ରାସ୍ତାରେ ମରଣର ଫାସ : ଆଖିରେ କାଠ ଚଷମା ଦେଇ ବସିଛି ପୋଲିସ!

ରାସ୍ତାରେ ମରଣର ଫାସ : ଆଖିରେ କାଠ ଚଷମା ଦେଇ ବସିଛି ପୋଲିସ!

ବାଲେଶ୍ୱର, (ଆଇଏନ୍ଏସ୍) : ରାସ୍ତାର ସଜ୍ଞା ବଦଳି ଗଲା ଭଳି ମନେ ହେଉଛି । ରାସ୍ତା ଯାତାୟତ ନିମନ୍ତେ ଉଦ୍ଦିଷ୍ଟ ବୋଲି ସମସ୍ତେ ଜାଣନ୍ତି । କିନ୍ତୁ ରାସ୍ତା ଏବେ ବର୍ଦ୍ଧିଷ୍ଣୁ ଜନ ସଂଖ୍ରାକୁ କମାଇବା ନିମନ୍ତେ ଉଦ୍ଦିଷ୍ଟ ବୋଲି ଏବେ ଭାବିବାକୁ ବାଧ୍ୟ । କାରଣ – ରାସ୍ତା ଗୁଡ଼ିକରେ ଦେଖିବାକୁ ମିଳୁଛି ମରଣର ଫାସ, ମରଣର ଯନ୍ତା, ଯାହା ସହଜରେ ଯେକୌଣସି ବ୍ୟକ୍ତିର ଜୀବନ ନେଇ ଯିବାରେ କିଛି ଅସୁବିଧା ନାହିଁ ।
ରାଜ୍ୟର ପ୍ରାୟ ଅଧିକାଂଶ ରାସ୍ତାରେ ଏବେ ଏହି ସମସ୍ୟା ଦେଖିବାକୁ ମିଳୁଛି । ସେ ଗ୍ରାମ୍ୟ ସଡ଼କ ହେଉ କିମ୍ବା ସହରାଂଚଳ ରାସ୍ତା ହେଉ, ଅଥବା ରାଜ୍ୟ ରାଜପଥ, ଜାତୀୟ ରାଜପଥ ହେଉ । ରାସ୍ତା ଗୁଡ଼ିକ ଏବେ ବେଆଇନ୍ ପାର୍କିଂ ବଢ଼ିବଢ଼ି ଚାଲିଛି । ବିଶେଷକରି ଟ୍ରକ୍, ବସ୍ ଭଳି ବ୍ୟବସାୟୀକ ଗାଡ଼ି ଗୁଡ଼ିକୁ ରାସ୍ତା କଡ଼ରେ ଏପରିକି କେତେକ ସ୍ଥାନରେ ରାସ୍ତା ଉପରେ ଦିନଦିନ ଧରି ଛିଡ଼ା କରି ଦିଆଯାଉଛି । ରାତିରେ ଏହି ସଂଖ୍ରା ବଢ଼ିବାରେ ଲାଗୁଛି । ଫଳରେ ରାସ୍ତା ଅବରୋଧ ହୋଇ ସଂକୀର୍ଣ୍ଣ ହୋଇଯାଉଛି । ଏହି ସବୁ ରାସ୍ତାରେ ଅନ୍ୟାନ୍ୟ ଯାନବାହନ ଯିବା ଆସିବାରେ ସମସ୍ୟା ଉପୁଜିବା ସହିତ ବିଭିନ୍ନ ସମୟରେ ଛିଡ଼ା ହୋଇଥିବା ଗାଡ଼ି ସହିତ ଧକ୍କା ହୋଇ ଦୁର୍ଘଟଣା ଘଟୁଛି । ପୁଣି ଛିଡ଼ା ହୋଇଥିବା ଗାଡ଼ି କାରଣରୁ ଆଗରୁ ଆସୁଥିବା ଗାଡ଼ି ସମ୍ପର୍କରେ ଜାଣି ନପାରି ବିପରୀତ ଦିଗୁରୁ ଆସୁଥିବା ଗାଡ଼ିଗୁଡ଼ିକ ମୁହାଁମୁହିଁ ଧକ୍କା ଘଟି ଧନଜୀବନ ହାନୀ ଘଟୁଛି ।
ଏହାର ପରିଣତି ଦେଖିବାକୁ ମିଳିଛି ସୋରର ଆଶ୍ରମ ଛକ ନିକଟରେ । ପୁରୁବାଈ କନ୍ୟାଶ୍ରମ ଠାରେ କନ୍ୟାଶ୍ରମର ବାଉଣ୍ଡାରୀକୁ ଲାଗି ଲାଇନ୍ କରି ଛିଡ଼ା କରାଇ ଦିଆଯାଉଛି ଟ୍ରକ୍ । ସତେ ଯେପରି ଏହି ସ୍ଥାନଟି ଟ୍ରକ୍ ପାର୍କିଂ ପାଇଁ ଉଦ୍ଦିଷ୍ଟ । ଫଳରେ ଏହି ରାସ୍ତା ସଂକୀର୍ଣ୍ଣ ହୋଇ ଯାତାୟତରେ ବହୁ ସମସ୍ୟା ସୃଷ୍ଟି କରୁଛି । ଅପରପକ୍ଷରେ ସୋର ପୋଲିସ ଏହି ଘଟଣାକୁ ଦେଖି ଚୁପ୍ ହୋଇ ବସିରହିଛି । ସତେଯେମିତି ପୋଲିସକୁ ଏସବୁ ଦେଖାଯାଉ ନାହିଁ । କେବଳ ଏହି ସ୍ଥାନ ନୁହେଁ ଜାତୀୟ ରାଜପଥ କଡ଼ ମଧ୍ୟ ବେଆଇନ୍ ପାର୍କିଂ ପ୍ଲେସ ପାଲଟିଛି । ସୋର ପୋଲିସ କାହିଁକି ଚୁପ୍ ହୋଇ ବସିଚି ତାହା ରହସ୍ୟାବୃତ । ଜଣେ ବ୍ୟଙ୍ଗାକାର ଏହି ଘଟଣାରେ ତାଙ୍କର ମତାମତ ଦେଇ କହନ୍ତିଯେ, ସୋର ପୋଳିସ ଯେହେତୁ ଆଖିରେ ‘କାଠ ଚଷମା’ ପିନ୍ଧୁଛି, ତେଣୁ ଏହିସବୁ ବେଆଇନ୍ କାର୍ଯ୍ୟ ପୋଲିସକୁ ଦେଖାଯାଉନାହିଁ ।
ସୋରର ଏହି ଘଟଣା ଏକ ନମୂନାମାତ୍ର । ରାଜ୍ୟର ସବୁ ସହରାଞ୍ଚଳରେ ଏହି ସମସ୍ୟା ଗୁରୁତର । କିନ୍ତୁ ପୋଲିସ କିମ୍ବା ସହରାଞ୍ଚର ଅଧିକାରୀମାନେ ଲୋକଙ୍କର ସମସ୍ୟା ପ୍ରତି ଅଖିବୁଜି ଦେଇ ବସୁଛନ୍ତି । ଏହି ସମସ୍ୟାର ପ୍ରତିକାର ପାଇଁ ପଦକ୍ଷେପ ନେଉ ନାହାନ୍ତି କିମ୍ବା ବେଆଇନ୍ ପାର୍କିଂ କରୁଥିବା ଗାଡ଼ିମାଲିକ ମାନଙ୍କ ବିରୁଦ୍ଧରେ କୋ÷ଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଲୋକମାନେ ଏହି ସମସ୍ୟାକୁ ଦୂରେଇବା ପାଇଁ ଆଇନକୁ ହାତକୁ ନେଲେ ସେତେବେଳେ ପୋଲିସ ସକ୍ରୀୟ ହୋଇ ଜନତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଲୋକମାନେ ଆଇନକୁ ହାତକୁ ନେବା ପର୍ଯ୍ୟନ୍ତ ବେଆଇନ କାର୍ଯ୍ୟକୁ ପୋଲିସ ପ୍ରଶ୍ରୟ ଦେଉଚି କାହିଁକି(?) ତାହା କେହି କେବେ ବି ତର୍ଜମା କରୁ ନାହାନ୍ତି । ଏହା ଆମ ଗଣତନ୍ତ୍ରର ବିଡ଼ମ୍ବନା ।

Leave a Reply

Your email address will not be published.