ସହର ଓ ଗାଁରେ ବିଜେଡ଼ିର ଐତିହାସିକ ସଫଳତାର କାହାଣୀ!!


ଶରତ କୁମାର ରାଉତ
ପ୍ରାୟ ସବୁ ନିର୍ବାଚନରେ ବିଜେଡ଼ିର ଐତିହାସିକ ସଫଳତା କେବଳ ଓଡ଼ିଶା ନୁହେଁ, ସାରା ଭାରତକୁ ମଧ୍ୟ ସ୍ତବ୍ଧ କରି ଦେଇଛି ।
ଏଇମାତ୍ର ଓଡ଼ିଶାରେ ଅନୁଷ୍ଠିତ ପୌର ନିର୍ବାଚନ ଫଳାଫଳ ପୁଣି ମୁଖ୍ୟମନ୍ତ୍ରୀ ନବୀନଙ୍କ ବିଜେଡ଼ିକୁ ସଶକ୍ତ କରିଛି । ଏହି ନିର୍ବାଚନରେ ୧୦୮ ଟି ପୌରସଂସ୍ଥାରେ ନିର୍ବାଚନ ହୋଇଥିବାବେଳେ ଗୋଟିଏର ଫଳାଫଳ ବାହାରି ନାହିଁ । ତେବେ ମୋଟ ୧୦୭ ଟି ପୌରସଂସ୍ଥା ମଧ୍ୟରୁ ବିଜେଡ଼ି ୭୩ ଟି ପୌରସଂସ୍ଥା ଅକ୍ତିଆର କରିଥିବାବେଳେ ବିଜେପି ୧୨ ଟି, କଂଗ୍ରେସ ୭ଟି ଓ ସ୍ୱାଧୀନ ୯ ଟିରେ ସଫଳ ହେବାରେ ସମର୍ଥ ହୋଇଛନ୍ତି ।
ସେହିପରି ଓଡ଼ିଶାରେ ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ବିଜେପି ଏବଂ କଂଗ୍ରେସ ସଫା ହୋଇ ଯାଇଥିଲେ । ୨୦୧୭ ପଂଚାୟତ ନିର୍ବାଚନରେ ବିଜେଡ଼ି ୪୭୬ ଜିଲ୍ଲାପରିଷଦ ଆସନ ଅକ୍ତିଆର କରି ଥିଲାବେଳେ ୨୦୨୨ରେ ୭୬୫ ଆସନ ଅକ୍ତିଆର କରି ଓଡ଼ିଶାବାସୀଙ୍କୁ ଚମକାଇ ଦେଇଥିଲା । ବିଜେପି ୨୦୧୭ ରେ ୨୯୭ ଆସନ ଅକ୍ତିଆର କରି ଥିବାବେଳେ ୨୦୨୨ରେ ମାତ୍ର ୪୨ ଟି ଆସନ ପାଇବାକୁ ସମର୍ଥ ହୋଇଥିଲା । ସେହିପରି କଂଗ୍ରେସ ୨୦୧୭ ରେ ୬୦ ଆସନ ଅକ୍ତିଆର କରି ଥିବାବେଳେ ୨୦୨୨ରେ ମାତ୍ର ୩୭ ଆସନରେ ସୀମିତ ରହିଥିଲା । ତେବେ ବିଜେପି ଏବଂ କଂଗ୍ରସ ରାଜ୍ୟରେ ଗୋଟିଏ ବି ପରିଷଦ ଗଠନ କରିପାରିନଥିଲେ । ହୁଏତ ଏଭଳି ଐତିହାସିକ ଫଳାଫଳ ଏଇଥିପାଇଁ ଯେ, ସ୍ୱାଧୀନତା ପରଠାରୁ ଓଡ଼ିଶା ସଂପୂର୍ଣ୍ଣ ଅବହେଳିତ ଅବସ୍ଥାରେ ଥିଲା । ଆଉ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଓଡ଼ିଶା ଶାସନ ଡ଼ୋରି ଧରିବା ପରଠାରୁ ଓଡ଼ିଶାରେ ବିକାଶ ଧାରା ଆରମ୍ଭ ହୋଇ ଏବେ ଚରମ ସୀମାରେ ପହଂଚିଛି ।
ସେହିପରି ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡ଼ି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୫ମ ଥର ପାଇଁ ଓଡ଼ିଶା ସିଂହାସନ ଅକ୍ତିଆର କରିବା ସ୍ୱାଭାବିକ ଥିଲା । ମାତ୍ର କେତେକ ରାଜନୀତିକ ସମୀକ୍ଷକ ଅନ୍ୟ ମତ ଦେଇଥିଲେ । ଏହି ନିର୍ବାଚନରେ ବିଜେଡ଼ି ୧୧୨ ଟି ଆସନ ଅକ୍ତିଆର କରିଥିବାବେଳେ ବିଜେପି ୨୩, କଂଗ୍ରେସ ୯ ଓ ଅନ୍ୟାନ୍ୟ ଦଳ ୨ଟି ଆସନ ହାସଲ କରିଥିଲା । ସେହିପରି ବିଜେଡ଼ି ୧୨ ଟି ଲୋକସଭା ଆସନ ଦଖଲ କରିଥିବାବେଳେ ବିଜେପି ୮ ଓ କଂଗ୍ରେସ ୧ଟି ଆସନ ପାଇଥିଲା । ଏହି ନିର୍ବାଚନର ଫଳାଫଳକୁ ଦେଖିଲେ, ବାସ୍ତବିକ ଆଶ୍ଚର୍ଯ୍ୟ ଲାଗେ । କାରଣ ୨୦୧୪ ସାଧାରଣ ନିର୍ବାଚନ ଭଳି ଅଭୁତପୂର୍ବ ଭାବେ ସାରା ଦେଶରେ ମୋଦି ସୁନାମୀରେ ଧରାଶାୟୀ ହୋଇ ମାଟି କାମୁଡ଼ି ଥିଲା ଦେଶର ସର୍ବ ପୁରାତନ ଦଳ କଂଗ୍ରେସ । ସେହିପରି ଓଡ଼ିଶାରେ ଅପ୍ରତ୍ୟାଶିତ ଭାବେ ନବୀନ ପଟ୍ଟନାୟକଙ୍କ ପ୍ରବଳ ଲୋକପ୍ରିୟତାକୁ ସାମ୍ନା କରିପାରି ନଥିଲେ କଂଗ୍ରେସ ଓ ଭାଜପା । ବାସ୍ତବରେ ଏଭଳି ଫଳାଫଳ ରାଜନୀତିକ ପଣ୍ଡିତଙ୍କ କଳ୍ପନାର ବାହାରେ ଥିଲା । ଏଥିରୁ ଆମକୁ ସ୍ୱୀକାର କରିବାକୁ ପଡ଼ିବ ଯେ, ଲୋକେ କ୍ରମେ ସଚେତନ ହେଉଛନ୍ତି । ଭଲ ଭାବରେ ଚିନ୍ତା କରି ଦଳ ଓ ପ୍ରାର୍ଥୀଙ୍କୁ ବାଛୁଛନ୍ତି । ଓଡ଼ିଶା ସଂପର୍କରେ ଏତିକି କୁହାଯାଇ ପାରେ ଯେ, ରାଜ୍ୟର ବିକାଶ ଧାରା ଓଡ଼ିଶାବାସୀଙ୍କୁ ହୁଏତ ସନ୍ତୁଷ୍ଟ କରୁଛି । ଯେଉଁଥିପାଇଁ ନବିନଙ୍କ ନେତୃତ୍ୱ ସପକ୍ଷରେ ମିଳି ଚାଲିଛି ଐତିହାସିକ ଜନାଦେଶ । ଗତ ସାଧାରଣ ନିର୍ବାଚନ ବେଳେ ଆମ ରାଜ୍ୟରେ ମୋଦିଙ୍କ ପ୍ରଭାବ ଲୋକଙ୍କ ଉପରେ ଟିକେ ବି ପଡ଼ିନଥିଲା ।
ଓଡ଼ିଶାର ମାଟି ତଳେ ପ୍ରଚୁର ଖଣିଜ ସଂପଦ ଭରି ରହିଛି । ପ୍ରାକୃତିକ ଦୃଶ୍ୟରାଜିରେ ଭରା ଓଡ଼ିଶା ଦେଶ ବିଦେଶରେ ଏକ ମନୋରମ ରାଜ୍ୟ ଭାବେ ପରିଚିତ । ରାଜ୍ୟରେ ବ୍ୟାପକ ପର୍ଯ୍ୟଟନ ଶିଳ୍ପର ସୁଯୋଗ ରହିଥିବା ବେଳେ ପର୍ଯ୍ୟାପ୍ତ ଜଙ୍ଗଲ ସଂପଦ, ମତ୍ସ୍ୟ ସଂପଦ, ଜଳ ସଂପଦ ଓ ଶହେଭାଗ ଉର୍ବର ଚାଷ ଜମି ରହିଛି । ରାଜ୍ୟରେ ବୌଦ୍ଧିକ ସଂପଦ ଓ ପ୍ରତିଭାର ଅଭାବ ନାହିଁ । ଓଡ଼ିଆ ସଂସ୍କୃତି ଓ ଓଡ଼ିଆ ଭାଷା-ସାହିତ୍ୟ ଦେଶ ବିଦେଶରେ ସ୍ୱତନ୍ତ୍ର ସ୍ଥାନ ଦଖଲ କରିଛି । ଓଡ଼ିଆଙ୍କର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ସାରା ବିଶ୍ୱରେ ଖ୍ୟାତ । ଓଡ଼ିଶା ମନ୍ଦିର ମାଳିନି ରାଜ୍ୟ ଭାବେ ସର୍ବ ବିଦିତ । କଠିନ ପରିଶ୍ରମ କରିବାରେ ମଧ୍ୟ ଓଡ଼ିଆ ଅନ୍ୟ ରାଜ୍ୟବାସୀଙ୍କ ତୁଳନାରେ କିଛି କମ୍ ନୁହଁନ୍ତି । ରାଜ୍ୟରେ ୭୯ ଲକ୍ଷ ହେକ୍ଟର କୃଷି ଉପଯୋଗୀ ଜମି ରହିଛି । ଏଥିରୁ ମାତ୍ର ୪୫ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ଓ ୧ ଲକ୍ଷ ୬୫ ହଜାର ହେକ୍ଟର ଜମିରେ ଅର୍ଥକାରୀ ଫସଲ ହେଉଛି । ଅନ୍ୟପକ୍ଷରେ ପ୍ରାୟ ୧୧.୫ ଲକ୍ଷ ହେକ୍ଟର ଚାଷ ଜମି ଜଳସେଚିତ ହୋଇଥିବା ବେଳେ ବାକି ଜମି ଜଳସେଚିତ ହୋଇନାହିଁ । ତେବେ ପାଖାପାଖି ୫ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ସମ୍ଭବ ନୁହେଁ । ତଥାପି ଚାଷ ହୋଇ ପାରୁନଥିବା ଜମିକୁ ଉତ୍ପାଦନକ୍ଷମ କରାଯିବାର ଆବଶ୍ୟକତା ରହିଛି । ସେହିପରି ଆମ ରାଜ୍ୟରେ ଥିବା ୪୮୦ କି.ମି. ସୁଦୀର୍ଘ ମନୋରମ ସମୁନ୍ଦ୍ର ଉପକୂଳ ଓ ଏସିଆ ମହାଦେଶର ସର୍ବ ବୃହତ ଲବଣାକ୍ତ ହ୍ରଦ ଚିଲିକା ରାଜ୍ୟର ଗୌରବ ବହନ କରୁଛି । ବିଶ୍ୱ ବିଖ୍ୟାତ ଭିତରକନିକା ଅଭୟାରଣ୍ୟ, ଦୁର୍ଲଭ ଅଲିଭ୍ ରିଡ୍‌଼ଲେ କଇଁଛ ମାନଙ୍କ ଏନ୍ତୁଡ଼ିଶାଳ, କୂମ୍ଭୀର ପ୍ରଜନନ କେନ୍ଦ୍ର, ବିଶାଳ ସାମୁଦ୍ରିକ ଅଭୟାରଣ୍ୟ, ହେନ୍ତାଳ ବଣ ଆଦି ଓଡ଼ିଶାର ଗର୍ବ ଓ ଗୌରବ । ହେଲେ ଦୁଃଖର କଥା, ଓଡ଼ିଶାରେ ସବୁକିଛି ଥିବା ସତ୍ୱେ ଓଡ଼ିଶା ଦରିଦ୍ର ବୋଲି କୁହାଯାଇ ଆସୁଛି । ଏପରିକି ଓଡ଼ିଶା ଭାରତର ସବୁଠୁ ପଛୁଆ ଓ ଅବହେଳିତ ରାଜ୍ୟ । ଓଡ଼ିଶାରେ ଦାରିଦ୍ର‌୍ୟର ଉତ୍ପାତ ସବୁଠୁ ବେଶୀ । ଅନାହାର, ଅର୍ଦ୍ଧାହାର ଓ ଅଳ୍ପାହାରରେ ବଂଚୁଥିବା ଲୋକଙ୍କ ସଂଖ୍ୟା ବହୁ ଅଧିକ । ଅଧିକାଂଶ ଶିଶୁ ପୃଷ୍ଟିହୀନତାର ଶିକାର । ପେଟକୁ ମୁଠାଏ ଦାନା ପାଇଁ ଓଡ଼ିଆର ଆର୍ତ ଚିତ୍କାର ସାରା ଦେଶରେ ପ୍ରକମ୍ପିତ ହେଉଛି । ଓଡ଼ିଶାର ଅନାହାର ମୃତ୍ୟୁ ଖବର ବିଶ୍ୱବାସୀଙ୍କୁ ସ୍ତବ୍ଧ କରୁଛି । ଓଡ଼ିଶାରେ ଶିଶୁ ଓ ଗର୍ଭବତୀ ମାତୃ ମୃତ୍ୟୁହାର ସର୍ବାଧିକ…ଇତ୍ୟାଦି । ବାସ୍ତବତା ହେଲା, ଏହି ଅବସ୍ଥା ୨୦୦୦ ମସିଆ ପର୍ଯ୍ୟନ୍ତ ବଳବତର ଥିଲା । ହେଲେ ଧୀରେ ଧୀରେ ପ୍ରଗତିର ଶିଢୀ ଚଢୁଛି ଓଡ଼ିଶା ।
ପୂର୍ବରୁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ବା ରାଜ୍ୟ ନେତୃତ୍ୱର ଅପାରଗତା ଯୋଗୁ ରାଜ୍ୟରେ ଗଚ୍ଛିତ ବିଭିନ୍ନ ଖଣିଜ ସଂପଦର ଉପଯୁକ୍ତ ଉପଯୋଗ ହୋଇ ପାରୁନଥିଲା । ମଣିଷର ଅର୍ଥନୈତିକ ପ୍ରଗତି ଓ ସାମାଜିକ ଅବସ୍ଥାର ପରିବର୍ତନ ପାଇଁ ସମସ୍ତ ପ୍ରାକୃତିକ ସଂପଦର ଉପଯୁକ୍ତ ଉପଯୋଗ, ଅତ୍ୟାଧୁନିକ ଜ୍ଞାନକୌଶଳରେ ଚାଷ ବା କୃଷି ଉତ୍ପାଦନ ବୃଦ୍ଧି ଓ ରାଜନୈତିକ ଇଚ୍ଛାଶକ୍ତି ଏବଂ ଶିଳ୍ପ ପ୍ରସାରର ଆବଶ୍ୟକତା ରହିଥାଏ । ସ୍ୱାଧୀନତା ପରଠାରୁ ଓଡ଼ିଶା ବହୁ ଘାତ ପ୍ରତିଘାତ ଦେଇ ଗତି କରି ଆସିଛି । ମାତ୍ର କିଛି ବର୍ଷ ତଳୁ ରାଜ୍ୟବାସୀ ଯାହା ପ୍ରଗତିର ସ୍ୱପ୍ନ ଦେଖିବା ଆରମ୍ଭ କରିଛନ୍ତି । ଇତିମଧ୍ୟରେ ଓଡ଼ିଶା ବିକାଶଶୀଳ ରାଜ୍ୟରେ ପରିଣତ ହୋଇଥିବା ସମସ୍ତେ ସ୍ୱୀକାର କରୁଛନ୍ତି । ଉଦାହରଣ ସ୍ୱରୂପ, ଆମ ରାଜ୍ୟରେ ଆମ ଖଣିଜ ସଂପଦର ଉପଯୁକ୍ତ ବିନିଯୋଗ ହୋଇ ପାରୁନଥିବାରୁ ଖୁବ୍ କମ୍ ମୂଲ୍ୟରେ ଆମ ଖଣିଜ ସଂପଦ ବାହାରକୁ ରପ୍ତାନୀ ହୋଇ ସେଠାରେ ଅର୍ଥନୈତିକ ଅଭିବୃଦ୍ଧି ହେବା ସହ ବ୍ୟାପକ ନିଯୁନ୍ତି ସୁଯୋଗ ସୃଷ୍ଟି ହେଉଥିଲା । ମାତ୍ର ୨୦୦୦ ମସିହା ପରଠାରୁ ଓଡ଼ିଶାର ଭାଗ୍ୟ ରେଖା ଖୋଲିବା ପରେ କେତେକ ବୃହତ୍ କମ୍ପାନୀ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗେଇ ଆସିଥିଲେ ଓ ଆସୁଛନ୍ତି । ରାଜ୍ୟର ଉପକୂଳରେ ଅନେକ ବନ୍ଦର ପ୍ରତିଷ୍ଠା, ପର୍ଯ୍ୟଟନ ଶିଳ୍ପର ଦ୍ରୁତ ବିକାଶ, କୃଷି ଓ କୃଷକର ଉନ୍ନତି ପାଇଁ ବିଭିନ୍ନ ଯୋଜନା, ରାସ୍ତାଘାଟର ନବୀକରଣ-ନିର୍ମାଣ, ଟଙ୍କିକିଆ ଚାଉଳ ଯୋଗାଣ ଭଳି ବହୁ ଦାରିଦ୍ର‌୍ୟ ଦୂରୀକରଣ ଯୋଜନା କାର୍ଯ୍ୟକାରୀ, ଗମନାଗମନର ଅଭୂତପୂର୍ବ ବିକାଶ, ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ବିଭିନ୍ନ ପ୍ରଭାବୀ ପଦକ୍ଷେପ, ଆଇନକାନୁନ୍ ବ୍ୟବସ୍ଥା ସହ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଉନ୍ନତି ପାଇଁ ଅଭିନବ ଯୋଜନା ଓଡ଼ିଶା ବିକାଶର ପଥ ପରିଷ୍କାର କରି ଦେଇଛି । ଏହା ସମ୍ଭବ ହୋଇଛି ପ୍ରବଳ ରାଜନୈତିକ ଇଚ୍ଛାଶକ୍ତି ଓ ରାଜ୍ୟ ନେତୃତ୍ୱର ନିଷ୍ଠାପର ଉଦ୍ୟମ ଯୋଗୁ, ଯେଉଁଥିପାଇଁ ଲଗାତାର ସମସ୍ତ ନିର୍ବାଚନରେ ସାରା ଓଡ଼ିଶାକୁ ଶଙ୍ଖ ଧ୍ୱନିରେ ମୁଖରିତ କରି ଇତିହାସ ରଚି ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୯ ନିର୍ବାଚନରେ ମଧ୍ୟ ବିଜେଡ଼ି ତାର ବିପୁଳ ବିଜୟର ଇତିହାସ ଦୋହରାଇଥିଲା । ଅବହେଳିତ ଓଡ଼ିଶାର ଶାସନ ଡ଼ୋରୀ ଧରିଥିବା ନବୀନ ବାବୁ ଇତିମଧ୍ୟରେ ନିଜର ପ୍ରବଳ ଇଚ୍ଛା ଶକ୍ତି ଓ ନିଷ୍ଠାପର ଶାସନ ଯୋଗୁ ଓଡ଼ିଶାକୁ ବିକାଶଶୀଳ ରାଜ୍ୟରେ ପରିଣତ କରିଛନ୍ତି । ସବୁଠୁ ସୁଖର କଥା ହେଲା, ରାଜ୍ୟରେ ଦ୍ରୁତ ହ୍ରାସ ପାଇ ଚାଲିଛି ଦାରିଦ୍ର‌୍ୟର ହାର । ଏନ୍ତୁଡ଼ିଶାଳରୁ ଆରମ୍ଭ କରି ଶ୍ମଶାନ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଯଥେଷ୍ଟ ସହାୟତା ସାଧାରଣ ଲୋକଙ୍କୁ ମୁଗ୍ଧ କରିଛି । ଏପରିକି ରାଜ୍ୟର ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ନବୀନ ବାବୁଙ୍କ ଦୃଢ ମାନସିକତା ରାଜ୍ୟବାସୀଙ୍କୁ ଖୁବ୍ ଭଲ ଲାଗୁଛି । ଆଶ୍ଚର୍ଯ୍ୟର କଥା ଯେ, ବିରୋଧୀ ଦଳ ମାନଙ୍କର ଅସୁମାରୀ ଅଭିଯୋଗ ମଧ୍ୟ ଛୁଇଁ ପାରିନି ନବୀନ ବାବୁଙ୍କ ଲୋକପ୍ରିୟତାକୁ । ଏପରିକି ‘ଫୋନି’ ମହାବାତ୍ୟାର ସନ୍ତୋଷଜନକ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପି ପକ୍ଷରୁ ନବୀନ ବାବୁଙ୍କୁ ଭୂୟସୀ ପ୍ରଂଶସା କରାଯାଇଥିଲା । ସେହିପରି ମହାମାରୀ ‘କରୋନା’ ମୁକାବିଲାରେ ସାରା ଦେଶରେ ଓଡ଼ିଶା ପ୍ରଥମ ସ୍ଥାନ ଦଖଲ କରିଛି । ଏଥିପାଇଁ ଓଡ଼ିଶା ସରକାର ବିଶେଷତଃ ନବୀନ ବାବୁଙ୍କୁ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରର ବିଭିନ୍ନ ସଂସ୍ଥା ପକ୍ଷରୁ ପ୍ରଶଂସା କରାଯାଇ ଆସୁଛି । ତେବେ ଆଗାମୀ ଦିନରେ ଓଡ଼ିଶାର ପ୍ରଗତି ଆହୁରି ଦ୍ରୁତ ହେବ ଓ ଓଡ଼ିଶା ଏକ ବିକଶିତ ରାଜ୍ୟରେ ପରିଣତ ହେବ ବୋଲି ସାଧାରଣରେ ଆଶା କରାଯାଉଛି ।
ଓଡ଼ିଶା ନ୍ୟୁଜ୍ ସର୍ଭିସ୍‌,
ଭୁବନେଶ୍ୱର, ମୋ-୯୩୩୭୩୬୯୪୪୮

Leave a Reply

Your email address will not be published.