ଗାୟତ୍ରୀ ପରିବାରର ରିଲିଫ୍ ବଂଟନ
ଭୁବେନଶ୍ୱର, (ଆଇଏନ୍ଏସ୍): ପୃଥିବୀ ପୃଷ୍ଠରେ ଅଧର୍ମର ମାତ୍ରା ବଢି ବଢି ଚାଲିଛି । ତେଣୁ ପ୍ରକୃତି ତାର ତାଣ୍ଡବ ଲୀଳା ଆରମ୍ଭ କରିଛି । ଏବେ ପ୍ରାୟତଃ ପୃଥିବୀର କୋଣ ଅନୁକୋଣରେ କିଛି ନା କିଛି ଅଘଟଣ ଘଟୁଛି । ସତ୍କର୍ମ, ସତ୍ଚିନ୍ତନ, ସଦ୍ଜ୍ଞାନ ଆଧାରରେ ମହାବିପତି ରୋକି ହୋଇ ପାରିବ । ଏବେଠୁଁ ମାନବଜାତି ସଜାଗ ହେବା ଆବଶ୍ୟକ ବୋଲି ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ମୁଖ୍ୟ ଶୈଳବାଳା ପଣ୍ଡ୍ୟା ଓଡିଶାରେ ଫନି ପିଡିତ ମାନଙ୍କୁ ସମବେଦନା ଜଣାଇବା ଓ ରିଲିଫ୍ ବଂଟନ କାର୍ଯ୍ୟକ୍ରମରେ ଯୋଗଦେଇ ଏକଥା କହିଛନ୍ତି । ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ, ହରିଦ୍ୱାରର ମୁଖ୍ୟ ମାତା ଶୈଳବାଳା ପାଣ୍ଡ୍ୟା, ଦେବସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳାଧିପତି ଡ.ଚିନ୍ମୟ ପାଣ୍ଡ୍ୟା, ସେଫାଳି ପାଣ୍ଡ୍ୟା ଏବଂ ଆପଦ ପ୍ରବନ୍ଧକ ମୁଖ୍ୟ ରାଜେଶ ଜୟୱାଲା ପ୍ରମୁଖ ଯୋଗଦାନ କରି ଓଡିଶାର ମହାମହିମ ରାଜ୍ୟପାଳଙ୍କ ଆତିଥେୟତା ଗ୍ରହଣ ସଦୃଶ ରାତ୍ରୀଯାପନ କରି ଗତକାଲି ଭୋର ୪ଟାରୁ କୋଣାର୍କ ଅଭିମୁଖେ ଯାତ୍ରା କରିଥିଲେ । ନବଗ୍ରହ ମନ୍ଦିର ଠାରେ ପହଂଚି ସଫେଇ କାର୍ଯ୍ୟ କରିବା ସହିତ ରିଲିଫ୍ ବଂଟନ କରିଥିଲେ । ଏଥିରେ ବିକଳାଙ୍ଗଙ୍କ ପାଇଁ ହୁଇଲ୍ ଚେୟାର ଓ ଅନ୍ୟମାନଙ୍କ ପାଇଁ ଘର ଓ ରୋଷେଇ ଉପକରଣ, ଶାଢ଼ୀ, ଲୁଙ୍ଗି, ଗାମୁଛା, ସାର୍ଟ, ଅନ୍ତର୍ଭୁକ୍ତ ଥିଲା । ଏହା ପରେ ପୁରୀର ଗୋପାଳପୁର ହରିଜନ ସାହି ବୁଲି ଦେଖିବା ସହିତ ସମସ୍ତଙ୍କୁ ସମବେଦନା ଜ୍ଞାପନ କରିଥିଲେ । ଚୈତନ୍ୟ ଗୈାଡ ମଠ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କହିଥିଲେ ସତ୍କର୍ମ ସତ୍ଚିନ୍ତନ ଦ୍ୱାରା ମହାବିପତିିରୁ ରକ୍ଷା ପାଇପାରିବେ । ଧୈର୍ଯ୍ୟର ସହ ଧ୍ୟାନ, ଯପ, କରନ୍ତୁ ଆପେ ଆପେ ସବୁ ସମାଧାନ ହୋଇଯିବ । ଏହାପରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶା ପ୍ରତିନିଧି ପ୍ରଦୀପ ସାହୁ, ଶେଷଦେବ ବେହେରା, ବିଶ୍ୱରଂଜନ ରଥ, ଚନ୍ଦ୍ରଶେଖର ବେହେରା, ପ୍ରକାଶ ବାରିକ, ଦିନବନ୍ଧୁ ଷଡଙ୍ଗୀ, ସନ୍ତୋଷ ଜେନା, ଜଗଦୀଶ୍ ଦାସ, ରବିନ୍ଦ୍ର ଗୈାଡ, କୃପାସିନ୍ଧୁ ଷଡଙ୍ଗୀ ପ୍ରମୁଖ ସହଯୋଗ କରିଥିଲେ । ସେହିପରି ଭୁବନେଶ୍ୱରରେ ମଧ୍ୟ ରିଲିଫ୍ ବଂଟନ କରାଯାଇଥିଲା ।