କରୋନା ତାଣ୍ଡବ: ସ୍ୱଦେଶ ଫେରିବା ପାଇଁ ଭାରତ ସରକାରଙ୍କୁ ଗୁହାରୀ!
ଓଡ଼ିଶାକୁ ଫେରାଇ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ଓଡ଼ିଆ!
ଭୁବନେଶ୍ୱର, (ଆଇଏନ୍ଏସ୍): ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ଯୋଗୁ ଭାରତର ବହୁ ବ୍ୟକ୍ତି ବିଦେଶରୁ ଫେରି ପାରୁନାହାନ୍ତି । ଭାରତରେ ଲକ ଡ଼ାଉନର ଅବ୍ୟବହିତ ପୂର୍ବରୁ ବିଶ୍ୱର ବିଭିନ୍ନ ଦେଶକୁ ଯାଇଥିବା ଡ଼ାକ୍ତର, ଗବେଷକ, ଛାତ୍ର, ସଫ୍ଟୱେର ଇଂଜିନିୟର, ସରକାରୀ ଓ ବେସରକାରୀ ସଂସ୍ଥା ଆଦିର ବରିଷ୍ଠ ଅଧିକାରୀ ମାନେ ବିଦେଶରେ ଅଟକିଛନ୍ତି । ସେଠାରେ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆମ ଦେଶର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏବଂ ସଂପୃକ୍ତ ଦେଶରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗ କରି ଫେରିବା ନେଇ କୌଣସି ସୂଚନା ପାଇ ପାରୁନାହାନ୍ତି । ଏହି ଦାରୁଣ ଅବସ୍ଥାରେ ସେମାନେ ପ୍ରଧାନମନ୍ତ୍ରୀ, ନିଜ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ନିବେଦନ କରିବାରେ ଲାଗିଛନ୍ତି ।
ସୂଚନାଯୋଗ୍ୟ ଯେ, ସେମାନଙ୍କ ଭିତରେ ବହୁ ଓଡ଼ିଆ ବିଭିନ୍ନ କାର୍ଯ୍ୟରେ ବିଦେଶ ଯାଇ ଅଟକିଛନ୍ତି । ସେମାନଙ୍କର ଫେରସ୍ତ ବିମାନ ଟିକଟ ବାତିଲ ହୋଇଛି । ମୁଖ୍ୟତଃ ଆମେରିକାରେ ବହୁ ଓଡ଼ିଆ ଅଟକିଛନ୍ତି । ଓଡ଼ିଶାକୁ ଫେରିବା ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।ସେହି ଓଡ଼ିଆ ଲୋକମାନେ ଫେରିବା ପାଇଁ ସ୍ୱତନ୍ତ୍ର ବିମାନ ବ୍ୟବସ୍ଥା କରିବାକୁ ସରକାରଙ୍କ ନିକଟରେ ଅନଲାଇନରେ ନିବେଦନ କରି ଚାଲିଛନ୍ତି । ଭାରତ ସରକାର ଆମେରିକା, ଇଟାଲି, ଇରାନ, ଚୀନ୍ ଓ ଜର୍ମାନୀ ଆଦି ଦେଶକୁ ସ୍ୱତନ୍ତ୍ର ବିମାନ ପଠାଇ କିଛି ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିଛନ୍ତି । ସେହିପରି ଅନ୍ୟ ଦେଶର ସ୍ୱତନ୍ତ୍ର ବିମାନ ଆସି ଆମ ଦେଶରେ ଅଟକି ରହିଥିôବା ସେମାନଙ୍କ ଲୋକଙ୍କୁ ନେଉଛନ୍ତି । ସ୍ୱଳ୍ପ ସମୟ ପାଇଁ ବିଦେଶ ଯାଇ ଲକଡ଼ାଉନ ଯୋଗୁ ଫେରି ପାରିନଥିବା ଭାରତୀୟଙ୍କୁ ଆଣି ସେମାନଙ୍କ ଉପଯୁକ୍ତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ନିଜ ରାଜ୍ୟକୁ ଫେରି ଆସିବା ନେଇ ପଦକ୍ଷେପ ନେବାକୁ ହଜାର ହଜାର ଭାରତୀୟ ନାଗରିକ ନିବେଦନ କରି ଚାଲିଛନ୍ତି । ଅନ୍ୟପକ୍ଷରେ ଭାରତରେ ଅଟକି ରହିଥିôବା ବିଦେଶୀ ନାଗରିକ ମଧ୍ୟ ଫେରିବା ପାଇଁ ସ୍ୱତନ୍ତ୍ର ବିମାନ ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ।