କଂଗ୍ରେସ ଭବନରେ ମହାବଳୀ !
ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
୧୯୪୮ ମସିହା ଜାନୁୟାରୀ ୩୦ ତାରିଖ ଦିନ ଅପରାହ୍ନ ଠିକ୍ ୫.୧୫ ମିନିଟ୍ ରେ ଜାତିର ପିତା ମହାତ୍ମା ଗାନ୍ଧି ଦିଲ୍ଲୀର ବିରଳା ଭବନ ସ୍ଥିତ ପ୍ରାର୍ଥନା ସଭାରେ ଆତତାୟୀ ଗୁଳିରେ ଟଳି ପଡିଲେ । ଅହିଂସା ପୁଜାରୀଙ୍କର ଛାତିରୁ ଧାର ଧାର ତାଜା ରକ୍ତ ବୋହି ସବୁଜ ଘାସ ପଡିଆକୁ ନାଲ କରିଦେଲା । ଏହା ପୂର୍ବରୁ ସେହି ମାସ ୨୦ ତାରିଖ ଦିନ ସେହି ସ୍ଥାନରେ ଗାନ୍ଧିଙ୍କୁ ହତ୍ୟା କରିବା ପାଇଁ ଏକ ବିଫଳ ପ୍ରୟାସ ହୋଇଥିଲା । ସେଥିପାଇଁ ଭାରତ ସରକାର ଗାନ୍ଧିଙ୍କୁ ସୁରକ୍ଷା ଦେବାପାଇଁ ପ୍ରାର୍ଥନା ସଭାରେ କଡାକଡି ଜାଂଚ କରିବାକୁ ମନସ୍ଥ କରିଥିଲେ । ମାତ୍ର ଗାନ୍ଧି ଏହାକୁ ନାପସନ୍ଦ କରି କହିଥିଲେ,“ପ୍ରାର୍ଥନା ସଭାରେ ଯୋଗ ଦେବାକୁ ଆସୁଥିବା ବ୍ୟକ୍ତି ମାନଙ୍କୁ ଜାଂଚ କରିବା ଉଚିତ୍ ନୁହେଁ” । ସେ ମଧ୍ୟ ଭବିଷ୍ୟବାଣୀ କଲାଭଳି କହିଥିଲେ,“ଯଦି କେବେ ଆତତାୟୀ ମୋ ଛାତିକୁ ଗୁଳି କରେ, ଆଉ ମୁଁ ରାମ ରାମ କହି ଟଳିପଡେ, ତେବେ ତୁମେ ମାନେ ଘୋଷଣା କରିବ ଯେ, ମୁଁ ଜଣେ ସଚ୍ଚା ମହାତ୍ମା ଥିଲି” । ଏହା କହିବାର ଅଳ୍ପ ଦିନ ପରେ ବିଶ୍ୱ ଇତିହାସରେ ସେହି ଶୁକ୍ରବାର ଦିନ ୨ ହଜାର ବର୍ଷ ପରେ ଦ୍ୱିତୀୟ କୃଶବିଦ୍ଧ ଘଟଣା ଅନୁଷ୍ଠିତ ହୋଇଥିଲା ।
ଦେଶ ସ୍ୱାଧିନ ହେଲାପରେ ଗାନ୍ଧିଜୀ ଯେଉଁ ଅଳ୍ପ କେଇଦିନ ବଂଚିଥିଲେ ତାଙ୍କର ହାତଗଢା କଂଗ୍ରେସର ଅଧୋଗତୀ ଦେଖି ମର୍ମାହତ ହୋଇଥିଲେ । ସ୍ୱାଧିନତା ମିଳୁ ମିଳୁ ଦଳର ନେତା ଓ କର୍ମିମାନେ କଂଗ୍ରେସର ନିତିି ଓ ଆଦର୍ଶକୁ ଭୁଲି ବ୍ୟାପକ ଦୁର୍ନିତିରେ ବୁଡିଗଲେ । ଲୋକଙ୍କର ଦୁଃଖ ଦୁର୍ଦଶାକୁ ଭୁଲିଗଲେ । ରାଜକୀୟ ଥାଟବାଟରେ ଜୀବନ କଟାଇଲେ । ସବୁଆଡୁ ଶୁଣାଗଲା, “ଇଂରେଜ ଶାସନ ଏହାଠାରୁ ଭଲଥିଲା” । ସେଥିପାଇଁ ଗାନ୍ଧିଜୀ ବ୍ୟଥିତ ହୋଇ ତାଙ୍କ ମୃତୁ୍ୟର ଦିନକ ଆଗରୁ ତାଙ୍କର ଶେଷ ଆଜ୍ଞା ପତ୍ର ବା ଲାଷ୍ଟ ଟେଷ୍ଟାମେଂଟ ପ୍ରଣୟନ କରି କଂଗ୍ରେସ ଦଳକୁ ଭାଙ୍ଗି ଏକ ସେବା ଅନୁଷ୍ଠାନରେ ପରିଣତ କରିବାପାଇଁ ଇଚ୍ଛା ପ୍ରକାଶ କଲେ । ମାତ୍ର କ୍ଷମତା ନିଶାରେ ମତୁଆଲ ଦଳର ନେତାମାନେ ଗାନ୍ଧି ବାଣୀ ସୁଣିବା ଅବସ୍ଥାରେ ସେତେବେଳେ ନଥିଲେ ।
ଏହା ସତ ଯେ, ସ୍ୱାଧିନତା ଆନେ୍ଦାଳନ ବେଳେ ଅନେକ ନେତା ଓ କର୍ମିମାନେ କେବଳ କ୍ଷମତା ଲାଭପାଇଁ ଗାନ୍ଧିଙ୍କୁ ଏକ ମାଧ୍ୟମ ରୁପେ ବ୍ୟବହାର କରିଥିଲେ । ତାଙ୍କର ନିତି ଓ ଆଦର୍ଶରେ ସେମାନଙ୍କର ବିଶ୍ୱାସ ନଥିଲା । ସେଥିପାଇଁ ମୁସଲିମ୍ ଲିଗ୍ ର ସଭାପତି ତଥା କଂଗ୍ରେସର ପରମ ଶତୃ ମହମ୍ମଦ ଅଲ୍ଲୀ ଜିନ୍ନା କଂଗ୍ରେସର ଧର୍ମ ନିରପେକ୍ଷତା ଓ ଖଦି ପିନ୍ଧାକୁ ଏକ ରାଜନୈତୀକ ଚାଲବାଜ୍ ବା କୌଶଳ ବୋଲି କହୁଥିଲେ । ତାଙ୍କ ମତରେ କଂଗ୍ରେସ ନେତା ମାନଙ୍କର କଥା ଓ କାମରେ ତାଳମେଳ ନଥାଏ । ସେମାନେ ପ୍ରତିଶୃତି ଦେଇ ରଖି ଜାଣନ୍ତି ନାହିଁ । ତେଣୁ ସେମାନଙ୍କ ସହିତ ମିଶି ଅଖଣ୍ଡ ଭାରତ ଗଢିବା ସମ୍ଭବ ନୂହେଁ । ତାଙ୍କର ଦୃଢ ଦାବୀ ଫଳରେ ଦେଶ ବିଭାଜନ ହେଲା । କଂଗ୍ରେସର ଧର୍ମ ନିରପେକ୍ଷତା ଡାକ ସତ୍ୱେ ପ୍ରାୟ ସମସ୍ତ ମୁସଲମାନ୍ ଜିନ୍ନାଙ୍କୁ ସମର୍ଥନ ଦେଲେ । ଦେଶରେ ରକ୍ତର ନଈ ବୋହିଗଲା । ହିଂସାର ପ୍ରଚଣ୍ଡ କୋଳାହଳରେ ଗାନ୍ଧିଙ୍କର ଅହିଂସା ସ୍ୱର ନିସ୍ପ୍ରଭ ହୋଇଗଲା ।
ସ୍ୱାଧିନତା ପରେ ଦିର୍ଘ ୬୦ ବର୍ଷ ଧରି କଂଗ୍ରେସ ଦଳ ଦେଶକୁ ଶାସନ କଲା । ଦେଶର କୋଟି କୋଟି ଲୋକଙ୍କ ଆଖିରୁ ଲୁହ ଓ ପେଟରୁ ଭୋକ ଦୁର କରି ମୁଣ୍ଡକୁ ଛାତ ଦେବାପାଇଁ ଏହି ସମୟ ଯଥେଷ୍ଟ ଥିଲା । ମାତ୍ର ନେତା ମାନେ ଦେଶ କଥା ଭୁଲିଗଲେ । ନିଜ ସ୍ୱାର୍ଥରେ ମାତିଲେ । ଦେଶର ମୁଲ୍ୟବାନ ଖଣି, ମାଟି, ଜଳ ଓ ଜଙ୍ଗଲ ସବୁ ପୁଞ୍ଜିପତିଙ୍କୁ ଦେଇଦେଲେ । ନିଜେ କୋଟିପତି ବନିଲେ । କଂଟୋ୍ରଲ ଓ ରେଶନ୍ ଦ୍ୱାରା କଳା ବଜାର ସୃଷ୍ଟି କରି ଦେଶରେ ଶହ ଶହ ଅପର୍ତି ଓ ଗୁରେଇ ମାନଙ୍କୁ ଭୋକିଲା ଓ ଲଙ୍ଗଳା ରଖିଲେ । ମୁହଁରେ କେବଳ ଭୋଟ ପାଇଁ ଗାନ୍ଧି ନାମ ଜପିଲେ । ଗାନ୍ଧି ଟୋପି ଓ ଖଦଡ ଧୋତି ତାର ପବିତ୍ରତା ହରାଇ ଦୁର୍ନିତିର ଚିହ୍ନ ହୋଇଗଲା । ଶେଷକୁ ଗାନ୍ଧି ନାମକୁ ମଧ୍ୟ ନେହେରୁ ପରିବାରକୁ ହସ୍ତାନ୍ତର କରିଦେଲେ । ଦଳରୁ ଗଣତନ୍ତ୍ର ଲୋପ ପାଇଲା । ଦଳ ହୋଇଗଲା ଗୋଟିଏ ପରିବାରର ସମ୍ପତି । ବାପ ପରେ ଝିଅ, ଝିଅ ପରେ ନାତି ଓ ନାତି ପରେ ଅଣନାତି ଦଳର ସୁପ୍ରିମ ହେଲେ । ଦଳରେ ମହାରାଜା, ମହାରାଣୀ ଓ ରାଜକୁମାର ପଦର ସୃଷ୍ଟି ହେଲା । ସ୍ୱାଧିନତା ପୂର୍ବରୁ ଦଳର ଆଡମ୍ବର ପୂର୍ଣ୍ଣ ବାର୍ଷିକ ଅଧିବେଶନ ଓ ସଭାପତି ନିର୍ବାଚନର ଉଷ୍ମତା ସ୍ୱପ୍ନ ହୋଇଗଲା । କୋଟି କୋଟି କଂଗ୍ରେସ କର୍ମି ମୁକ ଓ ବଧିର ହୋଇ ଗାନ୍ଧିଙ୍କ ତିନି ମାଙ୍କଡ ବନି ଗଲେ । ଏକ ପ୍ରକାଣ୍ଡ ଛଳନାର ଆବରଣ ତଳେ ଦଳ ରହିଲା ।
ନିକଟରେ ଓଡ଼ିଶାର ପ୍ରାଦେଶିକ କଂଗ୍ରେସ ଦଳ ନିଜର କାର୍ଯ୍ୟଦ୍ୱାରା ସେହି ଛଳନାର ପରଦାକୁ ଦୁରେଇ ଦେଇଛନ୍ତି । କଂଗ୍ରେସ ଦଳର ପ୍ରକୃତ ସ୍ୱରୁପ ପଦାକୁ ଆସିଛି । ସେଥିପାଇଁ ଇତିହାସ ରାଜ୍ୟ କଂଗ୍ରେସ ଦଳକୁ ଏକ ସକରାତ୍ମକ ସ୍ଥାନ ଦେବ! ଦଳର ଜଣେ ବରିଷ୍ଠ ନେତା ଘୋଷଣା କଲେ ଯେ, କଂଗ୍ରେସ ଆଉ ଗାନ୍ଧି ପନ୍ଥାରେ ଯିବାକୁ ଚାହେଁନାହିଁ । ଏଣିକି ସୁବାସ ବୋଷଙ୍କ ବାଟ ଧରିବ । ଦରକାର ହେଲେ ନିଆଁ ଜାଳିବ । ଏହି କଥାରେ କିଛି ନୂତନତା ନଥିଲା । କାରଣ କଂଗ୍ରେସ ଦଳ ନିଜ କାର୍ଯ୍ୟକୁ ବହୁ ଦିନରୁ ଗାନ୍ଧି ପନ୍ଥାରୁୁ ଦୁରେଇ ଦେଇଥିଲା । ଏତିକି ବେଳେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଏକ ଅଧିବେଶନ ବସିଲା ବେଳେ ମହାବଳି ବା ବାଉନସର ମାନଙ୍କର ଅର୍ବିଭାବ ଲୋକମାନଙ୍କୁ ହତ ଚକିତ କରିଦେଇଛି । କଳା ପୋଷାକ ପିନ୍ଧିଥିବା ମୋଟା ମୋଟା କିଛି ଲୋକ, ଲମ୍ବା ବାଳ ରଖି ଦଳ କାର୍ଯ୍ୟାଳୟ ଭିତରେ ପଇଁତରା ମାରୁଥାନ୍ତି । ସତେ ଯେପରି ଏହା ଅହିଂସାର ପୁଜାରୀ ଗାନ୍ଧି କଂଗ୍ରେସର ଅଫିସ ନୁହେଁ; ବମ୍ବେର କୌଣସି ମଫିଆ ଡନ୍ ର ଆଡା ସ୍ଥଳି । ଏବେ ମଧ୍ୟ ଦେଶର ଲକ୍ଷ ଲକ୍ଷ ଲୋକ କଂଗ୍ରେସ ଦଳକୁ ଭଲ ପାଆନ୍ତି । ଦଳର ଏପରି ଅଧପତନରେ ସେମାନେ ସ୍ଥବ୍ଧ ହୋଇଯାଇଛନ୍ତି ।
ସବୁଠାରୁ ଦୁଃଖର କଥା, ଅହିଂସା ସାଙ୍ଗେ ସାଙ୍ଗେ ସତ୍ୟ ମାନିବାକୁ କାହାର ସାହାସ ନାହିଁ । କିଛି ନେତା କହୁଛନ୍ତି ଆମେ ବାଉନ୍ସରକୁ ଦେଖିନାହୁଁ । ସେମାନେ କିଏ ଆମେ ଜାଣି ନାହୁଁ । କିଏ କହୁଛି ବିଜେଡି କିମ୍ବା ବିଜେପିର ଲୋକ ହୋଇଥିବେ? ଅହିଂସା ସାଙ୍ଗେ ସାଙ୍ଗେ ସତ୍ୟକୁ ସମାଧି ଦେବାକୁ ମଧ୍ୟ ଆଜି କଂଗ୍ରେସ ଦଳ ପ୍ରସ୍ତୁତ ହୋଇଯାଇଛି । ବହୁଦିନ ତଳେ କଂଗ୍ରେସ ବିଷୟରେ ମହମ୍ମଦ ଅଲ୍ଲୀଜିନ୍ନା କହିଥିଲେ,“ସତ୍ୟ ଓ ଅହିଂସା ନିତି କଂଗ୍ରେସର ଏକ ଛଳନା ମାତ୍ର” । ବହୁଦିନ ପରେ ତାହା ଆଜି ସତ୍ୟ ବୋଲି ପ୍ରମାଣିତ ହୋଇଛି । ହେ ଯୁଗ ପୁରୁଷ ମହାତ୍ମା ଗାନ୍ଧି, ତୁମର ଆତ୍ମା ଏ ମାଟିରୁ ଚିର ବିଦାୟ ନେଉ । ତାହା ସଙ୍ଗେ ସଙ୍ଗେ ତୁମର ପନ୍ଥା ସତ୍ୟ ଓ ଅହିଂସା ମଧ୍ୟ ହଜିଯାଉ । ଆମ ଦେଶବାସୀ ତାଙ୍କର ଚିରାଚରିତ କଳଙ୍କ ମୟ ପଥରେ ଆଗେଇଯାଇ ବିନାଶର ସମ୍ମୁଖିନ ହୁଅନ୍ତୁ । (Photo from: http://www.nationalpoliticalmirror.com)