କର୍ନ୍ନାଟ ଶକ୍ତିପୀଠ
ଶରତ କୁମାର ରାଉତ
ଦେବୀ ଭାଗବତ ପୁରାଣରେ ୧୦୮, କାଳିକା ପୁରାଣରେ ୨୬, ଶିବ ଚରିତରେ ୫୧, ଦୁର୍ଗାଶପ୍ତସତୀ ଏବଂ ତନ୍ତ୍ର ଚୂଡ଼ାମଣି ଅନୁଯାୟୀ ଭାରତୀୟ ଉପମହାଦେଶରେ ଥିବା ଶକ୍ତିପୀଠ ଗୁଡ଼ିକର ସଂଖ୍ୟା ୫୨ ବୋଲି କୁହା ଯାଇଛି । ମାତ୍ର ଶକ୍ତିପୀଠ ସଂଖ୍ୟା ୫୧ ଟି ବୋଲି କେତେକ ମତ ଦିଅନ୍ତି । ତେବେ ତନ୍ତ୍ର ଚୂଡ଼ାମଣିରେ ପ୍ରାୟ ୫୨ ଟି ଶକ୍ତିପୀଠ ସଂପର୍କରେ କୁହାଯାଇଛି । ଏହି କ୍ରମରେ ମାତା ସତୀଙ୍କ ଶକ୍ତିପୀଠ ମାନଙ୍କ ମଧ୍ୟରେ “କର୍ଣ୍ଣାଟ ଜୟଦୁର୍ଗା” ଶକ୍ତିପୀଠ ଅନ୍ୟତମ । ଏହି ଶକ୍ତିପୀଠ କର୍ଣ୍ଣାଟକ ରାଜ୍ୟରେ ଅବସ୍ଥିତ ।
ହିନ୍ଦୁ ମାନଙ୍କର ଧାର୍ମିକ ସ୍ଥାନ ଗୁଡ଼ିକ ମଧ୍ୟରେ “କର୍ଣ୍ଣାଟ ଜୟଦୁର୍ଗା” ସ୍ୱତନ୍ତ୍ର । “କର୍ଣ୍ଣାଟ ଜୟଦୁର୍ଗା” ଶକ୍ତିପୀଠରେ ମାତା ସତୀଙ୍କ ଦୁଇଟି କାନ(ଖଣ୍ଡ) ପଡ଼ିଥିଲା । ପୌରାଣିକ କଥା ଏବଂ ହିନ୍ଦୁ ପୁରାଣ ଶାସ୍ତ୍ର ଅନୁଯାୟୀ ଶକ୍ତିପୀଠ ଗୁଡ଼ିକର ସୃଷ୍ଟି ସଂପର୍କରେ ଏକ ଚମକପ୍ରଦ କାହାଣୀ ରହିଛି । ଭଗବାନ ବ୍ରହ୍ମାଙ୍କ ପୁତ୍ର ଦକ୍ଷରାଜ ଯଜ୍ଞ କଲାବେଳେ କୌଣସି କାରଣରୁ ନିଜ ଝିଅ ବା ଭଗବାନ ଶିବଙ୍କ ପତ୍ନୀ ଦେବୀ ସତୀ ଓ ଭଗବାନ ଶିବଙ୍କୁ ଯଜ୍ଞରେ ଉପସ୍ଥିତ ହେବାକୁ ନିମନ୍ତ୍ରଣ କଲେ ନାହିଁ । ଫଳରେ ଦେବୀ ସତୀ ନିଜେ ବାପାଙ୍କ ଯଜ୍ଞ ସ୍ଥଳରେ ପହଞ୍ଚିଲେ ଓ ବାପାଙ୍କୁ କିଛି କହିବା ପୂର୍ବରୁ ସ୍ୱଂୟ ଦକ୍ଷରାଜ ଝିଅ ସତୀ ଓ ଭଗବାନ ଶିବଙ୍କୁ ଅପମାନ ସୂଚକ କଥା ଶୁଣାଇଲେ । ସେଠାରେ ସମସ୍ତ ଦେବୀ ଦେବତା ଉପସ୍ଥିତ ଥିବାରୁ ମାତା ସତୀଙ୍କୁ ଖୁବ୍ ବାଧିଲା । ଅତି ଦୁଃଖରେ ମ୍ରିୟମାଣ ହୋଇ ମାତା ସତୀ ସେହି ଯଜ୍ଞକୁଣ୍ଣରେ ଆତ୍ମଦାହ କରିଦେଲେ । ତି୍ରକାଳଦର୍ଶୀ ଶିବ ଏ ଖବର ଜାଣି ସତୀଙ୍କ ମର ଶରୀର ପାଖରେ ପହଞ୍ଚିଲେ ଓ ରାଗରେ ଜର୍ଜ୍ଜରିତ ହୋଇ ନିଜ ହାତରେ ମାତା ସତୀଙ୍କ ମୃତ ଶରୀର ଧରି ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ ।
ଏହା ଫଳରେ ସାରା ବିଶ୍ୱରେ ଚାଲିଲା ଧ୍ୱଂସଲୀଳା । ମଣିଷ, ପଶୁ ଓ ଦେବୀ ଦେବତା ସମସ୍ତେ ଭୟରେ ଥରି ଉଠିଲେ । ଏହାର ସମାଧାନ ପାଇଁ ଦେବୀ ଦେବତା ମାନେ ଭଗବାନ ବ୍ରହ୍ମା ଓ ଭଗବାନ ବିଷ୍ଣୁଙ୍କୁ ଅନୁରୋଧ କଲେ । ଭଗବାନ ବିଷ୍ଣୁ ମନେ ମନେ ଏହାର ସମାଧାନର ଉପାୟ ବାହାର କଲେ । ଭଗବାନ ଶିବ ଧରିଥିବା ସତୀଙ୍କ ମର ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଆତ୍ମା ରହିତ କରିବାକୁ ଭଗବାନ ବିଷ୍ଣୁ ନିଜର ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ । କିଛି କ୍ଷଣ ମଧ୍ୟରେ ମା’ ସତୀଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଗଲା ଓ ମା’ଙ୍କ ଶରୀରର ବିଭିନ୍ନ ଅଂଶ ଭାରତୀୟ ଉପମହାଦେଶର ୧୦୮ ଟି ସ୍ଥାନରେ ବିଞ୍ଚି ହୋଇ ପଡ଼ିଲା । ସର୍ବ ଶେଷରେ ମାତା ସତୀଙ୍କ ଅଙ୍ଗର ମୁଖ୍ୟାଂଶ ସହ ସମସ୍ତ ଅଂଶ ବା ଖଣ୍ଡକୁ ଖୋଜି ପୂଜାର୍ଚ୍ଚନା ତଥା ଖଣ୍ଡ ଗୁଡ଼ିକର ସୁରକ୍ଷା ପାଇଁ ଭଗବାନ ଭୈରବଙ୍କୁ ନିଦେ୍ର୍ଦଶ ଦେଲେ ଭଗବାନ ବ୍ରହ୍ମା । ସେହି ଦୁର୍ଲଭ ସ୍ଥାନ ଗୁଡ଼ିକୁ ଭଗବାନ ବ୍ରହ୍ମା, ଭଗବାନ ବିଷ୍ଣୁ ଓ ଭଗବାନ ଶିବ ମିଶି ଶକ୍ତି ପୀଠର ମାନ୍ୟତା ଦେଲେ । କିନ୍ତୁ ଏହି ଶକ୍ତି ପୀଠ ମାନଙ୍କ ମଧ୍ୟରେ ୫୧ଟି ଶକ୍ତି ପୀଠକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ ।
ଏହି ଶକ୍ତିପୀଠରେ ଶକ୍ତିଙ୍କୁ “କର୍ଣ୍ଣାଟ ଜୟଦୁର୍ଗା” ଓ ଭଗବାନ ଶିବ ବା ଭୈରବଙ୍କୁ “ଅଭିରୁ” ଭାବରେ ପୂଜା କରାଯାଏ । ଏହି ଦେବୀଙ୍କୁ ଏଠାରେ କର୍ଣ୍ଣାଟ ବଂଶର ବୋଲି କୁହାଯାଇଥାଏ ।
“କର୍ଣ୍ଣାଟ ଜୟଦୁର୍ଗା ଶକ୍ତିପୀଠ”ରେ ବର୍ଷ ତମାମ ବିଭିନ୍ନ ପର୍ବ ପର୍ବାଣୀ ଧୂମଧାମ୍ରେ ପାଳନ କରାଯାଇଥାଏ । ମୁଖ୍ୟତଃ ଦୁର୍ଗାପୂଜା ଓ ନବରାତ୍ର ଉତ୍ସବ ବେଳେ ବିଶେଷ ପୂଜାର ଆୟୋଜନ କରାଯାଇଥାଏ । ଏହି ପର୍ବ ମାତାଙ୍କର ସବୁଠୁ ବଡ଼ ପର୍ବ ଭାବରେ ପାଳନ କରାଯାଏ । ଏଥି ସହିତ ନବରାତ୍ର ଉତ୍ସବ ବେଳେ କେତେକ ଭକ୍ତ ଓ ଶ୍ରଦ୍ଧାଳୁ ଭଗବାନଙ୍କ ପାଖରେ ସମର୍ପଣ ଭାବରେ ବ୍ରତ ଉପବାସ (ଭୋଜନ କରନ୍ତି ନାହିଁ) କରିଥାନ୍ତି । ଏହି ଉତ୍ସବ ଅବସରରେ ମନ୍ଦିରକୁ ବିଭିନ୍ନ ଫୁଲ ଓ ଆଲୋକ ମାଳାରେ ସଜା ଯାଇଥାଏ । ମନ୍ଦିରର ଆଧ୍ୟାତ୍ମିକ ପରିବେଶ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କର ମନ-ମସ୍ତିଷ୍କକୁ ଶାନ୍ତି ପ୍ରଦାନ କରିଥାଏ ।
ଯେଉଁ ଭକ୍ତ ଏହି ଶକ୍ତିପୀଠକୁ ଦର୍ଶନ ପାଇଁ ଆସନ୍ତି, ସେମାନଙ୍କର ସବୁ ପ୍ରାର୍ଥନା ଓ ମନସ୍କାମନା ପୂରଣ ହୋଇଥାଏ ବୋଲି କୁହାଯାଏ । ଏଥିଯୋଗୁ ଏହି ଶକ୍ତିପୀଠ ପ୍ରତ୍ୟକ୍ଷ ବୋଲି ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କର ବିଶ୍ୱାସ ରହିଛି ।
ବର୍ଷର ସବୁ ସମୟରେ ଏହି ଶକ୍ତିପୀଠରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କର ଗହଳି ଲାଗି ରହିଥାଏ । “କର୍ଣ୍ଣାଟ ଜୟଦୁର୍ଗା ଶକ୍ତିପୀଠ” ମନ୍ଦିରର ଅପରୂପ ଶୋଭା ଦେଖିବା ଭଳି ହୋଇଥାଏ । ଏଥିପାଇଁ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ମୁଖ୍ୟତଃ ମା’“କର୍ଣ୍ଣାଟ ଜୟଦୁର୍ଗା ଶକ୍ତିପୀଠ”କୁ ପୂଜା କରିବାକୁ ଆସିଥାନ୍ତି । ଏଠାକାର ପୂଜାବିଧିର ପ୍ରତ୍ୟେକ କାର୍ଯ୍ୟକ୍ରମ ଖୁବ୍ ଆନନ୍ଦ ଦାୟକ ଓ ମନୋରମ ।
ଭୁବନେଶ୍ୱର, ମୋ:୯୩୩୭୩୬୯୪୪୮