କେନ୍ଦ୍ରାପଡ଼ାରେ ଗଜଲକ୍ଷ୍ମୀ ପୂଜା ପାଇଁ ମଜଭୁତ ସୁରକ୍ଷା ବ୍ୟବସ୍ଥା
କେନ୍ଦ୍ରାପଡ଼ା, (ଆଇଏନ୍ଏସ୍): ଜିଲ୍ଲାର ଗଣପର୍ବ ତଥା ମା’ ଗଜଲକ୍ଷ୍ମୀଙ୍କ ପୂଜା ଉପଲକ୍ଷେ ଏବେ ଖୁବ ଚଳଚଂଳ ହୋଇପଡ଼ିଛି କେନ୍ଦ୍ରାପଡ଼ା । ମା’ ଲକ୍ଷ୍ମୀ ଏବଂ ଗଜଙ୍କ ସହିତ ବିଭିନ୍ନ ଦେବାଦେବୀଙ୍କ ସୁନ୍ଦର ପ୍ରତିମାମାନ ସାଙ୍ଗକୁ ଉତମ ସାଜସଜ୍ଜା ତଥା ଚିତାକର୍ଷକ ଉଜ୍ୱଳ ଆଲୋକ ତୋରଣ ଗୁଡ଼ିକୁ ଦେଖିବାକୁ ମିଳିଛି ବିଭିନ୍ନ ପୂଜାମଣ୍ଡପରେ । ତେବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ତଥା ମାର୍ଶାଘାଇ ମହାକାଳପଡ଼ା, ନିକିରାଇ, ଚାନେ୍ଦାଳ, ବାଲିଆ, ପଟ୍ଟାମୁଣ୍ଡାଇ ଇତ୍ୟାଦି ଅଂଚଳରେ ୨୦୦ ଶହରୁ ଉଦ୍ଧ୍ୱର୍ ଗଜଲକ୍ଷ୍ମୀ ମେଢ ମଣ୍ଡପରେ ପୂଜାପାଉଥିବା ବେଳେ ସହର ମଧ୍ୟରେ ପା୍ରୟ ୭୦ଟି ପୂଜା ମଣ୍ଡପରେ ଶୋଭା ପାଉଛନ୍ତି ମା’ଲକ୍ଷ୍ମୀ ।
ଚଳିତ ମାସ ୧୩ ତାରିଖ କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀରେ ପୂଜାରେ ଆରମ୍ଭ ହୋଇଥିବା ଏହିପୂଜା ଉତ୍ସବ ୧୯ ତାରିଖରେ ପୂର୍ଣ୍ଣାହୁତି ଏବଂ ମୂର୍ତି ବିର୍ସଜନ ପରେ ୨୦ ଓ ୨୧ ତାରିଖରେ ମେଳଣ ତଥା ଭଷାଣୀ ଶୋଭାଯାତ୍ରାର ବ୍ୟବସ୍ଥା ହୋଇଛିି । ଆଜକୁ ପ୍ରାୟ ୯୧ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଏହି ଗଜଲକ୍ଷ୍ମୀ ପୂଜା ଏବେ ସର୍ବୋଚ୍ଚ ସ୍ଥାନରେ ରହିଚି । ତେବେ ଏହି ଗଣପର୍ବକୁ ଚଳିତ ବର୍ଷ ଆହୁରି ଉଚ୍ଚକୋଟିର ଓ ସରସସୁନ୍ଦର କରିବାକୁ ପ୍ରତ୍ୟେକ ପୂଜାକମିଟିର ଆୟୋଜକମାନେ ଲାଗିପଡ଼ିଛନ୍ତି । ଚଳିତ ବର୍ଷ ପୂର୍ବ ଅପେକ୍ଷା ବିଭିନ୍ନ ମେଢରେ ଚାନ୍ଦି ଓ ସୁନାର ଅଳଙ୍କାର ପରିମାଣ ବଢିଛି । ତେଣୁ ପରିବର୍ତିତ ଯୂଗାନୁସାରେ ପ୍ରତ୍ୟେକ ମେଢ଼ର କଳେବର ମଧ୍ୟ ବଦଳି ଚାଲିଛି । ଇତି ମଧ୍ୟରେ ସହର ମଧ୍ୟରେ ଥିବା ଅଧିକାଂଶ ପୂଜାକମିଟିରେ ନୂତନତ୍ୱ ଦେଖିବାକୁ ମିଳିଛି । ତେଣୁ ପ୍ରତି ବର୍ଷପରି ଚଳିତ ପୂଜାସିଜିନ୍ରେ ମଧ୍ୟ ବିଭିନ୍ନ ସ୍ଥାନରେ ଭେଳିକିଭେଳି କଳାକୁଞ୍ଜ ମଧ୍ୟ ଦର୍ଶକମାନଙ୍କୁ ଖୁବ୍ ଆକର୍ଷିତ କରୁଛି । ଆଉ ତା’ ସହିତ ବିଭିନ୍ନ ମଣ୍ଡପରେ ସାଂସ୍କୃତିକ କାର୍ଯକ୍ରମ ପାଲ୍ଲା, ଭଜନ ସମାରୋହ ଓ ଅର୍କେଷ୍ଟ୍ରା ପାର୍ଟି ମଧ୍ୟ ଦର୍ଶକଙ୍କ ମନକୁ ମୋହିତ କରୁଛି ।
ଏହାକୁ ସୁରକ୍ଷା ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷାର ବନେ୍ଦାବସ୍ତ କରାଯାଇଛି । ସହରରେ ଥିବା ବିଭିନ୍ନ ଖାଲଖମାକୁ ପ୍ୟାଚ୍ ମାଧ୍ୟମରେ ମରାମତି କରାଯାଇ ଥିବା ବେଳେ ଭାରିଯାନର ଚଳାଚଳ ଉପରେ କଟକଣା କରାଯାଇଛି । ସେହିପରି ପୁଲିସ୍ ପ୍ରଶାସନ ପକ୍ଷରୁ ସହରକୁ ୫ ଭାଗ କରିବା ସହ ୭ଟି ପେଟ୍ରୋଲିଂ ଗୃପ୍ ମାଧ୍ୟମରେ ପେଟ୍ରୋଲିଂ ଜାରି ରହିଥିବା ବେଳେ ରାପିଡ୍ ଆକ୍ସନ୍ ଫୋର୍ସ୍ ସହ ୨୮ ପ୍ଲାଟୁନ୍ ପୁଲିସ୍ ମୁତୟନ ହୋଇଛି । ବେଆଇନ୍ ମଦ କାରବାରକୁ ଗୁରୁତ୍ୱ ଦିଆଯିବା ସହ ମଦୁଆଙ୍କୁ ସାବାଡ୍ କରିବା ଲାଗି ସ୍ୱତନ୍ତ୍ର ଗାଡି ବ୍ୟବସ୍ଥା କରାଯାଇଛି । ସେହିଭଳି ବେଆଇନ୍ ଚାନ୍ଦା ଜୁଲମ୍କାରୀଙ୍କୁ ପୁଲିସ୍ ପ୍ରସାଶନ ନଜର ରଖିଥିବା ବେଳେ ବିଭିନ୍ନ ଅପି୍ରତିକର ସମସ୍ୟାକୁ ଦୃଷ୍ଟିରେ ରଖି ସହରର ୧୨ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୩୬ଟି ସିସି କ୍ୟାମେରା ଲଗାଯାଇଛି । ଏଥି ସହିତ ସୁପ୍ରିମ୍ କୋର୍ଟଙ୍କ ନିୟମାନୁସାରେ ସମସ୍ତ ସାଉଣ୍ଡକୁ ୬୫ ଡେସିବଲ୍ ମଧ୍ୟରେ ବଜେଇବାକୁ ପ୍ରତ୍ୟେକ ପୂଜା କମିଟିକୁ ଜଣାଯାଇଛି । ତେବେ ସ୍ୱଚ୍ଛ ଭାରତକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସ୍ୱଚ୍ଛତାକୁ ନଜର ଦିଆଯିବା ସହ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ତଥା ପଲିଥିନ୍ ବ୍ୟବହାରକୁ ମଧ୍ୟ ସମ୍ପୂର୍ଣ୍ଣ ନିଷିଦ୍ଧ ପାଇଁ ଗୁରୁତ୍ୱ ଦିଆଯାଇଛି । ଏ ସମସ୍ତ ଦିଗକୁ ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସପି ନିତି ଶେଖର ପ୍ରମୂଖ କଡାକଡି ଭାବେ ନଜର ଦେଉଥିବାର ଜାଣିବାକୁ ମିଳିଛି ।