ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ ଜନସାଧାରଣ
କର୍ମଚାରୀଙ୍କ ବଦଳି କରାନଯାଉ
ଭୁବନେଶ୍ୱର, (ଆଇଏନ୍ଏସ୍): ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପଂଚମ ଥର ପାଇଁ ସରକାର ଗଠନ ପରେ ସରକାରୀ କର୍ମଚାରୀଙ୍କ ବଦଳି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ନିକଟ ଭବିଷ୍ୟତରେ ଉଚ୍ଚ ପ୍ରଶାସନିକ ଓ ପୁଲିସ ଅଧିକାରୀ ମହଲରେ ଅଦଳ ବଦଳ ହେବାନେଇ ଚର୍ଚ୍ଚା ଜୋର ଧରିଛି । ସେହିପରି ଅନେକ କର୍ମଚାରୀଙ୍କ ବଦଳି କରିବା ପାଇଁ ନବ ନିର୍ବାଚିତ ବିଧାୟକମାନେ ସୁପାରିସ କରିଛନ୍ତି । ନିକଟରେ ବାତ୍ୟା ଦ୍ୱାରା ବହୁ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି । ବାତ୍ୟା ପ୍ରଭାବିତ ଅଂଚଳର ଲୋକଙ୍କ ନିକଟରେ ଏପର୍ଯ୍ୟନ୍ତ ସରକାରୀ ସାହାଯ୍ୟ ପହଂଚି ପାରିନାହିଁ । ଲୋକମାନେ ଦୁର୍ଦଶାରେ ଅଛନ୍ତି । ଅନେକ ସ୍ଥାନରେ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେଲାଣି । ଆଗକୁ ବର୍ଷା ଆସୁଥିବାରୁ ପ୍ରଭାବିତ ଅଂଚଳର ସ୍ଥିତି ଅଧିକ ଗମ୍ଭୀର ହେବା ସମ୍ଭାବନା ରହିଛି ।
ଲୋକଙ୍କୁ ରିଲିଫ ଓ ସରକାରୀ ସହାୟତା ପ୍ରଦାନ ସହ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିହାତି ଆବଶ୍ୟକ ଥିବାରୁ ଏ ସମୟରେ କର୍ମଚାରୀଙ୍କ ବଦଳି କରାଗଲେ ଲୋକମାନେ ଅଧିକ ସମସ୍ୟାର ସମ୍ମୁଖୀନ ହେବେ । ଜନସାଧାରଣଙ୍କୁ ଏବେର ଦୁଃଖ ଠାରୁ ସେତେବେଳେ ଅଧିକ କଷ୍ଟ ଭୋଗିବାକୁ ପଡ଼ିବ । ଏସବୁକୁ ଦୃଷ୍ଟିରେ ରଖି ଅତ୍ୟାବଶ୍ୟକ ସେବା ଯୋଗାଣକାରୀ ବିଭାଗର କର୍ମଚାରୀଙ୍କ ବଦଳି କରାନଯିବା ଉପରେ ଜନସାଧାରଣ ଗୁରୁତ୍ୱ ଦେଇଛନ୍ତି । ଏ ନେଇ ବିଭିନ୍ନ ଅଂଚଳର ଜନସାଧାରଣ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । (ରବିପ୍ରିୟ ଦାଶଙ୍କ ସ୍ୱତନ୍ତ୍ର ରିପୋର୍ଟ)