ଭାରତରେ ବାସ୍ତବ ଗଣତନ୍ତ୍ର ପ୍ରତିଷ୍ଠା କେବେ?

ଭାରତରେ ବାସ୍ତବ ଗଣତନ୍ତ୍ର ପ୍ରତିଷ୍ଠା କେବେ?

ବାଲେଶ୍ୱର, (ଆଇଏନ୍ଏସ୍) : ଭାରତ ଏକ ସାର୍ବଭୌମ ଗଣତନ୍ତ୍ର ରାଷ୍ଟ୍ର । ୧୫ ଅଗଷ୍ଟ ୧୯୪୭ ମସିହାରେ ଭାରତ ଇଂରେଜ ଶାସନରୁ ମୁକ୍ତ ହୋଇ ସ୍ୱାଧୀନ ହୋଇଥିଲା ଏବଂ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଗଣତନ୍ତ୍ର ରାଷ୍ଟ୍ର ଭାବରେ ପରିଚିତ ହୋଇଥିଲା ।
ଏକ ଗଣତନ୍ତ୍ର ରାଷ୍ଟ୍ରର ପ୍ରକୃତ ଶାସକ ହେଲେ ସେହି ରାଷ୍ଟ୍ରର ଜନସାଧାରଣ । ଗଣତନ୍ତ୍ର ଶାସନ ଦୁଇ ଭାଗରେ ବିଭକ୍ତ । (୧) ପ୍ରତ୍ୟକ୍ଷ ଗଣତନ୍ତ୍ର ଓ (୨) ପରୋକ୍ଷ ଗଣତନ୍ତ୍ର । ଗୋଟିଏ ଗଣତନ୍ତ୍ର ରାଷ୍ଟ୍ରର ନାଗରିକମାନେ ମିଳିତ ଭାବେ ସିଧାସଳଖ ଶାସନ କଥା ବୁଝିବାକୁ ପ୍ରତ୍ୟକ୍ଷ ଗଣତନ୍ତ୍ର କୁହାଯାଏ, ଯାହା ବର୍ତମାନ କୌଣସି ରାଷ୍ଟ୍ରରେ ଦେଖିବାକୁ ମିଳେ ନାହିଁ । କାରଣ- ଲକ୍ଷ ଲକ୍ଷ ଜନତା ଗୋଟିଏ ସ୍ଥାନରେ ଏକତି୍ରତ ହୋଇ ଶାସନ କଥା ବୁଝିବା ଅସମ୍ଭବ । ତେଣୁ ସବୁ ରାଷ୍ଟ୍ରରେ ପରୋକ୍ଷ ଗଣତନ୍ତ୍ର ଚାଲିଛି । ପରୋକ୍ଷ ଗଣତନ୍ତ୍ରରେ ରାଷ୍ଟ୍ରର ଜନସାଧାରଣଙ୍କର ପ୍ରତିନିଧିମାନେ ଶାସନଭାର ସମ୍ଭାଳି ଥାଆନ୍ତି । ଏହି ଜନ ପ୍ରତିନିଧିମାନଙ୍କୁ ଜନସାଧାରଣ ଭୋଟ ଦ୍ୱାରା ନିର୍ବାଚିତ କରିଥାଆନ୍ତି । ସେମାନେ ବିଧାୟକ, ସାଂସଦ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ପ୍ରଭୃତି । ଏହି ଜନପ୍ରତିନିଧିମାନେ ଶାସନ କଳ ସହିତ ପ୍ରତ୍ୟକ୍ଷ ଭାବେ ସଂଶ୍ଳିଷ୍ଟ । ଏମାନଙ୍କ ନିଦେ୍ର୍ଦଶରେ ବିଭିନ୍ନ ପଦବୀରେ ଥିବା ସରକାରୀ କର୍ମଚାରୀ ଓ ଅଧିକାରୀମାନେ ଶାସନକଳକୁ ଚଳାଇ ଥାଆନ୍ତି । ତେଣୁ ଦେଖିବାକୁ ଗଲେ ନିର୍ବାଚିତ ପ୍ରତିନିଧି (ବିଧାୟକ, ସାଂସଦ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ପ୍ରଭୃତି) ଓ ବିଭିନ୍ନ ପଦ ପଦବୀରେ ଥିବା ଉଚ୍ଚପଦାଧିକାରୀ (ଆଇଏଏସ୍, ଆଇପିଏସ୍) ଓ କର୍ମଚାରୀମାନେ ପ୍ରକୃତରେ ଜନସାଧାରଣଙ୍କର ଶାସକ ନୁହଁନ୍ତି । ଜନସାଧାରଣ, ସେ ମୁର୍ଖ ହେଉ କିମ୍ବା ମଳିମୁଣ୍ଡିଆ, ଧନୀ ହେଉ କିମ୍ବା ଗରିବ, ସେ ହିଁ’ ପ୍ରକୃତରେ ଦେଶର ଶାସକ ଏବଂ ଜନପ୍ରତିନିଧି ଓ ସରକାରୀ ପଦାଧିକାରୀଙ୍କର ମାଲିକ । ଉପରୋକ୍ତ ଉକ୍ତିକୁ ପ୍ରମାଣିତ କରୁଛି ଓଡ଼ିଶା ସରକାରଙ୍କ ରାଜସ୍ୱ ବିଭାଗ ସୂଚନା ଅଧିକାର ଆଇନ୍ରେ ଦେଇଥିବା ତଥ୍ୟ(ନଂ.ଏଫ୍ଆଇଏନ୍-ଆରଟିଆଇ-୦୦୯୯/୨୦୧୭-୧୫୮/ଏଫ୍,ତାରିଖ ୦୩.୦୧.୨୦୧୮) । ସରକାରୀ କର୍ମଚାରୀମାନେ ନେଉଥିବା ଦରମା ଜନସାଧାରଣଙ୍କର ଅର୍ଥ ବୋଲି ରାଜସ୍ୱ ବିଭାଗ ତଥ୍ୟ ପ୍ରଦାନ କରିଛି । ଅନ୍ୟପକ୍ଷରେ ଜନପ୍ରତିନିଧିମାନେ ନେଉଥିବା ଦରମା/ଭତା ମଧ୍ୟ ଜନସାଧାରଣଙ୍କର ଅର୍ଥ । ଯାହା ଅର୍ଥରେ ଯିଏ ପ୍ରତିପାଳିତ ସେମାନେ ଯଥାକ୍ରମେ ଖାଉନ୍ଦ ଏବଂ ସେବକ । ଏହାଦ୍ୱାରା ପ୍ରମାଣିତ ଯେ, ବିଧାୟକ, ସାଂସଦ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଅଥବା ପ୍ରଧାମନ୍ତ୍ରୀ ଓ ସମସ୍ତ ସରକାରୀ ପଦାଧିକାରୀ ଓ କର୍ମଚାରୀମାନେ ଜନସାଧାରଣଙ୍କର ସେବକ ଓ ଜନସାଧାରଣ ସେମାନଙ୍କର ଖାଉନ୍ଦ, ଅନ୍ୟ ଅର୍ଥରେ କହିବାକୁ ଗଲେ ‘ମାଲିକ’ ।
କିନ୍ତୁ ଦୁର୍ଭାଗ୍ୟର କଥା, ଭାରତୀୟ ଗଣତନ୍ତ୍ରରେ ମାଲିକଙ୍କ ଉପରେ ମାଲିକାନା ଜାହିର କରୁଛନ୍ତି ସେବକମାନେ । ଦୀର୍ଘ ୨୦୦ବର୍ଷର ଶାସନ କାଳ ମଧ୍ୟରେ ଇଂରେଜମାନେ ଯେଉଁ ଭିଆଇପି ପ୍ରଥାର ମୂଳଦୁଆ ପକାଇଥିଲେ ତାହାର ବିଷଫଳ ଏବେ ଭାରତର ୨୩୦କୋଟି ଲୋକଙ୍କୁ ଭୋଗ କରିବାକୁ ପଡ଼ୁଛି । ମନ୍ତ୍ରୀ କିମ୍ବା କୌଣସି ପଦସ୍ଥ ଅଧିକାରୀ ଆସିଲେ ସେମାନଙ୍କ ପାଇଁ ରାସ୍ତା କ୍ଲିୟର କରାଯାଉଛି । ଯେଉଁ ରାସ୍ତାରେ ମନ୍ତ୍ରୀ/ନେତା/ଅଧିକାରୀମାନେ ଯିବାର କାର୍ଯ୍ୟକ୍ରମ ଥାଏ ସେହି ରାସ୍ତାରେ ସାଧାରଣ ଜନତାଙ୍କ ଯାତାୟତ ଉପରେ କଟକଣା ଲଗାଯାଏ, ଏପରିକି ସେହି ରାସ୍ତାରେ ଲୋକଙ୍କୁ ଛଡ଼ା ଯାଏନାହିଁ । ମୁଖ୍ୟ ପ୍ରଶ୍ନ ହେଲା, ଗଣତନ୍ତ୍ରରେ ଯଦି ଜନତା ପ୍ରକୃତରେ ଶାସକ ଏବଂ ନେତା, ମନ୍ତ୍ରୀ ମାନେ ଜନତାଙ୍କ ପ୍ରତିନିଧି ଓ ସରକାରୀ ଅଧିକାରୀମାନେ ଜନତାଙ୍କ ସେବକ, ତେବେ ଶାସକଙ୍କ (ଜନତା) ପ୍ରତିନିଧି ଓ ସେବକ ମାନଙ୍କ ପାଇଁ ଶାସକଙ୍କ ଉପରେ କଟକଣା କାହିଁକି (?) ଓ କିପରି ଲଗାଯାଉଛି? ଶାସକର (ଜନତା) ପ୍ରତିନିଧି ଓ ସେବକମାନେ ଶାସକ ଠାରୁ ଉଚ୍ଚ ହେଲେ କିପରି? ସେମାନଙ୍କୁ ଭିଆଇପିର ମାନ୍ୟତା ଦେଲା କିଏ? ଏହା ବ୍ୟତୀତ ଯେକୈାଣସି କାର୍ଯ୍ୟାଳୟକୁ ଗଲେ ଅଧିକାରୀଙ୍କୁ ଦେଖା କରିବାକୁ ଅପେକ୍ଷା କରିବାକୁ ପଡ଼ୁଛି ଜନତାଙ୍କୁ । ଏପରିକି ସ୍ଥଳ ବିଶେଷରେ ଏକାଧିକ ଥର ଯାଇ ମଧ୍ୟ ଅଧିକାରୀଙ୍କୁ ଦେଖା କରିପାରୁନାହାନ୍ତି ଜନତା । ଯଦିବା କିଏ ଦେଖା କରୁଛି, ତେବେ ଅଧିକାରୀ ବସିଥିବା ବେଳେ ଜନତା ଛିଡ଼ା ହୋଇ ରହୁଛି । ଏଥିରୁ ପ୍ରମାଣିତ ଯେ, ଜଣେ ସେବକ ତାର ମାଲିକ (ଜନତା)କୁ ମାଲିକ ନୁହେଁ ବରଂ ତାର ପ୍ରଜା, ଶାସିତ ଭଳି ହେୟ ଦୃଷ୍ଟିରେ ଦେଖୁଛି । ଯାହାର ଅର୍ଥରେ ଅଧିକାରୀର ପରିବାର ପ୍ରତିପୋଷଣ ହେଉଛି ସେହି ଜନତା ସେମାନଙ୍କ (ସରକାରୀ ଅଧିକାରୀ/ କର୍ମଚାରୀ) ପାଖରେ ନୁ୍ୟନ । ସରକାରୀ ଅଧିକାରୀ/ କର୍ମଚାରୀମାନେ ନିଜକୁ ଜନତାଙ୍କର ଶାସକ ବୋଲି ମନେକରନ୍ତି । ଠିକ୍ ସେହିପରି ବିଧାୟକ/ସାଂସଦ/ମନ୍ତ୍ରୀ/ମୁଖ୍ୟମନ୍ତୀ/ପ୍ରଧାନମନ୍ତ୍ରୀ ପ୍ରଭୃତି ଜନତାଙ୍କ ପ୍ରତିନିଧି ହୋଇଥିବା ବେଳେ ଜନତା ସେମାନଙ୍କୁ ଦେଖା କରିବା ଉପରେ କଟକଣା ରହିଛି । ମାଲିକ, ତାର ପ୍ରତିନିଧିକୁ ଦେଖା କରିବା ପାଇଁ ଅପେକ୍ଷା କରିବା ଭଳି ଲଜାଜନକ ଘଟଣା ବୋଧହୁଏ ଗଣତନ୍ତ୍ରରେ ଆଉକିଛି ନାହିଁ ।
ଆମ ଗଣତନ୍ତ୍ରର ଦୁର୍ଭାଗ୍ୟ ଶାସକକୁ ଶାସନ କରୁଛନ୍ତି ସେମାନଙ୍କର ପ୍ରତିନିଧି ଓ ସେବକମାନେ । ଏହି ଭିଆଇପି ପ୍ରଥା, ଯାହା ଇଂରେଜ ଅମଳରୁ ରହିଆସିଛି, ତାହାର ଅବସାନ କେବେ? କେବେ ଗଣତନ୍ତ୍ରର ଶାସକମାନେ ବିନା କଟକଣାରେ ସେମାନଙ୍କ ପ୍ରତିନିଧି ଓ ସେବକମାନଙ୍କୁ ଦେଖା କରିବାର ସୁଯୋଗ ମିଳିବ? କେବେ ଜନତା ସେମାନଙ୍କ ପ୍ରତିନିଧି ଓ ସେବକ ମାନଙ୍କୁ ଗୁହାରୀ ନୁହେଁ ଆଦେଶ ଦେଇ ପାରିବେ? ସତରେ କଣ ସେଦିନ ଆସିବ, ଯେଉଁଦିନ ଜନତା ନିଜକୁ ଶାସକ ବୋଲି ଜାହିର କରିପାରିବ ଏବଂ ଭୁଲ କରୁଥିବା ତାର ପ୍ରତିନିଧି ଓ ସେବକମାନଙ୍କୁ ତାଗିଦ କରିପାରିବ? ଯେତେଦିନ ପର୍ଯ୍ୟନ୍ତ ଜନତା ଶାସକ ହୋଇ ପାରିନାହିଁ, ଯେତେଦିନ ପର୍ଯ୍ୟନ୍ତ ଜନତାଙ୍କ ପ୍ରତିନିଧି ଓ ସରକାରୀ କର୍ମଚାରୀମାନେ ଜନତାଙ୍କୁ ସେମାନଙ୍କ ଶାସକ ବୋଲି ମାନି ନାହାନ୍ତି କିମ୍ବା ସମ୍ମାନ ଦେଇ ନାହାନ୍ତି, ସେତେଦିନ ପର୍ଯ୍ୟନ୍ତ ଗଣତନ୍ତ୍ର ନାମରେ ଏହି ପ୍ରହେଳିକା ଚାଲିଥିବ, ଯାହା ପ୍ରକୃତରେ ଗଣତନ୍ତ୍ର ନୁହେଁ, ରାଜତନ୍ତ୍ର ଓ ଏକଛତ୍ରବାଦର ନୂତନ ସଂସ୍କରଣ ମାତ୍ର ।
ଅପରପକ୍ଷରେ, ରାଜତନ୍ତ୍ର ଠାରୁ ଆରମ୍ଭ କରି ମୋଗଲ ସାମ୍ରାଜ୍ୟ ଓ ଇଂରେଜ ଶାସନ କାଳ ମଧ୍ୟରେ ଶହଶହ ବର୍ଷଧରି ଶାସିତ ହୋଇଥିବା ଜନତା ବର୍ତମାନ ମଧ୍ୟ ନିଜକୁ ଶାସିତ ବୋଲି ମନେକରନ୍ତି । ବର୍ତମାନର ଗଣତନ୍ତ୍ରରେ, ସେମାନେ ନିଜେ ଶାସକ, ଏହା ଜନତା ଏପର୍ଯ୍ୟନ୍ତ ବୁଝିପାରି ନାହାନ୍ତି କିମ୍ବା ବୁଝିମଧ୍ୟ ଅବୁଝା ହୋଇ ରହିଛନ୍ତି । ଯେପର୍ଯ୍ୟନ୍ତ ଜନତା ନିଜେ ଶାସକ ବୋଲି ଭାବିନାହିଁ, ବୁଝିନାହିଁ କିମ୍ବା ଜାହିର କରିନାହିଁ ସେପର୍ଯ୍ୟନ୍ତ ତାଙ୍କର (ଜନତାଙ୍କର) ଅଧସ୍ତନ, ପ୍ରତିନିଧିମାନେ ସେମାନଙ୍କ ଉପରେ ଶାସକର ପ୍ରଭୁତ୍ୱ ଜାହିର କରି ଚାଲିଥିବେ । ହେ ଜନତା! ଉଠ, ଜାଗ୍ରତ ହୁଅ, ନିଜର ପ୍ରଭୁତ୍ୱକୁ ଜାହିର କର । ସେବକ/ ପ୍ରତିନିଧି ମାନଙ୍କର ପ୍ରଭୁତ୍ୱକୁ ପ୍ରତିହତ କରିବା ପାଇଁ ଆଗେଇ ଆସ । ତା’ହେଲେ ପ୍ରକୃତ ଗଣତନ୍ତ୍ର ଆସିବ ଓ ପ୍ରକୃତ ଗଣତନ୍ତ୍ରର ସ୍ୱାଦ ଲାଭ କରିହେବ । ସୀତାରାମ ପାତ୍ର, ମୋ-୯୪୩୭୩୪୦୮୫୦

(Photo from httpswww.indiatoday.in)

 

Leave a Reply

Your email address will not be published.