ଶରତ କୁମାର ରାଉତ
ଓଡ଼ିଶାରେ ମୌଳିକ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ସରକାର ଆଦୌ ଧ୍ୟାନ ଦେଉ ନାହାନ୍ତି । ଡାଇରିଆ ଓ ମେଲେରିଆ ଭଳି ମାରାତ୍ମକ ସଂକ୍ରାମକ ରୋଗର ବ୍ୟାପକତା ହିଁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତର ସଜ୍ଞା । ସଂକ୍ରାମକ ରୋଗର ନିୟନ୍ତ୍ରଣ ଓ ମୌଳିକ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ଉପସ୍ୱାସ୍ଥ୍ୟ କେନ୍ଦ୍ରର ସୃଷ୍ଟି ହୋଇଛି । ଉପସ୍ୱାସ୍ଥ୍ୟ କେନ୍ଦ୍ରର ଇନ୍ଚାର୍ଜ ଏଏନ୍ଏମ୍(ମହିଳା ସ୍ୱାସ୍ଥ୍ୟକର୍ମୀ) । ଏମାନେ ହେଉଛନ୍ତି ସ୍ୱାସ୍ଥ୍ୟ ବିଭାଗର ତୃଣମୂଳ ସ୍ତରୀୟ କର୍ମଚାରୀ । ୧୯୨୪ ମସିହାରେ ଭାରତ ସରକାରଙ୍କ ଦ୍ୱାରା ସୃଷ୍ଟି ହୋଇଥିଲା ଏଏନ୍ଏମ୍ ପଦବୀ । ଓଡ଼ିଶାରେ ଏହି ପଦବୀ କାର୍ଯ୍ୟକାରୀ ହୋଇଥିଲା ୧୯୫୫ରେ । ୧୯୭୧ ମସିହାରେ କେନ୍ଦ୍ର ସରକାର ଗ୍ରାମାଂଚଳ ସ୍ୱାସ୍ଥ୍ୟ ସେବା ଓ ପରିବାର ନିୟୋଜନ କାର୍ଯ୍ୟକ୍ରମ ନିଜ ହାତକୁ ନେବା ପରେ ଏଲ୍ଏଚ୍ଭି, ବିଇଇ ଏବଂ ଏସ୍ଏ ପଦବୀ ସୃଷ୍ଟି କରାଯାଇ ଥିଲା । ଉପ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ଖର୍ଚ୍ଚ ସହିତ ଏଏନ୍ଏମ୍ ଓ ଉପରୋକ୍ତ କର୍ମଚାରୀ ମାନଙ୍କର ବେତନ ଓ ବିଭିନ୍ନ ଭତା କେନ୍ଦ୍ର ସରକାର ବହନ କରି ଥାନ୍ତି । ୧୯୮୯ ରେ କେନ୍ଦ୍ର ସରକାର ଗ୍ରାମାଂଚଳ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ବହୁମୁଖୀ ମହିଳା ସ୍ୱାସ୍ଥ୍ୟକର୍ମୀ ନାମରେ ଏକ ନୂତନ ପଦବୀ ସୃଷ୍ଟି କଲେ । ମହିଳା ସ୍ୱାସ୍ଥ୍ୟକର୍ମୀ ପଦବୀର ଯୋଗ୍ୟତା ଏଏନ୍ଏମ୍ଙ୍କ ଯୋଗ୍ୟତା ଓ ବୈଷୟିକ ତାଲିମ୍ ସହିତ ପ୍ରାୟ ସମାନ ଥିବାରୁ ସେମାନଙ୍କୁ ସିଧା ମହିଳା ସ୍ୱାସ୍ଥ୍ୟକର୍ମୀ ପଦରେ ଅବସ୍ଥାପିତ କରାଗଲା । ଦେଶର ବିଭିନ୍ନ ରାଜ୍ୟ ସରକାର ମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କ୍ୟାଡ଼ର୍ ରୁଲ୍ ନିଜ ରାଜ୍ୟରେ କାର୍ଯ୍ୟକାରୀ କଲେ । କିନ୍ତୁ ଓଡ଼ିଶା ସରକାର ଉକ୍ତ କ୍ୟାଡ଼ର୍ ରୁଲ୍ କୁ କାର୍ଯ୍ୟକାରୀ କରୁ ନାହାନ୍ତି । କେବଳ କେନ୍ଦ୍ରୀୟ କ୍ୟାଡ଼ର୍ ରୁଲ୍ ଢାଂଚାରେ ଏଏନ୍ଏମ୍ ମାନଙ୍କୁ ଏଲ୍ଏଚ୍ଭି(ସ୍ୱାସ୍ଥ୍ୟ ପରିଦର୍ଶିକା)ପଦକୁ ପଦୋନ୍ନତି ଦେଇ ଆସୁଛନ୍ତି । ଦେଶର ସମସ୍ତ ରାଜ୍ୟ ସ୍ୱାସ୍ଥ୍ୟଶିକ୍ଷା ପ୍ରତି ଗୁରୁତ୍ୱାରୋପ କରୁଥିବା ବେଳେ ଓଡ଼ିଶା ସରକାର ମନମୁଖୀ କାର୍ଯ୍ୟ କରୁଛନ୍ତି ।
ଏଏନ୍ଏମ୍ ହେଉଛନ୍ତି ଉନ୍ନତ ଓ ସୁସ୍ଥ ସମାଜ ଗଠନର ମେରୁଦଣ୍ଡ ତଥା ମୌଳିକ ସ୍ୱାସ୍ଥ୍ୟସେବାର ଆଲୋକ ବର୍ତିକା । ସେମାନଙ୍କୁ ବାଦ୍ ଦେଇ ସୁସ୍ଥ ସମାଜ ଗଠନର ସ୍ୱପ୍ନ ଦେଖିବା ଏକ ପ୍ରହେଳିକା ମାତ୍ର । ଯଦି ମୌଳିକ ସ୍ୱାସ୍ଥ୍ୟସେବା ଉନ୍ନତ ଓ ସୁସ୍ଥ ନହୁଏ, ତେବେ ସମାଜ ଦୁର୍ବଳ ହୋଇଯିବ । ଆଜି ପର୍ଯ୍ୟନ୍ତ ଭାରତ ବର୍ଷରେ ମୌଳିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯେଉଁ ବୈପ୍ଲବିକ ପରିବର୍ତନ ଦେଖା ଯାଇଛି, ତାହା କେବଳ ଏଏନ୍ଏମ୍ଙ୍କ ଯୋଗୁ । କଥାରେ ଅଛି, ମା’ ସୁସ୍ଥ ଓ ଶିକ୍ଷିତ ହେଲେ, ପିଲା ସୁସ୍ଥ ଓ ଶିକ୍ଷିତ ହୁଏ । ଠିକ୍ ସେହିପରି ମୌଳିକ ସ୍ୱାସ୍ଥ୍ୟସେବା ଯୋଗାଣ କ୍ଷେତ୍ରରେ ଏଏନ୍ଏମ୍ ଙ୍କର ଆପ୍ରାଣ କାର୍ଯ୍ୟଦକ୍ଷତା ଯୋଗୁ ଆମ ସମାଜରେ ସୁସ୍ଥ ସବଳ ପିଲା ଜନ୍ମ ନେଉଛନ୍ତି । କ୍ରମେ ନିରାପଦ ମାତୃତ୍ୱର ହାର ବଢି ଚାଲିଛି । ଯକ୍ଷ୍ମା, ମ୍ୟାଲେରିଆ ଭଳି ମାରାତ୍ମକ ସଂକ୍ରାମକ ରୋଗ ନିରାମୟ କ୍ଷେତ୍ରରେ ଏମାନଙ୍କର ସାଲିସ୍ ବିହିନ ଉଦ୍ୟମ ଯୋଗୁ ଏହି ରୋଗ ଏବେ ମୂଳୋତ୍ପାଟନ ଅବସ୍ଥାରେ ପହଂଚି ଯାଇଛି । କେବଳ ଏଏନ୍ଏମ୍ ଙ୍କ ପାଇଁ ଆଜି ଭାରତ ବିଶ୍ୱରେ ପୋଲିଓ ମୁକ୍ତ ଦେଶ ଭାବେ ପରିଚିତ । ଓଡ଼ିଶାରେ ଟୀକାକରଣ କାର୍ଯ୍ୟକ୍ରମକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ୟୁନିସେଫ୍ ପ୍ରଶଂସା କରିଛନ୍ତି । ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ମହିଳା ସ୍ୱାସ୍ଥ୍ୟକର୍ମୀ ବିଭାଗ ପକ୍ଷରୁ ପୁରଷ୍କାର ପାଇବା କଥା । ସେମାନଙ୍କର ପରିଶ୍ରମ, ନିଷ୍ଠା ଓ ସଚ୍ଚୋଟତା ଓଡ଼ିଶା ସରକାରଙ୍କୁ ବିଶ୍ୱ ଦରବାରରେ ପ୍ରଶଂସା ଆଣି ଦେଇଛି । ସେମାନଙ୍କର କାର୍ଯ୍ୟରୁ ଜଣାଯାଏ, ମା’ ଓ ଶିଶୁ ମୃତୁ୍ୟହାର ହ୍ରାସ ସହିତ ଜନସଂଖ୍ୟା ନିୟନ୍ତ୍ରଣ ତଥା ପରିବାର କଲ୍ୟାଣ ପାଇଁ ଏଏନ୍ଏମ୍ ମାନେ ତୃଣମୂଳ ସ୍ତରରେ ପ୍ରାଣମୂର୍ଚ୍ଛା କାର୍ଯ୍ୟ କରି ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି । ମାତ୍ର ଚାକିରି କ୍ଷେତ୍ରରେ ଏମାନେ ସବୁଠୁ ଅବହେଳିତ । କର୍ମ କ୍ଷେତ୍ରରେ ଅସୁରକ୍ଷା, କାମ କରିବାର ପରିବେଶ ସୃଷ୍ଟି ନହେବା ଭଳି ବହୁବିଧ ସମସ୍ୟା ଦେଇ ସେମାନେ ଗତି କରୁଛନ୍ତି । ସ୍ୱାସ୍ଥ୍ୟ ବିଭାଗରେ କାମ କରୁଥିବା ଅନ୍ୟାନ୍ୟ ବର୍ଗର କର୍ମଚାରୀଙ୍କ ଅପେକ୍ଷା ଏମାନଙ୍କୁ ସବୁବେଳେ ଗୌଣ ଦୃଷ୍ଟିରେ ଦେଖା ଯାଉଛି । ୬୦ ବର୍ଷ ତଳୁ ଏମାନେ ସୁସ୍ଥ ସମାଜ ଗଠନ ପାଇଁ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ନା ଅଛି କ୍ୟାଡ଼ର୍ ନା ପଦୋନ୍ନତି ସୁବିଧା! ଏପରିକି ଏମାନଙ୍କୁ ତାଲିମପ୍ରାପ୍ତ ନର୍ସ ହିସାବରେ ସୁବିଧା ଦିଆ ଯାଇନାହିଁ । ଯାହାଙ୍କ ପିଠି ଉପରେ ସରକାର ମୌଳିକ ସ୍ୱାସ୍ଥ୍ୟସେବାର ବୋଝ ଲଦି ଦେଇଛନ୍ତି, ସେମାନେ ନିଜେ ଯଦି ରୁଗ୍ଣ ହୋଇ ପଡ଼ନ୍ତି, ତେବେ ଏକ ସୁସ୍ଥ ସମାଜ କିପରି ଗଠିତ ହେବ? ଅନ୍ୟାନ୍ୟ ରାଜ୍ୟରେ ଏଏନ୍ଏମ୍ଙ୍କୁ ପର୍ଯ୍ୟାପ୍ତ ସୁବିଧା ଦିଆ ଯାଉଥିବା ବେଳେ ଓଡ଼ିଶା ସରକାର ସେମାନଙ୍କୁ ଅବହେଳା ପ୍ରଦର୍ଶନ କରି ଆସୁଛନ୍ତି । ସରକାର ଏମାନଙ୍କର ସମସ୍ୟା ସମାଧାନ ଦିଗରେ ଅଧିକ ତତ୍ପରତା ଦେଖାଇବା ଉଚିତ ।
ନର୍ସିଂ କର୍ମଚାରୀଙ୍କର ବିଭିନ୍ନ ସମସ୍ୟା ସମାଧାନ ଲକ୍ଷ୍ୟରେ ୨୦୧୩ରେ ସୃଷ୍ଟି ହୋଇଥିବା ନର୍ସିଂ ନିଦେ୍ର୍ଦଶାଳୟ ସେବିକା ମାନଙ୍କ ପାଇଁ ମଙ୍ଗଳ ଦାୟକ ହୋଇ ପାରିନାହିଁ । ରାଜ୍ୟରେ କାର୍ଯ୍ୟରତ ଏଏନ୍ଏମ୍ ଙ୍କ ପାଇଁ ସେବିକା ନିଦେ୍ର୍ଦଶାଳୟରେ କୌଣସି ପଦବୀ ସୃଷ୍ଟି କରାଯାଇନାହିଁ । ଏହା ଦ୍ୱାରା ଗ୍ରାମାଂଚଳ ସ୍ୱାସ୍ଥ୍ୟସେବା ଯୋଗାଣରେ ବ୍ୟାହତ ସୃଷ୍ଟି ହେଉଛି । ବୃହତ୍ କ୍ୟାଡ଼ର ବିଶିଷ୍ଟ ଏଏନ୍ଏମ୍ ମାନେ ଅବହେଳାର ଶିକାର ହେଉଛନ୍ତି । ସେବିକା ମାନଙ୍କ ଭୂମିକାକୁ ନେଇ ଆନ୍ତର୍ଜାତୀୟ ଓ ଜାତୀୟ ନର୍ସିଂ କାଉନ୍ସିଲ୍ ଢାଂଚାରେ ସେବିକା ନିଦେ୍ର୍ଦଶାଳୟରେ ପଦବୀ ସୃଷ୍ଟି କରାଯିବାର ଥିଲା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ବାସ୍ତବରେ ମୌଳିକ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ଏଏନ୍ଏମ୍ଙ୍କର ପଦୋନ୍ନତି ପଦବୀ ଭାବେ ପିଏଚ୍ଏନ୍, ବ୍ଲକ୍ ସ୍ତରରେ ଗୋଟିଏ ବ୍ଲକ୍ ନର୍ସିଂ ଅଫିସର୍, ଜିଲ୍ଲା ସ୍ତରରେ ଗୋଟିଏ ଚିଫ୍ ଡ଼ିଷ୍ଟି୍ରକ୍ଟ ନର୍ସିଂ ଅଫିସର୍ ଓ ସେବିକା ନିଦେ୍ର୍ଦଶାଳୟରେ ଯୁଗ୍ମ ନିଦେ୍ର୍ଦଶିକା କିମ୍ବା ଉପ ନିଦେ୍ର୍ଦଶିକା ପଦବୀ ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି । ଏହାଦ୍ୱାରା ଗ୍ରାମାଂଚଳ ସ୍ୱାସ୍ଥ୍ୟସେବାରେ ଅଭିଜ୍ଞ ଏଏନ୍ଏମ୍ ପଦୋନ୍ନତି ପାଇ ବ୍ଲକ୍, ଜିଲ୍ଲା ଓ ସେବିକା ନିଦେ୍ର୍ଦଶାଳୟରେ ନିଜର ଗ୍ରାମାଂଚଳ ସ୍ୱାସ୍ଥ୍ୟସେବା ଅନୁଭୂତି ଓ ଅଭିଜ୍ଞତାକୁ ବ୍ୟବହାର କରି ମୌଳିକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ମଜଭୂତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରି ପାରିବ ।
ନର୍ସିଂର ସବୁଠୁ ବୃହତ୍ କ୍ୟାଡ଼ର୍ ଏଏନ୍ଏମ୍ ଓ ଏଲ୍ଏଚ୍ଭି ମାନଙ୍କୁ ଏଯାଏ ଏହି ନିଦେ୍ର୍ଦଶାଳୟରେ ସାମିଲ୍ କରା ଯାଇନାହିଁ । ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୫ ଜୁଲାଇରେ ଏଏନ୍ଏମ୍ଙ୍କର ସ୍ୱତନ୍ତ୍ର କ୍ୟାଡ଼ର୍ ରୁଲ୍ ଲାଗୁ ହୋଇ ଥିବାରୁ ନିୟମାନୁଯାୟୀ ସେମାନେ ସେଦିନ ଠାରୁ ପଦୋନ୍ନତି ପଦବୀ(ଏଲ୍ଏଚ୍ଭି)ର ସୁବିଧା (ଆରଏସିପି)ପାଇବେ ବୋଲି ଅର୍ଥ ବିଭାଗ(ଚିଠି ନଂ.୨୨୧୫୨/ତା.୦୯.୦୮.୨୦୧୬) ସୂଚନା ଦେଇଥିଲା । ତେବେ ଏଥିପାଇଁ ଦାୟୀ କିଏ? ଏଏନ୍ଏମ୍ ନା ସରକାର? ଆର୍ଏସିପି ନିୟମ ଅନୁସାରେ ଏଏନ୍ଏମ୍ ଚାକିରିର୧୦ ବର୍ଷ ପରେ ଏଲ୍ଏଚ୍ଭି ପଦବୀର ବେତନ ଓ ଗ୍ରେଡ଼୍ ପେ’ ପାଇବାକୁ ହକ୍ଦାର । ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସମସ୍ତ ଯାଂଚ କରି ୨୦୧୩ରୁ ଏହା କାର୍ଯ୍ୟକାରୀ କଲା । ମାତ୍ର ୨୦୧୫ ଜୁଲାଇ ପୂର୍ବରୁ ପାଇଥିବା ଅର୍ଥ ଏଏନ୍ଏମ୍ ଙ୍କ ଠାରୁ ଆଦାୟ କରାଯିବାକୁ ଅର୍ଥ ବିଭାଗ ନିଦେ୍ର୍ଦଶ ଦେଇଛି । ଏହା ସଂପୂର୍ଣ୍ଣ ଭାବରେ ଅଗଣତାନ୍ତ୍ରିକ ଓ ଉଦେ୍ଦଶ୍ୟ ପ୍ରଣୋଦିତ ଭଳି ମନେ ହେଉଛି । ଏ ସଂପର୍କରେ ରାଜ୍ୟ ଟି୍ରବୁ୍ୟନାଲ୍ର ଆଦେଶକୁ ଏଯାଏ କାର୍ଯ୍ୟକାରୀ କରାଯାଇନାହିଁ । ଯେଉଁଥିପାଇଁ ଅଧିକାଂଶ ଏଏନ୍ଏମ୍ ଆରଏସିପି ସୁବିଧାରୁ ବଂଚିତ ହୋଇଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଏଏନ୍ଏମ୍ ଙ୍କର କ୍ୟାଡ଼ର୍ ରୁଲ୍ ବିଭିନ୍ନ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଛନ୍ତି । ଓଡ଼ିଶାରେ ଏହା କାହିଁକି ଲାଗୁ ହୋଇନାହିଁ, ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାରୀ ସ୍ତରରେ କୌଣସି ପଦବୀ ସୃଷ୍ଟି ହେବା ସହିତ କ୍ୟାଡ଼ର୍ ରୁଲ୍ ଓ ଚାକିରି ସତାବଳୀ ତିଆରି ହୋଇ କାର୍ଯ୍ୟକାରୀ ହୋଇଥାଏ । ସରକାରଙ୍କର ଏଭଳି ମନମୁଖୀ କାର୍ଯ୍ୟ ଅଗଣତାନ୍ତ୍ରିକ । ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା କୌଣସି ବ୍ୟକ୍ତିର ମର୍ଜ୍ଜିରେ ଚାଲିବା ଅନୂଚିତ । ହୁଏତ ସରକାରଙ୍କର ଏହା ଅସହିଷ୍ଣୁତା ହୋଇପାରେ । ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଓ ସ୍ୱାସ୍ଥ୍ୟ ସଚିବ ଡ଼ାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ତୁରନ୍ତ ଅବାଟରେ ଚାଲିଥିବା ସ୍ୱାସ୍ଥ୍ୟ ବିଭାଗକୁ ବାଟକୁ ଆଣିବା ଉଚିତ । ସରକାରୀ ନିୟମ କାର୍ଯ୍ୟକାରୀ ଉପରେ କଠୋର ପଦକ୍ଷେପ ନିଆଯିବା ଆବଶ୍ୟକ ।