ଶେଷରେ ଇସ୍ତଫା ଦେଲେ ପ୍ରଦୀପ ମହାରଥୀ!

ଶେଷରେ ଇସ୍ତଫା ଦେଲେ ପ୍ରଦୀପ ମହାରଥୀ!

କୃଷି ଓ ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ମହାରଥୀ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ପିପିଲି ଦୁଷ୍କର୍ମ ଘଟଣାରେ ବିବାଦୀୟ ବୟାନ ଦେଇ ସେ କିଛି ଦିନ ହେଲା ଚର୍ଚାରେ ରହି ଆସିଥିଲେ । ଉଭୟେ ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ତାଙ୍କର ଇସ୍ତଫା ଦାବି କରାଯାଉଥିଲା । ଗତକାଲି ପ୍ରଧାନମନ୍ତ୍ରୀ ବାରିପଦା ଠାରେ ଏହି ଘଟଣାର ଉଲ୍ଲେଖ କରିବା ପରେ ତାଙ୍କ ଇସ୍ଥଫା ଚାପ ଅଧିକ ହୋଇଥିଲା । ତେବେ ମହାରଥୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଛନ୍ତି ବୋଲି ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୨ ମସିହାରେ ମଧ୍ୟ ସେ ଏହିଭଳି ଏକ ପରିସ୍ଥିତିରେ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଥିଲେ ।

ତେବେ ଶ୍ରୀ ମହାରଥୀ ୧୯୮୫ ନିର୍ବାଚନରେ ପ୍ରଥମ ଥର ପାଇଁ ପିପିଲି ବିଧାନସଭା ଆସନରୁ ଜନତା ଦଳ ଟିକଟରେ ନିର୍ବାଚିତ ହୋଇଥିଲେ । ୧୯୯୦ରେ ମଧ୍ୟ ସେ ପୁଣି ଜନତା ଦଳ ଟିକଟରେ ପିପିଲି ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ । ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ରେ ଲଗାତାର ସେ ବିଜୁ ଜନତା ଦଳ ଟିକଟରେ ସେହି ପିପିଲି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୯ ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ଯୁଧିଷ୍ଟିର ସାମନ୍ତରାୟଙ୍କୁ ୧୨,୫୦୫ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲା ବେଳେ ୨୦୧୪ ନିର୍ବାଚନରେ ପୁଣି କଂଗ୍ରେସର ଯୁଧିଷ୍ଟିର ସାମନ୍ତରାୟଙ୍କୁ ୩୩,୪୭୪ଭୋଟ୍ ବ୍ୟବଧାନରେ ପରାଜିତ କରିଥିଲେ । ୨୦୧୧ ମଧ୍ୟରେ ସେ ବିଧାନସଭାର ବିଭିନ୍ନ ଗୁରୁତ୍ପପୂର୍ଣ୍ଣ କମିଟିର ଜଣେ ପ୍ରମୁଖ ସଦସ୍ୟ ଭାବେ ନିଜର ଦାୟୀତ୍ୱ ସଫଳତାର ସହ ତୁଲାଇଥିଲେ । ୨୦୧୧ ମଇ ୧୦ ତାରିଖରେ ସେ ପ୍ରଥମ କରି କୃଷି ଓ ପଶୁସଂପଦ ମନ୍ତ୍ରୀ ଓ ୨୦୧୪ ମଇ ୨୧ରୁ ୨୦୧୭ ମଇ ୬ ତାରିଖ ପର୍ଯ୍ୟନ୍ତ ନୂଆ ମନ୍ତ୍ରୀମଣ୍ଡଳରେ ପୁଣି ସେହି କୃଷି ଓ ପଶୁ ସଂପଦ ମନ୍ତ୍ରୀ ଭାବରେ ସଫଳତାର ସହ ଦାୟୀତ୍ୱ ସଂପନ୍ନ କରିଥିଲେ ଓ ୨୦୧୭ ମଇ ୭ ତାରିଖରେ ପଂଚାୟତିରାଜ ବିଭାଗର ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୦୦ ମସିହାରେ ସେ ସରକାରୀ ଚିଫ୍ ହୁଇପ୍ ଭାବେ କାର୍ଯ୍ୟ କରିଥିଲା ବେଳେ ୧୯୯୨ରୁ ୧୯୯୬ ମଧ୍ୟରେ ମାର୍କଫେଡ଼୍ ଓ ସେଂଟ୍ରାଲ କୋ-ଅପରେଟିଭ୍ ବ୍ୟାଙ୍କର ସଭାପତି ଦାୟିତ୍ୱ ତୁଲାଇ ଥିଲେ ।

 

Leave a Reply

Your email address will not be published.