ଭୁବନେଶ୍ୱର ବାସୀଙ୍କୁ ମୌଳିକ ସେବା ଯୋଗାଣରେ ବିଫଳ ଜନସ୍ୱାସ୍ଥ୍ୟ ବିଭାଗ
ଭୁବନେଶ୍ୱର, (ଆଇଏନ୍ଏସ୍): ରାଜଧାନୀ ଭୁବନେଶ୍ୱର ମହାନଗର ନିଗମ ସ୍ମାର୍ଟ ସିଟିର ୧ ନମ୍ବର ମାନ୍ୟତା ପାଇବା ପରେ ଓଡ଼ିଶା ସରକାରଙ୍କ ପ୍ରାୟତଃ ସମସ୍ତ ବିଭାଗ ତତ୍ପର ହୋଇ ଉଠିଛନ୍ତି । ବିଶେଷତଃ ରାଜଧାନୀକୁ ଅତ୍ୟାଧୁନିକ ମନୋରମ ସହରରେ ପରିଣତ କରିବାରେ ଯେଉଁ ବିଭାଗ ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ, ସେମାନଙ୍କ ମଧ୍ୟରେ ଜନସ୍ୱାସ୍ଥ୍ୟ ବିଭାଗ ଅନ୍ୟତମ । ମାତ୍ର ଜନସ୍ୱାସ୍ଥ୍ୟ ବିଭାଗ ସହରବାସୀଙ୍କୁ ମୌଳିକ ସେବା ଯୋଗାଣରେ ବିଫଳ ହୋଇଛି । ପାନୀୟ ଜଳ ଯୋଗାଣରେ ଅନିୟମିତତା ଜାରି ରହିଥିବାବେଳେ ଡ଼୍ରେନେଜ୍ ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି ଓ ବିଭିନ୍ନ ପ୍ରକଳ୍ପ ବିଫଳତା ଦିଗରେ ଗତି କରୁଛି । ଜନସ୍ୱାସ୍ଥ୍ୟ ଡ଼ିଭିଜନ, ସବ୍-ଡ଼ିଭିଜନ୍ ଓ ସେକ୍ସନ୍ ଗୁଡ଼ିକରେ ଦୁର୍ନୀତି ଓ ଅନିୟମିତତା ଚରମ ସୀମା ପାର କରିଛି । ଏପରିକି ସରକାରୀ କ୍ୱାର୍ଟର୍ସ ଗୁଡ଼ିକରେ କୌଣସି କାର୍ଯ୍ୟ ନହୋଇ ମଧ୍ୟ ଫର୍ଜରୀ ବିଲ୍ରେ ଲକ୍ଷଲକ୍ଷ ଟଙ୍କା ଆତ୍ମସାତ୍ କରାଯାଉଥିବା ଅଭିଯୋଗ ହେଉଛି । କ୍ୱାର୍ଟର୍ସ, ସରକାରୀ କାର୍ଯ୍ୟାଳୟ ଓ ସାଧାରଣ ଲୋକଙ୍କୁ ନିୟମିତ ପାଣି ଯୋଗାଣ ଓ ଡ଼୍ରେନ୍ ନିର୍ମାଣ ବା ମରାମତି ବା ସଫେଇରେ ବ୍ୟାପକ ଅନିୟମିତତା ହେଉଥିବା ବେଳେ କୌଣସି ନିର୍ମାଣ କାର୍ଯ୍ୟ ଧାର୍ଯ୍ୟଲକ୍ଷ୍ୟ ସମୟ ସୀମା ମଧ୍ୟରେ ଶେଷ ନହୋଇ ବହୁ ଅଧିକ ସମୟ ବ୍ୟୟ ହେଉଛି । ଏପରିକି କ୍ୱାର୍ଟର୍ସ ରେ ପାଣିଟ୍ୟାପ୍ ଖରାପ ହେଲେ ବା ପାଇଖାନା ଜାମ୍ ହେଲେ ବା ସାଧାରଣ ମରାମତି ପାଇଁ ଜଣେ କର୍ମଚାରୀଙ୍କୁ ବାରମ୍ବାର ସେକ୍ସନ୍ ଅଫିସ୍ରେ ପହଂଚି ଯନ୍ତ୍ରୀ ଓ କର୍ମଚାରୀଙ୍କୁ ଗୁହାରି କରି ନୟାନ୍ତ ହେବାକୁ ପଡ଼ୁଛି । ସ୍ମାର୍ଟ ସିଟି ଗଠନ ପାଇଁ ଯୁଦ୍ଧକାଳୀନ ଭିତିରେ ନିର୍ମାଣ କାର୍ଯ୍ୟ କରାଯାଇ ରାଜଧାନୀକୁ ଅତ୍ୟାଧୁନିକ ଶୈଳୀରେ ନବୀକରଣ କରାଯିବାର ଥିବାବେଳେ ଜନସ୍ୱାସ୍ଥ୍ୟ ବିଭାଗ ଚୂପ ହୋଇ ବସିି ରହିଛି । ସହରବାସୀଙ୍କୁ ସୁବିଧାରେ ପାନୀୟ ଜଳ ଯୋଗାଣ ଓ ବର୍ଜ୍ୟପାଣି ନିଷ୍କାସନ ବ୍ୟବସ୍ଥା ପାଇଁ ଓଡ଼ିଶା ସରକାର, ଭାରତ ସରକାର ଓ ଜାପାନ ଇଂଟର୍ନେସନାଲ୍ କର୍ପୋରେସନ ଏଜେନ୍ସୀ (ଜାଇକା)ର ମିଳିତ ସହଯୋଗରେ ‘ଓଡ଼ିଶା ୱାଟର୍ ସପ୍ଲାଏ ଏଣ୍ଡ ସ୍ୱେରେଜ୍ ବୋର୍ଡ଼’ ଦ୍ୱାରା “ଓଡ଼ିଶା ଇଂଟିଗ୍ରେଟେଡ଼୍ ସାନିଟାରୀ ଇମ୍ପୃଭ୍ମେଂଟ ପ୍ରୋଜେକ୍ଟ’ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ୨୦୧୩ ଜୁଲାଇରୁ କାର୍ଯ୍ୟକାରୀ ହେଉଛି । ମହାନଗରର କିଛି ଅଂଚଳରେ ୯୦ କି.ମି. ଡ଼୍ରେନେଜ୍ ଓ ପାଇପ ବିଛା ପାଇଁ ବାସ୍ତବ ମୂଲ୍ୟ ଠାରୁ ବହୁ ଅଧିକ ବ୍ୟୟ ଅଟ୍ଟକଳରେ ଆଇଭିଆର୍ସିଏଲ୍ ଠିକା ସଂସ୍ଥାକୁ ଦିଆଯାଇଛି । ଏହି କମ୍ପାନୀ ସ୍ଥାନୀୟ ଠିକାଦାରଙ୍କ ମାଧ୍ୟମରେ ବହୁ କମ୍ ମୂଲ୍ୟରେ ଉକ୍ତ କାର୍ଯ୍ୟ କରୁଥିବା ବେଳେ ଦଲାଲିରେ ଶହଶହ କୋଟି ଟଙ୍କା ରାଜ୍ୟରୁ ଲୁଟ୍ ହେଉଥିବା ଅଭିଯୋଗ ହେଉଛି । ଅସୁରକ୍ଷିତ ଓ ନିମ୍ନ ମାନର ଡ଼୍ରେନ୍ ନିର୍ମାଣ କାର୍ଯ୍ୟ ଯୋଗୁ ସରକାରଙ୍କ ମୂଳ ଉଦେ୍ଦଶ୍ୟ ବିଫଳ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏହି ପ୍ରକଳ୍ପ ନିର୍ମାଣ ଶେଷ ହେବାର ସମୟ ସୀମା ୨୦୧୬ ଜୁଲାଇ ଥିଲେ ମଧ୍ୟ ୨୦୧୯ ଟପିଯିବ ବୋଲି ଜଣାପଡ଼ିଛି । ଏଥିପାଇଁ ବ୍ୟୟ ଅଟ୍ଟକଳ ଡ଼ବଲ ହୋଇଯିବା ନିଶ୍ଚିତ । ଏଥିରେ ସରକାରୀ ନୀତି-ନିୟମ ଫେଲ୍ ମାରିଥିବା କୁହା ଯାଇପାରେ ।
ଜନ ସାଧାରଣ ଚଳାଚଳ କରୁଥିବା ମୁଖ୍ୟ ରାସ୍ତା ପାର୍ଶ୍ପରେ ବିନା ସୁରକ୍ଷା ବ୍ୟବସ୍ଥା ଓ ସୂଚନାରେ ଗଭୀର ନାଳ ଖୋଳି ଦୀର୍ଘଦିନ ପର୍ଯ୍ୟନ୍ତ ଛାଡ଼ି ଦିଆଯାଉଛି । ବିଶେଷକରି ଅନ୍ଧାର ରାତିରେ ଲୋକମାନେ ଉକ୍ତ ଖାଲ ଖମାରେ ପଡ଼ି ଆହତ ହେଉଛନ୍ତି । ଡ଼୍ରେନ୍, ମେନ୍ ହୋଲ୍ ନିର୍ମାଣ ଏବଂ ପାଇପ୍ ସଂଯୋଗ କାର୍ଯ୍ୟ ଅତି ନିମ୍ନ ମାନର ହେଉଥିôବାରୁ ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପୂର୍ବରୁ ତାହା ନଷ୍ଟ ହୋଇଯିବା ସହ ଦୂଷିତ ପାଣି ମାଟିରେ ଭେଦି ରାସ୍ତା ଉପରେ ପ୍ରବାହିତ ହେଉଛି ଓ ସହରରେ ବିଭିନ୍ନ ପ୍ରକାର ମାରାତ୍ମକ ସଂକ୍ରାମକ ରୋଗ ବ୍ୟାପିବ ବୋଲି ନିର୍ମାଣ ବିଶେଷଜ୍ଞ ତଥା ବୁଦ୍ଧିଜୀବୀ ମାନେ ଆଶଙ୍କା କରୁଛନ୍ତି । ଏପରିକି ମାରାତ୍ମକ ମଶା ବଂଶର ବିକାଶ ଘଟି ସମଗ୍ର ଅଂଚଳରେ ଡ଼େଙ୍ଗୁର ଆତଙ୍କ ଦେଖା ଦେଇଥିବା ସଂପୃକ୍ତ ବାସିନ୍ଦାଙ୍କ ସମେତ ସାଧାରଣ ପଥଚାରୀ ମାନେ ଅଭିଯୋଗ କରୁଛନ୍ତି । ଅନ୍ୟପକ୍ଷରେ ଗଭୀର ମାଟି ତଳେ ପାଇପ୍ ସଂଯୋଗ ପରେ ତାହାକୁ ବାଲିରେ ପୋତା ଯିବାର ନିୟମ ଥିଲେ ହେଁ ଖର୍ଚ୍ଚ କମ୍ ହେବା ଲୋଭରେ କମ୍ପାନୀ ଦ୍ୱାରା ଡ଼୍ରେନ୍ ଖୋଳା ମାଟିରେ ହିଁ ପୋତି ଦିଆ ଯାଉଛି । ଏହାର ନର୍ମାଣ ଦାୟିତ୍ୱରେ ଥିବା ଠିକାସଂସ୍ଥା ଆଇଭିଆର୍ସିଏଲ୍ର ମନମୁଖୀ ନିର୍ମାଣ କାର୍ଯ୍ୟ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେଉଥିଲେ ହେଁ ରାଜ୍ୟ ସରକାରଙ୍କ ଅଣ-ଓଡ଼ିଆ ଠିକାଦାର ପ୍ରୀତି ସାଧାରଣରେ ସନେ୍ଦହ ସୃଷ୍ଟି କରୁଛି । ରାସ୍ତା ଖୋଳାଯାଇ ଅସୁରକ୍ଷା ବଳୟ ଭିତରେ ଛାଡ଼ି ଦିଆଯାଉଥିବାରୁ ସେହି ନାଳ ମାନଙ୍କରେ ମାରାତ୍ମକ ମଶା ବଂଶର ବିକାଶ ଘଟି ସମଗ୍ର ଅଂଚଳରେ ବିଭିନ୍ନ ମାରାତ୍ମକ ସଂକ୍ରାମକ ରୋଗ ସଂକ୍ରମଣର ଆଶଙ୍କା ପ୍ରକାଶ ପାଉଛି । ଡ଼୍ରେନ୍ର ଦୂଷିତ ପାଣି ରାସ୍ତାରେ ପ୍ରବାହିତ ହେଉଥିବାରୁ ସାରା ଅଂଚଳରେ ପୂତି ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି ଓ ସାଧାରଣ ଲୋକେ ରାସ୍ତାରେ ଚାଲିବା ମଧ୍ୟ ଅସମ୍ଭବ ହୋଇ ପଡ଼ୁଛି ।