ରାଜନଗରରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତି ସ୍ଥାପନ ପାଇଁ ଉଦ୍ୟମ

ରାଜନଗରରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତି ସ୍ଥାପନ ପାଇଁ ଉଦ୍ୟମ

ଭୁବନେଶ୍ୱର, (ଓଏନ୍ଏସ୍): ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରତି ବିଜୁବାବୁଙ୍କର ସ୍ୱତନ୍ତ୍ର ଆକର୍ଷଣ ଥିଲା । ରାଜନଗରର ପ୍ରତ୍ୟେକ ମଣିଷକୁ ସେ ନିବିଡ଼ ଭାବରେ ଭଲ ପାଉଥିଲେ । ୧୯୬୭ ବିଧାନସଭା ନିର୍ବାଚନରେ ବିଜୁବାବୁ ଭୁବନେଶ୍ୱର, ଚୌଦ୍ୱାର, ଭଞ୍ଜନଗର ଓ ପାଟକୂରା ସମେତ ୫ ଆସନରୁ ପ୍ରାର୍ଥୀ ହୋଇଥିଲେ । ମାତ୍ର ବିଜୁବାବୁ ସମସ୍ତ ୫ ଆସନରୁ ହାରିଥିଲେ । ୧୯୭୧ ମସିହାରେ ରାଜନଗର ଅଂଚଳରେ ଭୟଙ୍କର ବାତ୍ୟା ହେଲା । ବିଜୁବାବୁ ନିଜେ ହେଲିକପ୍ଟର୍ରେ ଯାଇ ଲୋକଙ୍କ ପାଖରେ ଠିଆ ହେଲେ ଓ ଅକାତରେ ସାହାଯ୍ୟ କଲେ । ସେଠାରେ ବିଧାୟକ ପ୍ରହ୍ଲାଦ ମଲ୍ଲିକ ଇସ୍ତଫା ଦେଇ ମଧ୍ୟବର୍ତି ନିର୍ବାଚନରେ ବିଜୁବାବୁଙ୍କୁ ସେଠାରୁ ପ୍ରାର୍ଥୀ କରାଇଲେ ଓ ସେଠାରୁ ହିଁ ବିଜୁବାବୁ ରାଜନୀତିରେ ନିଜର ପ୍ରଭାବ ଫେରି ପାଇଲେ । ୧୯୭୪ ରେ ବିଜୁବାବୁ ପୁଣି ରାଜନଗରରୁ ଉକ୍ରଳ କଂଗ୍ରେସ ଦଳରୁ ଜିତିଲେ । ୧୯୭୭ରେ ସେ କେନ୍ଦ୍ରୀୟ ରାଜନୀତିକୁ ପ୍ରସ୍ତାନ କରିବାରୁ ତାଙ୍କର ଅନୁଗତ ନଳିନିକାନ୍ତ ମହାନ୍ତିଙ୍କୁ ରାଜନଗର ଆସନ ଛାଡ଼ିଦେଲେ, ଯେଉଁଠାରୁ ନଳିନି ୭ଥର ଜିତି ଏକ ବିରଳ ଉଦାହରଣ ସୃଷ୍ଟି କରିଥିଲେ । ୧୯୭୭, ୧୯୮୦ ଓ ୧୯୮୪ରେ ବିଜୁବାବୁ କେନ୍ଦ୍ରାପଡ଼ା ସଂସଦୀୟ ଆସନରୁ ସଂସଦକୁ ଯାଇଥିଲେ । ୧୯୮୫ ନିର୍ବାଚନରେ ବିଜୁବାବୁ ରାଜ୍ୟ ରାଜନୀତିକୁ ଫେରିବାରୁ ସେହି ଆସନଟି ତାଙ୍କର ଅନୁଗତ ଶରତ ଦେବଙ୍କୁ ଦେଇଥିଲେ । ତେବେ ଯେଉଁ ରାଜନଗର ବିଜୁବାବୁଙ୍କର କର୍ମଭୂମି ଥିଲା, ସେହି ଅଂଚଳରେ ତାଙ୍କର ଏକ ବିଶାଳ ପ୍ରତିମୂର୍ତି ତିଆରି କରିବା ପାଇଁ ନିଷ୍ପତି ନେଇଥିବା ବିଜେଡ଼ି ଯୁବନେତା ତଥା ପୂର୍ବତନ ବିଜେଡ଼ି ଜିଲ୍ଲା ପରିଷଦ ସଦସ୍ୟ ଅଜିତ ନାୟକ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି । ଏଥିପାଇଁ ରାଜନଗର ଅଂଚଳର କୌଣସି ସ୍ଥାନରେ ଜାଗାଟିଏ ଯୋଗାଇ ଦେବାକୁ ଶ୍ରୀ ନାୟକ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏଥିନେଇ ବିଜୁପ୍ରେମୀଙ୍କ ମଧ୍ୟରେ ଆନନ୍ଦର ଢେଉ ଖେଳି ଯାଇଛି । ବାସ୍ତବରେ ରାଜନଗରରେ ସେହି ମହା ମାନବଙ୍କ ପ୍ରତିମୂର୍ତି ସ୍ଥାପନ କରାଗଲେ, ରାଜନଗର ବାସୀଙ୍କ ହୃଦୟରେ ବିଜୁବାବୁ ଚିର ସ୍ମରଣୀୟ ହୋଇ ରହିଯିବେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

Leave a Reply

Your email address will not be published.