ଦୁର୍ବଳ ହେଉଛି ମହାକାଳପଡ଼ାର ବିଜେଡ଼ି ସଂଗଠନ!

ଦୁର୍ବଳ ହେଉଛି ମହାକାଳପଡ଼ାର ବିଜେଡ଼ି ସଂଗଠନ!

ସମୁଦ୍ର, ନଦୀ, ନାଳ, ବନାନୀ ଘେରା ଚିର ଅବହେଳିତ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଅଂଚଳ ସ୍ୱାଧୀନତାର ୭୧ ବର୍ଷ ପରେ ମଧ୍ୟ ବିବିଧ ସମସ୍ୟାର ଗର୍ଭ ମଧ୍ୟରେ ରହିଛି । ଶିକ୍ଷା, ସ୍ୱାସ୍ଥ୍ୟ. ଗମନାଗମନ, ବିଜୁଳି, ପାନୀୟଜଳ, ସଂଚାର,ଦାରିଦ୍ର୍ୟ, ବେକାରୀ ଆଦି ମୌଳିକ ସମସ୍ୟା ଉକ୍ରଟ ରୂପ ଧାରଣ କରିଥିବା ବେଳେ ୧୯୯୯ ର ପ୍ରଳୟଙ୍କରୀ ବାତ୍ୟା ଏହି ଅଂଚଳର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲା । ମହାବାତ୍ୟାରେ କ୍ଷତିଗ୍ରସ୍ତ ତାଲିକାରେ ଥିବା ଉକ୍ତ ଅଂଚଳ ଧ୍ୱଂସ ସ୍ତୂପରେ ପରିଣତ ହୋଇଥିବା ଜଗତସିଂହପୁର ଜିଲ୍ଲାର ଏରସମା ଅଂଚଳର ପଛକୁ ରହିଥିଲା । ନିଜର ଜୀବନ ଓ ଜୀବୀକା ପାଇଁ ଏହି ଅଂଚଳବାସୀ ସ୍ୱାାଧୀନତା ପରଠାରୁ ସଂଘର୍ଷ କରି ଆସୁଥିଲେ ହେଁ ସମୟ ଓ ପରିସ୍ଥିତି ସେମାନଙ୍କୁ ଭୋକ ଉପାସରେ ରହି ଜିଇଁବାକୁ ବାଧ୍ୟ କରିଚାଲିଛି ।
ଏଠାରେ ସରକାରୀ ଉନ୍ନୟନ ଯୋଜନା କାର୍ଯ୍ୟକାରୀତା ଉପରେ ବ୍ୟାପକ ସମୀକ୍ଷା ହେଉନଥିବାରୁ ପ୍ରକୃତ ହିତାଧିକାରୀମାନେ ଉପକୃତ ହୋଇ ପାରୁ ନାହଁନ୍ତି । ଯେଉଁଥିପାଇଁ ଏଠାକାର ହଜାର ହଜାର ବେକାର ଶିକ୍ଷିତ ଯୁବକ/ଯୁବତୀ/ବ୍ୟକ୍ତି ଦେଶବିଦେଶର ବିଭିନ୍ନ ସଂସ୍ଥାରେ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି । ସଂପ୍ରତି ଏଠାରେ ରାସ୍ତାଘାଟ ସମସ୍ୟା ଗମ୍ଭୀର ରହିଛି । ଆଜି ମଧ୍ୟ ବିଭିନ୍ନ ଗାଁ, ପଂଚାୟତ ଓ ବ୍ଲକ୍ ସଦର ମହକୁମା ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥା ବିପର୍ଯ୍ୟସ୍ତ ରହିଛି । ବହୁ ରାସ୍ତା କିଛି ବର୍ଷ ତଳୁ ମରାମତି ହୋଇନାହିଁ । କେତୋଟି ନିର୍ମାଣାଧିନ ନଦୀ ସେତୁ ଦୀର୍ଘ ବର୍ଷ ତଳୁ ଅଧାପନ୍ତରିଆ ଭାବେ ପଡ଼ି ରହିଛି । ଯଦ୍ୱାରା ହଜାର ହଜାର ଲୋକେ ନିଜ ବ୍ଲକ୍ ସଦର ମହକୁମାରେ ପହଂଚିବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ସମୁଦ୍ର ତଟ୍ଟବର୍ତୀ ଗାଁ ଗୁଡ଼ିକର ଅବସ୍ଥା ଭାରି ସାଂଘାତିକ । ଇତି ମଧ୍ୟରେ ଅନେକ ଗାଁ ସମୁଦ୍ର ଓ ନଦୀର ମହାପ୍ଲାବନରେ ଧ୍ୱଂସ ହୋଇ ଯାଇଛି । ଲୁଣା ଘେରିବନ୍ଧ ଖୁବ୍ ଦୁର୍ବଳ ଥିବାରୁ ସମୁଦ୍ରରୁ ଲୁଣାପାଣି ଆସି ଭେଡ଼ା ଭିତରେ ପଶୁଛି ଓ ଅକାଳରେ ଫସଲ ହାନୀ ହେଉଛି । ବନ୍ୟା ଘେରିବନ୍ଧ ଅତି ଦୁର୍ବଳ ଯୋଗୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକେ ବନ୍ୟା ପୀଡ଼ିତ ହୋଇ ସର୍ବସ୍ୱାନ୍ତ ହେଉଛନ୍ତି ଓ ଅନେକ ଧନ-ଜୀବନ ନଷ୍ଟ ହେଉଛି । ଜଳସେଚନ ବ୍ୟବସ୍ଥା ସଂପୃକ୍ତ ବାସିନ୍ଦାଙ୍କ ପାଇଁ ଯେମିତି ସ୍ୱପ୍ନ ହୋଇଛି । କେତେକ ଅଂଚଳରେ ଅନେକ ବର୍ଷ ତଳେ କେନାଲ୍ ଖୋଳା କାମ ଆରମ୍ଭ ହୋଇ ଆଜି ମଧ୍ୟ ତାହା ଅଧାପନ୍ତରିଆ ଭାବେ ପଡ଼ିରହିଛି । ବେଣାକନ୍ଦା ଠାରୁ ତନ୍ତିଆପାଳ ପର୍ଯ୍ୟନ୍ତ ୧୩ କି.ମି. ଗୋବରୀ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ ପାଇଁ ୨୭ ବର୍ଷ ତଳେ ନିଷ୍ପତି ନିଆଯାଇଥିଲେ ହେଁ ଏଯାଏ ଏହି ଲୋକହିତକାର କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ । ଏହି ଯୋଜନା କାର୍ଯ୍ୟକାରୀ ହେଲେ ମହାକାଳପଡ଼ାର କେତେକ ଅଂଚଳକୁ ମିଠା ଜଳ ଯୋଗାଇ ବର୍ଷ ତମାମ ଚାଷ କାର୍ଯ୍ୟକୁ ସହଜ କରା ଯାଇପାରନ୍ତା ।
କ୍ରମେ ଏହି ଅଂଚଳ ଅବହେଳାର ଚରମ ସୀମାକୁ ଟପିଯାଇଛି । ଏଠାରେ ବହୁ ସୁଯୋଗ ରହିଥିଲେ ହେଁ ତାହାର ଉପଯୁକ୍ତ ଉପଯୋଗ ହୋଇ ପାରୁନାହିଁ । ପ୍ରଚୁର ମନୋରମ ପ୍ରାକୃତିକ ସଂପଦ, ମତ୍ସ୍ୟ ସଂପଦ, ବନ୍ୟପ୍ରାଣୀ ସଂପଦ, ପର୍ଯ୍ୟଟନ ସଂପଦ ଓ ବନ୍ଦର ସୁଯୋଗ ଭଳି ଅନେକ ଦୁର୍ଲଭ ସଂପଦ ଭରପୂର ହୋଇ ରହିଛି ଏହି ଅଂଚଳରେ । ବିଶେଷକରି ପର୍ଯ୍ୟଟନ ଶିଳ୍ପର ସୁଯୋଗକୁ ଉପଯୋଗର ଆବଶ୍ୟକତା ରହିଛି । ବରୁଣେଇ ମୁହାଣ, ବତୀଘର, ବ୍ରଟିଶ୍ ବାଣିଜ୍ୟର କୋଠାଘର ହୁକୁଟେଲା ଓ ସମୁଦ୍ର ଭିତରେ ଥିବା ଟାଇଗର ଦୀପ, ମାଦେଲିଚଢା ଦୀପ ଏବଂ ଅନ୍ୟାନ୍ୟ କେତେକ କ୍ଷୁଦ୍ର ଦୀପକୁ ନେଇ ଏକ ମନେରମ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦିଆଯିବାର ଆବଶ୍ୟକତା ରହିଛି । ଏହା କାର୍ଯ୍ୟକାରୀ ହେଲେ, ଏହି ଅଂଚଳ ସହ କେନ୍ଦ୍ରାପଡ଼ା ଜିଲ୍ଲାର ଆର୍ଥିକ ବିକାଶ ହେବା ସହ ଓଡ଼ିଶା ସରକାର ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ପାଇ ପାରିବେ ।
ସଂପ୍ରତି ମହାକାଳପଡ଼ାର ଭାଗ୍ୟ ଓ ଭବିଷ୍ୟତ ଅନ୍ଧକାର ଭିତରେ ଗତିକରୁଛି । ଏହି ଅଂଚଳର ଅର୍ଥନୈତିକ ପ୍ରଗତିର ଚାବିକାଠି କେଉଁଠି ରହିଛି, ସେସଂପର୍କରେ ବ୍ୟାପକ ସମୀକ୍ଷାର ଆବଶ୍ୟକତା ରହିଛି । ରାଜନୈତିକ ଇଚ୍ଛାଶକ୍ତି ଉପରେ ଏହି ଅଂଚଳର ବିକାଶ ନିର୍ଭର କରୁଛି । କିନ୍ତୁ କିଛିବର୍ଷ ତଳୁ ଏଠାକାର ରାଜନୈତିକ ପରିବେଶ ପ୍ରଦୂଷିତ ହୋଇଯାଇଛି । ସାଧାରଣ ଲୋକଙ୍କ ସେବାରେ ନିୟୋଜିତ ସ୍ଥାନୀୟ ନେତାମାନଙ୍କୁ ବିଭିନ୍ନ ରାଜନୈତିକ ଦଳମାନେ ଅବହେଳା କରୁଛନ୍ତି । ସ୍ଥାନୀୟ ବିଧାୟକ ଅତନୁ ଶବ୍ୟସାଚୀ ନାୟକ ଗତ ୧୦ ବର୍ଷ ଭିତରେ ଏହି ଅଂଚଳରେ କୌଣସି ଉନ୍ନୟନ କାର୍ଯ୍ୟ କରିନଥିଲାବେଳେ କ୍ରମେ ସାଧାରଣ ଲୋକଙ୍କ ଠାରୁ ଦୂରେଇ ଯାଇଛନ୍ତି । ଆଜିକାଲି ସାଧାରଣ ଭୋଟର ମାନଙ୍କୁ କୌଣସି ପ୍ରକାରେ ପ୍ରଭାବିତ କରି କ୍ଷମତାକୁ ଆସିବା ବିଭିନ୍ନ ରାଜନୈତିକ ଦଳର ଲକ୍ଷ୍ୟ ହୋଇଛି । ସେଥିପାଇଁ ବିଭିନ୍ନ ରାଜନୈତିକ ଦଳମାନେ ମନମୁଖୀ ପ୍ରାର୍ଥୀ ଦେଉଛନ୍ତି । ଏହାଦ୍ୱାରା ଲୋକେ ଯୋଗ୍ୟ ପ୍ରତିନିଧି ପାଇପାରୁ ନାହାଁନ୍ତି କି ନିଜର ଚିର ସମସ୍ୟାରୁ ମୁକ୍ତି ପାଉନାହାଁନ୍ତି । ଗତ ୨୦୦୯ ଓ ୨୦୧୪ ନିର୍ବାଚନରେ ମହାକାଳପଡ଼ା ବିଧାନସଭା ଆସନରେ ବିଜେଡ଼ି ପ୍ରାର୍ଥୀ ଭାବେ ଅତନୁ ବାବୁ ବିଜୟୀ ହୋଇଥିଲେ । ମାତ୍ର ଏବେ ସ୍ଥାନୀୟ ବିଜେଡ଼ି ସଂଗଠନ ଅତନୂ ବାବୁଙ୍କ ଠାରୁ ନିଜର ମୁହଁ ଫେରାଇ ନେଇଛି ।
କିନ୍ତୁ ଏବେ ମହାକାଳପଡ଼ାର ରାଜନୀତିକ ଚିତ୍ର ସଂପୂର୍ଣ୍ଣ ବଦଳିଛି । ଏଥର ଏହି ଆସନରେ ବିଜେଡ଼ିରୁ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଜେପିରୁ ବିଜୟ ପ୍ରଧାନ ଓ କଂଗେସରୁ ବିଭ୍ରାଂଶୁ ଶେଖର ଲେଙ୍କା ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏହି ବିଧାନସଭା କ୍ଷେତ୍ରରେ ଏକ ଅଜବ ପରିସ୍ଥିତି ସୃଷ୍ଟି ହୋଇଛି । ଏଠାରେ ବିଜେଡ଼ିର ଦୁର୍ବଳ ସଂଗଠନଟି ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି । ବିଜେଡ଼ି ବା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କର ଏଠାରେ କୌଣସି ସଶକ୍ତ ସଂଗଠନ ନଥିଲା କି ଏବେ ନାହିଁ । ବରଂ ନବୀନ ପଟ୍ଟନାୟକଙ୍କ ହାୱା ଯୋଗୁ ଶ୍ରୀ ନାୟକ ଏଠାରୁ ବିଜୟୀ ହୋଇଛନ୍ତି । ସ୍ଥାନୀୟ ବିଜେଡ଼ିର ନାମ ମାତ୍ର ସଂଗଠନଟି ଅତନୁବାବୁଙ୍କୁ ବିରୋଧ କରିବା ଆରମ୍ଭ କରିଛି । ଏହି ଅଂଚଳରେ ବିଧାୟକ କୌଣସି ଆଖିଦୃଶିଆ କାମ କରି ନଥିବା ଅଭିଯୋଗ ହେଉଛି । ସ୍ଥାନୀୟ ଲୋକମାନେ ଅଧିକାଂଶ ସରକାରୀ ଯୋଜନାର ସୁଫଳ ପାଇ ପାରୁନାହାନ୍ତି । ପାନୀୟ ଜଳ ଓ ଗମନାଗମନ ବ୍ୟବସ୍ଥା ବିପର୍ଯ୍ୟୟ ହୋଇ ପଡ଼ିଛି । ଶିକ୍ଷା ଓ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଏହି ଅଂଚଳରେ ନିମ୍ନଗାମୀ ହୋଇ ପଡ଼ିଛି । ସବୁ ସରକାରୀ ଉନ୍ନୟନ ଯୋଜନାରେ ପିସି କାରବାର ଯୋଗୁ ସାଧାରଣ ଲୋକଙ୍କ ପାଖରେ ଯୋଜନା ପହଂଚୁ ନାହିଁ । ଲୋକେ କାମ ନପାଇ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଜଳସେଚନ ବ୍ୟବସ୍ଥା ନଥିବାରୁ ଚାଷକାର୍ଯ୍ୟ ବିପର୍ଯ୍ୟସ୍ତ ହେଉଛି । ସେହିପରି ଗାଁ, ସହର ଆଦି ଚାରିଆଡ଼େ ମଦର ବନ୍ୟା ଛୁଟୁଛି । ଲୋକଙ୍କର ମୌଳିକ ସମସ୍ୟା ସମାଧାନ ଅପେକ୍ଷା ଅଧିକ ରାଜସ୍ୱ ମିଳୁଥିବାରୁ ମଦର ପ୍ରସାରକୁ ସରକାର ଗୁରୁତ୍ୱ ଦେଉଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଯାହା ଚଳିତ ନିର୍ବାଚନରେ ପ୍ରତିଫଳିତ ହେବ ବୋଲି ସାଧାରଣ ଲୋକଙ୍କ ସମେତ ବୁଦ୍ଧିଜୀବୀ ମାନେ ମତ ଦେଉଛନ୍ତି ।
ତେବେ ନିର୍ବାଚନର ଅବ୍ୟବହିତ ପୂବରୁ ମହାକାଳପଡ଼ା ବିଧାନସଭା କ୍ଷେତ୍ରର ରାଜନୀତିକ ସ୍ଥିତି ସଂପର୍କରେ ସମୀକ୍ଷାରୁ ଜଣା ପଡ଼ିଛି ଯେ, କଂଗ୍ରେସ ଏଠାରେ ବହୁ ପଛରେ ପଡ଼ିଛି । ମାତ୍ର ଅଧିକାଂଶ ଅଂଚଳରେ ବିଜେପିର ଢେର ଶକ୍ତି ବୃଦ୍ଧି ହୋଇଛି । ମୁଖ୍ୟତଃ କେନ୍ଦ୍ରାପଡ଼ା ଲୋକସଭାର ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ବିଜେପି ନେତାମାନେ ନିୟମିତ ଏହି ଅଂଚଳ ବୁଲି ସାଧାରଣ ଲୋକଙ୍କ ସୁଖ-ଦୁଃଖରେ ଭାଗି ହେଉଛନ୍ତି । ଯାହା ଏହି ଅଂଚଳରେ ବିଜେପିର ଶକ୍ତି ବୃଦ୍ଧି ହେବାରେ ବେଶ ସହାୟକ ହୋଇଛି । ଏଠାରେ ସର୍ବତ୍ର ବିଜେପି ହାୱା ବହୁଛି । ବିଜେପି ଲୋକସଭା ପ୍ରାର୍ଥୀ ଶ୍ରୀ ପଣ୍ଡା ଓ ଶ୍ରୀ ପ୍ରଧାନ ତଥା ଦଳୀୟ ନେତାମାନେ ସାଧାରଣ ଭୋଟରଙ୍କ ନିକଟରେ ପହଂଚି ପାରିଛନ୍ତି । କେତେକ ବିଜେପି ଶୂନ୍ୟ ଅଂଚଳରେ ଏବେ ବିଜେପିର ସଂଗଠନ ବଢି ବଢି ଚାଲିଛି । ଏହି ଦୃଷ୍ଟିରୁ ବିଜେପି ଏଠାରେ ଆଗରେ ଚାଲିଛି ବୋଲି କୁହାଯାଉଛି । ତେବେ ବିଜେପି ପ୍ରାର୍ଥୀ ବିଜୟ ପ୍ରଧାନ ଓ ବିଜେଡ଼ି ପ୍ରାର୍ଥୀ ଅତନୁ ନାୟକଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହେବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ତଥା କେତେକ ରାଜନୀତିକ ସମୀକ୍ଷକ ମତ ଦେଉଛନ୍ତି । ବାସ୍ତବତା ଦେଖାଗଲେ, ସମଗ୍ର ଅଂଚଳରେ ଆବଶ୍ୟକୀୟ ଉନ୍ନୟନ କାର୍ଯ୍ୟ ହୋଇ ନଥିବାରୁ ସାଧାରଣ ଭୋଟର ବିଧାୟକଙ୍କ ପ୍ରତି ଅସନ୍ତୁଷ୍ଟ ଅଛନ୍ତି । ବିଜେପି ପ୍ରାର୍ଥୀ ବିଜୟ ପ୍ରଧାନ ଜଣେ ସରଳ, ଭଦ୍ର, ଅଭିଜ୍ଞ ଓ ନିଷ୍ଠାପର ବ୍ୟକ୍ତିତ୍ୱ । ସେ ଜଣେ ପ୍ରଗତିଶୀଳ ମଣିଷ ଭାବେ ପରିଚିତ । ସଂପ୍ରତି ମହାକାଳପଡ଼ା ଅଂଚଳରେ ଏପରି ବାତାବରଣ ସୃଷ୍ଟି ହୋଇଛି ଯେ, ଶ୍ରୀ ପ୍ରଧାନ ଅତି ସହଜରେ ଏଠାରୁ ବହୁ ଭୋଟ୍ ବ୍ୟବଧାନରେ ବିଜୟୀ ହେବେ ବୋଲି ରାଜନୈତିକ ବିଷାରଦ ମାନେ ମତ ଦେଉଛନ୍ତି । ଶ୍ରୀ ପ୍ରଧାନଙ୍କ ପ୍ରତିନିଧିତ୍ୱ ବଳରେ ଚିର ଅବହେଳିତ ଏହି ଅଂଚଳ ବିକାଶ ପଥରେ ଆଗେଇ ପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି । ଶରତ କୁମାର ରାଉତ

Leave a Reply

Your email address will not be published.