ଭାରତରେ ଜଳ ପ୍ରଦୂଷଣର ଭୟାବହତା!

ଶରତ କୁମାର ରାଉତ
ଗତ ଶହେ ବର୍ଷ ମଧ୍ୟରେ ସାରା ପୃଥିବୀରେ ପାଣିର ବ୍ୟବହାର ୭ ଗୁଣ ବୃଦ୍ଧି ପାଇଥିଲା ବେଳେ ଏହି ସମୟରେ ଜନସଂଖ୍ୟା ୨ ଗୁଣ ବଢିଛି । ଆନ୍ତର୍ଜାତିକ ସ୍ତରରେ ବୈଜ୍ଞାନିକ ମାନଙ୍କ ସର୍ବେକ୍ଷଣ ଅନୁଯାୟୀ ସାରା ବିଶ୍ୱରେ ନଦୀ କୂଳବର୍ତୀ ଅଂଚଳରେ ଜନସଂଖ୍ୟା ବୃଦ୍ଧି ହେତୁ ଜଳ ପ୍ରଦୂଷଣ ବଢିଛି ଓ ପାନୀୟ ଜଳ ସଂକଟ ଚରମ ସୀମାରେ ପହଂଚିଛି । ଜଣାପଡ଼ିଛି ଯେ, ଗଙ୍ଗାନଦୀ ତଟରେ ଓ ଏହାର ଆଖପାଖରେ ୬୯୫ ଟି ସହର ଓ ବସ୍ତୀ ରହିଛି । ବେସରକାରୀ ହିସାବ ଅନୁସାରେ ଏକାକୀ ବନାରସ ସହର ପ୍ରତିବର୍ଷ ଗଙ୍ଗାମାତାଙ୍କୁ ୧୦ ହଜାରରୁ ଉଦ୍ଧ୍ୱର୍ ପଶୁ ଓ ମଣିଷ ଶବ ଅର୍ପଣ କରୁଛି । କେନ୍ଦ୍ର ପ୍ରଦୂଷଣ ବୋର୍ଡ଼ର ଏକ ରିପୋର୍ଟ ଅନୁସାରେ ମହାନ୍ ତୀର୍ଥଧାମ ହରିଦ୍ୱାରରୁ ଗଙ୍ଗାକୁ ପ୍ରତିଦିନ ପ୍ରାୟ ୨କୋଟି ଲିଟର ମଳଯୁକ୍ତ ଜଳ ପ୍ରବେଶ କରୁଛି । କାନପୁର ଶିଳ୍ପ କାରଖାନା ଗଙ୍ଗା ଉପରେ ଯେପରି ଅତ୍ୟାଚାର କରୁଛି, ତାହା ଅବର୍ଣ୍ଣନୀୟ । ଏଭଳି ଅବସ୍ଥା ଯମୁନା ଓ ଅନ୍ୟାନ୍ୟ ଧାର୍ମିକ ନଦୀ ମାନଙ୍କର ମଧ୍ୟ ରହିଛି ।
ଆମ ଦେଶରେ ମୋଟ ୫,୬୬,୮୯୦ଟି ଗ୍ରାମ ରହିଛି ଓ ପ୍ରାୟ ୮୫ ଶତକଡ଼ା ଲୋକେ ପାଣି ପାଇଁ କୂଅ, ପୋଖରୀ, ଝରଣା ଓ ନଦୀ ଉପରେ ନିର୍ଭର କରନ୍ତି । ସରକାରୀ ହିସାବ ଅନୁସାରେ ବର୍ତମାନ ପ୍ରାୟ ଅଢେଇ ଲକ୍ଷ ଗ୍ରାମ ପାନୀୟ ଜଳରୁ ବଂଚିତ ଅଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଦେଶର ୩୫ ଶତକଡ଼ା ଲୋକଙ୍କୁ ପାନୀୟ ଜଳ ମିଳି ପାରୁଥିବାବେଳେ ୬୫ ଶତକଡ଼ା ଲୋକେ ଏଥିରୁ ବଂଚିତ । ଆମେ ନିଜେ କେତେକ ଜଳ ଉତ୍ସକୁ ନିଜ ହାତରେ ନଷ୍ଟ କରୁଥିବା ଏହାର ଏକ ମୁଖ୍ୟ କାରଣ । ଗାଁ ମାନଙ୍କରେ ଅଧିକାଂଶ କୂଅ ଓ ପୋଖରି ଏବେ ମଧ୍ୟ ଅପରିଷ୍କାର ରହିଛି । ଖୁବଶୀଘ୍ର ଭାରତରେ ଜଳସଂକଟ ଦେଖାଦେବାର ଆଶଙ୍କା ରହିଥିଲେ ହେଁ ପ୍ରତିକାର ବ୍ୟବସ୍ଥା ନକରି ଆମେ ନୀରବ ରହିଛେ । କିଛିବର୍ଷ ତଳେ ୱାସିଂଟନ୍ ସ୍ଥିତ “ୱାର୍ଲଡ଼ ୱାଟର୍ ଇନ୍ଷ୍ଟିଚୁ୍ୟଟ୍”ଭାରତରେ ଜଳ ସଂକଟର ଭବିଷ୍ୟବାଣୀ କରିଥିଲେ । ଭାରତରେ ଜଙ୍ଗଲ ଧ୍ୱଂସକୁ ଏହାର ମୁଖ୍ୟ କାରଣ ବୋଲି କୁହା ଯାଇଥିଲା । ଏକ ବୈଜ୍ଞାନିକ ତଥ୍ୟ ଅନୁଯାୟୀ ପର୍ଯ୍ୟାପ୍ତ ବର୍ଷା ପାଇଁ ଏକ-ତୃତୀୟାଂଶ ଭାଗ ଜଙ୍ଗଲର ଆବଶ୍ୟକତା ରହିଛି । ହେଲେ ଆମ ଦେଶରେ କ୍ରମେ ଜଙ୍ଗଲ ପରିମାଣ ହ୍ରାସ ପାଇ ଚାଲିଛି । କୃତି୍ରମ ଜଙ୍ଗଲ ସୃଷ୍ଟି କେବଳ ଖାତାପତ୍ରରେ ଚାଲିଥିବା ଦେଖା ଯାଉଛି । ଅନ୍ୟ ଏକ ସରକାରୀ ରିପୋର୍ଟ ଅନୁଯାୟୀ ଆମ ଦେଶର ପ୍ରାୟ ଶତକଡ଼ା ୭୫ ଭାଗ ପାଣି ପ୍ରଦୂଷିତ ହୋଇ ଯାଇଛି । କିଛିବର୍ଷ ତଳେ ଅନ୍ତର୍ଜାତୀୟ ପରିବେଶ ଅନୁସନ୍ଧାନ ସଂସ୍ଥାର ମୁଖ୍ୟ ଡ଼େଭିଡ଼୍ ନେଲସନ୍ ଭାରତରେ ଜଳ ପ୍ରଦୂଷଣର ଭୟାବହତା ସଂପର୍କରେ ଉଲ୍ଲେଖ କରି ତୁରନ୍ତ ଏହାର ନିୟନ୍ତଣ ଅପରିହାର୍ଯ୍ୟ ବୋଲି କହିଥିଲେ । ଆମର ଶାସ୍ତ୍ର ଅନୁଯାୟୀ ଜଳ ଭଣ୍ଡାରକୁ ଭଗବାନ ବରୁଣଙ୍କ ବାସ ସ୍ଥାନ ଭାବେ ଗ୍ରହଣ କରାଯାଇ ଏଥିରେ କୌଣସି ବର୍ଯ୍ୟବସ୍ତୁ ଫିଙ୍ଗାଯିବା ପାପ ବୋଲି ଧରାଯାଏ । କିନ୍ତୁ ଏହି ଶାସ୍ତ୍ର ମତକୁ ଅଧିକାଂଶ ଭାରତୀୟ ମାନୁ ନାହାନ୍ତି । ସାଧାରଣତଃ ଆମେ ଅଶୌଚ ଥିଲେ, ଗଙ୍ଗା ଓ ଯମୁନା ଭଳି ନଦୀରେ ଗାଧୋଇ ପବିତ୍ର ହୋଇ ଯିବାର ପରମ୍ପରା ରହିଛି । କିନ୍ତୁ ଆଜି ଏହି ନଦୀ ମାନଙ୍କୁ ଲୋକେ ଅଳିଆ ଆବର୍ଜ୍ଜନା ମୟ କରି ଦେଇଛନ୍ତି ।
ଯଦିଓ ଜାତୀୟ ବିକାଶ ପାଇଁ ଶିଳ୍ପ କାରଖାନାର ବିକାଶ ଅପରିହାର୍ଯ୍ୟ, ହେଲେ ଏହାର ଅର୍ଥ ନୁହେଁ ଯେ, ଏଥିପାଇଁ ଜାଣିଶୁଣି ମଣିଷ ସମାଜକୁ ଧ୍ୱଂସ ମୁହଁକୁ ଠେଲିଦେବା । ଜଳ ପ୍ରଦୂଷଣରେ ଶିଳ୍ପସଂସ୍ଥାର ଭୂମିକା ୪୦ରୁ ୪୫ ଶତକଡ଼ା ରହିଥିବା ଏକ ହିସାବରୁ ଜଣାପଡ଼ିଛି । ୧ ଟନ୍ କାଗଜ ଓ ୧ଟନ୍ ଇଷ୍ପାତ ତିଆରି ପାଇଁ ଯଥାକ୍ରମେ ଅଢେଇ ଲକ୍ଷ ଲିଟର ଓ ୭୫ ହଜାର ଲିଟର ପାଣି ବ୍ୟୟ ହୋଇଥାଏ । ଏହି ଅନୁପାତରେ ଅନ୍ୟାନ୍ୟ ଜିନିଷ ତିଆରିରେ ବହୁ ଅଧିକ ପାଣି ଖର୍ଚ୍ଚ ହୁଏ । ବିକଶିତ ଦେଶର ବିଶେଷଜ୍ଞ ମାନେ ପାଣିର ଆବଶ୍ୟକତା ହ୍ରାସ କରାଇ ଉତ୍ପାଦନ ବୃଦ୍ଧି କରାଇଥିବା ଦେଖିବାକୁ ମିଳୁଛି । ଅନ୍ୟାନ୍ୟ ଦେଶର ଲୋକେ ମଧ୍ୟ ଏ ସଂପର୍କରେ ସଚେତନ ହୋଇ ଜଳ ପ୍ରଦୂଷଣ ରୋକିବା ପାଇଁ ଉଦ୍ୟମ କରୁଛନ୍ତି । ଇସ୍ରାଏଲ୍ ଭଳି ଜଳ ସଂକଟ ଗ୍ରସ୍ତ ଦେଶ ଦୂଷିତ ଜଳର ୭୫ ଭାଗକୁ ପୁନଃ ଉପଯୋଗ କରାଇ ପାରୁଥିବା ବିଷୟରେ ଆମେ ଚିନ୍ତା କରିବା ଉଚିତ । ଯଦିଓ ଆମେ ବର୍ତମାନର ଅବସ୍ଥାକୁ ୍ରଆଖି ବୁଜିଦେବା, ତେବେ ଏହାର ଶାସ୍ତି ସ୍ୱଂୟ ଆମକୁ ତଥା ଆମର ଉତର ପିଢିକୁ ହିଁ ଭୋଗିବାକୁ ପଡ଼ିବ, ଏଥିରେ ସନେ୍ଦହ ନାହିଁ ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ଭୁବନେଶ୍ୱର, ମୋ-୯୩୩୭୩୬୯୪୪୮

Leave a Reply

Your email address will not be published. Required fields are marked *