ମନ୍ତ୍ରିମଣ୍ଡଳରେ ନୂଆ ମୁହଁ

ମନ୍ତ୍ରିମଣ୍ଡଳରେ ନୂଆ ମୁହଁ

ଭୁବନେଶ୍ୱର, (ଆଇଏନ୍ଏସ୍): ରାତି ପାହିଲେ ରାଜ୍ୟ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠନ ହେବ ପଂଚମ ପାଳିର ସରକାର । ନିର୍ବାଚନ ଫଳାଫଳ ଘୋଷଣା ପରଠାରୁ ମନ୍ତ୍ରିପଦ ପାଇବା ପାଇଁ ସଂଖ୍ୟାଧିକ ବିଧାୟକ ଲବି ଆରମ୍ଭ କରି ଦେଇଥିଲେ । ନବୀନ ନିବାସ ଠାରୁ ଆରମ୍ଭ କରି ଦଳର କିଛି ପ୍ରମୁଖ ରାଜନେତାଙ୍କ ବାସଭବନରେ ସକାଳୁ ରାତି ପର୍ଯ୍ୟନ୍ତ ଲାଗି ରହିଥିଲା ଭିଡ । କିଏ ମନ୍ତ୍ରୀ ହେଉଛନ୍ତି ତାକୁ ନେଇ ବେଶ କିଛି ଦିନ ଧରି ଚାଲିଥିବା ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା । ମଙ୍ଗଳବାର ଅପରାହ୍ଣ ପର୍ଯ୍ୟନ୍ତ କେହି କିଛି ସୁରାକ ପାଇନଥିଲେ । ଦଳର ବରିଷ୍ଠ ସଦସ୍ୟ ତଥା ନବୀନଙ୍କ ମନ୍ତିମଣ୍ଡଳରେ ଦୀର୍ଘ ବର୍ଷ ଧରି ତାଙ୍କ ସହଯୋଗୀ ଭାବେ ରହି ଆସିଥିବା ନେତାମାନେ ବି ମନ୍ତ୍ରିପଦକୁ ନେଇ ଆଶଙ୍କାରେ ରହିଥିଲେ । ପ୍ରଥମ ଥର ପାଇଁ ନିର୍ବାଚିତ କିଛି ନୂଆ ବିଧାୟକ, ବିଧାୟିକା ଏଥର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ମନ୍ତ୍ରିପଦ ପାଉଥିବା କିଛି ବିଧାୟକଙ୍କ ନିକଟକୁ ଖବର ଯିବା ପରେ କିଏ ସବୁ ମନ୍ତ୍ରୀ ହେବେ ତାହା ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି ।
କିଛି ସୂଚନା ନପାଇ ଅତୀତରେ ମନ୍ତ୍ରିପଦର ସ୍ୱାଦ ଚାଖିଥିବା ବିଧାୟକମାନେ ସେମାନଙ୍କ ଭବିଷ୍ୟତ ନେଇ ସନ୍ଦୀହାନ ହୋଇ ପଡ଼ିଥିଲେ । ଗଣମାଧ୍ୟମ ତଥ୍ୟକୁ ଅନେକ ସମୟରେ ସମାଲୋଚନା କରିବା ଏବଂ ସାମ୍ବାଦିକମାନେ ଭୁଲ ଖବର ପରିବେଷଣ କରୁଥିବା ମନ୍ତବ୍ୟ ଦେଇ ନିଜ ପତିଆରା ବଢ଼ାଇବାକୁ ଚେଷ୍ଟା କରୁଥିବା ରାଜନେତା ଓ ମନ୍ତ୍ରୀ ଏବେ ଛେପ ଢ଼ୋକିଛନ୍ତି । ସାମ୍ବାଦିକମାନଙ୍କୁ ଘନ ଘନ ଫୋନ କରି ଖବର ସମ୍ପର୍କରେ ବୁଝିବାକୁ ଉଦ୍ୟମ ଚଳାଇଥିଲେ ।
ମିଳିଥିବା ସୂଚନା ଅନୁଯାୟୀ ନବୀନଙ୍କ ୨୧ ଜଣିଆ ମନ୍ତ୍ରିମଣ୍ଡଳରେ କିଛି ନୂଆ ମୁହଁ ସ୍ଥାନ ପାଇଛନ୍ତି । ଅନେକ ପୁରୁଣା ବଳି ପଡ଼ିଛନ୍ତି । ଏହା ଦଳର ବହୁ ବରିଷ୍ଠ ନେତାଙ୍କୁ ଚିନ୍ତାରେ ପକାଇଛି ।
ଟକୁନି ସାହୁ, ଦିବ୍ୟଶଙ୍କର ମିଶ୍ର, ନବକିଶୋର ଦାସ, ସମୀରରଞ୍ଜନ ଦାଶ,ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ଜଗନ୍ନାଥ ସାରକା ପ୍ରମୁଖଙ୍କୁ ପ୍ରଥମ ଥର ପାଇଁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି । ଦୀର୍ଘଦିନ ଧରି ମନ୍ତ୍ରିପଦ ପାଇନଥିବା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ପଦ୍ମନାଭ ବେହେରା ଏଥର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି । ସୂର୍ଯ୍ୟନାରାୟଣ ପାତ୍ର ବାଚସ୍ପତି ଓ ପ୍ରମିଳା ମଲ୍ଲିକ ମୁଖ୍ୟ ସଚେତକ ଦାୟିତ୍ୱ ତୁଲାଇବେ । ନବୀନଙ୍କ ପୂର୍ବ ମନ୍ତ୍ରିମଣ୍ଡଳରେ ଥିବା ସୁଶାନ୍ତନ୍ତ ସିଂହ, ଅଶୋକ ପଣ୍ଡା, ବିକ୍ରମ କେଶରୀ ଆରୁଖ ଓ ପ୍ରତାପ ଜେନା ଏଥର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି । (ରବିପ୍ରିୟ ଦାଶଙ୍କ ସ୍ୱତନ୍ତ୍ର ରିପୋର୍ଟ)

Leave a Reply

Your email address will not be published.