ଡିଏଲ୍ଆର କନ୍ଫରନେସ୍ ୨୦୧୯: ସମ୍ବର୍ଦ୍ଧିତ ହେଲେ ନାରୀକବି
ପାରାଦୀପ, (ଓଏନ୍ଏସ୍): ସ୍ଥାନୀୟ ଜୟଦେବ ସଦନଠାରେ ପାରାଦୀପ ବନ୍ଦର ଡିଏଲଆର କର୍ମଚାରୀ ଏବଂ ଠିକା କର୍ମଚାରୀ ସଂଗଠନ ତରଫରୁ ଏକ ବିଶାଳ ସଭା ଅନୁଷ୍ଠିତ ହୋଇଯାଇଛି । ପାରାଦୀପ ଅଂଚଳର ଦକ୍ଷ ସଂଗଠକ ତଥା କଂଗ୍ରେସର ଟାଣୁଆ ନେତାଙ୍କ ନେତୃତ୍ୱରେ ଶତାଧିକ ମହିଳା ଏବଂ ପୁରୁଷ ଉପସ୍ଥିତ ରହି ଏହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ପାରାଦୀପ ବନ୍ଦରରେ ଡିଏଲଆର ତଥା ଠିକା ଶ୍ରମିକମାନେ ସ୍ଥାୟୀ କର୍ମଚାରୀମାନଙ୍କ ସହ ସମାନ କାମ କରି ମଧ୍ୟ ସ୍ୱଳ୍ପ ମଜୁରୀରେ ନିଜର ଗୁଜୁରାଣ ମେଣ୍ଟାଇ ପାରାଦୀପ ବନ୍ଦରକୁ ଭାରତ ବର୍ଷରେ ଏକ ନମ୍ବର କରିବାକୁ ନିଜର ପଣ ଲଗାଇଛନ୍ତି । ହେଲେ ସେମାନଙ୍କୁ ଅବହେଳା କରା ନ ଯାଇ ସେମାନଙ୍କର ହକ୍ ଯଥା ସମୟରେ ପ୍ରଦାନ କରାଗଲେ ବନ୍ଦରର ଅଗ୍ରଗତି ଦୃତଗତିରେ ଆଗେଇ ପାରନ୍ତା । ସେମାନଙ୍କୁ ସମସ୍ତ ସୁବିଧା ପ୍ରଦାନ କରିବା ପାଇଁ ବାପି ସର୍ଖେଲ ନିରନ୍ତର ଚେଷ୍ଠା ଜାରି ରଖିଛନ୍ତି ବୋଲି ମତ ପ୍ରକାଶ ପାଇଥିଲା । ଠିକା ଶ୍ରମିକମାନଙ୍କ ପାଇଁ ଲଢେଇ କରୁଥିବା ସର୍ଖେଲଙ୍କ ସହିତ ସମସ୍ତେ ଏକ ହୋଇ କାର୍ଯ୍ୟ କଲେ ପାରାଦୀପ ବନ୍ଦରର କ୍ଷାତି ବିଶ୍ୱଦରବାରରେ ଏକ ନମ୍ବର ଭାବେ ପ୍ରତିଫଳିତ ହୋଇପାରିବାକୁ କେହି ଅଟକାଇ ପାରିବେ ନାହିଁ ବୋଲି କହିଥିଲେ ବକ୍ତାମାନେ । ସମସ୍ତଙ୍କ ସୁଖ ଦୁଃଖରେ ସାଥି ହୋଇ ରହିବାକୁ ବାପି ଆହ୍ୱାନ କରିବା ସହିତ କର୍ମଚାରୀମାନଙ୍କ ମନୋରଂଜନ ପାଇଁ ଆୟୋଜନ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜେ ସୁନ୍ଦର ଗୀତ ଗାଇ ସମସ୍ତଙ୍କ ମନ ମୋହିଥିଲେ । ସମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ , ନିରପେକ୍ଷ ସାମ୍ବାଦିକତା , କର୍ମ କ୍ଷେତ୍ରରେ ନିଷ୍ଠା ପରାୟଣତା ,ସଂସ୍କୃତି ତଥା ସାହିତ୍ୟ କ୍ଷେତ୍ରରେ ହୃଦୟଷ୍ପର୍ଶୀ , ସାରମର୍ମକ ଲେଖନୀ ଚାଳନା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ନାରୀକବି ସଂଘମିତ୍ରା ସ୍ୱାଇଁଙ୍କୁ ଏହି ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା ।