ମଲା ପରେ ବି ସାମ୍ବାଦିକଙ୍କୁ ମିଳୁଛି ସ୍ୱାସ୍ଥ୍ୟବୀମା?

ସାମ୍ବାଦିକଙ୍କ ପାଇଁ ସରକାରଙ୍କର ଅସୀମ ଆନ୍ତରିକତା!

ବାଲେଶ୍ୱର, (ଆଇଏନ୍ଏସ୍) : କଥାରେ ଅଛି, ‘ଜିଅନ୍ତେ ନଦେଲୁ ତୁଣ୍ଡରେ, ମଲାପରେ ଦେବୁ ବୀଣା ମୂଳରେ’ । ଏହି କଥାର ଅର୍ଥ ହେଲା, ମଣିଷ ମରିଗଲା ପରେ, ତାର ପିଣ୍ଡି ଉପରେ ବୀଣା ଗଛ ଲଗାଯାଇଥାଏ । ମୃତୁ୍ୟପରେ ହେଉଥିବା କ୍ରିୟା କର୍ମ ସମୟରେ ଏହି ଠାରେ ଖାଦ୍ୟ ଦେବାର ପ୍ରଥା ପ୍ରଚଳିତ । ଅପରପକ୍ଷରେ ବଂଚିଥିବା ସମୟରେ ଉପଯୁକ୍ତ ଯତ୍ନ ନିଆଯାଇ ନଥାଏ । ଠିକ୍ ସେହିପରି ଆମ ସରକାର ସାମ୍ବାଦିକଙ୍କ ସମସ୍ୟା ପ୍ରତି ଆଖିବୁଜି ଦେଇଛି । ଅଙ୍ଗନୱାଡ଼ି ଠାରୁ ଆରମ୍ଭ କରି ଯିଏ ଯାହା ଦାବିକଲା ତାହାକୁ ନବୀନ ବାବୁ ମାନିନେଇଥିବା ବେଳେ ବହୁ ଦାବି ସତ୍ୱେ ସାମ୍ବାଦିକଙ୍କୁ ପେନସନ ଦେବା କଥା ଶୁଣୁନାହାନ୍ତି । ଲଲିପପ୍ ଭଳି ସ୍ୱାସ୍ଥ୍ୟବୀମା ଧରାଇ ଦେଇଛନ୍ତି ସାମ୍ବାଦିକଙ୍କୁ । ଜଣେ ସାମ୍ବାଦିକ, ବିଶେଷକରି ଗ୍ରାମାଂଚଳର ସାମ୍ବାଦିକଟିଏ ଅନାଟନରେ କାଳାତିପାତ କରୁଥିଲେ ମଧ୍ୟ ସରକାର ନିଦାବିଷ୍ଣୁ ସାଜି ବସିଛନ୍ତି । ଅପରପକ୍ଷରେ ସାମ୍ବାଦିକଙ୍କର ମୃତୁ୍ୟପରେ ମଧ୍ୟ ସ୍ୱାସ୍ଥ୍ୟବୀମା ମୃତ ସାମ୍ବାଦିକଙ୍କୁ ମିଳିବା, ସାମ୍ବାଦିକ ମାନଙ୍କ ପ୍ରତି ଉପହାସ ନୁହେଁ ତ?
ବାଲେଶ୍ୱର ଜିଲ୍ଲାର ସୋର ବ୍ଲକରେ ‘ସୂର୍ଯ୍ୟପ୍ରଭା’ ଖବରକାଗଜର ସାମ୍ବାଦିକ ଥିବା ବିଶ୍ୱଜିତ୍ ଷଡ଼ଙ୍ଗୀଙ୍କର ୧୪ ନଭେମ୍ବର ୨୦୧୭ ମସିହାରେ ମୃତୁ୍ୟ ହୋଇ ଥିବା ବେଳେ ୨୦୧୮ ମସିହାରେ ଏବଂ ଚଳିତ ବର୍ଷ (୨୦୧୯ ମସିହା) ୰ବିଶ୍ୱଜିତ୍ ଷଡ଼ଙ୍ଗୀଙ୍କ ନାମରେ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଆସିଥିବା ଜାଣିବାକୁ ମିଳିଛି । ମୃତୁ୍ୟପରେ ୰ ଷଡ଼ଙ୍ଗୀଙ୍କ ନାମରେ ଦୁଇ ଦୁଇ ଥର ସ୍ୱାସ୍ଥ୍ୟ ବୀମା ଆସିବା ଘଟଣା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଦାୟୀତ୍ୱହୀନତାକୁ ପଦାରେ ପକାଇ ଦେଇଛି । ଏହି ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହେଉଛିଯେ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆଖିବୁଜି କାର୍ଯ୍ୟ କରୁଛି ।

Leave a Reply

Your email address will not be published.