ନିର୍ବାଚନ ଲଢି ଭୁଲ୍ କରିଛି: ଦାମ
ଭୁବନେଶ୍ୱର, (ଆଇଏନ୍ଏସ୍): ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ଥିଲା ମସ୍ତବଡ଼ ଭୁଲ୍ । ଜମା ଛିଡ଼ା ହୋଇ ନଥିଲେ ଭଲ ହୋଇଥାନ୍ତା । ବିଜେଡିରୁ ଆସି ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଲି । ଘୋର ବିପର୍ଯ୍ୟୟର ସମ୍ମୁଖୀନ ହେଲି । ବିଜେପିରେ ଯୋଗ ଦେବା ମୋ ଜନ୍ମ ମାଟିର ଲୋକମାନେ ଗ୍ରହଣ କଲେନି । ଏସବୁ ପାଇଁ ମୁଁ ନିଜେ ଦାୟୀ । ଭୁଲ୍ ମୋର । ଚଳିତ ନିର୍ବାଚନରେ ବାଲିକୁଦା-ଏରସମା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବହୁ ଭୋଟ ବ୍ୟବଧାନରେ ହାରିଥିବା ବରିଷ୍ଠ ରାଜନେତା ଦାମୋଦର ରାଉତଙ୍କର ଏହା ହେଉଛି ସ୍ୱାକାରୋକ୍ତି । ନିର୍ବାଚନ ଫଳାଫଳ ମିଳିବାର କେଇ ଘଂଟା ପରେ ଏହା କହିଛନ୍ତି ଦାମ ।
ବିଜେପିରେ ଯୋଗ ଦେଇ ନବୀନ ସରକାରକୁ ଗାଦିଚୁ୍ୟତ କରିବାର ଶପଥ ନେଇଥିବା ଏହି ବର୍ଷିୟାନ ନେତାଙ୍କ ସ୍ୱପ୍ନ ଭାଙ୍ଗି ଚୁରମାର ହୋଇ ଯାଇଛି । ନିଜ ଜନ୍ମ ମାଟିରେ ତାଙ୍କୁ ଯେଉଁ ଶକ୍ତ ଧକ୍କା ମିଳିଛି, ସେଥିରେ ସେ ଅଣନିଃଶ୍ୱାସୀ ହୋଇ ପଡ଼ିଛନ୍ତି । ସବୁ ଦମ୍ଭ ହରେଇ ବସିଛନ୍ତି ଦାମ । କଥା କଥାରେ ନିଜ ଦଳର ସଦସ୍ୟ, ନେତା ଏବଂ ବିରୋଧୀଙ୍କୁ ସମାଲୋଚନା କରି ଚର୍ଚ୍ଚାରେ ରହି ଆସିଥିବା ଦାମ ଏବେ ନିରସ୍ତ୍ର ।
ଶୋଚନୀୟ ପରାଜୟ ପରେ ଦାମ କହିଛନ୍ତି, ଏହା ଥିଲା ମୋର ଶେଷ ନିର୍ବାଚନ । ଭବିଷ୍ୟତରେ ନିର୍ବାଚନ ଲଢିବିନି । ନିର୍ବାଚନରେ ହାରିବା ପରେ ଚୁପଚାପ ଘରେ ବସିଛନ୍ତି । ପୁଅ ସମ୍ବିତଙ୍କ ବିଜୟ ତାଙ୍କୁ କିଛି ମାତ୍ରାରେ ଆନନ୍ଦ ଦେଇଛି । ବୟସ, ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ସେ ନିର୍ବାଚନ ନଲଢିବାର ନିଷ୍ପତି ନେଇଥିବା କହିଛନ୍ତି ।
ପାରାଦୀପ ବନ୍ଦର, ଏକ୍ସପ୍ରେସ୍ ହାଇୱେ ଏବଂ କଟକ ପାରାଦୀପ ରାସ୍ତା ଅବିଭକ୍ତ କଟକ ଜିଲ୍ଲାର କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଅଂଚଳବାସୀଙ୍କ ଅର୍ଥନୈତିକ ଓ ସାମାଜିକ ଅଭିବୃଦ୍ଧି ଘଟାଇଛି । ଏଥିପାଇଁ ଲୋକଙ୍କ ମନରେ ବିଜୁ ବାବୁଙ୍କ ପ୍ରତି ଶ୍ରଦ୍ଧା, ସମ୍ମାନ ଅତୁଟ ରହିଛି । ଅନୁନ୍ନତ, ଅପହଂଚ ପାରାଦୀପକୁ ସଡ଼କ ଯୋଗାଯୋଗରେ ଉନ୍ନତି ଜଗତସିଂହପୁର ଲୋକଙ୍କୁ ପ୍ରଭାବିତ କରିଛି । କେନ୍ଦ୍ରାପଡ଼ାର ବନ୍ୟାଂଚଳ ବାସୀଙ୍କ କଷ୍ଟ ଲାଘବ ହୋଇଛି । ଏହି ଅଂଚଳରେ ଶିକ୍ଷା, କର୍ମ ନିଯୁକ୍ତି ଆଦି ବିକାଶ ତ୍ୱରାନ୍ନିତ କରିଛି । ୧୯୭୩ ମସିହାରୁ ବିଜୁ ପଟ୍ଟନାୟକଙ୍କ ଅନୁଗତ ଭାବେ ଏହି ୨ ଜିଲ୍ଲା ବୁଲିଛି ଓ ଲୋକଙ୍କ ସହ ମିଶିଛି । ହଠାତ ବିଜେପିରେ ଯୋଗ ଦେବା ଲୋକମାନେ ଗ୍ରହଣ କରି ପାରି ନାହାନ୍ତି । ଯାହାର ଫଳ ଭୋଗିବାକୁ ପଡ଼ିଛି ବୋଲି ସେ କହିଛନ୍ତି ।
ଦାମ କହିଛନ୍ତି, ନବୀନ ସରକାରରେ ଥିଲାବେଳେ ମୁଁ ମୋର ମତ ବ୍ୟକ୍ତ କରି ଚାଲିଥିଲି । କୌଣସି କାରଣରୁ ବିଜୁ ଜନତା ଦଳରୁ ମୋତେ ବହିଷ୍କାର କରାଗଲା । ଅନ୍ୟ ଦଳରେ ଯୋଗ ଦେବା ପାଇଁ ମୁଁ ଚାହିଁନଥିଲି । ବିଜେପିର ଜାତୀୟ ଓ ରାଜ୍ୟ ସ୍ତରୀୟ ପ୍ରମୁଖ ନେତାମାନେ ସେମାନଙ୍କ ଦଳରେ ଯୋଗ ଦେବାକୁ ମତେ ନିମନ୍ତ୍ରଣ କଲେ । ମୁଁ ଯୋଗ ଦେଲି । କିନ୍ତୁ ଭୋଟର ମୋତେ ସହଜରେ ଗ୍ରହଣ କଲେ ନାହିଁ । ପୁଅ ସମ୍ବିତକୁ ପାରାଦୀପବାସୀ ଶ୍ରଦ୍ଧାରେ ଗ୍ରହଣ କରି ନେଇଥିଲାବେଳେ ମୋତେ ମୋ ଜନ୍ମ ମାଟିର ଭୋଟର ନିର୍ମମ ଭାବେ ପ୍ରତ୍ୟାଖାନ କରିଛନ୍ତି । ମୋର ପରାଜୟ ପାଇଁ ବିଜେପି କିମ୍ବା ଭୋଟର ମାନଙ୍କୁ ଦୋଷ ଦେଇ ପାରିବି ନାହିଁ । ନିର୍ବାଚନମଣ୍ଡଳୀରେ ମୋଦିଙ୍କ ପ୍ରଚାର ଉଦ୍ୟମକୁ ସେମାନେ ଗ୍ରହଣ ନକରି ମୋତେ ସମୁଚିତ ଶିକ୍ଷା ଦେଇଥିବା ଦାମ କହିଛନ୍ତି । (ରବିପିୟ ଦାଶଙ୍କ ସ୍ୱତନ୍ତ୍ର ରିପୋର୍ଟ)