ସ୍ୱାସ୍ଥ୍ୟସେବାରେ ଆମେ କାହିଁକି ପଛୁଆ?

ସ୍ୱାସ୍ଥ୍ୟସେବାରେ ଆମେ କାହିଁକି ପଛୁଆ?

ଶରତ କୁମାର ରାଉତ
ଆମ ଦେଶର କେଉଁ କେଉଁ ରାଜ୍ୟ ସ୍ୱାସ୍ଥ୍ୟସେବା ଯୋଗାଣରେ ଆଗରେ ଅଛନ୍ତି ଓ କେଉଁ କେଉଁ ରାଜ୍ୟ ପଛରେ ଅଛନ୍ତି, ତାହା ନୀତି ଆୟୋଗର ରିପୋର୍ଟରୁ ସ୍ଫଷ୍ଟ ହୋଇଛି । ନୀତି ଆୟୋଗର ରିପୋର୍ଟ ଅନୁସାରେ ଆମ ଦେଶରେ କେରଳ ରାଜ୍ୟ ସରକାର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଣରେ ସବୁଠୁ ଆଗରେ ରହିଛି । ସେହିପରି ଉତ୍ତରପ୍ରଦେଶ ସ୍ୱାସ୍ଥ୍ୟସେବା ଯୋଗାଣରେ ଦେଶରେ ସବୁଠୁ ତଳେ ରହିଛି । କେରଳ ସ୍ୱାସ୍ଥ୍ୟସେବାର ସମସ୍ତ ମାପଦଣ୍ଡ ଆଧାରରେ ସ୍ୱାସ୍ଥ୍ୟସେବା ଯୋଗାଣରେ ପ୍ରଥମ ରାଜ୍ୟ ଭାବେ ପରିଗଣିତ ହୋଇଛି । ନୀତି ଆୟୋଗର ଚତୁର୍ଥ ସ୍ୱାସ୍ଥ୍ୟ ମାପଦଣ୍ଡରେ (୨୦୨୧) ୨୦୧୯-୨୦ରେ କେରଳ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିଲା । ସେହିପରି ତାମିଲନାଡ଼ୁ ଦ୍ୱିତୀୟ ଏବଂ ତେଲେଙ୍ଗାନା ତୃତୀୟ ସ୍ଥାନରେ ରହିଛନ୍ତି । ଅନ୍ୟପକ୍ଷରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର କ୍ରମଶଃ ଉନ୍ନତି କ୍ଷେତ୍ରରେ ଉତ୍ତରପ୍ରଦେଶ ସବୁଠୁ ଆଗରେ ରହିଥିବା କୁହାଯାଇଛି । ଦେଶର ଛୋଟ ରାଜ୍ୟ ମାନଙ୍କ ମଧ୍ୟରେ ମିଜୋରାମ ଶୀର୍ଷ ସ୍ଥାନରେ ରହିଥିବା ବେଳେ କେନ୍ଦ୍ର ଶାସିତ ପ୍ରଦେଶ ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦିଲ୍ଲି ଓ ଜାମୁ-କାଶ୍ମୀର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସମସ୍ତ ମାପଦଣ୍ଡ ଆଧାରରେ ସବୁଠୁ ତଳେ ରହିଛନ୍ତି । ଅନ୍ୟପକ୍ଷରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର କ୍ରମଶଃ ଉନ୍ନତି କ୍ଷେତ୍ରରେ ଦିଲ୍ଲି ଓ ଜାମୁ-କାଶ୍ମୀରର ଉଦ୍ୟମ ସବୁଠୁ ଆଗରେ ରହିଥିବା କୁହାଯାଇଛି । ସେହିପରି ରାଜସ୍ଥାନ ସ୍ୱାସ୍ଥ୍ୟସେବା ଯୋଗାଣ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିପାରି ନଥିବା କୁହାଯାଇଛି ।
ନୀତି ଆୟୋଗର ରିପୋର୍ଟ ଅନୁଯାୟୀ ଆମ ଦେଶର ବିଭିନ୍ନ ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କେଉଁ ରାଜ୍ୟ କେଉଁ ସ୍ଥାନରେ ରହିଛନ୍ତି, ତାହା ଦେଖାଯାଉ । ଏଥିରେ କେରଳ ପ୍ରଥମ ସ୍ଥ୍‌ାନରେ ଥିବାବେଳେ ତାମିଲନାଡ଼ୁ ୨ରେ,ତେଲେଙ୍ଗାନା୩ ରେ, ଆନ୍ଧ୍ର ପ୍ରଦେଶ ୪ ରେ, ମହାରାଷ୍ଟ୍ର ୫ରେ, ଗୁଜରାଟ ୬ ରେ, ହିମାଂଚଳ ପ୍ରଦେଶ ୭ରେ, ପଂଜାବ ୮ରେ, କର୍ଣ୍ଣାଟକ ୯ ରେ, ଛତିଶଗଡ଼ ୧୦ ରେ, ହରିଆନା ୧୧ରେ, ଆସାମ ୧୨ ରେ, ଝାରଖଣ୍ଡ ୧୩ ରେ, ଓଡ଼ିଶା ୧୪ରେ, ଉତ୍ତରାଖଣ୍ଡ ୧୫ରେ, ରାଜସ୍ତାନ ୧୬ ରେ, ମଧ୍ୟପ୍ରଦେଶ ୧୭ ରେ, ବିହାର ୧୮ରେ ଏବଂ ଉତ୍ତର ପ୍ରଦେଶ ସବୁଠୁ ତଳେ ୧୯ ସ୍ଥାନରେ ରହିଛି । ନୀତି ଆୟୋଗର ରିପୋର୍ଟ ଅନୁଯାୟୀ ଆମ ରାଜ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନ୍ୟ ରାଜ୍ୟ ମାନଙ୍କର ବହୁ ପଛରେ ଅର୍ଥାତ୍ ୧୪ ତମ ସ୍ଥାନରେ ରହିଛି । ଏଥିରୁ ଲାଗୁଛି ଆମ ରାଜ୍ୟ ସରକାର ରାଜ୍ୟରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ତୁରନ୍ତ ଉଦ୍ୟମ କରିବା ଆବଶ୍ୟକ ।
ଏବେ ସରକାରଙ୍କ ପାଇଁ ଆମ ସ୍ୱାସ୍ଥ୍ୟ ଭିତିଭୂମି ମଜଭୁତ କରାଇବାର ସମୟ ଆସିଛି । ମହାମାରୀ କରୋନାର ତାଣ୍ଡବ ବେଳେ ଏହାର ସାମ୍ନା କରିବା ପାଇଁ ସରକାରଙ୍କୁ ନାକେଦମ୍ ହେବାକୁ ପଡ଼ିଥିଲା ଓ କୌଣସି ସମୟରେ ମଧ୍ୟ ପୁଣି ସେହି ମହାମାରୀ ତାଣ୍ଡବ ସୃଷ୍ଟି କରିପାରେ । କରୋନା ସହ ଲଢିବାକୁ ଆମ ରାଜ୍ୟର ସ୍ୱାସ୍ଥ୍ୟ ଭିତିଭୂମି ପ୍ରାୟତଃ ସକ୍ଷମ ନୁହେଁ । ଏଣୁ ତୁରନ୍ତ ଆମ ରାଜ୍ୟରେ ସ୍ୱାସ୍ଥ୍ୟ ଭିତିଭୂମି ମଜଭୁତ କରାଯିବା ଆବଶ୍ୟକ ।
ସରକାରୀ ଡ଼ାକ୍ତରଖାନାରେ ସୁବିଧାରେ ରକ୍ତ, ମଳ, ମୂତ୍ର ଆଦି ବିଭିନ୍ନ ପରିକ୍ଷା ବ୍ୟବସ୍ଥା ଥିôଲେ ହେଁ ରୋଗୀଙ୍କୁ ଘରୋଇ ପରୀକ୍ଷାଗାର ଉପରେ ନିର୍ଭର କରିବାକୁ ପଡ଼େ ଓ ସେଠାରେ ସେମାନେ ଶୋଷିତ ହେଉଛନ୍ତି । ଡ଼ାକ୍ତରଖାନା ଗୁଡ଼ିକରେ ବହୁମୂଲ୍ୟ ଔଷଧ ମିଳିବାତ ଦୂରର କଥା, ସାଲାଇନ୍ ବା ସାଧାରଣ ରୋଗର ବଟିକା ମଧ୍ୟ ରୋଗୀଙ୍କୁ ବାହାରୁ କିଣିବାକୁ ପଡୁଛି଼ । ରାଜ୍ୟ ସରକାର କୋଟିକୋଟି ଟଙ୍କାର ଅନେକ ପ୍ରକାର ଔଷଧ କିଣନ୍ତି । ମାତ୍ର ସେସବୁ ରୋଗୀଙ୍କ ଭାଗରେ ପଡ଼େନି ।
“ଇଣ୍ଡିଆନ୍ ପବ୍ଲିକ୍ ହେଲ୍‌ଥ ଷ୍ଟାଣ୍ଡାର୍ଡ଼”(ଆଇପିଏଚ୍‌ଏସ୍‌)ର ମାନଦଣ୍ଡ ଅନୁଯାୟୀ ଓଡ଼ିଶାରେ ଭିତିଭୂମିର ସାମାନ୍ୟ ବିକାଶ ହୋଇଥିଲେ ହେଁ ଡ଼ାକ୍ତର, ନର୍ସ ଓ ଅନ୍ୟାନ୍ୟ ପାରାମେଡ଼ିକ୍ କର୍ମଚାରୀଙ୍କର ଘୋର ଅଭାବ ରହିଛି । ତେବେ ଡ଼ାକ୍ତର, ନର୍ସ ଓ ଅନ୍ୟାନ୍ୟ ପାରାମେଡ଼ିକ୍ କର୍ମଚାରୀ ଯେ ବାସ୍ତବ ଭିତିଭୂମିର ପ୍ରମୁଖ ଅଙ୍ଗ, ଏହା ହୁଏତ ସ୍ୱାସ୍ଥ୍ୟ ପ୍ରଶାସନର ମୁଣ୍ଡରେ ପଶୁୁନାହିଁ । ଆଇପିଏଚ୍‌ଏସ୍ ଅନୁଯାୟୀ ଓଡ଼ିଶାର ଉପସ୍ୱାସ୍ଥ୍ୟକେନ୍ଦ୍ର ସମେତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟାକନ୍ଦ୍ର ଓ ଜିଲ୍ଲା ସଦରମହକୁମା ଡ଼ାକ୍ତରଖାନା ରେ ୧୫୦୧୪ ଜଣ ମହିଳା ସ୍ୱାସ୍ଥ୍ୟକର୍ମୀ ଙ୍କର ନିଯୁକ୍ତିର ଆବଶ୍ୟକତା ଥିବାବେଳେ ଏବେ କାର୍ଯ୍ୟରତ ଅଛନ୍ତି ୭୨୧୫ । ସେହିପରି ରାଜ୍ୟର ୧୨୭୯ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ୨୩୧ ଗୋଷ୍ଠୀ ସ୍ୱାସ୍ଥ୍ୟାକନ୍ଦ୍ର, ୫୮ ଉପଜିଲ୍ଲା ସ୍ୱାସ୍ଥ୍ୟାକନ୍ଦ୍ର,୨୮ ଜିଲ୍ଲା ସଦରମହକୁମା ଡ଼ାକ୍ତରଖାନା(୨୦୧-୩୦୦ ଶଯ୍ୟା) ଓ ୪ ଜିଲ୍ଲା ସଦରମହକୁମା ଡ଼ାକ୍ତରଖାନା(୩୦୧-୫୦୦ ଶଯ୍ୟା), ବ୍ରହ୍ମପୁର, ବୁର୍ଲା ଓ କଟକ ବଡ଼ ମେଡ଼ିକାଲ୍‌ରେ ୧୪୧୯୨ ଷ୍ଟାଫ୍ ନର୍ସ ଙ୍କର ନିଯୁକ୍ତି ଆବଶ୍ୟକତା ଥିବାବେଳେ ଏବେ କାର୍ଯ୍ୟରତ ଅଛନ୍ତି ମାତ୍ର ୩୫୨୩ । ସେହିପରି ଆଇପିଏଚ୍‌ଏସ୍ ନିୟମ ଅନୁଯାୟୀ କର୍ମୀ ନିଯୁକ୍ତି ତ ଭିନ୍ନ କଥା, ହେଲେ ବର୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କର ଯେତିକି ପଦବୀ ରହିଛି, ସେଗୁଡ଼ିକରୁ ଅଧିକାଂଶ ମଧ୍ୟ ଖାଲି ପଡ଼ିଛି । ହେଡ଼୍ ନର୍ସ, ମ୍ୟାଟ୍ରନ୍‌, ସହକାରୀ ମ୍ୟାଟ୍ରନ୍‌, ପିଏଚ୍‌ଏନ୍‌, ଡ଼ିପିଏଚ୍‌ଏନ, ମହିଳା ପରିଦର୍ଶିକା, ଫାର୍ମାସିଷ୍ଟ, ଏଲ୍‌ଟି, ଭଳି ବହୁ ପାରାମେଡ଼ିକ୍ କର୍ମୀଙ୍କର ନିଯୁକ୍ତିର ଆବଶ୍ୟକତା ରହିଛି ।
କରୋନା ସମୟରେ ମୁଖ୍ୟତଃ ନର୍ସ ମାନଙ୍କର ସେବାକୁ ସବୁ ମହଲରେ ଭୁରି ଭୁରି ପ୍ରଶଂସା କରାଯାଇଥିଲା । ଏଣୁ ସେମାନଙ୍କର ସେବାକୁ ସମ୍ମାନ ଦେଇ ସେମାନଙ୍କ ଅବସର ବୟସ ସୀମା ୬୫ ବର୍ଷ କୁ ବୃଦ୍ଧି କରାଯିବାର ଆବଶ୍ୟକତା ଥିବା ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି । ମହାମାରୀର ତାଣ୍ଡବ ବେଳେ ନର୍ସମାନେ ନିଜ ଜୀବନକୁ ଖାତିର ନକରି ସାଧାରଣ ଲୋକ ମାନଙ୍କୁ ଅକୁଣ୍ଠିତ ସେବା ଯୋଗାଇ ଥିବାରୁ ମୁଖ୍ୟମନ୍ତ୍ରୀ ମଧ୍ୟ ସେମାନଙ୍କୁ ପ୍ରଶଂସା କରିଛନ୍ତି । ଆଗାମୀ ବର୍ଷ ମାନଙ୍କରେ ବହୁ ନର୍ସ ଅବସର ନେବେ । ମାତ୍ର ଏହି ସମୟରେ ସରକାର ସେହି ଅଭିଜ୍ଞ ନର୍ସ ମାନଙ୍କୁ ଅବସର ଦେବା ଠିକ୍ ନୁହେଁ ବୋଲି କୁହା ଯାଉଛି । ଏଣୁ ମୁଖ୍ୟମନ୍ତ୍ରୀ ନର୍ସ ମାନଙ୍କର ଅବସର ବୟସ ୬୫ ବର୍ଷକୁ ବୃଦ୍ଧି କରି ସେମାନଙ୍କ ଉତ୍ସର୍ଗୀକୃତ ସେବାକୁ ପୁରସ୍କୃ କରିବା ଆବଶ୍ୟକ । ଏହାଦ୍ୱାରା ନର୍ସ ଅଭାବ ପୂରଣ ହେବା ସହ ସେମାନଙ୍କ ନିଷ୍ଠା ପାଇଁ ସରକାର କିଛି କଲେ ବୋଲି ଜଣା ପଡ଼ିବ ।
ଅନ୍ୟପକ୍ଷରେ ଓଡ଼ିଶାରେ ଡ଼ାକ୍ତର ଅଭାବ ସମସ୍ୟା ଏକ ଜଟିଳ ରୂପ ନେଇଛି । ଏବେ ଓଡ଼ିଶାରେ ଡ଼ାକ୍ତର ଓ ରୋଗୀ ଅନୁପାତ ୧:୨୫୪୯ ରହିଛି । ଜାତୀୟ ସ୍ତରରେ ସମାନ ହେବାକୁ ଏଠାରେ ୧୦ ହଜାର ଡ଼ାକ୍ତରଙ୍କ ଆବଶ୍ୟକତା ରହିଛି । ଜାତୀୟ ସ୍ତରରେ ଡ଼ାକ୍ତର ଓ ରୋଗୀ ଅନୁପାତ ୧:୧୪୫୭ ରହିଛି । ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଓଡ଼ିଶାରେ୧ ହଜାର ଲୋକଙ୍କ ପାଇଁ ଜଣେ ଡ଼ାକ୍ତରଙ୍କର ଆବଶ୍ୟକତା ରହିଛି । କିନ୍ତୁ କର୍ଣ୍ଣାଟକ, ତାମିଲନାଡ଼ୁ, ପଞ୍ଜାବ ଓ ମହାରାଷ୍ଟ୍ରରେ ଡ଼ାକ୍ତର ଓ ରୋଗୀ ଅନୁପାତ ୧:୧୦୦୦ ରହିଛି । ଦେଶର ସର୍ବୋତମ ସ୍ୱାସ୍ଥ୍ୟସେବା ତାଲିକାରେ ଗୋଆ ରେକର୍ଡ଼ ସୃଷ୍ଟି କରିଛି । ଏଠାରେ ଡ଼ାକ୍ତର ଓ ରୋଗୀ ଅନୁପାତ ୧:୪୯୩ ରହିଛି । ଆମ ପଡ଼ୋଷୀ ଆନ୍ଧ୍ରରେ ଏହି ଅନୁପାତ ୧:୧୧୩୦ ରହିଛି । ଏହାର ମୁଖ୍ୟ କାରଣ ହେଲା, ଆନ୍ଧ୍ରରେ ୩୧ ଟି ମେଡ଼ିକାଲ୍ କଲେଜ ରହିଛି । ପ୍ରତିବର୍ଷ ଏଠାରୁ ୪୭୫୦ ଡ଼ାକ୍ତର ଉତୀର୍ଣ୍ଣ ହେଉଛନ୍ତି । ମାତ୍ର ଓଡ଼ିଶାରେ ୯ଟି ମେଡ଼ିକାଲ୍ କଲେଜରୁ ପ୍ରତିବର୍ଷ ୯୦୦ ଡ଼ାକ୍ତର ଉତୀର୍ଣ୍ଣ ହେବାର ବ୍ୟବସ୍ଥା ରହିଛି । ଏ ଦିଗରେ ଆମେ କାହିଁକି ପଛରେ ପଡ଼ିଛୁ, ବ୍ୟାପକ ସମୀକ୍ଷା ହେବା ଉଚିତ । ଆମ ରାଜ୍ୟରେ ଅଧିକ ଡ଼ାକ୍ତର ସୃଷ୍ଟି ହେବା ସହ ଆବଶ୍ୟକୀୟ ପାରାମେଡ଼ିକ୍ କର୍ମୀ ନିଯୁକ୍ତି ପାଇଲେ ହିଁ ବାସ୍ତବ ଭିତିଭୂମିର ବିକାଶ ହୋଇପାରିବ । ଆଜି କରୋନା ଭୁତାଣୁର ତାଣ୍ଡବରୁ ରକ୍ଷା ପାଇଁ ଆମେ ଡ଼ହଳ ବିକଳ ହେଉଛେ । ବାସ୍ତବରେ ଆମର ଯଦିଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ ଅନୁଯାୟୀ ସ୍ୱାସ୍ଥ୍ୟ ଭିତିଭୂମି ବିକଶିତ ହୋଇଥା’ନ୍ତା ଓ ୧ ହଜାର ଲୋକଙ୍କ ପାଇଁ ଜଣେ ଡ଼ାକ୍ତର କାର୍ଯ୍ୟରତ ଥାନ୍ତେ, ଆମ ଓଡ଼ିଶା ସହଜରେ କରୋନାକୁ ସାମ୍ନା କରି ପାରିଥାନ୍ତ । ଏଥିପ୍ରତି ସରକାର ତୁରନ୍ତ ଯତ୍ନବାନ ହେବା ଉଚିତ ।
ଓଡ଼ିଶା ନ୍ୟୁଜ୍ ସର୍ଭିସ୍ ,
ଭୁବନେଶ୍ୱର, ମୋ-୯୩୩୭୩୬୯୪୪୮

Leave a Reply

Your email address will not be published. Required fields are marked *