ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦାବି ଦୋହରାଇଲେ
-ଫଣି ପ୍ରଭାବିତଙ୍କ ପାଇଁ ୫ଲକ୍ଷ ପକ୍କାଘର ଅନୁମୋଦନ କରାଯାଉ
ଭୁବନେଶ୍ୱର, (ଆଇଏନ୍ଏସ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ରାଜ୍ୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଦିଲ୍ଳୀସ୍ଥିତ ସରକାରୀ ବାସଭବନରେ ସାକ୍ଷାତ କରିଥିଲେ । ନବୀନ ପ୍ରଧାନମନ୍ତ୍ରୀଙ୍କୁ ବିପୁଳ ବିଜୟ ପାଇଁ ଅଭିନନ୍ଦନ ଜଣାଇଥିବାବେଳେ ପ୍ରଧାନମନ୍ତ୍ରୀ ମଧ୍ୟ ନବୀନଙ୍କୁ ରାଜ୍ୟରେ ପଂଚମ ଥର ପାଇଁ ସରକାର ଗଠନ କରିଥିବାରୁ ଅଭିନନ୍ଦନ ଜଣାଇଥିଲେ । ଆଲୋଚନା ସମୟରେ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପ୍ରଦାନ ନେଇ ନବୀନ ଦାବି ଉପସ୍ଥାପନ କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟ କ୍ରମାଗତ ଭାବେ ବାତ୍ୟା, ବନ୍ୟା ଓ ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହେଉଛି । ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟର ବିକାଶରେ ଅନ୍ତରାୟ ହୋଇଛି । ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା କ୍ଷେତ୍ରରେ ପ୍ରାକୃତିକ ବିପର୍ଯ୍ୟୟକୁ ଏକ ଇଣ୍ଡିକେଟର ଭାବେ ଗ୍ରହଣ କରିବାକୁ ସେ କହିଛନ୍ତି । ଫଣିରେ ବିପୁଳ ଭାବେ ପ୍ରଭାବିତ ରାଜ୍ୟ ପାଇଁ ତୁରନ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବା ନେଇ ସେ ପ୍ରସ୍ତାବ ଦେଇଥିଲେ । କ୍ଷୟକ୍ଷତି ବାବଦରେ ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ ୫୨୨୭କୋଟି ୬୮ଲକ୍ଷ ଟଙ୍କା ପ୍ରଦାନ କରିବାକୁ ରାଜ୍ୟ ସରକାର କେନ୍ଦ୍ରକୁ ଅବଗତ କରିଛନ୍ତି । ଏହା ଯେପରି ଯଥାଶୀଘ୍ର ମିଳିବ ସେ ନେଇ ପଦକ୍ଷେପ ନେବାକୁ ନବୀନ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି । ଏହାବ୍ୟତୀତ ରାଜ୍ୟର କ୍ଷତିଗ୍ରସ୍ତଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫ଲକ୍ଷ ପକ୍କାଘର ଅନୁମୋଦନ କରିବାକୁ ସେ କହିଛନ୍ତି । କୋଇଲା ରୟାଲିଟି ସଂଶୋଧନ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଷ୍ଟ୍ରପତିଙ୍କୁ ଭେଟି ଆଲୋଚନା କରିଥିଲେ । ଫଣି ପ୍ରଭାବିତ ଅଂଚଳରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ଚାଲିଥିବା ସେ ରାଷ୍ଟ୍ରପତିଙ୍କୁ ଅବଗତ କରିଥିଲେ ।