ବିଜେଡ଼ିରେ ଅନ୍ତର୍ଘାତି କାର୍ଯ୍ୟ ଆଶଙ୍କା?
ଶରତ କୁମାର ରାଉତ
ଦେଶରେ ସାଧାରଣ ନିର୍ବାଚନ ଚାଲିଥିବା ବେଳେ ବିଜେଡ଼ିରେ ରାଜନୈତିକ ବିଶୃଙ୍ଖଳା ଚରମ ସୀମା ପାର କରିଛି । କିଛିବର୍ଷ ତଳୁ ଦଳୀୟ କନ୍ଦଳ ଆରମ୍ଭ ହୋଇ ଏବେ ଭୟଙ୍କର ରୂପ ନେଇଛି । ଭବିଷ୍ୟତରେ ରାଜ୍ୟ ରାଜନୀତିକ ଅବସ୍ଥା ଆହୁରି ଗମ୍ଭୀର ହୋଇଯିବ ବୋଲି ରାଜନୈତିକ ସମୀକ୍ଷକମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି । ଏସବୁ ଆଶଙ୍କା ପଛରେ ଅନେକ ଯୁକ୍ତିଯୁକ୍ତ କାରଣ ମଧ୍ୟ ରହିଛି । ଏଥର ନିର୍ବାଚନରେ ଆନକ ସାଂସଦ ଓ ବିଧାୟକଙ୍କୁ ନବୀନ ବାବୁ ଟିକେଟ ଦେଇ ନାହାନ୍ତି । ଟିକେଟ ବଂଟାକୁ ନେଇ ନାନା ବିଭ୍ରାଟ ସୃଷ୍ଟି ହୋଇଛି । ବହୁ ବରିଷ୍ଠ ନେତା ଦଳ ଛାଡ଼ିଛନ୍ତି ଓ ବିଶେଷତଃ ସେମାନେ ବିଜେପିରେ ଯୋଗ ଦେଇଛନ୍ତି । ନେତା ମାନେ ପରସ୍ପର ବିରୋଧରେ ବିଭିନ୍ନ ସମ୍ବେଦନଶୀଳ ଟିପଣୀ ଦେଉଛନ୍ତି । ଜଣେ ଅନ୍ୟଜଣଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି । ଦଳୀୟ ସଭାପତିଙ୍କୁ ମଧ୍ୟ ସମାଲୋଚନା କରିବାକୁ ପଛାଉ ନାହାନ୍ତି । ଏଥିପାଇଁ ରାଜ୍ୟ ରାଜନୀତି ଚଳଚଂଚଳ ହୋଇ ଉଠିଛି । ବିଜେଡ଼ି ପକ୍ଷରୁ ନିର୍ବାଚନୀ ସଭା, କର୍ମୀ ସମ୍ମିଳନୀ, ୪ର୍ଥ ପାଳିର ଉନ୍ନୟନ କାର୍ଯ୍ୟକୁ ନେଇ ଚାରିଆଡ଼େ ସଭା, ଶୋଭାଯାତ୍ରା ଆଦି ଆୟୋଜିତ ହେଉଛି । ଏହା ଭିତରେ ରାଜ୍ୟ ସରକାରଙ୍କ ବିଭିନ୍ନ ସନେ୍ଦହ ଜନକ କାର୍ଯ୍ୟ ବିରୁଦ୍ଧରେ ବିଜେପିର ରଣ ହୁଙ୍କାର ଓ ବିଜେଡ଼ିର ପାଲଟା ଯବାବ ପ୍ରସଙ୍ଗ ଯେଉଁ ସ୍ତରରେ ପହଂଚିଛି, ତାହା ବୁଦ୍ଦିଜୀବୀ ମହଲକୁ ସ୍ତବ୍ଧ କରିଛି । ସ୍ୱଂୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ହଲଚଲ୍ ହୋଇ ଯାଇଛନ୍ତି । ତଥାପି ମୁଖ୍ୟମନ୍ତ୍ରୀ ଏବେ ବେଶ୍ କଠୋର ହେବା ଭଳି ଲାଗୁଛନ୍ତି । ଗତ ୧୭ ବର୍ଷ ଭିତରେ ସେ କେବେ ମଧ୍ୟ ରାଜ୍ୟ ଶାସନ କିମ୍ବା ବିଜେଡ଼ି ସଂଗଠନ ବାବଦରେ ମୁଣ୍ଡ ଖେଳାଇ ନାହାନ୍ତି । ସବୁକିଛି ସ୍ୱାଭାବିକ ଚାଲୁଥିଲା । ମାତ୍ର ପଂଚାୟତ ନିର୍ବାଚନ ପର ଠାରୁ ମୁଖ୍ୟମନ୍ତ୍ରୀ ନବିନ ବାବୁ ଟିକେ ଭାରାକ୍ରାନ୍ତ ହୋଇଛନ୍ତି । ନିଜର କ୍ଷମତା ବ୍ୟବହାର କରୁଛନ୍ତି । ସବୁକିଛି ତାଙ୍କ ଆଦେଶ ଓ ପରାମର୍ଶରେ ହେଉଛି ।
ଦୀର୍ଘ ୧୨ବର୍ଷ ଧରି ସାଂସଦ ପ୍ୟାରୀ ମୋହନ ମହାପାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସରକାରଙ୍କର ମାର୍ଗ ଦର୍ଶକ ଥିବା ସମସ୍ତେ ଜାଣନ୍ତି । ଏହା ପରେ ନବିନ ବାବୁ ଯେଉଁ ମାନଙ୍କ ପରାମର୍ଶରେ ଶାସନ କରି ଆସୁଛନ୍ତି, ସେକଥା ରାଜ୍ୟର ବିଭିନ୍ନ ମହଲରେ ଆଲୋଚିତ ହେଉଛି । ନବିନ ବାବୁ କିପରି ରାଜନୀତିକୁ ଆସିଲେ, ମୁଖ୍ୟମନ୍ତ୍ରୀ ହେଲେ, ଆଉ ୧୯ ବର୍ଷ ଧରି କିପରି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ପାଳନ କରି ଆସୁଛନ୍ତି, ସେ ସଂପର୍କରେ ସାଧାରଣ ଲୋକଙ୍କ ସମେତ ବିଜେଡ଼ି ନେତା ଓ କର୍ମୀ ମାନେ ମଧ୍ୟ ଖୋଲାଖୋଲି ଆଲୋଚନା କରିଥାନ୍ତି । ସେହିପରି ରାଜନୀତିର ଜଟିଳତା ମଧ୍ୟକୁ ନପଶି ଓ ବିଶେଷ ପରିଶ୍ରମ ନକରି ସେ କିପରି ବାରମ୍ବାର କ୍ଷମତାକୁ ଆସୁଛନ୍ତି, ସେ ସଂପର୍କରେ ମଧ୍ୟ ଆଲୋଚନା ହୋଇ ଆସୁଛି । ଆହୁରି ମଧ୍ୟ ଆଲୋଚନା ହେଉଛି ଯେ, ନବିନ୍ ବାବୁ କେବଳ ଚାହାନ୍ତି ମୁଖ୍ୟମନ୍ତ୍ରୀ ଆସନ ଓ ନିର୍ବାଚନରେ ବିଜୟ । ଓଡ଼ିଆ ଜାଣି ନଥିବାରୁ କାହା ସହ ବିଶେଷ କଥା ନହୋଇ, ଲୋକଙ୍କ ସହ ନ ମିଶି ବି ସେ ଭଲ ମୁଖ୍ୟମନ୍ତ୍ରୀ ଭାବେ ଜନସାଧାରଣଙ୍କ ମନରେ ବସା ବାନ୍ଧି ରହିଛନ୍ତି । ନବିନ ବାବୁ କୁଆଡ଼େ ନିଜ ବିଧାୟକ ଓ ସାଂସଦଙ୍କ ସହିତ କେବଳ ଛିଡ଼ା ଛିଡ଼ା ‘ୟେସ୍’ ବା ‘ନୋ’ବ୍ୟତୀତ କୌଣସି କଥା ହୁଅନ୍ତି ନାହିଁ? ପ୍ୟାରୀ ବାବୁଙ୍କ ଯୋଜନା କ୍ରମେ କୁଆଡ଼େ ବିଜେଡ଼ିର କିଛି ନେତା ମିଶି ନବିନ ବାବୁଙ୍କର ଏକ ସ୍ୱଚ୍ଛ ଭାବମୂର୍ତି ଲୋକଙ୍କ ଆଗରେ ଉପସ୍ଥାପନ କରିଥିଲେ ଆଉ ଏଥିରେ ବିଭିନ୍ନ ବର୍ଗର ବ୍ୟକ୍ତି ମାନଙ୍କର ପ୍ରଚ୍ଛନ୍ନ ସହଯୋଗ ରହିଥିଲା, ଯାହା ଏବେ ବି ବଳବତର ରହିଛି । ତେବେ ତାଙ୍କର ଭାବନା, ଋଚି, ଇଚ୍ଛା ଓ କାର୍ଯ୍ୟ ସଂପର୍କରେ କିଛି ନଜାଣି ମଧ୍ୟ ଓଡ଼ିଶାର ଲୋକେ ଧରି ନେଇଛନ୍ତି ସେ ଜଣେ ସଚ୍ଚୋଟ-ନିର୍ମଳ ଭାବମୂର୍ତିର ନେତା ବୋଲି । ଆଉ ଯେଉଁମାନେ ତାଙ୍କୁ ନିର୍ମଳ ଭାବମୂର୍ତିର ବୋଲି ପ୍ରଚାର କରୁଛନ୍ତି, ସେମାନେ ହିଁ ମନଇଚ୍ଛା ଓଡ଼ିଶା ମାଟି ମା’କୁ ଲୁଟୁଛନ୍ତି, ଓଡ଼ିଶା ବାସୀଙ୍କ ସ୍ୱାର୍ଥକୁ ଅପହରଣ କରୁଛନ୍ତି ବୋଲି ଅଭିଯୋଗ ହୋଇ ଆସୁଛି । ଦଳର ପଥପ୍ରଦର୍ଶକ ଓ ପ୍ରଶାସନର ଦ୍ୱିତୀୟ କ୍ଷମତା କେନ୍ଦ୍ର କୁହା ଯାଉଥିବା ପ୍ୟାରୀ ବାବୁଙ୍କର ସଫଳ ଦାୟିତ୍ୱ ନିର୍ବାହ ଓ ତାଙ୍କର କେତେକ ପଦକ୍ଷେପ ସଂପର୍କରେ ବିଶ୍ଲେଷଣ କଲେ ଏତିକି ସ୍ପଷ୍ଟ ହେଉଛି ଯେ, ସେ ବିଜେଡ଼ିର ସୁରକ୍ଷା ପ୍ରାଚୀର ଥିଲେ । ଏପରିକି ତାଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ସତ୍ୱେ ନବୀନ ବାବୁ ସେସବୁକୁ ଭିତି ହୀନ ବୋଲି କହୁଥିଲେ । ଖଣି, ପାଣି, କୋଇଲା, ଡ଼ାଲି, ନରେଗା, ଚିଟଫଣ୍ଡ ଠକେଇ ଭଳି ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମରେ ହୋଇଥିବା ମହାଦୁର୍ନୀତିରେ କିଛି ନେତା ସଂପୃକ୍ତ ଥିବା ଚର୍ଚ୍ଚା ହେଉଥିଲେ ବି ସେମାନଙ୍କୁ ଘଂଟ ଘୋଡ଼ାଇ ରଖାଯିବାକୁ ଉଦ୍ୟମ ହୋଇଛି । ଏହା ମଧ୍ୟ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ହେଲେ ନବୀନବାବୁ ଏଥିପ୍ରତି ଭୃକ୍ଷେପ କରି ନାହାଁନ୍ତି ।
ଏବେ ଦଳରେ ଏକ ପ୍ରକାର ବିରାଟ ଫାଟÿ ସୃଷ୍ଟି ହୋଇଛି, ଯାହା ଜଳ ଜଳ ଦେଖା ଯାଉଛି । ନିକଟ ଅତୀତରେ ଦଳୀୟ କିଛି ବରିଷ୍ଟ ସାଂସଦ, ବିଧାୟକ ଓ ନେତାମାନଙ୍କର ଗଣମାଧ୍ୟମକୁ ଦଳୀୟ ନେତା ଓ ଦଳ ସଂପର୍କରେ ମନ୍ତବ୍ୟ ଏହା ପ୍ରମାଣିତ କରିଥିଲା । ସେହିପରି ନେତାଙ୍କ ମଧ୍ୟରେ ଟ୍ୱିଟ୍ ଯୁଦ୍ଧ ଓ ଖବରକାଗଜରେ ସ୍ତମ୍ଭ ଲେଖା ଦଳରେ ଆଲୋଡ଼ନ ସୃଷ୍ଟି କରିଥିଲା । କିଛିବର୍ଷ ତଳୁ କର୍ମୀଙ୍କ ତୁଳନାରେ ନେତାଙ୍କ ମଧ୍ୟରେ ବିବାଦ ବଢିଛି । ୨୦୧୪ ପରଠାରୁ ଦଳରେ ଅସନ୍ତୋଷ ତୀବ୍ରତର ହୋଇଛି । ହୁଏତ ଏହାର ସମାଧାନ ପାଇଁ ପାଖାପାଖି ୨ ବର୍ଷ ତଳେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳ ଅଦଳ ବଦଳ କରିଥିଲେ । ତଥାପି ଅସନ୍ତୋଷ ଥମି ନଥିଲା । ଅନ୍ୟପକ୍ଷରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଅନେକ ସାଂସଦ ଓ ବିଧାୟକଙ୍କୁ ଦଳୀୟ ଟିକେଟରୁ ବଂଚିତ କରାଯିବା ପରେ ବିଜେଡ଼ି ନେତା ମାନଙ୍କ ଭିତରେ ଦୀର୍ଘଦିନ ଧରି କୁହୁଳୁଥିବା ଅସନ୍ତୋଷର ନିଅାଁ ଚାରିଆଡ଼କୁ ବ୍ୟାପି ଯାଇଥିଲା । ହୁଏତ ଏଥିପାଇଁ ଅନ୍ୟ ୩ ଟି ପର୍ଯ୍ୟାୟରେ ନବୀନ ବାବୁ ପ୍ରାୟତଃ ପ୍ରାର୍ଥୀ ପରିବର୍ତନ କରି ନାହାନ୍ତି । ନବିନ ବାବୁ ପ୍ରାୟତଃ ବିଧାୟକ, ସାଂସଦ କିମ୍ବା ନେତାମାନଙ୍କ ସହିତ ସିଧା କଥା ହୁଅନ୍ତି ନାହିଁ । କିନ୍ତୁ ଏବେ ଅସନ୍ତୁଷ୍ଟ ଟିକେଟ ଆଶାୟୀ ମାନଙ୍କୁ ଡ଼ାକି ସେମାନଙ୍କୁ ବୁଝାସୁଝା କରି ଦଳର ବିଭିନ୍ନ ପଦ ପଦବୀରେ ଅବସ୍ଥାପିତ କରିବାରେ ଲାଗିଛନ୍ତି । ସେ ଯାହା ହେଉ ବିଜେପିର ଶକ୍ତିଶାଳୀ ରାଜନୀତିକ ଆକ୍ରମଣ ଓ ଏପଟେ ବିଜେଡ଼ିରେ ଦଳୀୟ ଅସନ୍ତୋଷ ନବୀନ ବାବୁଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଅସନ୍ତୁଷ୍ଟ ଟିକଟ ଆଶାୟୀ ମାନେ ଅନ୍ତର୍ଘାତି କାର୍ଯ୍ୟ ନକରିବେ, ତାହା ଅସମ୍ଭବ ନୁହେଁ । ନବୀନବାବୁ ଦିନେ ଅଚିହ୍ନା ଓଡ଼ିଶାର କୌଣସି ବ୍ୟକ୍ତି ଓ ନେତାଙ୍କୁ ବିଶ୍ୱାସ ନକରି ପ୍ୟାରୀ ବାବୁଙ୍କୁ ନିଜର ଏକମାତ୍ର ବିଶ୍ୱସ୍ତ ଭାବେ ଗ୍ରହଣ କରିଥିଲେ । ପ୍ୟାରୀବାବୁ ନିଜ ବିଶ୍ୱସ୍ତତାର ପ୍ରମାଣ ଦେବାକୁ ଉଦ୍ୟମ ଜାରି ରଖିଥିଲେ । ସେ ଖାଂଟି ବିଜୁ ଆଦର୍ଶ ଆଧାରରେ ଦଳକୁ ମଜଭୁତ କରିଥିଲେ । ଦଳୀୟ ସମସ୍ତ ନେତା ଓ କର୍ମୀଙ୍କୁ ଏକତା ରଜ୍ଜୁରେ ବାନ୍ଧିଥିଲେ । ସେହି ସମୟ ଭିତରେ ଅନ୍ୟ କୌଣସି ରାଜନୈତିକ ଦଳ ରାଜ୍ୟରେ ମୁଣ୍ଡ ଟେକି ଛିଡ଼ା ହେବାକୁ ସକ୍ଷମ ହୋଇନାହିଁ । କିନ୍ତୁ ଏବେ ସମୟ ବଦଳିଛି । ୨୦୧୪ ନିର୍ବାଚନରେ ସିନା ଦଳ ବିପୁଳ ବିଜୟ ହାସଲ କରିଥିଲା, ହେଲେ ପୂର୍ବର ମଜଭୁତ ବିଜେଡ଼ି ନେତୃତ୍ୱ ଦୁର୍ବଳ ହୋଇଛି । ଅତୀତରେ ଦଳୀୟ ନେତା କି ମନ୍ତ୍ରୀଙ୍କ ବିରୁଦ୍ଧରେ ସାମାନ୍ୟ ଟିକେ ଅଭିଯୋଗରେ ତାଙ୍କୁ ଦଳରୁ ବହିଷ୍କାର କରାଯାଉଥିଲା । ମାତ୍ର ଏବେ ଅଭିଯୁକ୍ତ ମାନଙ୍କୁ ଘଂଟ ଘୋଡ଼ାଇ ରଖା ଯାଉଛି । ଦଳରେ ବିଦ୍ରୋହୀ ସୃଷ୍ଟି ହେବାରେ ଲାଗିଛନ୍ତି । ବିଜୁବାବୁଙ୍କ ଅମଳରେ ବିଜୁବାବୁଙ୍କ ବିରୋଧୀ ମାନେ ଏବେ ବିଜେଡ଼ିର ଆଗଧାଡ଼ିର ନେତା ପାଲଟି ଯାଇଛନ୍ତି । ସେମାନେ ବିଜେଡ଼ିରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରିଆସୁଛନ୍ତି । ଦଳରେ ରାଜନୈତିକ ସଂକଟ ଦେଖା ଦେଇଛି । ଏହି ସୁଯୋଗରେ ଅନ୍ୟ ରାଜନୈତିକ ଦଳ ଗୁଡ଼ିକ ସକି୍ରୟ ହୋଇ ଉଠିଲେଣି । ଏଇଭଳି ପରିସ୍ଥିତିରେ ଦଳକୁ ପୂର୍ବ ଭଳି ସକି୍ରୟ କରିବା ଓ ଦଳୀୟ କର୍ମୀ ଓ ନେତାମାନଙ୍କୁ ବିଜୁ ଆଦର୍ଶରେ ଅନୁପ୍ରାଣୀତ କରିବାକୁ କେହି ଚାହୁ ନାହାନ୍ତି । ଦଳର ତଥାକଥିତ ପରାମର୍ଶଦାତା ମାନେ ଦଳର ନେତାଙ୍କୁ ଭୁଲ୍ ବାଟରେ ନେବାକୁ ଉଦ୍ୟମ କରୁଛନ୍ତି । ବିଜେଡ଼ିରେ କ୍ରମେ ଦଳୀୟ ଗଣତନ୍ତ୍ର ଲୋପ ପାଇଛି । ବିଜୁବାବୁଙ୍କ ନୀତି, ଆଦର୍ଶ ପଛରେ ରହିଯାଇଛି । ଦଳ ଓ କର୍ମୀ କିମ୍ବା ନେତା ଓ କର୍ମୀଙ୍କ ଭିତରେ ପୂର୍ବର ସଂପର୍କର ସେତୁ ଭାଙ୍ଗି ପଡ଼ିଛି । ଦଳୀୟ ଶୃଙ୍ଖଳା ଖଣ୍ଡଖଣ୍ଡ ହୋଇଯାଇଛି । ଜଣେ ଅନ୍ୟକୁ ସନେ୍ଦହ ଓ ଅବିଶ୍ୱାସ ଦୃଷ୍ଟିରେ ଦେଖୁଛନ୍ତି । ମନଇଚ୍ଛା ମତ ଓ ମନ୍ତବ୍ୟ ଦେଉଛନ୍ତି, କାର୍ଯ୍ୟ କରୁଛନ୍ତି । ଶେଷରେ ଫଳ ଯାହା ହେବା କଥା, ତାହା ହିଁ ହେବ!