ମାନସିକ ଭିନ୍ନକ୍ଷମ ଯୁବକକୁ ସୁସ୍ଥ କରି ନିଜ ଗ୍ରାମକୁ ପଠାଇଲେ ସ୍ୱେଚ୍ଛାସେବୀ
ପାରାଦ୍ୱୀପ, (ଆଇଏନ୍ଏସ୍): ବନ୍ଦର ସହର ପାରାଦ୍ୱୀପର ନୂଆବଜାର ଅଂଚଳରେ ଜଣେ ମାନସିକ ଭିନ୍ନକ୍ଷମ ଯୁବକଙ୍କୁ ଖାଦ୍ୟ ପାନୀୟ ଦେବା ସହ ତାର ପରିଚୟ ସଂଗ୍ରହ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ପିଟିଆଇ ର ବରିଷ୍ଠ ସାମ୍ବାଦିକ ତଥା ଏସୟୁଜେ ସାମ୍ବାଦିକ ସଙ୍ଗଠନର ରାଜ୍ୟ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଗଗନ ବିହାରୀ ସାହୁ । ଏହି ପୋଷ୍ଟକୁ ସାମ୍ବାଦିକ ପ୍ରଶାନ୍ତ ରାଉତ ଓ ଅନ୍ୟମାନେ ସେୟାର କରିଥିଲେ । ଏହି ଖବର ଦେଖି ଆକ୍ଟିଭ ପାରାଦ୍ୱୀପ ସୋସିଆଲ ଗୃପର ପ୍ରସନ୍ନ କୁମାର ପରିଡା ଓ ତାଙ୍କର ସହଯୋଗୀ ମାନେ ସେହି ଯୁବକ କାହ୍ନୁ କାହାଳର ଦାୟିତ୍ୱ ନେବା ସହ ତାକୁ ସୁୁସ୍ଥ କରିଥିଲେ । ମଙ୍ଗଳବାର ଦିନ ସ୍ୱେଚ୍ଛାସେବୀ ପ୍ରସନ୍ନ ଙ୍କ ସହ ତାଙ୍କର ବନ୍ଧୁ ସାଗର ବିଶ୍ୱାଳ, ଦିପ୍ତି ରଞ୍ଜନ ଭୂୟାଁ, ମିଲନ ସାହାଣୀ, ଲକ୍ଷ୍ମୀଧର ନାୟକ ପ୍ରମୁଖ କାହ୍ନୁଙ୍କ ନିଜ ଘର ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ହଳଦିଡିହ ଗାଁରେ ଛାଡିବାକୁ ଯାଇଥିବା ଜଣାପଡିଛି । ଏହି ଗ୍ରାମର ଲକ୍ଷ୍ମୀଧର କାହାଳଙ୍କ ପୁଅ କାହ୍ନୁ ପାରାଦ୍ୱୀପ ଅଂଚଳରେ କିଛି ମାସ ହେବ ଏଣେ ତେଣେ ବୁଲୁଥିଲେ । ଯୁବ ସମାଜସେବୀ ମାନଙ୍କ ଏଭଳି ମହତ କାର୍ଯ୍ୟକୁ ସମସ୍ତେ ଉଚ୍ଚ ପ୍ରଶଂସା କରିଛନ୍ତି ।