ମୋ ପାରାଦୀପ ଯୋଜନା ଦିଗହରା: କୁମ୍ଭକର୍ଣ୍ଣ ନିଦ୍ରାରେ ପୌରପାଳିକା
ପାରାଦ୍ୱୀପ,(ଓଏନ୍ଏସ୍/ଆଇଏନ୍ଏସ୍): ପାରାଦୀପ ବନ୍ଦର ପ୍ରତିଷ୍ଠା ହେବାରୁ ବହୁ ପୂର୍ବରୁ କପିଳ ଯୋରୀ କ୍ରିକ୍ ରହିଛି । ପାରାଦୀପର ସର୍ବ ପୁରାତନ କପିଳ ମୁନିମଠର ପ୍ରତିଷ୍ଠା ତଥା କପିଳ ସଂହିତାର ରଚୟତା କପିଳ ବାବାଙ୍କ ନାମାନୁସାରେ ଏହି ଯୋର ନାମ କପିଳ ଯୋର । ଏହି ଯୋରକୁ କୁଜଙ୍ଗ ଅଂଚଳର କୈବର୍ତ୍ତମାନେ ବ୍ୟବହାର କରୁଥିଲେ । ପାରାଦୀପ ବନ୍ଦର ପ୍ରତିଷ୍ଠା ହେବା ପରେ ଜଗନ୍ନାଥ ମନ୍ଦିର, ପାରାଦୀପ କଲେଜ ପ୍ରତିଷ୍ଠାରେ କପିଳ ଯୋରୀ କ୍ରିକର ବହୁ ଅବଦାନ ରହିଛି । ଏହି ଯୋର ସବୁବେଳେ ଦଳ ଭର୍ତ୍ତୀ ହୋଇ ରହୁଥିଲା । ପ୍ରାୟ ତିନିବର୍ଷ ତଳେ ବନ୍ଦରର ତତକାଳିନ ଅଧ୍ୟକ୍ଷ ରିଙ୍କେଶ ରାଏ, ପାରାଦୀପ ପୌର ପରିଷଦର ପୌରପାଳ ବସନ୍ତ ବିଶ୍ୱାଳଙ୍କ ପ୍ରୟାସରେ ଆରମ୍ଭ ହୋଇଥିଲା ମୋ ପାରାଦୀପ ଯୋଜନା । ଏହି ଯୋଜନାର ମୂଳ ଲକ୍ଷ ଥିଲା କପିଳ ଯୋରୀ କ୍ରିକର ପୁର୍ନଉଦ୍ଧାର, ସୌନ୍ଦର୍ଯ୍ୟକରଣ ଓ ପାରାଦୀପର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ସୁଧାରିବା । ପାରାଦୀପ ବନ୍ଦର ପକ୍ଷରୁ ଏହି କି୍ରକର କୂଳେ କୂଳେ ସୁନ୍ଦର ସୁନ୍ଦର ପାର୍କ ତିଆରି କରାଯାଇଥିଲା । ଦଳ ସଫା ପରେ କ୍ରିକ ମଝିରେ ସ୍ଥାନେ ସ୍ଥାନେ ୱାଟର ଫାଉଣ୍ଡେସନ ବନ୍ଦର ପକ୍ଷରୁ ସ୍ଥାପନ କରାଗଲା । ହେଲେ ପାରାଦୀପର ସୌନ୍ଦର୍ଯ୍ୟର ଅନ୍ୟତମ କେନ୍ଦ୍ରବିନ୍ଦୁ କପିଳ ଯୋରୀ କ୍ରିକ ଶ୍ରୀହିନ ହୋଇଗଲା । ପୌରପାଳିକା ପକ୍ଷରୁ ଦଳ ସଫା ନହେବାରୁ ଦଳ ପଚି ଦୁର୍ଗନ୍ଧ ହେଉଛି । ସେ ବାଟରେ ଯାଉଥିବା ଳୋକମାନେ ନାକରେ ହାତ ଦେଇ ଯାଉଛନ୍ତି । ପାରାଦୀପ ସହରକୁ ଅଳିଆ ସଫା କରୁ ନଥିବା ପୌରପାଳିକା ଏହି କ୍ରିକରୁ ଦଳ ସଫା ବି କରୁନି । ଯେଉଁ ସୁନ୍ଦର ଚିନ୍ତାଧାରା ନେଇ ଆରମ୍ଭ ହୋଇଥିବା ମୋ ପାରାଦୀପ ଯୋଜନା କେବଳ ଯୋଜନାରେ ହିଁ ରହି ଯାଇଛି ।