ପାରାଦ୍ୱୀପ ଆଦର୍ଶ ଥାନା ପକ୍ଷରୁ କରୋନା ଭାଇରସ ସଚ୍ଚେତନତା ବୈଠକ
ପାରାଦ୍ୱୀପ, (ଆଇଏନ୍ଏସ୍): ବିଶ୍ୱ ମହାମାରୀ କରୋନା ଭାଇରସ ପ୍ରତିରୋଧ ନିମନ୍ତେ ସରକାରୀ ଓ ବେସରକାରୀ ସଂସ୍ଥା ପକ୍ଷରୁ ବିଭିନ୍ନ ସଚ୍ଚେତନତା କାର୍ଯ୍ୟକ୍ରମ ହେଉଅଛି । ଏହି ପରିପ୍ରେକ୍ଷୀରେ ପାରାଦ୍ୱୀପ ଆଦର୍ଶ ଥାନା ପକ୍ଷରୁ ଏ ସକ୍ରାଂନ୍ତୀୟ ଏକ ସଚ୍ଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ଅପରାହ୍ନରେ ଥାନା ପରିସର ସଭାଗୃହ ଠାରେ ଆୟୋଜିତ ହୋଇଯାଇଛି । ପାରାଦ୍ୱୀପର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁଚରଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ କମ୍ପାନୀ ଇଫକୋ, ପିପିଏଲ, ଆଦାନୀ ୱିଲମାର, ଆର୍ସେଲର ମିତଲ ଷ୍ଟିଲ, ପିଆଇସିଟି, ଆଇଓସିଏଲ, ଏଚ୍ପିସିଏଲ୍, ବିପିସିଏଲ, ଆଇଓସିଏଲ ଗ୍ୟାସ, ଜେସିସି ଅଧିନସ୍ଥ ତିନୋଟି ଟ୍ରକ ସଂଘ, ପାରାଦ୍ୱୀପ ବନ୍ଦର ବଣିକ ସଂଘ, ଅଠରବାଙ୍କୀ ବଣିକ ସଂଘ ଓ ବହୁ ଅନୁଷ୍ଠାନର ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ । ଏହି ସଚେତନାତା ବୈଠକରେ କରୋନା ଭାଇରସ ପ୍ରତି ସାବଧନତା ଓ ସୁରକ୍ଷା ବିଷୟରେ ଆଲୋଚନା କରାଯାଇଥିଲା । ସମସ୍ତ ଉପସ୍ଥିତ ସଭ୍ୟମାନେ ସରକାରୀ ନିଦେ୍ର୍ଦଶନାମା ଅନୁସରଣ କରି ସର୍ବସାଧାରଣଙ୍କୁ ଏହି ସଂକ୍ରମଣ ପ୍ରତିରୋଧ ସମ୍ପର୍କରେ ସଚ୍ଚେତନ କରିବା ପାଇଁ ସହମତି ଦେଇଥିଲେ । କରୋନା ଭାଇରସରୁ ସୁରକ୍ଷିତ ରହିବାକୁ ସରକାରଙ୍କ ନିଦେ୍ର୍ଦଶାବଳୀ ଅନୁସରଣ କରିବାକୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମିଶ୍ର ସମସ୍ତ ପ୍ରତିନିଧିଙ୍କୁ ସୂଚିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପାରାଦ୍ୱୀପ ଆଦର୍ଶ ଥାନା ଅଧିକାରୀ ରଜନୀକାନ୍ତ ସାମଲ ପରିଚାଳନା କରିଥିଲେ । ସୂଚନା ଥାଉକି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପାରାଦ୍ୱୀପ ସହରରେ ୧୪୪ ଧାରା ଜାରି କରିଛନ୍ତି । ଏହି ଧାରା ସମୁଦ୍ର ବେଳାଭୂମୀ, ନେହେରୁ ବଙ୍ଗଳା, ସମସ୍ତ ସପିଂ ମଲ୍, ଯାତ୍ରୀ ନିବାସ, କଲ୍ୟାଣ ମଣ୍ଡପ ଏବଂ ସିନେମା ହଲ ଗୁଡିକ ଉପରେ ବଳବତର ରହିବ । ତେବେ କରୋନା ଭାଇରସ ପ୍ରତିରୋଧ ନିମନ୍ତେ ପାରାଦ୍ୱୀପ ବନ୍ଦର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମସ୍ତ ଜାହାଜ ମାନଙ୍କୁ ଅଙ୍କରେଜ୍ ରେ ସଂକ୍ରମର ସମ୍ବନ୍ଧୀୟ ଡାକ୍ତରୀ ପରିକ୍ଷା ପରେ ବନ୍ଦରକୁ ପ୍ରବେଶ ପାଇଁ ଅନୁମତି ମିଳୁଛି । ତେବେ ମାର୍ଚ୍ଚ ୧୭ ତାରିଖ ସୁଦ୍ଧା ବନ୍ଦର ମଧ୍ୟରେ ୨୦ଟି ଜାହାଜ ଥିବା ବେଳେ ଆଙ୍କରେଜରେ ୨୨ ଜାହାଜ ବନ୍ଦର ମଧ୍ୟକୁ ପ୍ରବେଶ ପାଇଁ ଅପେକ୍ଷାରେ ରହିଛି । ସେହିଭଳି ମାର୍ଚ୍ଚ ୨୮ ତାରିଖ ସୁଦ୍ଧା ପାରାଦ୍ୱୀପ ବନ୍ଦରକୁ ୩୩ଟି ଜାହାଜ ଆସିବାର ସୂଚନା ମିଳିଛି ।