ଖୋରଧା ପୌରାଂଚଳରେ ଜମି ମାଫିଆଙ୍କ ଦୌରାତ୍ମ୍ୟ
ଖୋରଧା, (ଓଏନ୍ଏସ୍): ସ୍ଥାନୀୟ ପୌରାଂଚଳ ଅନ୍ତର୍ଗତ ଶ୍ରୀରାମ ନଗର ପୋଷ୍ଟାଲ କଲୋନୀ ପଶ୍ଚିମ ପାର୍ଶ୍ୱରେ ଥିବା ଖୋରଧା ସାହିତ୍ୟ ସଂସଦର ମୁଖ୍ୟଦ୍ୱାରକୁ ଲଗାଇ ସଂସଦ ପରିସର ମଧ୍ୟରେ ଜନୈକ ଜମି ମାଫିଆଙ୍କ ଦ୍ୱାରା ଏକ ଦୋକାନଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଖୋରଧା ପୌରାଂଚଳର ବିଭିନ୍ନ ଖାଲି ସ୍ଥାନରେ କିଛି ଜମି ମାଫିଆ ସକ୍ରିୟ ହୋଇ ଦୋକାନ ଘର କରି ଭଡା ଦେଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବାର ଜଣାଯାଇଛି । ଏବେ ନିର୍ବାଚନ ପୂର୍ବରୁ ସେମାନେ ସକ୍ରିୟ ହୋଇଉଠିଛନ୍ତି । ଦୀର୍ଘ ୩୩ବର୍ଷ ଧରି ପ୍ରତିଷ୍ଟିତ ହୋଇଥିବା ଓଡିଶାର ଏହି ଅଗ୍ରଣୀ ଅନୁଷ୍ଠାନ ଖୋରଧା ସାହିତ୍ୟ ସଂସଦ ପରିସରର ଅର୍ଦ୍ଧାଧିକ ଜମିକୁ ମାଡିବସିବା ପାଇଁ ମସୁଧା ଚଲାଇ ରାତିଦିନ ଏକାକାର କରି ଲୋକ ଲଗାଇ କାମ ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ସାହିତ୍ୟ ସଂସଦର ସମସ୍ତ କାର୍ଯ୍ୟକାରୀ ସଦସ୍ୟ, ସ୍ଥାନୀୟ ବହୁ ବରିଷ୍ଠ ନାଗରିକ ତଥା ବୁଦ୍ଧିଜୀବି ମାନେ ଏ ସଂପର୍କରେ ସ୍ଥାନୀୟ ବିଧାୟକଙ୍କୁ ଭେଟି ଦୃଷ୍ଟି ଆକର୍ଷଣ କରିବା ସହିତ ସ୍ଥାନୀୟ ତହସିଲଦାର, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ଆର୍ଡିସିଙ୍କୁ ଲିଖିତ ଅଭିଯୋଗ କରି ଏହି ଜବର ଦଖଲ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି ।