ଚିକିଟି ବିଧାନସଭା ଆସନ: ସବୁଠୁ ଆଗରେ ବିଜେପି ପ୍ରାର୍ଥୀ!
ଭୁବନେଶ୍ୱର/ଚିକିଟି, (ଓଏନ୍ଏସ୍ ): ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଥିବା ଚିକିଟି ବିଧାନସଭା ଆସନ ରେ ମୁଖ୍ୟତଃ ଦ୍ୱିମୁଖୀ ଲଢେଇ ହେବା ସ୍ପଷ୍ଟ ହେଉଛି । ଏଠାରେ ସ୍ଥାନୀୟ ବିଧାୟିକା ଉଷାରାଣୀ ଦେବୀ ବିଜେଡ଼ି ପକ୍ଷରୁ ଲଢୁଥିବା ବେଳେ କଂଗ୍ରେସ ପକ୍ଷରୁ ସୁବାସ ରାଉତ, ବିଜେପି ପକ୍ଷରୁ ମନୋରଂଜନ ଦ୍ୟାନ ସାମନ୍ତରା ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଭୁଧେନ୍ଦ୍ର ପାଢୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଗତ ୧୯ ବର୍ଷର ଶାସନ କାଳରେ ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଦୌ ଉନ୍ନୟନ କାର୍ଯ୍ୟ ହୋଇନଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରୁଛନ୍ତି । ଶାସକ ଦଳର ଉଦେ୍ଦଶ୍ୟମୂଳକ ନୀତି ଯୋଗୁ ଗରୀବ ଲୋକମାନେ ଅଧିକାଂଶ ସରକାରୀ ଯୋଜନାର ସୁଫଳ ପାଇ ପାରୁନାହାନ୍ତି । ପାନୀୟ ଜଳ ଓ ଗମନାଗମନ ବ୍ୟବସ୍ଥା ବିପର୍ଯ୍ୟୟ ହୋଇ ପଡ଼ିଛି । ଶିକ୍ଷା ଓ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଚିକିଟି ଅଂଚଳରେ ନିମ୍ନଗାମୀ ହୋଇ ପଡ଼ିଛି । ସବୁ ସରକାରୀ ଉନ୍ନୟନ ଯୋଜନାରେ ପିସି କାରବାର ଯୋଗୁ ସାଧାରଣ ଲୋକଙ୍କ ପାଖରେ ଯୋଜନା ପହଂଚୁ ନାହିଁ । ଲୋକେ କାମ ନପାଇ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଜଳସେଚନ ବ୍ୟବସ୍ଥା ନଥିବାରୁ ଚାଷକାର୍ଯ୍ୟ ବିପର୍ଯ୍ୟସ୍ତ ହେଉଛି । ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ଏକପ୍ରକାର ବିଜେଡ଼ି ଅଫିସରେ ପରିଣତ ହୋଇଥିବା ଦେଖାଯାଉଛି । ସେହିପରି ଗାଁ, ସହର ଆଦି ଚାରିଆଡ଼େ ମଦର ବନ୍ୟା ଛୁଟୁଛି । ଲୋକଙ୍କର ମୌଳିକ ସମସ୍ୟା ସମାଧାନ ଅପେକ୍ଷା ଅଧିକ ରାଜସ୍ୱ ମିଳୁଥିବାରୁ ମଦର ପ୍ରସାରକୁ ସରକାର ଗୁରୁତ୍ୱ ଦେଉଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଯାହା ଚଳିତ ନିର୍ବାଚନରେ ପ୍ରତିଫଳିତ ହେବ ବୋଲି ସାଧାରଣ ଲୋକଙ୍କ ସମେତ ବୁଦ୍ଧିଜୀବୀ ମାନେ ମତ ଦେଉଛନ୍ତି ।
ଏହି ଦୃଷ୍ଟିରୁ ଏଠାରେ ପ୍ରତିଦ୍ୱନ୍ଦିତା ତୀବ୍ର ହେବାର ଅନୁମାନ କରାଯାଉଛି । ତେବେ ନିର୍ବାଚନର ଅବ୍ୟବହିତ ପୂବରୁ ଚିକିଟି ବିଧାନସଭା କ୍ଷେତ୍ରର ରାଜନୀତିକ ସ୍ଥିତି ସଂପର୍କରେ ସମୀକ୍ଷାରୁ ଜଣା ପଡ଼ିଛି ଯେ, ଅଧିକାଂଶ ଅଂଚଳରେ ବିଜେପିର ଢେର ଶକ୍ତି ବୃଦ୍ଧି ହୋଇଛି । ମୁଖ୍ୟତଃ ଚିକିଟି ସହରରେ ବ୍ରହ୍ମପୁରର ବିଜେପି ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ବିଜେପି ପ୍ରାର୍ଥୀ ଶ୍ରୀ ସାମନ୍ତରା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଶାଳ ର୍ୟାଲି ଏହି ଅଂଚଳରେ ବିଜେପିର ଶକ୍ତି ବୃଦ୍ଧି କରିବାରେ ବେଶ ସହାୟକ ହୋଇଛି । ଏଠାରେ ସର୍ବତ୍ର ବିଜେପି ହାୱା ବହୁଛି । ବିଜେପି ପ୍ରାର୍ଥୀ ଶ୍ରୀ ସାମନ୍ତରା ତଥା ଦଳୀୟ ନେତାମାନେ ସାଧାରଣ ଭୋଟରଙ୍କ ନିକଟରେ ପହଂଚି ପାରିଛନ୍ତି । କେତେକ ବିଜେପି ଶୂନ୍ୟ ଅଂଚଳରେ ଏବେ ବିଜେପିର ସଂଗଠନ ବଢି ବଢି ଚାଲିଛି । ଏହି ଦୃଷ୍ଟିରୁ ବିଜେପି ଏଠାରେ ଆଗରେ ଚାଲିଛି ବୋଲି କୁହାଯାଉଛି । ତେବେ ବିଜେପି ପ୍ରାର୍ଥୀ ମନୋରଂଜନ ଦ୍ୟାନ ସାମନ୍ତରା ଓ ବିଜେଡ଼ି ପ୍ରାର୍ଥୀ ଉଷାରାଣଙ୍କ ମଧ୍ୟରେ କଡ୍ଡା ମୁକାବିଲା ହେବ ବୋଲି ସ୍ଥାନୀୟ ରାଜନୀତିକ ସମୀକ୍ଷକ ମାନେ ମତ ଦେଉଛନ୍ତି । ବାସ୍ତବତା ଦେଖାଗଲେ, ସମଗ୍ର ଅଂଚଳରେ ଆବଶ୍ୟକୀୟ ଉନ୍ନୟନ କାର୍ଯ୍ୟ ହୋଇ ନଥିବାରୁ ସାଧାରଣ ଭୋଟର ବିଧାୟିକାଙ୍କ ପ୍ରତି ଅସନ୍ତୁଷ୍ଟ ଅଛନ୍ତି । ବିଜେପି ପ୍ରାର୍ଥୀ ମନୋରଂଜନ ଦ୍ୟାନ ସାମନ୍ତରା ଜଣେ ସରଳ, ଭଦ୍ର, ଅଭିଜ୍ଞ ଓ ନିଷ୍ଠାପର ବ୍ୟକ୍ତିତ୍ୱ । ସେ ଜଣେ ପ୍ରଗତିଶୀଳ ମଣିଷ ଭାବେ ବିଭିନ୍ନ ସାମାଜିକ ଓ ଗଣ ଆନେ୍ଦାଳନ ସହିତ ନିଜକୁ ସାମିଲ କରିଛନ୍ତି । ଏଠାରେ ଯଦିଓ ତି୍ରମୁଖୀ ଲଢେଇ ହେବାର ଚର୍ଚ୍ଚା ହେଉଛି, ମାତ୍ର ବାସ୍ତବରେ ବିଜେପି ଓ ବିଜେଡ଼ି ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହେବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ତଥା କେତେକ ରାଜନୀତିକ ସମୀକ୍ଷକ ମତ ଦେଉଛନ୍ତି । ଓଏନ୍ଏସ୍ ।