ନଲହାଟୀ ଶକ୍ତିପୀଠ, କୋଲକତା

ନଲହାଟୀ ଶକ୍ତିପୀଠ, କୋଲକତା

ଶରତ କୁମାର ରାଉତ
ନଲହାଟୀ ଶକ୍ତିପୀଠ ହିନ୍ଦୁମାନଙ୍କ ପାଇଁ ଏକ ପବିତ୍ର ସ୍ଥାନ ଭାବରେ ପରିଚିତ । ଏହି ଶକ୍ତିପୀଠ ପଶ୍ଚିମବଙ୍ଗ ରାଜ୍ୟ (କୋଲକତା) ଅନ୍ତର୍ଗତ ବୀରଭୂମୀ ଜିଲ୍ଲାର ରାମପୁରହଟରେ ଅବସ୍ଥିତ । ଏହି ମନ୍ଦିର ମା’ ନଲତେଶ୍ୱରୀଙ୍କ ନାମରେ ମଧ୍ୟ ଜଣାଶୁଣା । ନଲହାଟୀ ଶକ୍ତିପୀଠର ଅଞ୍ଚଳ ପାହାଡ଼ ଓ ସୁନ୍ଦରବନ ମଧ୍ୟରେ ପରିବେଷ୍ଟିତ ।
ଏହି ମନ୍ଦିର ମାତା ସତୀଙ୍କ ଶକ୍ତିପୀଠ ଗୁଡ଼ିକ ମଧ୍ୟରେ ଅନ୍ୟତମ । ଏହି ମନ୍ଦିରରେ ଶକ୍ତିଙ୍କୁ “କାଳିକା” ରୂପରେ ପୂଜା କରାଯାଏ ଓ ଭଗବାନ ଭୈରବଙ୍କୁ “ୟୋଗୀଶ”ରୂପରେ ପୂଜା କରାଯାଏ । ପୁରାଣ ଶାସ୍ତ୍ର ଅନୁଯାୟୀ ଯେଉଁ ଯେଉଁ ସ୍ଥାନରେ ମାତା ସତୀଙ୍କ ଅଙ୍ଗର ଖଣ୍ଡ, ଧାରଣ କରିଥିବା ବସ୍ତ୍ର, ଆଭୁଷଣ ଆଦି ପଡ଼ିଥିଲା, ସେହି ସବୁ ସ୍ଥାନରେ ଶକ୍ତିପୀଠ ମାନ ସୃଷ୍ଟି ହୋଇଥିଲା । ସେହି ସ୍ଥାନ ଗୁଡ଼ିକ ଅତ୍ୟନ୍ତ ପବିତ୍ର ସ୍ଥାନ ଭାବରେ ସବୁଆଡ଼େ ପରିଚିତ ।
ଏ ସଂପର୍କରେ ପୁରାଣ ଶାସ୍ତ୍ରରେ ଅନେକ ଚମକପ୍ରଦ କଥା ରହିଛି । ବ୍ରହ୍ମାଙ୍କ ପୁତ୍ର ଦକ୍ଷରାଜ ଯଜ୍ଞ କଲାବେଳେ ନିଜ ଝିଅ ବା ଭଗବାନ ଶିବଙ୍କ ପତ୍ନୀ ଦେବୀ ସତୀ ଓ ଭଗବାନ ଶିବଙ୍କୁ ଯଜ୍ଞରେ ଉପସ୍ଥିତ ହେବାକୁ ନିମନ୍ତ୍ରଣ କରି ନଥିଲେ । ମାତା ସତୀ ଏହା ଜାଣି ସଙ୍ଗେ ସଙ୍ଗେ ନିଜ ପିତାଙ୍କ ଯଜ୍ଞ ସ୍ଥଳରେ ପହଞ୍ଚିଲେ । ନିଜ ଝିଅ ଓ ଜ୍ୱାଇଁଙ୍କୁ ଯଜ୍ଞରେ ଉପସ୍ଥିତ ହେବାକୁ କାହିଁକି ନିମନ୍ତ୍ରଣ କରା ଯାଇନାହିଁ ବୋଲି ମା’ ସତୀ ଦୃଢତାର ସହ ନିଜ ପିତା ଦକ୍ଷରାଜଙ୍କୁ ପଚାରିଲେ । ମାତ୍ର ଦକ୍ଷରାଜ ନିଜ ଝିଅ ମାତା ସତୀଙ୍କୁ ସାନ୍ତ୍ୱନା ଦେବା ବଦଳରେ ଭଗବାନ ଶିବ ଓ ମା’ ସତୀଙ୍କୁ ଗାଳିଗୁଲଜ କଲେ । ଏଥିରେ ମା’ ସତୀ ଦୁଃଖରେ ଭାଙ୍ଗି ପଡ଼ିଲେ । ନିଜର କୋହ ନିୟନ୍ତ୍ରଣ କରି ପାରିଲେ ନାହିଁ । ଶେଷକୁ ଅତି ଦୁଃଖରେ ମା’ ସତୀ ପିତାଙ୍କ ଦ୍ୱାରା ଆୟୋଜିତ ଯଜ୍ଞକୁଣ୍ଣରେ ଆତ୍ମଦାହ କରିଦେଲେ ।
ତି୍ରକାଳଦର୍ଶୀ ଶିବ ଏ ଖବର ଜାଣି ସଙ୍ଗେ ସଙ୍ଗେ ଯଜ୍ଞ ସ୍ଥଳରେ ପହଞ୍ଚିଲେ । କାଳ ବିଳମ୍ବ ନକରି ଭଗବାନ ଶିବ ଦୁଃଖରେ ମି୍ରୟମାଣ ହୋଇ ମା’ ସତୀଙ୍କ ମର ଶରୀର ନିଜ ହାତରେ ଧରି ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ । ସବୁଆଡ଼େ ଚାଲିଲା ଧ୍ୱଂସଲୀଳା । ସମସ୍ୟା ଜଟିଳ ହେବାରୁ ଏହାର ସମାଧାନ ପାଇଁ ଦେବ ଦେବୀ ମାନେ ଭଗବାନ ବ୍ରହ୍ମା ଓ ଭଗବାନ ବିଷ୍ଣୁଙ୍କୁ ଅନୁରୋଧ କଲେ । ଭଗବାନ ବିଷ୍ଣୁ ଏହି ଘଟଣାକୁ ଆୟତ୍ତରେ ଆଣିବାକୁ ବିଭିନ୍ନ ଉପାୟ ଚିନ୍ତା କରିବାକୁ ଲାଗିଲେ । କିଛି ସମୟ ପରେ ଭଗବାନ ବିଷ୍ଣୁଙ୍କୁ ଭଲ ଉପାୟଟି ମିଳିଗଲା । ସେହି ଅନୁସାରେ, ଭଗବାନ ଶିବ ଧରିଥିବା ମାତା ସତୀଙ୍କ ମର ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଆତ୍ମା ରହିତ କରିବାକୁ ଭଗବାନ ବିଷ୍ଣୁ ନିଜର ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ । କିଛି କ୍ଷଣ ମଧ୍ୟରେ ସୁଦର୍ଶନ ଚକ୍ର ଦ୍ୱାରା ମା’ସତୀଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଗଲା ଓ ମା’ଙ୍କ ଶରୀରର ବିଭିନ୍ନ ଅଂଶ ଭାରତୀୟ ଉପ ମହାଦେଶର ଅନେକ ସ୍ଥାନରେ ବିଞ୍ଚିହୋଇ ପଡ଼ିଲା । ଏହାଦ୍ୱାରା ଧୀରେ ଧୀରେ ଭଗବାନ ଶିବଙ୍କର ରାଗ ଶାନ୍ତ ହେବାକୁ ଲାଗିଲା । ସର୍ବ ଶେଷରେ ମା’ସତୀଙ୍କ ଅଙ୍ଗର ମୁଖ୍ୟାଂଶ ସହ ସମସ୍ତ ଖଣ୍ଡକୁ ଖୋଜି ପୂଜାର୍ଚ୍ଚନା ତଥା ଖଣ୍ଡ ଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଭଗବାନ ଭୈରବଙ୍କୁ ନିଦେ୍ର୍ଦଶ ଦେଲେ ଭଗବାନ ବ୍ରହ୍ମା । ସେହି ଦୁର୍ଲଭ ସ୍ଥାନ ଗୁଡ଼ିକୁ ଭଗବାନ ବ୍ରହ୍ମା, ଭଗବାନ ବିଷ୍ଣୁ ଓ ଭଗବାନ ଶିବ ମିଶି ଶକ୍ତି ପୀଠର ମାନ୍ୟତା ଦେଲେ ।
ତେବେ ଭାରତୀୟ ଉପମହାଦେଶରେ ଥିବା ଶକ୍ତିପୀଠ ମାନଙ୍କ ମଧ୍ୟରେ କୋଲକତାର “ନଲହାଟୀ ଶକ୍ତିପୀଠ” ଅନ୍ୟତମ । ପୁରାଣ ଶାସ୍ତ୍ର ଅନୁଯାୟୀ ଏହି ଶକ୍ତିପୀଠରେ ମାତା ସତୀଙ୍କ “ଉଦର ନଳୀ” ପଡ଼ିଥିଲା । କୁହା ଯାଏ ଯେ, ୨୫୨ ଶତାବ୍ଦୀ ବଙ୍ଗାଳୀ ବର୍ଷ ବା ‘ବୋଙ୍ଗାପତୋ’, ‘କାମଦେବ’(ପ୍ରେମ ଓ ଇଚ୍ଛାର ହିନ୍ଦୁ ଦେବତା), ଯିଏ ଏହି ଶକ୍ତିପୀଠର ସୃଷ୍ଟି ସଂପର୍କରେ ସ୍ୱପ୍ନରେ ଦେଖିଥିଲେ ଓ ନାଲାହଟୀ ଜଙ୍ଗଲରେ ମାତା ସତୀଙ୍କ “ଉଦର ନଳୀ”କୁ ଖୋଜିଥିଲେ । କୁହାଯାଏ ଯେ, ମନ୍ଦିରର ମୂଳ ମୂର୍ତ୍ତିଙ୍କ ତଳେ ମାତାଙ୍କ “ନାଲା” ଓ “ଗଳା” ରହିଛି । ସେଥିରେ ଯେତେ ପାଣି ଢାଳିଲେ ମଧ୍ୟ ପାଣି ବୁହେ ନାହିଁ କି କେବେ ଶୁଖେ ନାହିଁ ।
“ନଲହାଟୀ ଶକ୍ତିପୀଠ” ରେ ବିଭିନ୍ନ ପର୍ବ ପର୍ବାଣୀ ପାଳନ କରାଯାଇଥାଏ । ମୁଖ୍ୟତଃ ଦୁର୍ଗାପୂଜା ଓ ନବରାତ୍ର ଉତ୍ସବ ବେଳେ ବିଶେଷ ପୂଜାର ଆୟୋଜନ କରାଯାଇଥାଏ । ଏଥି ସହିତ ନବରାତ୍ର ଉତ୍ସବ ବେଳେ କେତେକ ଭକ୍ତ ଓ ଶ୍ରଦ୍ଧାଳୁ ଭଗବାନଙ୍କ ପାଖରେ ସମର୍ପଣ ଭାବରେ ବ୍ରତ ଉପବାସ (ଭୋଜନ କରନ୍ତି ନାହିଁ) କରିଥାନ୍ତି । ଏହି ଉତ୍ସବ ଅବସରରେ ମନ୍ଦିରକୁ ବିଭିନ୍ନ ଫୁଲ ଓ ଆଲୋକ ମାଳାରେ ସଜା ଯାଇଥାଏ । ମନ୍ଦିରର ଆଧ୍ୟାତ୍ମିକ ପରିବେଶ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କର ମନ-ମସ୍ତିଷ୍କକୁ ଶାନ୍ତି ପ୍ରଦାନ କରିଥାଏ ।
ଯେଉଁ ଭକ୍ତ ଏହି ଶକ୍ତିପୀଠକୁ ଦର୍ଶନ ପାଇଁ ଆସନ୍ତି, ସେମାନଙ୍କର ସବୁ ପ୍ରାର୍ଥନା ଓ ମନସ୍କାମନା ପୂରଣ ହୋଇଥାଏ ବୋଲି କୁହାଯାଏ । ଏଥିଯୋଗୁ ଏହି ଶକ୍ତିପୀଠ ପ୍ରତ୍ୟକ୍ଷ ବୋଲି ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କର ବିଶ୍ୱାସ ରହିଛି ।
ବର୍ଷର ସବୁ ସମୟରେ ଏହି ଶକ୍ତିପୀଠରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କର ଗହଳି ଲାଗି ରହିଥାଏ । “ମା’କାଳିକା”ଙ୍କ ମନ୍ଦିରର ଅପରୂପ ଶୋଭା ଦେଖିବା ଭଳି ହୋଇଥାଏ । ଏଥିପାଇଁ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ମୁଖ୍ୟତଃ ମା’ “ମା’କାଳିକା”ଙ୍କୁ ପୂଜା କରିବାକୁ ଆସିଥାନ୍ତି । ଏଠାକାର ପୂଜାବିଧିର ପ୍ରତ୍ୟେକ କାର୍ଯ୍ୟକ୍ରମ ଖୁବ୍ ଆନନ୍ଦ ଦାୟକ ଓ ମନୋରମ ।
ଏହି ଶକ୍ତିପୀଠ ପ୍ରତିଦିନ ସକାଳ ୫ଟା ୩୦ରୁ ରାତି ୮.୩୦ଟା ପର୍ଯ୍ୟନ୍ତ ଖୋଲା ରୁହେ ।
ନାଲହାଟୀ ଶକ୍ତିପୀଠରେ କେମିତି ପହଞ୍ଚିବେ:-
ରେଳ ପଥ: ନାଲହାଟୀ ରେଳ ଷ୍ଟେସନ ଠାରୁ ମାତ୍ର ୧.୮ କି.ମି. ଦୂରରେ ନାଲହାଟୀ ଶକ୍ତିପୀଠ ।
ଭୁବନେଶ୍ୱର, ମୋ: ୯୩୩୭୩୬୯୪୪୮

 

2 thoughts on “ନଲହାଟୀ ଶକ୍ତିପୀଠ, କୋଲକତା

Leave a Reply

Your email address will not be published.