ବାଲେଶ୍ୱର, (ଓଏନ୍ଏସ୍) : ସ୍ୱାସ୍ଥ୍ୟ ସେବା ନାଗରିକର ମୌଳିକ ଅଧିକାର । ସରକାର ପ୍ରତ୍ରେକ ନାଗରିକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ଜରୁରୀ । କିନ୍ତୁ ରାଷ୍ଟ୍ର ହେଉ କିମ୍ବା ରାଜ୍ୟ, ନାଗରୀକଙ୍କୁ ତାଙ୍କର ଏହି ମୌଳିକ ଅଧିକାର ଯୋଗାଇବାରେ ସଫଳକି (?) ଏହା ଏକ ମୁଖ୍ୟ ପ୍ରଶ୍ନ । ସ୍ୱାସ୍ଥ୍ୟସେବା ବର୍ତମାନ ଦୁଇଭାଗରେ ବିଭକ୍ତ ହୋଇଯାଇଛି । ଗୋଟିଏ ହେଲା ସରକାରୀ ସ୍ୱାସ୍ଥ୍ୟସେବା ଓ ଅନ୍ୟଟି ହେଲା ବେସରକାରୀ/ଘରୋଇ ସ୍ୱାସ୍ଥ୍ୟସେବା । ଅନ୍ୟ ଅର୍ଥରେ କହିବାକୁ ଗଲେ ସ୍ୱସ୍ଥ୍ୟସେବା ବେପାର । ସରକାରୀ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ । ସରକାରୀ ଡାକ୍ତରଖାନାରେ ଡାକ୍ତର ମରୁଡ଼ି ସହିତ, କର୍ମଚାରୀଙ୍କ ଅଭାବ, ରୋଗୀ ଚିକିତ୍ସା ପାଇଁ ଡାକ୍ତର ଓ କର୍ମଚାରୀଙ୍କ ମାନସିତାର ଅଭାବ ସହିତ ଡାକ୍ତରମାନଙ୍କର ଘରୋଇ ଚିକିତ୍ସା ପ୍ରତି ଅହେତୁକ ମୋହ ସରକାରୀ ସ୍ୱାସ୍ଥ୍ରସେବାକୁ ଅଧିକ ବିପର୍ଯ୍ୟସ୍ତ କରିଦେଇଛି । ସଂଘ ନାମରେ ସରକାରଙ୍କୁ ଡାକ୍ତରମାନେ ବ୍ଲାକମେଲ କରୁଥିବା ବେଳେ ଭୋଟରାଜନୀତି ସରକାରଙ୍କୁ ଅସହାୟ କରିଦେଉଛି, ଯାହାଫଳରେ ସ୍ୱାସ୍ଥ୍ୟସେବା କେବଳ ବିପର୍ଯ୍ୟସ୍ତ ନୁହେଁ ବରଂ ଠପ୍ ହୋଇଯାଇଛି କହିଲେ ଭୁଲହେବନାହିଁ ।
ଅପରପକ୍ଷରେ ଘରୋଇ ହସ୍ପିଟାଲ ଗୁଡ଼ିକରେ ସରକାରୀ ଡାକ୍ତରଖାନା ଅପେକ୍ଷା ଉନ୍ନତ ସେବା ମିଳୁଛି ସତ୍ୟ, କକିନ୍ତୁ ସେଠାରେ ସାଧାରଣ କିମ୍ବା ଗରିବ ରୋଗୀ ଚିକିତ୍ସିତ ହେବା ଅସମ୍ଭବ । କାରଣ ଏଠାରେ ଚିକିତ୍ସିତ ହେବା ପାଇଁ ଲକ୍ଷଲକ୍ଷ ଟଙ୍କା ଆବଶ୍ୟକ । ତାହା କେବଳ ଧନୀବ୍ୟକ୍ତିମାନଙ୍କ ପାଇଁ (ସରକାରଙ୍କ ଧଳାହାତୀ, ଶିଳ୍ପପତି, ବଡ଼ବଡ଼ ବ୍ୟବସାୟୀ କିମ୍ବା କଳାଧନ ଥିବା ବ୍ୟକ୍ତିମାନେ) ଏହି ଡାକ୍ତରଖାନା ଉଦ୍ଦିଷ୍ଟ କହିଲେ ଅତୁ୍ୟକ୍ତି ହେବନାହିଁ । ଏହି ଘରୋଇ ଡାକ୍ତରଖାନା ଗୁଡ଼ିକ ଯେହେତୁ ବ୍ୟବସାୟୀକ ଲକ୍ଷ ନେଇ କରାଯାଇଛି ତେଣୁ ଅର୍ଥପାଇଁ ଏମାନେ ସବୁକିଛି ପରିପାରନ୍ତି, ଯଥା- ଅର୍ଥପାଇଁ ମୃତବ୍ୟକ୍ତି ଶବକୁ ଅଟକ ରଖିବାଭଳି ଘଟଣାର ବହୁ ନଜିର ଅତୀତରେ ଦେଖିବାକୁ ମିଳିଛି । ତଥାପି ମଣିଷ ଜୀବନ ବଂଚାଇବା ପାଇଁ ବାଧ୍ୟହୋଇ ଏହିସବୁ ଘରୋଇ ଡାକ୍ତରଖାନାରେ ଚିକିତ୍ସାପାଇଁ ଯିବାକୁ ବାଧ୍ୟ ହେଉଛି । ଏହା ସତ୍ୱେ ସରକାର, ସରକାରୀ ଡାକ୍ତରଖାନାରେ ଉତମ ସ୍ୱାସ୍ଥ୍ୟସେବା ପାଇଁ ପଦକ୍ଷେପ ନେଉନାହାନ୍ତି ଏବଂ ଘରୋଇ ଡାକ୍ତରଖାନାର ରୋଗୀଙ୍କୁ ଶୋଷଣ ବିରୁଦ୍ଧରେ କୋ÷ଣସି ଅଙ୍କୁଶ ଲଗାଉ ନାହାନ୍ତି ।
ଏହି ପରିପ୍ରେକ୍ଷୀରେ ଉଭୟ କେନ୍ଦ୍ର ସରକାରଙ୍କ ଆୟୁସ୍ମାନ ଭାରତ କିମ୍ବା ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କୁ ବିଚାରକୁ ନିଆଯାଇପାରେ । ଯେଉଁମାନେ ଏହି ଯୋଜନାରେ ସାମିଲହେବେ ସେମାନଙ୍କୁ ସ୍ୱାସ୍ଥ୍ୟସେବାର ସୁବିଧା ମିଳିବ । ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମୋଟା ଅଙ୍କର ଅର୍ଥ ଏହି ଯୋଜନାରେ ଖର୍ଚ୍ଚ କରୁଛନ୍ତି । ଯୋଜନାରେ ଅର୍ଥ ଖର୍ଚ୍ଚନକରି ସେହି ଅର୍ଥରେ ସରକାରୀ ଡାକ୍ତରଖାନାର ଉନ୍ନତି ଓ ସ୍ୱାସ୍ଥ୍ୟସେବାର ମାନବୃଦ୍ଧି ଉପରେ ଗୁରୁତ୍ୱ ଦେଲେ ଦେଶ ତଥା ରାଜ୍ୟର ପ୍ରତ୍ୟେକ ନାଗରୀକ ବିନା ମୂଲ୍ୟରେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇପାରନ୍ତେ । କିନ୍ତୁ ସରକାର ତାହା ନକରି ଯୋଜନାରେ ଖର୍ଚ୍ଚ କରିଚାଲିଛନ୍ତି କୋଟିକୋଟି ଟଙ୍କା । ବିଭିନ୍ନ ସ୍ୱାସ୍ଥ୍ୟସେବା ଯୋଜନାର ସୁଫଳ ଲୋକମାନେ ପାଆନ୍ତୁ ବା’ ନପାଆନ୍ତୁ, କିନ୍ତୁ ଏହି ଯୋଜନାରେ ମାଲେମାଲ ହେଉଛନ୍ତି ଘରୋଇ ହସ୍ପିଟାଲ ଗୁଡ଼ିକ । ଏହି ସବୁ ଯୋଜନାରେ କେତେକ ଘରୋଇ ହସ୍ପିଟାଲ ଗୁଡ଼ିକୁ ସାମିଲ କରାଯାଇଛି । କାର୍ଡ଼ ଧାରୀମାନେ କେବଳ ସେହି ବେସରକାରୀ ହସ୍ପିଟାଲରେ ଯୋଜନାରେ ଚିକିତ୍ସିତ ହୋଇପାରିବେ । ଥରେ ଜଣେ ଏହି ଘରୋଇ ଡାକ୍ତରଖାନାରେ ଆଡମିସନ ହୋଇଗଲେ କଥା ସରିଲା । ବେସରକାରୀ ଡାକ୍ତରଖାନା କର୍ତୃପକ୍ଷ ଏହି ସ୍ୱାସ୍ଥ୍ୟ କାର୍ଡ଼କୁ ବ୍ୟବହାର କରି ମୋଟା ଅଙ୍କର ଅର୍ଥ ସରକାରଙ୍କ ଠାରୁ ନେଇଯାଇଥାଆନ୍ତି । ସରକାର, ଯୋଜନା ନାମରେ ସରକାରୀ ଅର୍ଥକୁ ଘରୋଇ ହସ୍ପିଟାଲକୁ ଦେଇଦେଉଛନ୍ତି । ତାହା ନକରି ସରକାର ଯଦି ସେହି ଅର୍ଥ ବ୍ୟୟରେ ସରକାରୀ ଡାକ୍ତରଖାନାର ଉନ୍ନତି କରି ସମସ୍ତ ବ୍ୟକ୍ତିଙ୍କୁ ମାଗଣାରେ ଉତମ ସେବା ଯୋଗାଇବାରେ ବାଧା କେଉଁଠି? ଏହାର ଉତରରେ ଏତିକିି କୁହାଯାଇପାରେ ଯେ, ସରକାରୀ ଡାକ୍ତରଖାନାରେ ଉନ୍ନତମାନର ସେବା ଯୋଗାଇ ସରକାରୀ ଦଳର ଲାଭ କଣ ହେବ? ଏହାଦ୍ୱାରା ଭୋଟବ୍ୟାଙ୍କ ସୃଷ୍ଟି ହୋଇପାରିବ କି? ଏଣୁ ଯୋଜନା କରି ଲୋକଙ୍କୁ ସେବା କରିବାର ଡିଣ୍ଡିମ ପିଟିବା ସହିତ କିଛି ନିର୍ଦ୍ଦିଷ୍ଟ ପୁଞ୍ଜିପତିଙ୍କ ଅର୍ଥଭଣ୍ଡାରକକୁ ବୃଦ୍ଧି କରିବା ଓ ନିର୍ବାଚନ ସମୟରେ ସେହିମାନଙ୍କ ଠାରୁ ନିର୍ବାଚନୀ ଖର୍ଚ୍ଚ ପାଇଁ ଚାନ୍ଦା ଆଣିବାରେ ଏହି ସବୁ ଯୋଜନା ସହୟକ ହେବ । ଜନସାଧାରଣ ଲାଭ ପାଇଲେ କେତେ, କ୍ଷତି ସହିଲେ କେତେ? ସେଥିରେ ଯାଏ କେତେ ଆସେ କେତେ?
ଜନସାଧାରଣ ନେତାଙ୍କର ଏହି ଚାଲକୁ ବୁଝି ନପାରି ନେତାଙ୍କ ଭାଷଣରେ ତାଳିମାରି ଚାଲିଛନ୍ତି । ଏପଟେ ସେମାନଙ୍କର କଷ୍ଟୋପାର୍ଜିତ ଅର୍ଥ ଚାଲିଯାଉଛି କେତେକ ମୁଷ୍ଟିମେୟ ପୁଞ୍ଜିପତିଙ୍କ ହାତକୁ, ଯୋଜନା ନାମରେ । ଯେତେଦିନ ପର୍ଯ୍ୟନ୍ତ ଜନସାଧାରଣ ଏହା ବୁଝି ପାରିନାହାନ୍ତି ସେପର୍ଯ୍ୟନ୍ତ ନେତାମାନେ ଲୋକଙ୍କୁ ଏହିପରି ଭୁଆଁ ବୁଲାଇ ଚାଲିଥିବେ ଏଥିରେ ତିଳେହେଲେ ସନେ୍ଦହନାହିଁ ।