିତ୍ର ସ୍ଥାନରେ ବଡ଼ ଲିଙ୍ଗ, ଆସନ୍ନ ମନ୍ଦିରରେ ବିଷ୍ଣୁଙ୍କ ମୂର୍ତ୍ତି ଓ ଉତ୍ତର ଦିଗରେ ଗଳି ରାସ୍ତାରେ ପୂର୍ବ ଆଡ଼କୁ ହନୁମାନଙ୍କର ଏକ ବିଶାଳ ମୂର୍ତ୍ତି ରହିଛି । ଏହି ମନ୍ଦିର ହିନ୍ଦୁ ଧର୍ମର ପ୍ରାୟ ସମସ୍ତ ଦେବୀ-ଦେବତା ମାନଙ୍କର ପ୍ରତିନିଧିତ୍ୱ କରିଥାଏ । ମନ୍ଦିରର ମୁଖ୍ୟ ଦେବତା ଭଗବାନ ଶିବ, ଭଗବାନ ବିଷ୍ଣୁ ଓ ଭଗବାନ ବ୍ରହ୍ମାଙ୍କୁ ଗୋଟିଏ ରୂପରେ ସ୍ତରନୁମଲ୍ୟାମ୍ କୁହାଯାଏ । ସ୍ତରନୁମଲ୍ୟାମ୍ ତିନି ଦେବତାଙ୍କୁ ଦର୍ଶାଇଥାଏ, ଯେଉଁଥିରେ ‘ସ୍ଥାନୁ’ର ଅର୍ଥ ‘ଶିବ’, ‘ମାଲ୍’ର ଅର୍ଥ ‘ବିଷ୍ଣୁ’ ଓ ‘ଆୟନ’ର ଅର୍ଥ ‘ବ୍ରହ୍ମା’ଅଟେ । ଭାରତର ମନ୍ଦିର ମାନଙ୍କ ମଧ୍ୟରେ ଏହା ଗୋଟିଏ ରହିଛି, ଯେଉଁଠି ତି୍ରମୂର୍ତ୍ତି ଓ ତିନି ଦେବତାଙ୍କର ପୂଜା ଗୋଟିଏ ମନ୍ଦିରରେ କରା ଯାଇଥାଏ ।
ଏହି ମନ୍ଦିର ମାତାଙ୍କ ଶକ୍ତିପୀଠ ମାନଙ୍କ ମଧ୍ୟରେ ଅନ୍ୟତମ । ଏହି ମନ୍ଦିରରେ ଶକ୍ତିଙ୍କୁ ନାରାୟଣୀ ରୂପରେ ପୂଜା କରାଯାଏ ଓ ଭଗବାନ ଭୈରବଙ୍କୁ ସଂହାର ଭୈରବ ରୂପରେ ପୂଜା କରାଯାଏ ।
ପୁରାଣ ଶାସ୍ତ୍ରରେ ବର୍ଣ୍ଣନା ଅନୁଯାୟୀ ଭରତୀୟ ଉପମହାଦେଶରେ ୪ଟି ଆଦି ଶକ୍ତିପୀଠ, ୧୮ଟି ମହା ଶକ୍ତିପୀଠ ଓ ୫୧ ଟି ଶକ୍ତିପୀଠ ରହିଛି । ତେବେ ଏହି ଶକ୍ତିପୀଠ ମାନଙ୍କ ମଧ୍ୟରେ“ସୁଚିନ୍ଦ୍ରମ ଶକ୍ତିପୀଠ ଅନ୍ୟତମ । ଶକ୍ତିପୀଠ ଗୁଡ଼ିକର ସୃଷ୍ଟି ସଂପର୍କରେ ପୁରାଣ ବର୍ଣ୍ଣିତ ଏକ ଚମକପ୍ରଦ କାହାଣୀ ରହିଛି । ହିନ୍ଦୁ ପୁରାଣ ଶାସ୍ତ୍ର ଅନୁଯାୟୀ ବ୍ରହ୍ମାଙ୍କ ପୁତ୍ର ଦକ୍ଷରାଜ ଯଜ୍ଞ କଲାବେଳେ ନିଜ ଝିଅ ବା ଭଗବାନ ଶିବଙ୍କ ପତ୍ନୀ ଦେବୀ ସତୀ ଓ ଭଗବାନ ଶିବଙ୍କୁ ଯଜ୍ଞରେ ଉପସ୍ଥିତ ହେବାକୁ ନିମନ୍ତ୍ରଣ କଲେ ନାହିଁ । ଫଳରେ ଦେବୀ ସତୀ ନିଜେ ବାପାଙ୍କ ଯଜ୍ଞ ସ୍ଥଳରେ ପହଞ୍ଚିଲେ ଓ ବାପାଙ୍କୁ କିଛି କହିବା ପୂର୍ବରୁ ସ୍ୱଂୟ ଦକ୍ଷରାଜ ଝିଅ ସତୀ ଓ ଭଗବାନ ଶିବଙ୍କୁ ଅପମାନ ସୂଚକ କଥା ଶୁଣାଇଲେ । ସେଠାରେ ସମସ୍ତ ଦେବୀ ଦେବତା ଉପସ୍ଥିତ ଥିବାରୁ ମା’ସତୀଙ୍କୁ ଖୁବ୍ ବାଧିଲା । ଅତି ଦୁଃଖରେ ମ୍ରିୟମାଣ ହୋଇ ମାତା ସତୀ ସେହି ଯଜ୍ଞକୁଣ୍ଣରେ ଆତ୍ମଦାହ କରିଦେଲେ । ତି୍ରକାଳଦର୍ଶୀ ଶିବ ଏ ଖବର ଜାଣି ସତୀଙ୍କ ମର ଶରୀର ହାତରେ ଧରି ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ । ସବୁଆଡ଼େ ଚାଲିଲା ଧ୍ୱଂସଲୀଳା । ଏହାର ସମାଧାନ ପାଇଁ ଦେବ ଦେବୀ ମାନେ ଭଗବାନ ବ୍ରହ୍ମା ଓ ଭଗବାନ ବିଷ୍ଣୁଙ୍କୁ ଅନୁରୋଧ କଲେ । ଭଗବାନ ଶିବ ଧରିଥିବା ସତୀଙ୍କ ମର ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଆତ୍ମା ରହିତ କରିବାକୁ ଭଗବାନ ବିଷ୍ଣୁ ନିଜର ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ । କିଛି କ୍ଷଣ ମଧ୍ୟରେ ମା’ ସତୀଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଗଲା ଓ ମା’ଙ୍କ ଶରୀରର ବିଭିନ୍ନ ଅଂଶ ଭାରତୀୟ ଉପମହାଦେଶର ଅନେକ ସ୍ଥାନରେ ବିଞ୍ଚିହୋଇ ପଡ଼ିଲା ।
ସର୍ବ ଶେଷରେ ସତୀଙ୍କ ଅଙ୍ଗର ମୁଖ୍ୟାଂଶ ସହ ସମସ୍ତ ଅଂଶ ବା ଖଣ୍ଡକୁ ଖୋଜି ପୂଜାର୍ଚ୍ଚନା ତଥା ଖଣ୍ଡ ଗୁଡ଼ିକର ସୁରକ୍ଷା ପାଇଁ ଭଗବାନ ଭୈରବଙ୍କୁ ନିଦେ୍ର୍ଦଶ ଦେଲେ ଭଗବାନ ବ୍ରହ୍ମା । ସେହି ଦୁର୍ଲଭ ସ୍ଥାନ ଗୁଡ଼ିକୁ ଭଗବାନ ବ୍ରହ୍ମା, ଭଗବାନ ବିଷ୍ଣୁ ଓ ଭଗବାନ ଶିବ ମିଶି ଶକ୍ତି ପୀଠର ମାନ୍ୟତା ଦେଲେ । ତେବେ ଭାରତୀୟ ଉପମହାଦେଶରେ ଥିବା ଶକ୍ତିପୀଠ ମାନଙ୍କ ମଧ୍ୟରେ ତାମିଲନାଡ଼ୁର ସୁଚିନ୍ଦ୍ରମ ଶକ୍ତିପୀଠ ଅନ୍ୟତମ । ଧାର୍ମିକ ଗ୍ରନ୍ଥ ଅନୁସାରେ ଯେଉଁ ସ୍ଥାନରେ ମାତା ସୁଚିନ୍ଦ୍ରମଙ୍କ ଶକ୍ତିପୀଠ ରହିଛି, ଏଠାରେ ମାତା ସତୀଙ୍କର ‘ଉପର ଦାନ୍ତ’ ଖଣ୍ଡ ପଡ଼ିଥିଲା ।
ପୌରାଣିକ କଥା ଅନୁସାରେ ଦେବତା ମାନଙ୍କର ରାଜା ଇନ୍ଦ୍ରଙ୍କୁ ମହର୍ଷି ଗୌତମ୍ଙ୍କ ଦ୍ୱାରା ଦିଆ ଯାଇଥିବା ଅଭିଶାପରୁ ଏହି ସ୍ଥାନରେ ମୁକ୍ତି ମିଳିଥିଲା । ସୁଚିନ୍ଦ୍ରମ ଶକ୍ତିପୀଠରେ ସମସ୍ତ ପର୍ବ ପାଳନ କରାଯାଏ । ବିଶେଷ କରି ଶିବରାତ୍ରୀ, ଦୁର୍ଗାପୂଜା ଓ ନବରାତ୍ର ପର୍ବରେ ସ୍ୱତନ୍ତ୍ର ପୂଜାର ଆୟୋଜନ ହୋଇଥାଏ । କିନ୍ତୁ ଏଠାରେ ଦୁଇଟି ପ୍ରମୁଖ ପର୍ବ ପାଳିତ ହୋଇଥାଏ, ଯାହା ଏହି ମନ୍ଦିରର ମୁଖ୍ୟ ଆକର୍ଷଣର କେନ୍ଦ୍ର ପାଲଟି ଥାଏ । ସେହି ପର୍ବ ହେଲା, ‘ସୁଚିନ୍ଦ୍ରମ ମର୍ଗଲୀ ପର୍ବ’ ଓ ‘ରଥଯାତ୍ରା’ । ଏହି ଉତ୍ସବ ପାଳନ ବେଳେ କେତେକ ଭକ୍ତ ଓ ଶ୍ରଦ୍ଧାଳୁ ଭଗବାନଙ୍କ ପୂଜା ପ୍ରତି ସମ୍ମାନ ଓ ସମର୍ପଣ ରୂପରେ ‘ବ୍ରତ’ (ଉପବାସ) ରଖିଥାନ୍ତି । ଏହି ସମୟରେ ମନ୍ଦିରକୁ ବିଭିନ୍ନ ପ୍ରକାର ଫୁଲ ଓ ଲାଇଟ୍ ଦ୍ୱାରା ସଜା ଯାଇଥାଏ । ମନ୍ଦିରର ଆଧ୍ୟାତ୍ମିକ ପରିବେଶ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନ-ମସ୍ତିଷ୍କକୁ ଶାନ୍ତି ପ୍ରଦାନ କରିଥାଏ ।
ଶରତ କୁମାର ରାଉତ, ମୋ: ୯୩୩୭୩୬୯୪୪୮/୯୪୩୭୪୪୧୦୭୨

 

Leave a Reply

Your email address will not be published.