ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ ଓ କେନ୍ଦ୍ରାପଡା ଏସ୍ପିଙ୍କ ନିଲମ୍ବନ ପାଇଁ ଦାବି
ଭୁବନେଶ୍ୱର,(ଆଇଏନ୍ଏସ୍): ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ତଥା ଚତୁର୍ଥସ୍ତମ୍ଭ କୁହାଯାଉଥିବା ସାମ୍ବାଦିକ ମାନଙ୍କୁ ବାରମ୍ବାର ଦୁଃର୍ବ୍ୟବହାର କରାଯାଇଛି । ନିଜ ଜୀବନକୁ ବାଜିଲଗାଇ ଯେଉଁମାନେ ଖବର ସଂଗ୍ରହ କରି ଲୋକଲୋଚନକୁ ଆଣୁଛନ୍ତି । ଅନ୍ୟାୟ, ଅନୀତି, ବ୍ୟଭିଚାର, କଳା ବଜାରିର ମୁଖା ଖୋଲୁଥିବା ସାମ୍ବାଦିକ ମାନେ ଏବେ ଅସହାୟ ହୋଇ ପଡିଛନ୍ତି । ବିଭିନ୍ନ ସ୍ଥାନରେ ବିଭିନ୍ନ ମହଲରୁ ତାଙ୍କୁ ବାରମ୍ବାର ଆକ୍ରମଣ କରାଯାଉଛି । ଏହା ଗଣତନ୍ତ୍ରର ହତ୍ୟା କହିଲେ ଅତୁ୍ୟକ୍ତି ହେବ ନାହିଁ । ବିଗତ ଦିନରେ ଏକାଧିକ ଘଟଣା ଘଟିଯାଇଥିଲେ ମଧ୍ୟ ୧୭ତାରିଖ କେନ୍ଦ୍ରାପଡାଠାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଖବର ସଂଗ୍ରହ କରୁଥିବା କାର୍ଯ୍ୟରତ ସାମ୍ବାଦିକ ଅଜେଶ ମଲ୍ଲିକଙ୍କୁ ଏସପି ନୀତି ଶେଖର ଦୁଇ ଦୁଇଜଣ ପୂର୍ବତନମନ୍ତ୍ରୀଙ୍କ ସମ୍ମୁଖରେ ମାଡ ମାରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଖୋଦ ମୁଖ୍ୟମନ୍ତ୍ରୀ ଗୃହ ବିଭାଗରେ ଥାଇ ଯଦି ଏଭଳି ଘଟଣା ଘଟେ, ତେବେ ରାଜ୍ୟର ଜନସାଧାରଣଙ୍କ ଅବସ୍ଥା ଯାହାହେବ, ଅନୁମାନ କରାଯାଇପାରେ । ସାମ୍ବାଦିକଙ୍କ ସୁରକ୍ଷା ଆଇନ୍ ପ୍ରଣୟନ ଓ ମାଡ ମାରିଥିବା ଏସପିଙ୍କୁ ନିଲମ୍ବନ ଦାବିରେ କଳିଙ୍ଗ ସାମ୍ବାଦିକ ସଂଘ ତରଫରୁ ଲୋୟର ପିଏମଜି ଠାରେ ପ୍ରତିବାଦ ଜଣାଇ ଧାରଣା ଦିଆଯାଇଥିଲା । ଏଥିରେ ରାଜ୍ୟ ଆବାହକ ସୁକାନ୍ତ ରାଉତ, ସଂପାଦକ ବିଦ୍ୟାଧର ବାରିକ, କୋଷାଧ୍ୟକ୍ଷ ଗୌରୀ ପ୍ରସାଦ ମହାନ୍ତି ଯୋଗ ଦେଇ ଦୃଢ଼ ନିନ୍ଦା କରିଥିଲେ । କଳିଙ୍ଗ ସାମ୍ବାଦିକ ସଂଘ ଭୁବନେଶ୍ୱର ଶାଖାର ସଭାପତି ମନୋରଂଜନ ମିଶ୍ର ଓ ସଂପାଦକ ସୌଭାଗ୍ୟ ରଂଜନ ମହାନ୍ତିଙ୍କ ଆହ୍ୱାନରେ ସମସ୍ତ ସାମ୍ବାଦିକ ଏକାଠି ହୋଇ ପ୍ରତିବାଦ କରିଥିଲେ । ଏଥିରେ ଭୁବନେଶ୍ୱରର ଉପସଭାପତି ଦେବସ୍ମିତା ମହାନ୍ତି, ମୁଖ୍ୟ ସଂଯୋଜକ ବିମଳ ଚନ୍ଦ୍ର ପ୍ରଧାନ ଓ ରାଜିବ ନୟନ, ସତ୍ୟଜିତ୍ ରାଉତ, ପ୍ରତୁ୍ୟଷ ମହାନ୍ତି, ଅଶୋକ ମହାନ୍ତି, ବିଶ୍ୱରଂଜନ ମିଶ୍ର, ଦେବ ପାତ୍ର, ଅତୁଲ୍ୟ ମହାନ୍ତି, ଆରୁଣୀ ରାୟ, ସଂଗ୍ରାମ କେଶରୀ ଦାସ, ଅରବିନ୍ଦ ତ୍ରିପାଠୀ, ଚକ୍ରଧର ମାଝୀ, ପ୍ରିତମ୍ ସାହୁ, ସୁର୍ଜିତ୍ ଧଳ, ସୁଭକାନ୍ତ ଦାସ, ପ୍ରମୁଖଙ୍କ ସହିତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ । ସଂଧ୍ୟାରେ ପୋଲିସ ମହାନିଦେ୍ର୍ଦଶକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଥିଲା ।