ବଢ଼ିବଢ଼ି ଚାଲିଛି ସରକାରୀ କର୍ମଚାରୀଙ୍କ ଉପରେ ଆକ୍ରମଣ:କାହିଁକି?
ବାଲେଶ୍ୱର, (ଆଇଏନ୍ଏସ୍): ସରକାରୀ କର୍ମଚାରୀମାନଙ୍କ ଉପରେ ଆକ୍ରମଣ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । କେଉଁଠି ପୋଲିସ ଉପରେ ତ’ କେଉଁଠି ଡାକ୍ତରଙ୍କ ଉପରେ । ପୁଣି କେଉଁଠି ଅନ୍ୟ ବିଭାଗର କର୍ମଚାରୀଙ୍କ ଉପରେ । ଏହି ଆକ୍ରମଣ ଘଟଣା କମିବା ପରିବର୍ତେ ବଢ଼ିବଢ଼ି ଚାଲିଛି । ପ୍ରଶ୍ନ ଉଠେ, ଲୋକମାନେ ଆଇନକୁ ହାତକୁ ନେଇ ସରକାରୀ କର୍ମଚାରୀମାନଙ୍କୁ ଆକ୍ରମଣ କରୁଛନ୍ତି କାହିଁକି?
ଦେଶରେ ବର୍ତମାନର ଅବସ୍ଥା ଏପପରି ପରିସ୍ଥିତିରେ ପହଂଚିଛିଯେ, ଲୋକମାନଙ୍କର ସରକାରୀ କମର୍ମଚାରୀଙ୍କକ ଉପରୁ ଆସ୍ଥା ତୁଟିଗଲାଣି । ଦୁର୍ନିତି, ପ୍ରିୟାପ୍ରୀତି ସହିତ ରାଜନୈତିକ ଚାପ ପାଇଁ ସାଧାରଣ ଜନତା ସରକାରୀ କର୍ମଚାରୀମାନଙ୍କ ଉପରୁ ଭରସା ହରାଇ ସାରିଛନ୍ତି । ନିକଟରେ ଦୁଇ ଦୁଇଟି ଘଟଣା ତାହାର ନିଦର୍ଶନ । ବାଲିଆପାଳ ଥାନା ଆଇଆଇସି ପ୍ରଭୁକଲ୍ୟାଣ ଦାଶ ୨୬ ତାରିଖରେ ଲୋକମାନଙ୍କର ଆକ୍ରୋଶର ଶିକାର ହୋଇଛନ୍ତି । ବସ୍ତା-ବାଲିଆପାଳ ରାସ୍ତାର ଇଡକୋ ଛକ ଠାରେ ଥିବା ‘ରାଜଧାନୀ ଢାବା’ରେ କାର୍ଯ୍ୟକରୁଥିବା (ଭୋଗରାଇ ବ୍ଳକ, କମର୍ଦ୍ଦା ଥାନା ଅନ୍ତର୍ଗତ ଉଲୁଡ଼ା ଗ୍ରାମର ଦେବେନ୍ଦ୍ର ଦଳାଇଙ୍କ ୧୫ବର୍ଷର ପୁଅର ୨୫ତାରିଖ ରାତିରେ ଢାବାରେ ମୃତୁ୍ୟକୁ କେନ୍ଦ୍ରକରି ବାଳିଆପାଳ ଆଇଆଇସି ପ୍ରଭୁକଲ୍ୟାଣ ଦାଶଙ୍କୁ ଲୋକମାନେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ୨୬ ତାରିଖ ସକାଳେ ପିଲାଟିର ମୃତୁ୍ୟ ଖବର ପ୍ରଚାରିତ ହେବାପରେ ଲୋକମାନେ ଘଟଣାସ୍ଥଳରେ ପହଂଚି ଥିଲେ । ପିଲାଟିର ଯୌନାଙ୍ଗ କଟାଯାଇଥିବା ବେଳେ ମଳଦ୍ୱାରରେ ରଡ଼ ପୁରାଯାଇଥିବା ଅଭିଯୋଗ ହେଉଥିବା ବେଳେ ଢାବାରୁ ପିଲାର ଝୁଲନ୍ତା ଶବ ଉଦ୍ଧାର କରାଯିବାରୁ ହତ୍ୟାକୁ ଆତ୍ମହତ୍ୟାର ରୂପ ଦିଆଯିବାକୁ ଚକ୍ରାନ୍ତ କରାଯାଇଥିବା ଲୋକମାନଙ୍କ ମନରେ ସନେ୍ଦହ ଉପୁଜି ଥିବାବେଳେ ପୋଲିସ ଢାବା ମାଲିକକୁ ଗିରଫ ନକରିବାରୁ ପୋଲିସର କାର୍ଯ୍ୟଧାରାକୁ ସନେ୍ଦହ ଚକ୍ଷୁରେ ଜନତା ଦେଖିଥିଲେ । ଢାବା ମାଲିକ ରାଜନୈତିକ ଛତ୍ରଛାୟାତଳେ ଥିବାରୁ ନ୍ୟାୟ ପାଇବାର ଆଶା କ୍ଷୀଣ ଥିଲା । ଅପରପକ୍ଷରେ, ପୂର୍ବରୁ ବାଲିଆପାଳ-କମର୍ଦ୍ଦା ରାସ୍ତାରେ ଏକ ଭଡ଼ା ଘରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ବେଳେ ମାଜିଷ୍ଟ୍ରେଟ୍ ଦାୟୀତ୍ୱରେ ଥିବା ତହସିଲଦାରଙ୍କ ଅନୁପସ୍ଥିତ କାରଣରୁ ମହିଳାର ଝୁଲନ୍ତା ଶବ ଦୀର୍ଘ ୨୫ଘଂଟା ଧରି ସେହି ଅବସ୍ଥାରେ ରହିଥିଲା । ବାଲିଆପାଳରେ ହତ୍ୟା, ରାହାଜାନୀ, ଗୁଳିକାଣ୍ଡ ଭଳି ଘଟଣା ବଢ଼ିବାରେ ଲାଗିଥିବାରୁ ପୋଲିସ ଉପରେ ଆସ୍ଥା ନାହିଁ ଜନତାଙ୍କର । ଏହି ଘଟଣାରେ ପୋଲିସ ଠାରୁ ନ୍ୟାୟ ପାଇବାର ଆଶା ନଥିଲା । ଲୋକମାନଙ୍କ ମନରେ ପୂର୍ବରୁ ପୁଞ୍ଜିଭୂତ ଅସନ୍ତୋଷର ବିସ୍ଫୋରଣର ପରିଣତିର ଶୀକାର ହେଲେ ଆଇଆଇସି ଶ୍ରୀ ଦାଶ ।
ପୋଲିସର ବେପରୁଆ ମନୋଭାବର ଆଉଏକ ନିଦର୍ଶନ ହେଲା ସମ୍ବଲପୁରର ଜୟଶ୍ରୀ ହତ୍ୟା ମାମଲା । ଦୀର୍ଘ ୮ବର୍ଷ ପୂର୍ବରୁ ଜୟଶ୍ରୀଙ୍କୁ ହତ୍ୟା କରାଯାଇଥିବା ବେଳେ ତାହାକୁ ଏକ ଷ୍ଟେସନ ଡାଏରିରେ ସୀମିତ ରଖି ଘଟଣାର ତଦନ୍ତ ପୋଲିସ ନକରିବା ଏବଂ ୰ଜୟଶ୍ରୀଙ୍କ ଝିଅ ବାରମ୍ବାର ଉଚ୍ଚ ପୋଲିସ ଅଧିକାରୀଙ୍କ ଦ୍ୱାରସ୍ଥ ହେବାରୁ ୮ବର୍ଷପରେ ଜୟଶ୍ରୀଙ୍କୁ ପୋତି ଦିଆଯାଇଥିବା ସ୍ଥାନକୁ ଖୋଳି ଶବର ଅବଶିଷ୍ଟାଂଶ ବାହାର କରିବା ଓ ଅଭିଯୁକ୍ତକୁ ଗିରଫ କରିବା ପୋଲିସର ବିଫଳତା ବା ଅପାରଗତାକୁ ପ୍ରମାଣିତ କରୁଛି । କେବଳ ଏତିକି ନୁହେଁ ତଦନ୍ତ ନକରି ମୃତା ଜୟଶ୍ରୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ତତକାଳୀନ ଥାନା ଅଧିକାରୀଙ୍କ କାର୍ଯ୍ୟଧାରା ଉପରେ ପ୍ରଶ୍ନବାଚୀ ଳଗାଇଛି । ତାହା ପୋଲିସର ଅପାରଗତା ନା’ ପୋଲିସ ରାଜନୈତିକ କିମ୍ବା ଆର୍ଥିକ ବେନିଫିଟ୍ ପାଇଁ ପ୍ରଭାବିତ ହୋଇଥିଲା? ଏହି ଘଟଣାସବୁ ପ୍ରମାଣିତ କରୁଛିଯେ, ପୋଲିସ ଲୋକଙ୍କୁ ନ୍ୟାୟ ଦେଇ ପାରୁ ନାହିଁ, ଫଳରେ ଜନତାଙ୍କର ଆସ୍ଥା ହରାଉଛି ପୋଲିସ, ଯାହାର ପରିଣତି ବାଲିଆଳର ଘଟଣା ପ୍ରମାଣିତ କରୁଛି ।
ସେହିପରି ବିଭିନ୍ନ ସମୟରେ ଡାକ୍ତରମାନଙ୍କ ଉପରେ ମଧ୍ୟ ଆକ୍ରମଣ ହେଉଛି । ଲୋକମାନେ ଡାକ୍ତରଙ୍କୁ ଦ୍ୱିତୀୟ ଈଶ୍ୱର ମନେକରୁଥିବା ବେଳେ, ବର୍ତମାନ ଡାକ୍ତରମାନେ ଚିକିତ୍ସା ବ୍ୟବସାୟୀ କରୁଥିବା ଅଭିଯୋଗ ହେଉଛି । ଅର୍ଥ ଲାଳସାରେ ଏମାନେ ଏତେ ପରିମାଣରେ ବଶିଭୂତ ଯେ, ରୋଗୀ ପ୍ରତି ସେମାନଙ୍କର ସହାନୁଭୂତି ମଧ୍ୟ ରହୁନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଡାକ୍ତର, ନର୍ସ ଓ ଡାକ୍ତରଖାନା କର୍ମଚାରୀମାନେ ଟଙ୍କା ନପାଇବା ପର୍ଯ୍ୟନ୍ତ ରୋଗୀଙ୍କୁ ଚାହୁଁନଥିବା ଚାରିଆଡ଼େ ଆଲୋଚନା ହେଉଛି । ଏପରିସ୍ଥଳେ ସରକାର ଡାକ୍ତରଙ୍କ ସୁରକ୍ଷା ପାଇଁ ଚିନ୍ତା କରି ଆଇନ ତିଆରି କରିଥିବା ବେଳେ ଶୋଷଣର ଶୀକାର ହେଉଥିବା ରୋଗୀ ଓ ରୋଗୀର ସମ୍ପର୍କୀୟମାନଙ୍କ ମନରେ ପ୍ରକାଶ ପାଉଥିବା ତୀବ୍ର ପ୍ରତିକ୍ରୀୟା ପାଇଁ ଡାକ୍ତରମାନେ ଲୋକମାନଙ୍କର ଆକ୍ରମଣର ଶୀକାର ହେଉଛନ୍ତି ।
କେବଳ ପୋଲିସ କିମ୍ବା ଡାକ୍ତର ନୁହଁନ୍ତି ପ୍ରାୟ ଅଧିକାଂଶ ବିଭାଗରେ କାର୍ଯ୍ୟକରୁଥିବା କର୍ମଚାରୀମାନେ ବିନା ଲାଂଚରେ କୌଣସି କାର୍ଯ୍ୟ କରିବାକୁ ଚାହୁଁ ନାହାନ୍ତି । ଯାହାଦ୍ୱାରା ଲୋକମାନେ ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି । ଉପରିସ୍ଥ ଅଫିସରଙ୍କୁ ଜଣାଇଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ତାହାର କାରଣ ମଧ୍ୟ ଳାଂଚ ବୋଲି କୁହାଯାଉଛି । ବୁଦ୍ଧିଜୀବୀ ମାନଙ୍କ ମତରେ ତଳ ଠାରୁ ଉପର ପର୍ଯ୍ୟନ୍ତ ସମସ୍ତେ ଳାଂଚ ରୂପକ ରଜୁରେ ଗୁନ୍ଥା ହୋଇଛନ୍ତି । ତେଣୁ କେହି କିଛି ବୁଝିବା ଅବସ୍ଥାରେ ନାହାନ୍ତି । ଜନତା ସେବା ପାଇବାରୁ ବଂଚିତ, ଯାହା ତାହାର ମୌଳିକ ଅଧିକାର । ଜନତାଙ୍କ ମନରେ ପୁଞ୍ଜିଭୂତ ଅସନ୍ତୋଷର ପାହାଡ଼ରେ ଯେତେବେଳେ ବିସ୍ଫୋରଣ ଘଟୁଛି, ସେହିସମୟରେ ଆକ୍ରମଣର ଶୀକାର ହେଉଛନ୍ତି ସରକାରୀ କର୍ମଚାରୀ । ଏଥିପାଇଁ ସରକାର ମୁଖ୍ୟତଃ ଦାୟୀ ବୋଲି କୁହାଯାଉଛି । ଦୁର୍ନିତିକୁ ବନ୍ଦ କରିବା ପାଇଁ ସରକାର ବିଫଳ । ଲୋକଙ୍କୁ ନ୍ୟାୟ ଦେବାକୁ ମଧ୍ୟ ସରକାର ସକ୍ଷମ ନୁହଁନ୍ତି । ଯାହାର ପ୍ରତିକ୍ରିୟା ହେଉଛି ସରକାରୀ କର୍ମଚାରୀଙ୍କ ଉପରେ ଆକ୍ରମଣ । ଏହାର ନିରାକରଣ ପାଇଁ ସରକାର ଆନ୍ତରିକତାର ସହିତ ଚିନ୍ତା କରିବାର ସମୟ ଉପନୀତ । ନଚେତ୍ ଏହା ଆଗକୁ ଯେ, ଆହୁରି ବଢ଼ିବଢ଼ି ନଚାଲିବ ତାହା କହିହେବନାହିଁ । ପରିସ୍ଥିତି ଅଣାୟତ ହେବା ପୂର୍ବରୁ ଏହାର ସମାଧାନ ହେବା ଜରୁରୀ । (ସୀତାରାମ ପାତ୍ରଙ୍କ ରିପୋର୍ଟ)