ଉଚବର୍ଗରେ ସଂରକ୍ଷଣ, ସମସ୍ୟାର ସମାଧାନ ନୁହେଁ
ସୁବାସ ଷଡଙ୍ଗୀ
ଭାରତର ରାଜନୀତିରେ ଗୋଟାଏ ସମୟକୁ କୁହାଯାଉଥିଲା ମଣ୍ଡଳକୁ ମୁକାବିଲା କରିବାକୁ କମଣ୍ଡଳୁର କଥା । ହିନ୍ଦିଭାଷା ଭାଷି ଅଂଚଳ ଗୁଡିକରେ ମଣ୍ଡଳର ପ୍ରଭାବ ଯେପରି ଭାବେ ପଡିଥିଲା ତାହାକୁ ପ୍ରତିହତ କରିବା ପାଇଁ କମଣ୍ଡଳୁର କଥା ଉଠାଯାଇଥିଲା । ଏହାର ପ୍ରଭାବ ମଧ୍ୟ କିଛିଟା ପରିଲକ୍ଷିତ ହୋଇଥିଲା । ତେବେ ସେସବୁ ଏବେ ଅତୀତ ପାଲଟି ଯାଇଛି । ମଣ୍ଡଳ- କମଣ୍ଡଳ ରାଜନୀତି ଭାରତରେ ରାଜନୈତିକ ଏବଂ ସାମାଜିକ ସ୍ତରରେ କିଛିଟା ପରିବର୍ତନ ଆଣିବାରେ ସକ୍ଷମ ହୋଇପାରିଛି, ଏକଥାକୁ ଏଡାଇ ଦିଆଯାଇପାରିବ ନାହିଁ । ଅର୍ଥନୈତିକ ଅବସ୍ଥାକୁ ଆଧାର କରି ଶିକ୍ଷା ଏବଂ ଚାକିରିରେ ସଂରକ୍ଷଣ ଦେଶର ସମାଜ ସ ରାଜନୀତିରେ ହଇଚଇ ଆଣି ପାରିବ କି ନାହିଁ, ତାହା ସମୟ କହିବ । କିନ୍ତୁ କେବଳ ଆର୍ଥିକ ଅବସ୍ଥାକୁ ଆଧାର କରି ଉଚବର୍ଣ୍ଣର ଏଇ ସଂରକ୍ଷଣ ବ୍ୟବସ୍ଥାଟି କେତେଦୂର କାର୍ଯ୍ୟକାରି ହୋଇପାରିବ,ସେନେଇ ବିତର୍କ ଦେଖା ଦେଇପାରେ ।
ଉଚବର୍ଣ୍ଣର ଆର୍ଥିକଭାବେ ଦୁର୍ବଳ ଶ୍ରେଣୀ ପରିବାରକୁ ଶିକ୍ଷା ଓ ଚାକିରିକ୍ଷେତ୍ରରେ ୧୦ ଭାଗ ସଂରକ୍ଷଣ ବ୍ୟବସ୍ଥାକୁ ଗତକାଲି(ସୋମବାର) କେନ୍ଦ୍ର କ୍ୟାବିନେଟ ମଂଜୁରି ଦେଇଛି । ଆଜି(ମଙ୍ଗଳବାର) ଏହା ସଂସଦରେ ବିଲ ଆଗତ କରାଯିବ । ଏହା ଆଇନରେ ପରିଣତ ନ ହେବା ପର୍ଯ୍ୟନ୍ତ ଏ ସଂପର୍କରେ କିଛି କହିବା ଠିକ ହୋଇ ନପାରେ । କିନ୍ତୁ ଆର୍ଥିକ ଦୁର୍ବଳ ଶ୍ରେଣୀ ମାିପିବା ପାଇଁ ଯେଉଁ ମାପକାଠିର କଥା କୁହାଯାଇଛି, ସେଥିରେ ଉଚବର୍ଣ୍ଣର ସବୁ ଶ୍ରେଣୀ ଆସିଯିବେ । ସଂରକ୍ଷଣ ସୁବିଧା ପାଇବା ପାଇଁ ବାର୍ଷିକ ଯେଉଁମାନଙ୍କର ଆୟ ୮ ଲକ୍ଷ ଟଙ୍କାରୁ କମ, ଏହାକୁ ଯଦି ଆର୍ଥିକ ଦୁର୍ବଳ ଶ୍ରେଣୀ ବୋଲି ଗ୍ରହଣ କରାଯାଏ, ତେବେ ଏଥିଣେ ନିମ୍ନ ମଧ୍ୟବିତ ଏବଂ ଉଚମଧ୍ୟବିତ ଶ୍ରେଣୀ ଆସିଯିବେ । ଏମାନେ ମୁଖ୍ୟତଃ ବେସରକାରି କ୍ଷେତ୍ରରେ ଥିବା ଚାକିରିକୁ ଆଶା ରଖିଥାନ୍ତି । ସରକାରୀ ଚାକିରିର ମୋହ ଏମାନେ ଅନେକ ଦିନ ହେଲା ଛାଡି ସାରିଲେଣି । ଏମାନଙ୍କ ମଧ୍ୟରୁ ଅନେକ ବିଭିନ୍ନ କ୍ଷେତ୍ରରେ ଆତ୍ମନିର୍ଭର ମଧ୍ୟ । କେବଳ ନିମ୍ନବିତ ଶ୍ରେଣୀ ଓ କିଛି ନିମ୍ନମଧ୍ୟବିତ ଶ୍ରେଣୀର ପିଲାମାନେ ସରକାରି ଚାକିରିର ଆଶାରେ ରହିଥାନ୍ତି । ସରକାରି ଚାକିରି ଓ ସରକାରି ଶିକ୍ଷାନୁଷ୍ଠାନ ଉପରେ ଏମାନେ ଅଧିକ ନିର୍ଭରଶୀଳ । ଉଚଆୟକାରୀ ବର୍ଗର ପିଲାମାନେ କେବଳ ବଡ ବଡ ଚାକରି ପ୍ରତି ଆଶା କରନ୍ତି ।
ଅର୍ଥାତ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଯେଉଁ ୫୧ ପ୍ରତିଶତ ଜେନେରାଲ ବର୍ଗଙ୍କ ପାଇଁ ରହିଛି,ସେଥିରେ ଆଧିପତ୍ୟ ହେଉଛି ଉଚବର୍ଗର ଲୋକମାନଙ୍କର । ମଧ୍ୟବିତ ଲୋକମାନଙ୍କର । କିଛିଟା ନିମ୍ନ ଶ୍ରେଣୀର । କେନ୍ଦ୍ର ସରକାରଙ୍କ ହିସାବରେ ଏମାନେ ଏବେ ଆର୍ଥିକ ଦୁର୍ବଳ ଶ୍ରେଣୀ । ଏମାନଙ୍କ ପାଇଁ ଯେଉଁ ୫୧ ଭାଗ ଆସନ ରହିଥିଲା,ସେଥିରୁ ୧୦ ଭାଗ ଆସନ ସଂରକ୍ଷିତ ହେବ । କେନ୍ଦ୍ର ସରକାର ଯେଉଁ ସଂରକ୍ଷଣ କଥା କହୁଛନ୍ତି, ସେଥିରେ ଗରିବଙ୍କର କୌଣସି ସ୍ଥାନ ନାହିଁ । ପରିବାରର ବାର୍ଷିକ ଆୟ ୮ ଲକ୍ଷରୁ କମ,ପାଂଚଏକର ଜମି, ହଜାରବର୍ଗଫଟର ଫ୍ଲାଟ, ଏଗୁଡିକ ଯଦି ଆର୍ଥିକ ଦୁର୍ବଳ ଶ୍ରେଣୀ ର ମାପ କାଠି ହୁଏ, ତେବେ ସେଇ ଗୋଷ୍ଠୀରେ େବେହେଲେ ଗରିବମାନେ ଜାଗା ପାଇପାରିବେ ନାହିଁ । କାରଣ ଏମାନଙ୍କ ପିଲାମାନେ ସଂରକ୍ଷଣରେ ସେମାନଙ୍କ ସହିତ ପ୍ରତିଯୋଗିତା କରିପାରିବେ ନାହିଁ । ବରଂ ସଂରକ୍ଷଣର ସୁବିଧା ନେଇ ସେମାନେ ଏହାକୁ କବଳିତ କରିନେବେ ।
କେନ୍ଦ୍ର କ୍ୟାବିନେଟର ମଂଜୁରି ପାଇଲେ ମଧ୍ୟ ଏହା ଯେ ସଂସଦରେ ମଂଜୁରି ପାଇବ ତାହା କହିହେବ ନାହିଁ । ସମ୍ବିଦାନ ସଂଶୋଧନ ପାଇଁ ଲୋକସଭାରେ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଦରକାର । ମାତ୍ର ଏହା ସରକାରୀ ଦଳରେ ନାହିଁ । ରାଜ୍ୟସଭାରେ ମଧ୍ୟ ସଂଖ୍ୟା ନାହିଁ । ତେବେ ବିରୋଧୀ ଦଳଗୁଡିକ ଏହାକୁ ସମର୍ଥନ କରିବେ ବୋଲି କହିଛନ୍ତି । ସଂସଦରେ ସେମାନଙ୍କର ଅବସ୍ଥାନ କଣ ହେବ ଜଣା ପଡି ନାହିଁ ସଂରକ୍ଷଣ ୫୦ ଭାଗରୁ ଅଧିକ ହୋଇପାରିବ ନାହିଁ ବୋଲି ସୁପ୍ରିମ କୋର୍ଟ କହିଛନ୍ତି । ଏଣୁ ଏହା ଏକ ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିବ ।
ଅର୍ଥନୈତିକ ଖୋଲା ବଜାରରେ ସଂରକ୍ଷଣର କୌଣସି ମୂଲ୍ୟ ନାହିଁ । ପ୍ରଥମ କଥା ହେଲା ସରକାରୀ ଚାକିରି ଆଉ ନାହିଁ । ଏଣୁ ସଂରକ୍ଷଣ ଥାଇ ମଧ୍ୟ ସୁବିଧା ମିଳିବା କଷ୍ଟ । ଉଚ ଶିକ୍ଷା ଏବେ ବେସରକାରୀ ସଂସ୍ଥାକୁ ଚାଲିଯାଇଛି । ଟଙ୍କାଥିଲେ ପାଠ ପଢିବ ନହେଲେ ନାହିଁ । ଏହାଛଡା ଏସସିଏସଟି ତଥା ଓବିସିମାନଙ୍କ ପାଇଁ ୪୯ ଭାଗ ସଂରକ୍ଷଣ ବ୍ୟବସ୍ଥା ରହିଛି । ଅଥଚ ସମାଜରେ ଏମାନଙ୍କର ସଂଖ୍ୟା ହେଉଛି ୯୦ ଶତାଂଶ । ସେମାନଙ୍କୁ ମାତ୍ର ୪୯ ଭାଗ ସଂରକ୍ଷଣ ମିଳୁଛି ।
ଆମ ସମାଜରେ ଟେଉଁ ଚାକିରି ରହିଛି, ତାହାର ୯୩ ଭାଗ ହେଉଛି ବେସରକାରୀ କ୍ଷେତ୍ରରେ । ଯେଉଁଠାରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୁଏ ନାହିଁ । ବିଶେଷକରି ଅସଂଗଠିତ କ୍ଷେତ୍ରରେ ଚାକିରି ବେଶୀ । ଦେଶର ଯେତେସବୁ ସଂକଟ ଏଇ ଅସଂଗଠିତ କ୍ଷେତ୍ରକୁ ନେଇ । ଅସଂଗଠିତ କ୍ଷେତ୍ରର ବ୍ୟବସାୟବାଣିଜ୍ୟ ମୂଳତଃ କୃଷିପରେ ନିର୍ଭରଶୀଳ । କୃଷିର ଅବଦାନ ଜାତୀୟ ଆୟରେ ମାତ୍ର ୨୦ ଭାଗ । କିନ୍ତୁ ଅଧାରୁ ଅଧିକ ଲୋକ ଏଥିରେ ସଂଶ୍ଲିଷ୍ଟ । କିନ୍ତୁ ଚାଷରେ ସେପରି କିଛି ଉନ୍ନତି ହୋଇ ପାରୁ ନାହିଁ । ଯାହା ଫଳରେ ଅସଂଗଠିତ କ୍ଷେତ୍ରରେ ଅସ୍ଥିରତା ଦେଖାଦେଇଛି । ଦେଶବ୍ୟାପି ବେକାରଙ୍କ ସଂଖ୍ୟା ବଢି ଚାଲିଛି ।
ସବୁଠାରୁ ବଡ କଥା ହେଉଛି କିଛି ସାମାଜିକ ପ୍ରକଳ୍ପ ମାଧ୍ୟମରେ ଗରିବ ଲୋକଙ୍କ ଆୟକୁ ବଢାଇବା । ସୁବ୍ୟବସ୍ଥିତ କରିବା । ଅସଂଗିତ କ୍ଷେତ୍ରକୁ ଶକ୍ତିଶାଳୀ କରିବା । ମାତ୍ର ସରକାରଙ୍କର ତାର ନଜର ନାହିଁ । ନିର୍ବାଚନ ପୂର୍ବରୁ କିଛି ଲୋକଙ୍ୁ ସନ୍ତୁଷ୍ଟ କରିବା ପାଇଁ ଏହା ଏକ ନିର୍ବାଚନୀ ଚାଲ ଛଡା ଆଉ କଣ ହୋଇପାରେ? ।
ସରକାରଙ୍କର ଏହି ଘୋଷଣା କେତେଦୂର ଭୋଟ ବ୍ୟାଙ୍କ ସୃଷ୍ଟି କରି ପାରିବ, ତାହା ନିର୍ବାଚନ କହିପାରିବ ।କିନ୍ତୁ ଯେପରିଭାବେ ଆମେ ସମାଜକୁ ସଂରକ୍ଷଣ ମାଧ୍ୟମରେ ଭାଗ ଭାଗ କରିଦେଉଛେ, ତାହା ସମାଜକୁ ମଜବୁତ କରିବା ପରିବର୍ତେ ଅଧିକ ଦୁର୍ବଳ କରିଦେଉଛିବୋଲି ଅନେକ ମନେ କରନ୍ତି । ବରଂ ଏହି ୫୦ ଭାଗ ସଂରକ୍ଷଣ ଭିତରେ ଆର୍ଥିକ ଦୁର୍ବଳ ଶ୍ରେଣୀ କଥାକୁ ସଂଶ୍ଳିଷ୍ଟ କରାଗଲେ, ତାହା କିଛି ଫଳପ୍ରଦ ହୋଇପାରନ୍ତା ।
ବର୍ତମାନ ସମ୍ବିଧାନ ସଂଶୋଧନ କରାଯିବା ଛଡା ଅନ୍ୟଗତି ନାହିଁ । କିନ୍ତୁ ବର୍ତମାନର କୋଟା ଭିତରେ ମଧ୍ୟ ଆର୍ଥିକ ଦୁର୍ବଳ ଶ୍ରେଣୀକୁ ସଂରକ୍ଷଣ ଦିଆଯାଇପାରିବ । ସରକାର ବାର୍ଷିକ ଆୟ ୮ ଲକ୍ଷକୁ ଆର୍ଥିକ ଦୁର୍ବଳ ଶ୍ରେଣୀଭାବେ ନେଉଛନ୍ତି । ଅପରପକ୍ଷରେ ଆୟକର ଅଢେଇଲକ୍ଷରୁ ଆରମ୍ଭ କରୁଛନ୍ତି । ବର୍ତମାନ ବାର୍ଷିକ ପାଂଚଲକ୍ଷ ଆୟ କରୁଥିବା ବର୍ଗ ହେଉଛନ୍ତି ସ୍ୱଛଳ । ସେମାନଙ୍କୁ ଏଥିରେ ସାମିଲ କେବଳ ଭୋଟ ପାଇଁ!
ସରକାର ଯଦି ଉଦ୍ଦିଷ୍ଟ କୋଟା ଭିତରେ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କଲା ଭଳି ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କ ପାଇଁ ୩୦ ଭାଗ ସଂରକ୍ଷଣର ବ୍ୟବସ୍ଥ କରନ୍ତେ, ତେବେ ସମସ୍ୟାର ସମାଧାନ ହୋଇପାରନ୍ତା ।ଯେଉଁମାନେ ଆୟକର ଦେଉଛନ୍ତି, ସେମାନଙ୍କୁ ବାଦ ଦେଇ ଆର୍ଥିକ ଦୁର୍ବଳ ଶ୍ରେଣୀ ଚିହ୍ନଟ ବ୍ୟବସ୍ଥା କରାଯଉ । ତାହାହେଲେ ପ୍ରକୃତ ଗରିବ ଉପକୃତ ହୋଇପାରିବେ । ନଚେତ ଏହା କେବଳ ଲୋକଦେଖାଣିଆ ନୀତି ହେବ ।
ମୋ-୯୪୩୯୬୫୨୩୨୨