ଶରତ କୁମାର ରାଉତ
ସାଧାରଣତଃ ନିଜ କାର୍ଯ୍ୟକଳାପର ସଫଳତା ଓ ବିଫଳତାକୁ ବିଧାୟକ ବା ମନ୍ତ୍ରୀମାନଙ୍କ କାର୍ଯ୍ୟଦକ୍ଷତାର ମାପକାଠି ବୋଲି ଧରା ଯାଇଥାଏ । ମନ୍ତ୍ରୀମଣ୍ଡଳ ଗଠନ ବେଳେ ବା ଅଦଳବଦଳ ବେଳେ ଶାସକ ଦଳର ବିଧାୟକ ମାନଙ୍କ କାର୍ଯ୍ୟଦକ୍ଷତା, ନିଷ୍ଠାପରତା ଓ ରାଜନୀତିକ ଜ୍ଞାନର ତର୍ଜ୍ଜମା କରାଯାଇ ସେମାନଙ୍କୁ ସାମିଲ କରା ଯାଇଥାଏ । ସାଧାରଣତଃ ବଜେଟ୍ ଅନୁମୋଦିତ ଅର୍ଥ ବ୍ୟୟ ଓ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ମନ୍ତ୍ରୀଙ୍କ ବିଭାଗ କେତେ ସକ୍ରିୟ ଓ ସ୍ୱଚ୍ଛତା ପ୍ରଦର୍ଶନ କରିଛି, ସାଧାରଣ ପ୍ରଜା କେତେ ଉପକୃତ ହୋଇଛନ୍ତି ଓ ସେମାନଙ୍କ ପ୍ରତି ମନ୍ତ୍ରୀଙ୍କ ଆଚରଣ, ପ୍ରଜାଙ୍କ ଅଭିଯୋଗ, ବିଭାଗୀୟ ଦୁର୍ନିତୀ ଓ ଅନିୟମିତତା ଇତ୍ୟାଦି ସମୀକ୍ଷାରୁ ମନ୍ତ୍ରୀଙ୍କ ପାରଙ୍ଗମତା ଜଣାପଡ଼ିଥାଏ । ସେହିପରି ବିଧାୟକ ମାନେ ସାଧାରଣ ଲୋକଙ୍କ ସୁଖ-ଦୁଃଖ ସହିତ କେତେ ଜଡ଼ିତ ଅଛନ୍ତି ବା ତାଙ୍କର ସାମଗ୍ରୀକ କାର୍ଯ୍ୟକଳାପ, ବିଧାୟକ ପାଣ୍ଠିର ଉପଯୋଗର ବୈଧତା, ଲୋକପି୍ରୟତା, ସଚ୍ଚୋଟତା, କର୍ମନିଷ୍ଠା, ରାଜନୀତିକ ଓ ପ୍ରଶାସନିକ ଅଭିଜ୍ଞତାକୁ ସେମାନଙ୍କ ଦକ୍ଷତାର ମାପକାଠି ରୂପେ ନିଆଯାଏ । ଆଉରି ମଧ୍ୟ ବିଧାନସଭା ଅଧିବେଶନରେ ବିଧାୟକଙ୍କର କାର୍ଯ୍ୟଶୈଳୀ,ବକ୍ତୃତା, ନିଜସ୍ୱ ମତ ଉପସ୍ଥାପନ, ପ୍ରଶ୍ନ କରିବାରେ କତେ ପାରଙ୍ଗମ, ବଜେଟ୍, ବିଧେୟକ, ଧ୍ୟାନାକର୍ଷଣ, ସ୍ଥଗନ, ଚର୍ଚ୍ଚା ଭଳି ମହତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନେବାର ଦକ୍ଷତା, ନିଜ ଜିଲ୍ଲାରେ ଓ ନିଜ ନିର୍ବାଚନ ମଣ୍ଡଳୀରେ ତାଙ୍କର ଲୋକାଭିମୁଖୀ କାର୍ଯ୍ୟ ଆଦିକୁ ଗୁରୁତ୍ୱ ଦିଆଯାଏ । ଏ ବାବଦରେ ଗଣମାଧ୍ୟମରେ ସମୀକ୍ଷା ହୁଏ ଓ ସାଧାରଣରେ ମଧ୍ୟ ଆଲୋଚନା ହୋଇଥାଏ । ଅତୀତରେ ବିଧାୟକ ମାନଙ୍କର ନୀତି, ଆଦର୍ଶ, କର୍ତବ୍ୟ ସଂପାଦନ ଓ ରାଜନୀତିକ ଦକ୍ଷତା ଆଧାରରେ ସେମାନଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦିଆ ଯାଉଥିଲା । ଆଜିର ଦିନରେ ଏହି ଆଧାରକୁ ବିଚାରକୁ ନେଲେ, ଅଧିକାଂଶ ବିଧାୟକଙ୍କୁ ମନ୍ତ୍ରୀ ପଦରେ ବସିବା ପାଇଁ ଆହୁରି ନୀତି, ଆଦର୍ଶ ଓ ରାଜନୀତିକ ଦକ୍ଷତାର ପ୍ରମାଣ ଦେବାକୁ ପଡ଼ିବ, ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବାକୁ ପଡ଼ିବ ।
ଏହି ସ୍ତମ୍ଭରେ ଅବିଭକ୍ତ କଟକ ଜିଲ୍ଲାର କିଛି ବିଜେଡ଼ି ବିଧାୟକଙ୍କ କାର୍ଯ୍ୟକଳାପ ସଂପର୍କରେ ଆଲୋଚନା କରାଯାଇପାରେ । କେନ୍ଦ୍ରପଡ଼ା ଜିଲ୍ଲାର ୫ଟି ବିଧାନସଭା ଆସନ ମଧ୍ୟରୁ ୨ଟିରେ କଂଗ୍ରେସ ଓ ୩ଟିରେ ବିଜେଡ଼ି ବିଧାୟକ ଅଛନ୍ତି । ମହାକାଳପଡ଼ା ବିଧାୟକ ଅତନୁ ଶବ୍ୟସାଚୀ ନାୟକ ୨୦୦୪ରୁ ଏପର୍ଯ୍ୟନ୍ତ ୩ଥର ବିଧାୟକ ରହିଛନ୍ତି ଓ ସେ ୨୦୦୯ରେ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଭାବେ ୩ବର୍ଷ ୨ମାସ ୧୦ ଦିନ ଦାୟିତ୍ୱ ନିର୍ବାହ କରିଥିଲା ବେଳେ ୨୦୧୪ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସୂଚନା ଓ ଲୋକ ସଂପର୍କ ରାଷ୍ଟ୍ର ମନ୍ତ୍ରୀ ଭାବେ ୨ବର୍ଷ ୫ମାସ କାର୍ଯ୍ୟ କରିଛନ୍ତି । ମନ୍ତ୍ରୀ ଭାବେ ସେ କେତେ କାର୍ଯ୍ୟଦକ୍ଷ ଓ କେତେ ପ୍ରଶଂସିତ, ତାହା ରାଜ୍ୟବାସୀ ଜାଣନ୍ତି । ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରୱାଲା ୬ଥର ବିଧାୟକ ଭାବେ ନିର୍ବାଚିତ ହୋଇ ପର୍ଯ୍ୟଟନ ଓ ସଂସ୍କୃତି, ବାଣିଜ୍ୟ ଓ ପରିବହନ, ସଂସଦୀୟ ବ୍ୟାପାର, ଗ୍ରାମ୍ୟ ଉନ୍ନୟନ ତଥା ବିଜୁ ପଟ୍ଟନାୟକଙ୍କ ସରକାରରେ ଅର୍ଥ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । କେନ୍ଦ୍ରାପଡ଼ା ବିଧାୟକ କିଶୋର ଚନ୍ଦ୍ର ତରାଇ ୨୦୦୪ରେ ପଟାମୁଣ୍ଡାଇ ଆସନରୁ ନିର୍ବାଚିତ ହୋଇଥିଲା ବେଳେ ୨୦୧୪ରେ କେନ୍ଦ୍ରାପଡ଼ା ଆସନରୁ ନିର୍ବାଚିତ ହୋଇଥିଲେ । ସେ ନିଜ ନିର୍ବାଚନ ମଣ୍ଡଳୀ ଲୋକ ମାନଙ୍କର ମୌଳିକ ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି ।
ପାରାଦୀପ ବିଧାୟକ ଡ଼ା.ଦାମୋଦର ରାଉତ ଏରସମା ଆସନରୁ ୫ ଥର ଓ ପାରାଦୀପ ଆସନରୁ ୨ଥର ବିଧାନସଭାକୁ ନିର୍ବାଚିତ ହୋଇ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ସଫଳତାର ସହ ନିଜ ଦାୟିତ୍ୱ ତୁଲାଇ ଆସିଛନ୍ତି । ସବୁ ଘଟଣାରେ ତାଙ୍କର ମନ୍ତବ୍ୟ ସ୍ପଷ୍ଟ, ସୁନ୍ଦର ଓ ସର୍ବଗ୍ରହଣୀୟ ହେଉଛି । ବହୁପ୍ରତିଭାର ଅଧିକାରୀ ଡ଼ା. ରାଉତ ଜଣେ ପ୍ରଗତିଶୀଳ ମଣିଷ ଭାବେ ବିଭିନ୍ନ ସାମାଜିକ ଓ ଗଣ ଆନେ୍ଦାଳନ ସହିତ ନିଜକୁ ସାମିଲ କରିଛନ୍ତି । ତାଙ୍କ ଲୋକ ପି୍ରୟତାର ବଡ଼ କାରଣ ହେଲା, ସେ ଅଧିକାଂଶ ସମୟ ସାଧାରଣ ଲୋକଙ୍କ ଗହଣରେ ବିତାଇ ସେମାନଙ୍କ ସୁଖ-ଦୁଃଖରେ ଭାଗୀ ହେଉଛନ୍ତି । ଯେତେବେଳେ ବିଜେଡ଼ିର ଉପରୁ ତଳ ପର୍ଯ୍ୟନ୍ତ ପ୍ରାୟ ସବୁ ନେତା କିଛି ପଦ ପଦବୀ ପାଇଁ ଲାଳାୟିତ, ସେତେବେଳେ କିନ୍ତୁ ଡ଼ାକ୍ତର ରାଉତ ସ୍ପଷ୍ଟ ସ୍ୱରରେ ନିଜ ଦଳର ନେତାଙ୍କୁ ଓ ଦଳର ଦିଗ୍ଦର୍ଶକଙ୍କୁ ତୀବ୍ର ସମାଲୋଚନା କରନ୍ତି । ସବୁବେଳେ ସ୍ପଷ୍ଟ ହୋଇଛି ଯେ, ପଦପଦବୀ ପାଇଁ ଡ଼ାକ୍ତର ରାଉତ ଲାଳାୟିତ ନୁହନ୍ତି । ରାଜନୀତିରେ ତାଙ୍କର ସ୍ପଷ୍ଟବାଦିତା ବାସ୍ତବରେ ତାଙ୍କୁ ଓଡ଼ିଶା ରାଜନୀତିକ ମଂଚର ଶୀର୍ଷରେ ପହଂଚାଇ ଦେଇଛି । ଏହି ସ୍ପଷ୍ଟବାଦିତା ପାଇଁ ନିକଟରେ ତାଙ୍କୁ ବିଜେଡ଼ିରୁ ବାହାର କରି ଦିଆଯାଇଛି । ବିଭିନ୍ନ ବିଭାଗର ମନ୍ତ୍ରୀ ଥିବାବେଳେ ଡ଼ା.ରାଉତ ଯେଭଳି ପ୍ରଭାବଶାଳୀ ସଂସ୍କାର ଆଣିଥିଲେ, ତାହା ଅନ୍ୟ କାହା ଦ୍ୱାରା ସମ୍ଭବ ନୁହେଁ ବୋଲି ବିଭିନ୍ନ ମହଲରେ ସବୁବେଳେ ମତ ପ୍ରକାଶ ପାଇ ଆସୁଛି । ଏପରିକି ଜଣେ ଅଭିଜ୍ଞ ମନ୍ତ୍ରୀ ତଥା ବିଧାୟକ ଭାବେ ତାଙ୍କର ରାଜନୀତିକ ଓ ବିଧାନସଭା କାର୍ଯ୍ୟଦକ୍ଷତା ଅନ୍ୟମାନଙ୍କ ପାଇଁ ଅନୁଶରଣୀୟ ହୋଇ ରହିବ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଉଛନ୍ତି । ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ଓ ତିର୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ ସାଧାରଣ ଲୋକଙ୍କ ସହିତ ଥିଲେ ମଧ୍ୟ ନିଜ ଅଂଚଳରେ ଆଖିଦୃଶିଆ ଉନ୍ନୟନ କାର୍ଯ୍ୟ କରି ପାରି ନାହାନ୍ତି । ବରୀ ବିଧାୟକ ଦେବାଶିଷ ନାୟକ, ବଡ଼ଚଣା ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଓ ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ରାଜନୀତିକ ଦକ୍ଷତା ରାଜ୍ୟବାସୀ ଜାଣିଛନ୍ତି । ଏମାନେ ଲୋକପି୍ରୟ ନେତା ଭାବେ ପରିଚିତ । ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ, ସୁକିନ୍ଦା ବିଧାୟକ ପ୍ରିତୀରଂଜନ ଘଡ଼ାଇ, କୋରେଇ ବିଧାୟକ ଆକାଶ ଦାସ ନାୟକ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସାଧାରଣ ଲୋକଙ୍କ ସୁଖ-ଦୁଃଖ ସହିତ ଜଡ଼ିତ ଥିବାବେଳେ ଜିଲ୍ଲାରେ ବିଜେଡ଼ି ସଂଗଠନକୁ ମଜଭୁତ କରିବାରେ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ।
ମାହାଙ୍ଗା ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା କିଶନନଗର ଆସନରୁ ୨ଥର ଓ ମାହାଙ୍ଗା ଆସନରୁ ୨ ଥର ନିର୍ବାଚିତ ହୋଇଛନ୍ତି । ୨୦୦୯ରେ ୩ବର୍ଷ ୩ମାସ ପର୍ଯ୍ୟନ୍ତ ସେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲା ବେଳେ ଗତ ୨୦୧୭ ମଇ ୭ ତାରିଖରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ ତଥା କିଛିଦିନ ତଳୁ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଭାବେ ନିଜ ଦାୟିତ୍ୱ ସଫଳତାର ସହ ତୁଲାଇ ଆସୁଛନ୍ତି । ନିଜ ବିଧାନସଭା କ୍ଷେତ୍ର ସମେତ ଓଡ଼ିଶାକୁ ପୂର୍ଣ୍ଣ ବିକଶିତ କରାଇବା ଲକ୍ଷ୍ୟରେ ସେ ନିଜର ଅଭିଯାନ ଚାଲୁ ରଖିଛନ୍ତି । ପୂର୍ବରୁ ସେ ବିଧାନସଭାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କମିଟିର ଜଣେ ପ୍ରମୁଖ ସଦସ୍ୟ ଭାବେ ନିଜର ଦାୟୀତ୍ୱ ସଫଳତାର ସହ ତୁଲାଇ ଛନ୍ତି ।୨ଦଶନ୍ଧିର ରାଜନୀତିକ ଜୀବନ ଭିତରେ ତାଙ୍କର ପ୍ରତ୍ୟେକ କାର୍ଯ୍ୟ ଓ ରାଜନୀତିକ ଆଲୋଚନା ସାଧାରଣ ମଣିଷ ମାନଙ୍କୁ ମୁଗ୍ଧ କରିଛି । କଟକ ସଦର ବିଧାୟକ ତଥା କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, ନିଆଳି ବିଧାୟକ ପ୍ରମୋଦ ମଲ୍ଲିକ, ବାରବାଟୀ-କଟକ ବିଧାୟକ ଦେବାଶୀଷ ସାମନ୍ତରାୟ ନିଜ ନିଜ ନିର୍ବାଚନ ମଣ୍ଡଳୀର ମୌଳିକ ସମସ୍ୟା ସମାଧାନ ପାଇଁ କାର୍ଯ୍ୟ କରୁଛନ୍ତି । ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ କିଛିଦିନ ତଳୁ ନିଜ ନିର୍ବାଚନ ମଣ୍ଡଳୀର ବିକାଶ କାର୍ଯ୍ୟକୁ ତ୍ୱରାନ୍ନିତ କରିଛନ୍ତି । ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଠଗଡ଼ ଆସନରୁ ୬ ଥର ନିର୍ବାଚିତ ହୋଇ ବିଭିନ୍ନ ସମୟରେ ବିଜ୍ଞାନ ଓ କାରୀଗରୀ, କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ଗୃହ ନିର୍ମାଣ ମନ୍ତ୍ରୀ ଭାବେ ନିଜ ଦାୟିତ୍ୱ ସଫଳତାର ସହ ତୁଲାଇଥିଲେ । ରାଜ୍ୟ ମନ୍ତ୍ରୀମଣ୍ଡଳରେ ଅଧିକାଂଶ ସଦସ୍ୟ ନିଜ କାର୍ଯ୍ୟଦକ୍ଷତା ଦେଖାଇବାରେ ବା ନିଜ ବିଭାଗୀୟ କାର୍ଯ୍ୟ ପରିଚାଳନାରେ ପ୍ରାୟତଃ ବିଫଳ ହୋଇଥିବା ରାଜନୈତିକ ସମୀକ୍ଷକ ମାନେ ମତ ଦେଉଛନ୍ତି । ଅତଏବ ବିଧାୟକ ମାନଙ୍କୁ ଦକ୍ଷତା ଆଧାରରେ ମନ୍ତ୍ରୀ ପଦ ଦିଆଯିବା ଗଣତନ୍ତ୍ର ପାଇଁ ତଥା ଜନସାଧାରଣଙ୍କ ପାଇଁ ଶୁଭଙ୍କର ହୋଇଥାଏ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି ।
ଓଡ଼ିଶା ନ୍ୟୁଜ ସର୍ଭିସ,
ଭୁବନେଶ୍ୱର, ମୋ-୯୩୩୭୩୬୯୪୪୮