ଭାରତରେ କାହିଁକି ସ୍ୱାସ୍ଥ୍ୟସେବାର ଦୟନୀୟ ଅବସ୍ଥା?

ଭାରତୀୟ ଅର୍ଥ ବ୍ୟବସ୍ଥା ପୃଥିବୀରେ ସବୁଠୁ ଦ୍ରୂତ ଗତିରେ ବଢି ଚାଲିଛି । ଆମ ଦେଶ ବିଶ୍ୱର ଷଷ୍ଠତମ ବଡ଼ ଅର୍ଥ ବ୍ୟବସ୍ଥା । ଆସନ୍ତା ୨୦୨୪ ମଧ୍ୟରେ ଭାରତୀୟ ଅର୍ଥ ବ୍ୟବସ୍ଥା ୫ଲକ୍ଷ କୋଟି ଡ଼ଲାର ହୋଇଯିବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି । ଏହାଦ୍ୱାରା ବିଶ୍ୱରେ ଆମର ସ୍ଥାନ ଉପରକୁ ଉଠିବ ଏବଂ ଆମେ ବିଶ୍ୱର ଚତୁର୍ଥ କିମ୍ବା ପଞ୍ଚମ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ହୋଇଯିବା । ଏବେ ଦେଶ ଯେଭଳି ଆର୍ଥିକ ଉନ୍ନତି ପଥରେ ଅଗ୍ରସର ହେଉଛି, ସେଥିରୁ ଏହା ଷ୍ପଷ୍ଟ ଜଣା ପଡ଼ୁଛି । ହେଲେ ଏପର୍ଯ୍ୟନ୍ତ ଆମେ ନିଜ ଦେଶରେ ସ୍ୱାସ୍ଥ୍ୟସେବାର ବିକାଶ ଓ ଶିଶୁ-ମାତୃ ମୃତୁ୍ୟ ସମସ୍ୟାକୁ ନିୟନ୍ତ୍ରଣ କରିପାରି ନାହୁଁ । ଏବେ ମଧ୍ୟ ବିହାର, ଓଡ଼ିଶା ଭଳି ଅନେକ ରାଜ୍ୟରେ ଶିଶୁ ଓ ମାତୃ ମୃତୁ୍ୟ ହାର ସେମିତି କିଛି କମିନାହିଁ । ଏହି ଅବସ୍ଥାରେ ଆମେ ଅର୍ଥ ବ୍ୟବସ୍ଥାରେ ଆଗକୁ ବଢିଲେ, ବିଦେଶୀ ମାନେ ଆମ ଆର୍ଥିକ ବିକାଶକୁ ଦେଖି ନାକରେ କାଠି ପୁରାଇ ହସିବେ ନିଶ୍ଚୟ । କାରଣ ଆମର ଆର୍ଥିକ ସ୍ଥିତି ସୁଧୁରିବା ସହ ତାଳ ଦେଇ ଆମର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସୁଧୁରିବା ଆବଶ୍ୟକ । ବିଶେଷତଃ କୋମଳ ମତି ଶିଶୁ ମାନଙ୍କର ଅକାଳ ବିୟୋଗ ଆମ ମଜଭୁତ ଆର୍ଥିକ ସ୍ଥିତିକୁ ଦୁନିଆ ସାମ୍ନାରେ ହାସ୍ୟାଷ୍ପଦ କରିବ । ଏଥିନେଇ ଆମ ଦେଶରେ ସ୍ୱାସ୍ଥ୍ୟ ବିଶଷଜ୍ଞ ତଥା ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ବାସ୍ତବରେ ଏହି ଘଟଣା ଆମ ଆର୍ଥିକ ବିକାଶରେ ସମ୍ମିଳିତ ସ୍ୱାସ୍ଥ୍ୟ କ୍ଷେତ୍ରର ବିକାଶ ଉପରେ ବିରାଟ ପ୍ରଶ୍ନ ଚିହ୍ନ ଲଗାଉଛି ।
ଏବେ ଭାରତର ଆର୍ଥିକ ସ୍ଥିତି ୨.୬୧ ଟ୍ରିଲିୟନ୍ ଡ଼ଲାରରେ ପହଞ୍ଚିଛି । ମାତ୍ର ଆଶ୍ଚର୍ଯ୍ୟର କଥା ଯେ, ଭାରତ ନିଜ ମୋଟ ଜୀଡ଼ୀପିର କେବଳ ୧.୪ଭାଗ ସ୍ୱାସ୍ଥ୍ୟସେବା ପାଇଁ ଖର୍ଚ୍ଚ କରୁଛି । ହେଲେ ବିଶ୍ୱ ସ୍ତରରେ ହାରାହରୀ ସ୍ୱାସ୍ଥ୍ୟସେବା ବାବଦରେ ୬ ଶତକଡ଼ାରୁ ଅଧିକ ଖର୍ଚ୍ଚ କରାଯାଉଛି । କିନ୍ତୁ ୨୦୧୭ ରେ ନୂଆ ସ୍ୱାସ୍ଥ୍ୟ ନୀତି ଅନୁସାରେ ଭାରତ ୨୦୨୫ ମସିହା ମଧ୍ୟରେ ସ୍ୱାସ୍ଥ୍ୟସେବା ଉପରେ ଜୀଡ଼ୀପୀର ୨.୫ ଶତକଡ଼ା ଖର୍ଚ୍ଚ କରିବାକୁ ଚେଷ୍ଟା କରୁଛି । ତେବେ ଭାରତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୬ ଶତକଡ଼ା ଅର୍ଥ କେବେ ଖର୍ଚ୍ଚ କରିବ, ତାହା ଭଗବାନଙ୍କୁ ଜଣା । ଅନ୍ୟ ଦେଶ ମାନଙ୍କରେ ସରକାର ସ୍ୱାସ୍ଥ୍ୟସେବା ଉପରେ ବହୁ ଅଧିକ ଖର୍ଚ୍ଚ କରନ୍ତି । କିନ୍ତୁ ଆମ ଦେଶରେ ସ୍ୱାସ୍ଥ୍ୟସେବା ବାବଦରେ ବହୁ କମ୍ ଖର୍ଚ୍ଚ ହୁଏ । ଅଧିକାଂଶ ଲୋକେ ଦାରିଦ୍ର୍ୟ ସୀମାରେଖା ତଳେ ଜୀବନ ଯାପନ କରୁଛନ୍ତି ଓ ସେମାନେ ସରକାରୀ ସ୍ୱାସ୍ଥ୍ୟସେବା ଉପରେ ହିଁ ଶହେ ଭାଗ ନିର୍ଭର କରନ୍ତି । ଏଣୁ ଦୁର୍ବଳ ସ୍ୱାସ୍ଥ୍ୟ ଭିତ୍ତିଭୂମି ଯୋଗୁ ଏଠାରେ ଅକାଳରେ ଲୋକେ ମରନ୍ତି ।
ଭାରତର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଡ଼ାକ୍ତରଙ୍କ ଅଭାବରେ ଚାଲିଛି । ଆମ ଦେଶରେ ପ୍ରତି ୧ ହଜାର ଲୋକଙ୍କ ପାଇଁ ମାତ୍ର ୦.୦୮ ଡ଼ାକ୍ତର ଅର୍ଥାତ୍ ୧୪୫୭ ଜନସଂଖ୍ୟାରେ ଜଣେ ଡ଼ାକ୍ତର କାର୍ଯ୍ୟ କରୁଛନ୍ତି । ଏଥିରୁ ବିଭିନ୍ନ ରାଜ୍ୟରେ କିଭଳି ଗମ୍ଭୀର ଅବସ୍ଥା ଥିବ, ଦେଖା ଯାଇପାରେ । ଝାଡ଼ଖଣ୍ଡ ରାଜ୍ୟରେ ପ୍ରତି ୮,୧୮୦ ଜନସଂଖ୍ୟାରେ ଜଣେ ଡ଼ାକ୍ତର କାର୍ଯ୍ୟରତ ଥିବାବେଳେ ହରିୟାନାରେ ୬,୦୩୭ ଜନସଂଖ୍ୟାରେ ଜଣେ ଡ଼ାକ୍ତର, ଛତିଶଗଡ଼ରେ ୪,୩୩୮ରେ ଜଣେ ଡ଼ାକ୍ତର, ଉତରପ୍ରଦେଶରେ ୩୭୬୭ ରେ ଜଣେ ଡ଼ାକ୍ତର, ଓଡ଼ିଶାରେ୨୫୪୯ ରେ ଜଣେ ଡ଼ାକ୍ତର ଓ ଶିଶୁ ମୃତୁ୍ୟର ରାଜ୍ୟ ବିହାରରେ ୩୨୦୭ ରେ ଜଣେ ଡ଼ାକ୍ତର କାର୍ଯ୍ୟରତ ଅଛନ୍ତି । ଅବଶ୍ୟ ଆମ ଦେଶର ସବୁ ରାଜ୍ୟର ସ୍ଥିତି ଏତେ ଦୟନୀୟ ନୁହେଁ । କେତେକ ରାଜ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାନଦଣ୍ଡ ଠାରୁ ମଧ୍ୟ ଢେର ଭଲ ଅବସ୍ଥାରେ ଅଛନ୍ତି । କର୍ଣ୍ଣାଟକ, ତାମିଲନାଡ଼ୁ, ପଞ୍ଜାବ ଓ ମହାରାଷ୍ଟ୍ରରେ ୧ହଜାର ଜନ ସଂଖ୍ୟାରେ ଜଣେ ଡ଼ାକ୍ତର କାର୍ଯ୍ୟରତ ଥିବାବେଳେ ଆନ୍ଧ୍ରରେ ୧୧୩୦ ଜନସଂଖ୍ୟାରେ ଜଣେ ଡ଼ାକ୍ତର ଓ ଦେଶର ସର୍ବୋତମ ସ୍ୱାସ୍ଥ୍ୟସେବା ତାଲିକାରେ ଗୋଆ ରେକର୍ଡ଼ ସୃଷ୍ଟି କରିଛି । ଏଠାରେ ୪୯୩ ଜନସଂଖ୍ୟାରେ ଜଣେ ଡ଼ାକ୍ତର କାର୍ଯ୍ୟ କରୁଛନ୍ତି ।
ବିଶ୍ୱର ବଡ଼ ଆର୍ଥିକ ଶକ୍ତି ହେବାକୁ ଯାଉଥିବା ଭାରତରେ ସ୍ୱାସ୍ଥ୍ୟ କ୍ଷେତ୍ରର ଦୟନୀୟ ଅବସ୍ଥା ଅତି ଦୁôଃଖ ଦାୟକ । ଭାରତରେ ମୁଖ୍ୟତଃ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଉପଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରେ ହିଁ ସୀମିତ ରହି ଯାଇଛି । କୌଣସି ଜଟିଳ ରୋଗୀର ଚିକିତ୍ସା ପାଇଁ ବାସ୍ତବରେ ଏହିସବୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଡ଼ାକ୍ତର, ପାରାମେଡ଼ିକାଲ୍ କର୍ମଚାରୀ, ଉନ୍ନତ ଚିକିତ୍ସା ଉପକରଣ ଓ ଉପଯୁକ୍ତ ଭିତ୍ତିଭୂମିର ଘୋର ଅଭାବ ରହିଛି । ଏଥିଯୋଗୁ ଗ୍ରାମାଞ୍ଚଳରେ ବିଶେଷତଃ ଶିଶୁ ଓ ମାତୃ ମୃତୁ୍ୟହାର ବଢି ଚାଲିଛି । ଆଶ୍ଚର୍ଯ୍ୟର କଥା ଯେ, ଦେଶରେ ବହୁ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ ହେଉଥିଲେ ହେଁ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଘୋର ଅଭାବ ରହିଛି । ବିଭିନ୍ନ ରାଜ୍ୟର ଦୟନୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ଆମକୁ କୌଣସି ଉଚିତ ଶିକ୍ଷା ଦେଇ ପାରୁନାହିଁ ।
ଓଡ଼ିଶାରେ “ଇଣ୍ଡିଆନ୍ ପବ୍ଲିକ୍ ହେଲ୍ଥ ଷ୍ଟାଣ୍ଡାର୍ଡ଼”(ଆଇପିଏଚ୍ଏସ୍)ର ମାନଦଣ୍ଡ ଅନୁଯାୟୀ ସ୍ୱାସ୍ଥ୍ୟ ଭିତ୍ତିଭୂମିର ସାମାନ୍ୟ ବିକାଶ ହୋଇଥିଲେ ହେଁ ଡ଼ାକ୍ତର ଓ ପାରାମେଡ଼ିକ୍ କର୍ମଚାରୀଙ୍କର ଘୋର ଅଭାବ ରହିଛି । ଡ଼ାକ୍ତର ଓ ଅନ୍ୟାନ୍ୟ ପାରାମେଡ଼ିକ୍ କର୍ମଚାରୀ ଯେ ବାସ୍ତବ ଭିତ୍ତିଭୂମିର ପ୍ରମୁଖ ଅଙ୍ଗ, ଏହା ହୁଏତ ଆମ ସ୍ୱାସ୍ଥ୍ୟ ପ୍ରଶାସନର ମୁଣ୍ଡରେ ପଶୁୁନାହିଁ । ଆଇପିଏଚ୍ଏସ୍ ଅନୁଯାୟୀ ଓଡ଼ିଶାର ଉପ-ସ୍ୱାସ୍ଥ୍ୟକେନ୍ଦ୍ର ସମେତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟାକନ୍ଦ୍ର ଓ ଜିଲ୍ଲା ସଦରମହକୁମା ଡ଼ାକ୍ତରଖାନାରେ ୧୫୦୧୪ ଜଣ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କର ନିଯୁକ୍ତିର ଆବଶ୍ୟକତା ଥିବାବେଳେ ଏବେ କାର୍ଯ୍ୟରତ ଅଛନ୍ତି ୭୨୧୫ । ସେହିପରି ୧୨୭୯ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ୨୩୧ ଗୋଷ୍ଠୀ ସ୍ୱାସ୍ଥ୍ୟାକନ୍ଦ୍ର, ୫୮ ଉପଜିଲ୍ଲା ସ୍ୱାସ୍ଥ୍ୟାକନ୍ଦ୍ର,୨୮ ଜିଲ୍ଲା ସଦରମହକୁମା ଡ଼ାକ୍ତରଖାନା(୨୦୧-୩୦୦ ଶଯ୍ୟା) ଓ ୪ ଜିଲ୍ଲା ସଦରମହକୁମା ଡ଼ାକ୍ତରଖାନା(୩୦୧-୫୦୦ ଶଯ୍ୟା), ବ୍ରହ୍ମପୁର, ବୁର୍ଲା ଓ କଟକ ବଡ଼ ମେଡ଼ିକାଲ୍ରେ ୧୪୧୯୨ ଷ୍ଟାଫ୍ ନର୍ସ ଙ୍କର ନିଯୁକ୍ତିର ଆବଶ୍ୟକତା ଥିବାବେଳେ ଏବେ କାର୍ଯ୍ୟରତ ଅଛନ୍ତି ମାତ୍ର ୩୫୨୩ । ଅବଶ୍ୟ ଇତି ମଧ୍ୟରେ କେତେକ ନର୍ସ ଅସ୍ଥାୟୀ ଭାବେ କାର୍ଯ୍ୟରତ ଅଛନ୍ତି । ସେହିପରି ହେଡ଼୍ ନର୍ସ, ମ୍ୟାଟ୍ରନ୍, ସହକାରୀ ମ୍ୟାଟ୍ରନ୍, ପିଏଚ୍ଏନ୍, ଡ଼ିପିଏଚ୍ଏନ, ମହିଳା ପରିଦର୍ଶିକା, ଫାର୍ମାସିଷ୍ଟ, ଏଲ୍ଟିଙ୍କ ଭଳି ବହୁ ପାରାମେଡ଼ିକ୍ କର୍ମୀଙ୍କର ନିଯୁକ୍ତିର ଆବଶ୍ୟକତା ରହିଛି । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ପାରାମେଡ଼ିକାଲ୍ କର୍ମଚାରୀ(ଆଗ ଧାଡ଼ିର କରୋନା ଯୋଦ୍ଧା)ମାନଙ୍କୁ ଉପଯୁକ୍ତ ବେତନ, ଗ୍ରେଡ଼୍-ପେ’ ଏବଂ ସରକାରୀ ନିୟମ ଅନୁଯାୟୀ ଚାକିରି କାଳରେ ତିନୋଟି ପଦୋନ୍ନତି ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି । ସେହିପରି ଓଡ଼ିଶାରେ ଡ଼ାକ୍ତର ଅଭାବ ସମସ୍ୟା ଏକ ଜଟିଳ ରୂପ ନେଇଛି । ଜାତୀୟ ସ୍ତରରେ ସମାନ ହେବାକୁ ଏଠାରେ ୧୦ ହଜାରରୁ ଅଧିକ ଡ଼ାକ୍ତରଙ୍କ ଆବଶ୍ୟକତା ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଓଡ଼ିଶାରେ ୧ ହଜାର ଲୋକଙ୍କ ପାଇଁ ଜଣେ ଡ଼ାକ୍ତରଙ୍କର ଆବଶ୍ୟକତା ରହିଛି । ସ୍ୱାସ୍ଥ୍ୟସେବା ଦିଗରେ ଆମେ କାହିଁକି ପଛରେ ପଡ଼ିଛୁ, ବ୍ୟାପକ ସମୀକ୍ଷା ହେବା ଉଚିତ । ଆମ ରାଜ୍ୟରେ ଅଧିକ ଡ଼ାକ୍ତର ସୃଷ୍ଟି ହେବା ସହ ଆବଶ୍ୟକୀୟ ପାରାମେଡ଼ିକ୍ କର୍ମୀ ନିଯୁକ୍ତି ପାଇଲେ ହିଁ ବାସ୍ତବ ଭିତ୍ତିଭୂମିର ବିକାଶ ହୋଇପାରିବ । ଯଦିଓ ଆମର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ ଅନୁଯାୟୀ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକଶିତ ହୋଇ ପାରନ୍ତା ଓ ୧ ହଜାର ଲୋକଙ୍କ ପାଇଁ ଜଣେ ଡ଼ାକ୍ତର କାର୍ଯ୍ୟ କରନ୍ତେ, ତେବେ ଆଗାମୀ ଦିନରେ ଆମ ଓଡ଼ିଶା ସହଜରେ ଜଟିଳ ସ୍ୱାସ୍ଥ୍ୟ ସମସ୍ୟାକୁ ବି ମୁକାବିଲା କରି ପାରନ୍ତା ।
 ଶରତ କୁମାର ରାଉତ ,  ଓଡ଼ିଶା ନୁ୍ୟଜ୍ ସର୍ଭିସ୍ ,
ଭୁବନେଶ୍ୱର, ମୋ-୯୩୩୭୩୬୯୪୪୮

Leave a Reply

Your email address will not be published. Required fields are marked *