କେନ୍ଦ୍ରାପଡ଼ା ଜିଲ୍ଲାରେ ଲକଡ଼ାଉନ୍ ର ପ୍ରଭାବ: ସବୁଠି ଶୂନଶାନ!!

କେନ୍ଦ୍ରାପଡ଼ା ଜିଲ୍ଲାରେ ଲକଡ଼ାଉନ୍ ର ପ୍ରଭାବ: ସବୁଠି ଶୂନଶାନ!!

କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ, (ଆଇଏନ୍ଏସ୍): ସମଗ୍ର ପୃଥିବୀର ପ୍ରାୟ ସମସ୍ତ ଦେଶରେ ମାରାତ୍ମକ କରୋନା ଭୂତାଣୁର ତାଣ୍ଡବ ଜାରି ରହିଛି । ଏଣୁ ଆମ ଦେଶକୁ ଏହି ମହାମାରୀରୁ ରକ୍ଷା କରିବାକୁ ସମଗ୍ର ଦେଶ ଲକଡ଼ାଉନ୍ (ତାଲା ବନ୍ଦି) ଅବସ୍ଥାରେ ରହିଛି । ଚାରିଆଡ଼େ ଶୂନଶାନ୍ । ସବୁଠି ଲକଡ଼ାଉନ୍ ର ବିକଳ ଅବସ୍ଥା! ଅହରହ ଚଳଚଂଚଳ ଥିବା ସାରା ଭାରତର କୋଣ-ଅନୁକୋଣ, ରାସ୍ତାଘାଟ, କଳ କାରଖାନା, ସ୍କୁଲ-କଲେଜ, ଖଟିଖିଆଙ୍କ କାମଧନ୍ଦା, ସବୁକିଛି ଏବେ ନିସ୍ତବ୍ଧ ହୋଇ ଯାଇଛି । ଚାରିଆଡ଼େ ଖାଁ ଖାଁ ଅବସ୍ଥା । ସମଗ୍ର କେନ୍ଦ୍ରାପଡ଼ା ସହର ସମେତ ଜିଲ୍ଲାର ପଟ୍ଟାମୁଣ୍ଡାଇ, ରାଜନଗର, ମହାକାଳପଡ଼ା, ଆଳି, ରାଜକନିକା, ଡ଼େରାବିଶ, ମାର୍ଶାଘାଇ ଓ ପାଟକୁରା ବ୍ଲକ୍ରେ ମଧ୍ୟ ଖାଁ ଖାଁ ଅବସ୍ଥା ଦେଖାଦେଇଛି । ସାରା ଜିଲ୍ଲାର କି ଗାଁ କି ସହର ବଜାର ସବୁଠି ଲୋକ ଶୂନ୍ୟ ହୋଇଯାଇଛି । କେବଳ ଔଷଧ ଓ କ୍ଷୀର ଦୋକାନକୁ ଛାଡ଼ି ସମସ୍ତ ଦୋକାନକୁ ସନ୍ଧ୍ୟା ୬ଟା ପରେ ବନ୍ଦ କରିଦିଆଯାଇଛି । ସନ୍ଧ୍ୟାରେ ପୋଲିସ ଗାଁ ଓ ବଜାରରେ ବୁଲି ବୁଲି ଖୋଲା ଥିବା ଦୋକାନ ସବୁ ବନ୍ଦ କରୁଛି । ଫଳରେ ସନ୍ଧ୍ୟା ଠାରୁ ରାସ୍ତଘାଟ ଶୂନଶାନ ହୋଇ ପଡ଼ୁଛି । କାଁ ଭାଁ କେଉଁଠି ଗୋଟେ ଅଧେ ଗାଡ଼ି କିମ୍ବା ଜଣେ ଦୁଇଜଣ ଲୋକଙ୍କୁ ଛାଡ଼ି ଦେଲେ ରାସ୍ତାରେ କାହାକୁ ଦେଖିବାକୁ ମିଳୁନାହିଁ । (ରିପୋର୍ଟ: ଶୁସାନ୍ତ କୁମାର କର)

Leave a Reply

Your email address will not be published.